Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନଭେମ୍ବର ୧୫ରେ ନିଲାମ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ। ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି। ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ।

ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ। ତା’ପରଠାରୁ କୋଇଲା ମନ୍ତ୍ରଣାଳୟ ସାତ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣିଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି। ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି। ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି। ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ୍ କୋଇଲା ଉତ୍ତୋଳିତ ହେଉଛି।

ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି। ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାମାନେ ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି। ଏହି ପ୍ରକ୍ରିୟାରେ ଦେଶରେ କୋଇଲା ଉତ୍ପାଦନ ବଢିଛି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ନିଲାମ ଓ ଉତ୍ତୋଳନ /ଖନନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେମାନଙ୍କୁ ସରକାର ଏହି ନିଲାମ ମାଧ୍ୟମରେ କୋଇଲାର ନିଜସ୍ୱ ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ନିମନ୍ତେ ଅନୁମତି (ପରମିଟ୍ )ପ୍ରଦାନ କରୁଛନ୍ତି।

ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି। ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି। ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି।

ଆହୁରି ମଧ୍ୟ ଏଭଳି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି ପାଉଛି । ସେମାନେ ଉତ୍ତୋଳିତ ହେଉଥିବା କୋଇଲା ଉପରେ ରୟାଲଟି ବା ରାଜଭାଗ ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଞ୍ଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ଏହା ଦ୍ୱାରା ଅଧିକ ଲୋକଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳୁଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବ ବର୍ତ୍ତୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ । ଏହି କ୍ଷେତ୍ରକୁ ଆଗକୁ ବଢାଇ ଏହାର ଆୟ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଅଙ୍ଗୀକାରବଦ୍ଧ ହୋଇ କାମ କରୁଛି । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋର ୩୯ଟି ଖଣି ନିଲାମ ହେବାକୁ ଥିବା ବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ । ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ୍ ଏସ୍‌ପି) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର୍ ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି । ଏହା ଛଡା ଅନ୍ୟ ୨୧ଟି ଖଣି ଆଂଶିକଭାବେ ବିକଶିତ ହୋଇଛି। ଗତଥର ନିଲାମରେ ରହିଯାଇଥିବା ଚାରିଟି ଖଣିକୁ ମଧ୍ୟ ଏହି ନିଲାମରେ ସାମିଲ କରାଯାଇଛି। ସେଗୁଡିକ ସିଏମ୍‌ଏସ୍‌ପି ଓ ଏମ୍‌ଏମ୍‌ଡି ଖଣିର ଅନ୍ତର୍ଭୁକ୍ତ। ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଖନନ ଯୋଗ୍ୟ ଅବସ୍ଥାରେ ଥିବାବେଳେ ଅନ୍ୟ ତିନିଟି ଆଂଶିକ ବିକଶିତ ଓ ଖନନ ଯୋଗ୍ୟ।

ଓଡିଶାରେ ନିଲାମ ହେବାକୁ ଥିବା ସର୍ବାଧିକ ୧୯ଖଣି ମଧ୍ୟରୁ ସିଏମ୍‌ଏସ୍‌ପି ୨୦୧୫ ଓ ଏମ୍‌ଏମ୍‌ଡିଆର ୧୯୫୭ ଆଇନ ଅନୁସାରେ ଯଥାକ୍ରମେ ଆଠ ଓ ୧୧ଟି କୋଇଲା ଖଣି ରହିଛି । ଏହିସବୁ ଖଣି ମଧ୍ୟରୁ ଆଠଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ୧୧ଟି ଆଂଶିକ ଖନନ ଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ ।

ନିଲାମ ହେବାକୁ ଥିବା ଖଣିଗୁଡିକର ସୀମାରେଖା ନିର୍ଣ୍ଣିତ ହୋଇଛି । ଡ୍ରୋନ ସହାୟତାରେ ଉତ୍ତୋଳନ କରାଯାଇଥିବା ଖଣିର ସୀମା ସରହଦର ଫଟୋଚିତ୍ର ନିଲାମ ଦେବା ବାଲାକୁ ଯୋଗାଇ ଦିଆଯିବ । ସବୁ ଖଣି ବିବାଦମୁକ୍ତ ଏବଂ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ନାହିଁ ।

କୋଇଲା ଖଣିର ବ୍ୟାବସାୟିକ ନିଲାମରେ ନିଲାମଧାରୀଙ୍କ କୋଇଲା ବ୍ୟବହର ଓ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ । ଆହୁରି ମଧ୍ୟ ନିଲାମ ପ୍ରକ୍ରିୟାରେ କୌଣସି ଟେକ୍‌ନିକାଲ (ବୈଷୟିକ) ଓ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀ ନ ଥିବାରୁ ଯେ କେହି ଏଥିରେ ସାମିଲ ହୋଇପାରିବେ ।

କୋଇଲା ମନ୍ତ୍ରଣାଳୟ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର ଆଲୋଚନା ପରେ ସେମାନଙ୍କ ପରାମର୍ଶରେ ଭାରତରେ ବ୍ୟବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ଅବସ୍ଥାକୁ ପ୍ରୋତ୍ସାହନ ଦେବାକୁ ରାଜି ହୋଇଛି । ଏଥି ପାଇଁ କେଉଁ କେଉଁ ସମ୍ଭାବ୍ୟ ସୂତ୍ରରୁ ଋଣ ମିଳିପାରିବ ସେଥି ପାଇଁ ମଧ୍ୟ ବିଚାର ଆଲୋଚନା ହୋଇଛି । ବିଭିନ୍ନ ବଡ ବଡ ଉଦ୍ୟୋଗକୁ ଏହି ଅର୍ଥ ଲଗାଣ ବ୍ୟବସ୍ଥାକୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ବ୍ୟାବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ବ୍ୟବସ୍ଥା ଇତିମଧ୍ୟରେ ଶେଷ ହୋଇଥିବାବେଳେ ଅନ୍ୟ ଦୁଇଟିର ପ୍ରକ୍ରିୟା ଚାଲିଛି ।

ଯେଉଁମାନେ ନିଲାମ ଡକାରେ ସଫଳ ହେବେ ସେମାନଙ୍କ ପାଇଁ କୋଇଲା ମନ୍ତ୍ରଣାଳୟ ଏକ ‘ସିଙ୍ଗଲ ଉଇଣ୍ଡୋ କ୍ଲିୟରାନ୍ସ ସିଷ୍ଟମ’ ପୋର୍ଟାଲ ପ୍ରସ୍ତୁତ କରିଛି । ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଖଣି ନିଲାମ ଅଧିକାର ଓ ଅନୁମତିପତ୍ର ପ୍ରଦାନ କରାଯିବ । ସଫଳ ବିଡରମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ପ୍ରକଳ୍ପ ମନିଟରିଂ ୟୁନିଟ୍ (ପିଏମ୍‌ୟୁ) ନିଯୁକ୍ତ କରାଯାଇଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣି ବ୍ୟାବସାୟିକ ନିଲାମ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବେ । ଦେଶରୁ କୋଇଲା ଅଭାବ ଦୂର କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଏହି ନିଲାମ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଥିରେ ଘରୋଇ କ୍ଷେତ୍ରକୁ ସାମିଲ କରି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି । ଏହି ଅଷ୍ଟମ ପର୍ଯ୍ୟାୟ ନିଲାମରେ ବହୁ ନୂଆ ଉଦ୍ୟୋଗ ଓ ପୁଞ୍ଜିପତି ଭାଗ ନେବେ ବୋଲି ଆଶା କରାଯାଉଛି ।

ଏହି ଖଣି ନିଲାମର ସବିଶେଷ ତଥ୍ୟ, ନିଲାମ ସର୍ତ୍ତାବଳୀ, ସମୟ ସୀମା ଓ ଅନ୍ୟାନ୍ୟ ସୂଚନା ଏମ୍‌ଏସ୍‌ଟିସି ଅକ୍ସନ ପ୍ଲାଟଫର୍ମରୁ ମିଳିପାରିବ । ନିଲାମ କାର୍ଯ୍ୟ ଅନଲାଇନ ବ୍ୟବସ୍ଥାରେ ହେବ । ଏଥି ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି । ରାଜସ୍ୱ ଭାଗର ଶତକଡା ହିସାବରେ ନିଲାମର ଭିତ୍ତି ପ୍ରସ୍ତୁତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।

୫୦୦ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି। ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍‌। ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି। ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2023 ନିଲାମରେ ସମୁଦାୟ 991 ଖେଳାଳି ହେବେ ସାମିଲ, ଦେଖନ୍ତୁ କେଉଁ ଦେଶରୁ କେତେ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସଂସ୍କରଣ ପାଇଁ 23 ଡିସେମ୍ବର 2022 ରେ କୋଚିରେ ନିଲାମ ଅନୁଷ୍ଠିତ ହେବ। ଆଇପିଏଲ୍ 2023 ନିଲାମ ପାଇଁ ମୋଟ 991 ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ 714 ଭାରତୀୟ ଏବଂ 277 ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ। ଏଥର ଯଦି ଆମେ ନିଲାମରେ ଭାଗ ନେଉଥିବା ବିଦେଶୀ ଖେଳାଳିଙ୍କୁ ଦେଖିବା, ତେବେ ଏଥିରେ ସର୍ବାଧିକ ସଂଖ୍ୟକ ଅଷ୍ଟ୍ରେଲୀୟ ଖେଳାଳି ଅଂଶଗ୍ରହଣ କରିବେ। ଅଷ୍ଟ୍ରେଲିଆରୁ ମୋଟ 57 ଖେଳାଳି ଆଇପିଏଲ 2023 ନିଲାମରେ ଅଂଶଗ୍ରହଣ କରିବେ। ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ଅଛି।

ନିଲାମ ପୂର୍ବରୁ ଆଇପିଏଲ ଆଜି ଏକ ମିଡିଆ ପରାମର୍ଶଦାତା ଜାରି କରିଛି। ଏଥିରେ ନିଲାମରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଉଲ୍ଲେଖ କରାଯାଇଛି। ଆଇପିଏଲ୍ କହିଛି ଯେ, ଭାରତର 714 ଖେଳାଳି ନିଲାମର ଅଂଶ ହେବେ ଏବଂ ବିଦେଶରୁ 277 ଖେଳାଳି ରହିବେ। ଏଥିରେ 185 ଜଣ କ୍ୟାପଡ୍ ଖେଳାଳି ଅଛନ୍ତି। ଯେତେବେଳେ କି 786 ଅନ୍ କ୍ୟାପଡ୍ ଖେଳାଳି ଅଛନ୍ତି। ଏଥି ସହିତ 20 ଖେଳାଳି ଜାତୀୟ ଦଳର ଅଂଶ ଅଟନ୍ତି। ଯଦି ଆମେ ଭାରତୀୟ କ୍ୟାପଡ୍ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ଏଥିରେ 19 ଖେଳାଳି ଅନ୍ତର୍ଭୁକ୍ତ ହେବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଶେଷ ସିଜନରେ ଅଂଶଗ୍ରହଣ କରିଥିବା 91 ଜଣ ଅନ୍ କ୍ୟାପଡ୍ ଭାରତୀୟ ଖେଳାଳି ନିଲାମରେ ଅନ୍ତର୍ଭୁକ୍ତ ହେବେ।

ଯଦି ଆମେ ବିଦେଶୀ ଦଳକୁ ଦେଖିବା, ତେବେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ନିଲାମର ଅଂଶ ହେବେ। ଅଷ୍ଟ୍ରେଲିଆରେ 57 ଖେଳାଳି ରହିବେ। ଦକ୍ଷିଣ ଆଫ୍ରିକାର 52 ଖେଳାଳି ନିଲାମରେ ଅଂଶଗ୍ରହଣ କରିବେ। ସେହିଭଳି ୱେଷ୍ଟଇଣ୍ଡିଜ୍ ରୁ 33, ଇଂଲଣ୍ଡରୁ 31, ନ୍ୟୁଜିଲାଣ୍ଡରୁ 27, ଶ୍ରୀଲଙ୍କାରୁ 23, ଆଫଗାନିସ୍ତାନରୁ 14 ଖେଳାଳି, ଆୟରଲ୍ୟାଣ୍ଡରୁ 8, ନେଦରଲ୍ୟାଣ୍ଡରୁ 7, ବାଂଲାଦେଶରୁ 6, ୟୁଏଇରୁ 6, ଜିମ୍ବାୱେରୁ 6, ନାମିବିଆର 5 ଏବଂ ସ୍କଟଲାଣ୍ଡରୁ 2 ଖେଳାଳି ନିଲାମର ଅଂଶ ହେବ।

Categories
ବିଶେଷ ଖବର ବ୍ୟବସାୟ

ଆଇପିଏଲ: ବିସିସିଆଇ ଉପରେ ଟଙ୍କା ବର୍ଷା, ଟିଭି ଅଧିକାର ପାଇଲା ଡିସ୍ନି ଷ୍ଟାର, ଡିଜିଟାଲ୍ ଅଧିକାର ଜିତିଲା ଭିଆକମ୍-୧୮

ନୂଆଦିଲ୍ଲୀ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ପ୍ରସାରଣ ଅଧିକାର ପାଇଁ, ବିସିସିଆଇ ଭାରତୀୟ ଉପମହାଦେଶ ପାଇଁ ଟିଭି ଏବଂ ଡିଜିଟାଲ୍ ଅଧିକାର ବିକ୍ରି କରିଛି। ପ୍ୟାକେଜ୍-ଏ ଏବଂ ପ୍ୟାକେଜ୍-ବିର ନିଲାମ ସମାପ୍ତ ହୋଇଛି। ଖବର ଅନୁଯାୟୀ, ବିସିସିଆଇ ଭାରତୀୟ ଉପମହାଦେଶ ପାଇଁ ଟିଭି ଏବଂ ଡିଜିଟାଲ୍ ଅଧିକାର ମାଧ୍ୟମରେ ବିପୁଳ ପରିମାଣର ୪୪ ହଜାର ୭୫ କୋଟି ଟଙ୍କା ପାଇବାକୁ ଯାଉଛି।

ପ୍ରକାଶ ଯେ, ଡିସ୍ନି ଷ୍ଟାର ୨୩ ହଜାର ୫୭୫ କୋଟି ଟଙ୍କାରେ ଟିଭିରେ ପ୍ରସାରଣ ଅଧିକାର ହାସଲ କରିଛି ଏବଂ ୨୦ ହଜାର ୫୦୦ କୋଟି ଟଙ୍କାରେ ଭିଆକମ୍-୧୮ ଡିଜିଟାଲ୍ ଅଧିକାର ହାସଲ କରିଛି। ତେବେ ଅଧିକାର କ୍ରୟ କରୁଥିବା କମ୍ପାନୀଗୁଡିକ ବିସିସିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ।

ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ପ୍ରସାରଣ ଅଧିକାର ପାଇଁ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏବଂ ଡିସ୍ନି + ହଟଷ୍ଟାର୍, ଭିଆକମ୍ ୧୮, ସୋନି ପିକ୍ଚର୍ସ, ଜି ଗ୍ରୁପ୍, ସୁପର ସ୍ପୋର୍ଟସ୍, ଟାଇମ୍ସ ଇଣ୍ଟରନେଟ୍, ମଜା ଏସିଆ ଆଇପିଏଲ୍ ଅଧିକାର ପାଇଁ ଦୌଡରେ ଥିଲେ। ଏହି ଆଇପିଏଲ୍ ଅଧିକାର ବିକ୍ରୟ କରିବା ପରେ ଦୁନିଆର ସବୁଠୁ ଧନୀ କ୍ରୀଡା ସଂଗଠନ ବିସିସିଆଇ ଅଧିକ ଧନୀ ହେବାକୁ ଯାଉଛି।

ଆଇପିଏଲ୍ ଅଧିକାର ପାଇଁ ଟିଭି ପ୍ୟାକେଜ୍ ୨୩,୫୭୫ କୋଟିରେ ଏବଂ ଡିଜିଟାଲ୍ ପ୍ୟାକେଜ୍ ୨୦,୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ପ୍ରସାରଣ ଅଧିକାରଗୁଡିକ ପରବର୍ତ୍ତୀ ୫ ବର୍ଷ ଅର୍ଥାତ୍ ବର୍ଷ ୨୦୨୩- ୨୦୨୭ ପାଇଁ ବିକ୍ରି ହୋଇଛି। କିନ୍ତୁ ଏହା ପୂର୍ବରୁ ବିସିସିଆଇକୁ ୧୬,୩୪୮ କୋଟି ଟଙ୍କାର ଉଭୟ ଟିଭି ପ୍ରସାରଣ ଅଧିକାର ଏବଂ ଡିଜିଟାଲ ଅଧିକାର ମିଳିଥିଲା।

ସୂଚନାନୁସାରେ, ଆଇପିଏଲ ଟେଲିକାଷ୍ଟ ପାଇଁ ପ୍ରତି ମ୍ୟାଚରେ ୫୭.୫ କୋଟି ଟଙ୍କା ଏବଂ ଡିଜିଟାଲ ଅଧିକାର ପ୍ରତି ମ୍ୟାଚରେ ୫୦ କୋଟିରେ ବିକ୍ରି ହୋଇଛି। ଏହିପରି, ଏକ ମ୍ୟାଚ୍ ପାଇଁ ପ୍ରସାରଣ ଅଧିକାର ମୋଟ ୧୦୭.୫ କୋଟିରେ ବିକ୍ରି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ନିଲାମ ହେବ ବିଦ୍ୟା ପିନ୍ଧିଥିବା ଶ୍ରୀଗଣିତ ଶାଢ଼ୀ

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହେବ ।  ଅନଲାଇନରେ 15 ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ 20 ତାରିଖ ରାତି 10 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଆଗ୍ରହୀ ବ୍ୟକ୍ତି ବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ।  ଶାଢ଼ୀ ବିକ୍ରି ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏ ନେଇ ସୂଚନା ଦେଇଛନ୍ତି ।

ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢ଼ୀଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢ଼ୀଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ । ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା । ବିଦ୍ୟା ଏହି ଶାଢ଼ୀଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ୀ ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ଏଭଳି ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଶକୁନ୍ତଳା’ର ରିଲିଜ୍‌ ପୂର୍ବଦିନ ବିଦ୍ୟା ଏହି ଶାଢୀ ପିନ୍ଧିବା ସହିତ ସୋସିଆଲ ମିଡିଆରେ ଏହାର ଭରପୂର ପ୍ରଶଂସା କରିଥିଲେ ।