Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଏବଂ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଡ଼ିଆଇଜି ଜେ.ଏନ ପଙ୍କଜ, କ୍ରାଇମବ୍ରାଞ୍ଚ ଏସପି କଟକ, ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଦୁଇ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧ କେଜି ବ୍ରାଉନ ସୁଗାର ଏବଂ ୧୯୯୨ କେଜି ଗଞ୍ଜେଇ କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୨୨ କେଜି ୫୬୯ ଗ୍ରାମ ବ୍ରାଉନ ସୁଗାର ଏବଂ ୩ ୮ କୁଇଣ୍ଟାଲ ୯ କେଜି ଗଞ୍ଜେଇ ନଷ୍ଟ କରିଥିବା ବେଳେ ଓଡ଼ିଶା ପୋଲିସ ଆଜି ସୁଦ୍ଧା ୨୭ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୫୩୫ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ମୁନ୍‌ର ୫ମ ସଂସ୍କରଣ ଉଦ୍‌ଘାଟିତ: ନିଶା କାରବାର ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ୱର: ୟୁକ୍ରେନ୍ ସମସ୍ୟା, ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ସୋଆ ଇଂଟରନ୍ୟାସ୍‌ନାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (ସୋଆମୁନ୍‌)ରେ ଆଲୋଚନା କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍‌ରେ ସୋଆ ମୁନ୍‌ର ୫ମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି।

ସୋଆ ପକ୍ଷରୁ ୫ମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ଏକ କ୍ଷୁଦ୍ର ଅନୁକରଣ ମାଧ୍ୟମରେ ଜାତିସଂଘର ମହତ୍ୱକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚାଇବା। ସେହିପରି କୁଟନୀତି, ଆନ୍ତର୍ଜାତିକ ସମ୍ପର୍କ ଓ ଜାତିସଂଘ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଯେଭଳି ଅଧିକ ଜ୍ଞାନ ଆହରଣ କରିପାରିବେ ତାହା ହିଁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଏହି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି ଯେ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ଡାକ୍ତରୀ ଏବଂ ବୈଜ୍ଞାନିକ ବ୍ୟବହାର ସହିତ ଏହାର ଅପବ୍ୟବହାରକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ ଯେଉଁ ଅନ୍ତରାଷ୍ଟ୍ରୀୟ ଚୁକ୍ତି ରହିଛି, ସାମାଜିକ ଜୀବନରେ ମହିଳାଙ୍କର ଯୋଗଦାନ, ଲିଙ୍ଗ ଆଧାରିତ ହିଂସା ଏବଂ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ଉଦ୍ଭବ ହୋଇଥିବା ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିକୁ ଏଡ଼ାଇବା ଭଳି ପ୍ରସଙ୍ଗ ସମ୍ପର୍କରେ ଏହି ମୁନ୍‌ରେ ଆଲୋଚନା କରାଯିବ।

ସେହିପରି ୟୁକ୍ରେନ୍‌ରେ କିଭଳି ଶାନ୍ତି ଫେରିଆସିବ ତାହା ନେଇ ଛାତ୍ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବେ।

ଚଳିତ ବର୍ଷ ସୋଆ ମୁନ୍‌ରେ ୫ଟି କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ହେଲା ୟୁଏନ୍ ଜେନେରାଲ୍ ଆସେମ୍ବଲି ଡିସ୍‌ଆର୍ମାମେଂଟ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ସିକ୍ୟୁରିଟି କମିଟି (ୟୁଏନ୍‌ଜିଏ-ଡ଼ିଆଇଏସ୍‌ଇସି), ୱାର୍ଲ୍ଡ ହେଲ୍‌ଥ ଆସେମ୍ବଲି (ଡବ୍ଲୁଏଚ୍‌ଏ), ୟୁଏନ୍ କମିଶନ୍ ଅନ୍ ଦ ଷ୍ଟାଟ୍‌ସ୍ ଅଫ୍ ଓମେନ୍ (ୟୁଏନ୍‌ସିଏସ୍‌ଡବ୍ଲୁ), ୟୁଏନ୍ ଅଫିସ୍ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ୍ (ୟୁଏନ୍‌ଓଡିସି) ଏବଂ ଇଂଟରନ୍ୟାସ୍‌ନାଲ୍ ପ୍ରେସ୍ (ଆଇପି)।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ରକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ବିଶ୍ୱର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ବିତର୍କ କରିବା ଭବିଷ୍ୟତ ପାଇଁ ଖୁବ୍ ଲାଭଦାୟକ ବୋଲି କହିଥିଲେ। ବିଶ୍ୱ ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଜଳବାୟୁ ପରିବର୍ତନ ଏହା ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ବୋଲି ସେ କହିଥିଲେ। ତେଣୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବା ଏବଂ ବିଶ୍ୱରେ କିଭଳି ଶାନ୍ତି ବଳବତର ରହିବ ତାହା ହିଁ ପ୍ରମୁଖ କାର୍ଯ୍ୟ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବିଶ୍ୱର ପରିସ୍ଥିତ ସମ୍ପର୍କରେ ସମସ୍ତ ଅବଗତ ଏବଂ ସଚେତନ ହୋଇପାରିବେ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ।

ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ସୋଆ ମୁନ୍‌ର କନ୍‌ଭେନର୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କୋ-କନ୍‌ଭେନର ଡକ୍ଟର ସୌର୍ଯ୍ୟ ରଞ୍ଜନ ଦାସ, ସେକ୍ରେଟାରୀ ଜେନେରାଲ ଶାଶ୍ୱତ ମହାପାତ୍ର ଏବଂ ଡାଇରେକ୍ଟର ଜେନେରାଲ୍ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଶା କାରାବାର ଅଭିଯୋଗରେ ବିଜେପି ଯୁବ ନେତାଙ୍କୁ ଗିରଫ କଲା ପୋଲିସ

କୋଲକାତା, ନିଶା କାରାବାର ସହିତ ସଂପୃକ୍ତି ଏବଂ କୋକେନ ରଖିବା ଅଭିଯୋଗରେ ପଶ୍ଚିମବଂଗ ପୋଲିସ ଦୁଇଜଣ ବିଜେପି ଯୁବ ନେତାଙ୍କୁ ଗିରଫ କରିଛି। ଏମାନେ ହେଲେ ପାମେଲା ଗୋସ୍ବାମୀ ଏବଂ ପ୍ରବୀର କୁମାର ଦେ। ଉଭୟଙ୍କ ପାଖରୁ ଶହେ ଗ୍ରାମର କୋକେନ ଜବତ କରାଯାଇଛି ବୋଲି ପୋଲିସ କହିଛି। ପାମେଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ରହିଥିବା ବେଳେ ଦେ ମଧ୍ୟ ଯୁବ ନେତା ଭାବେ ପରିଚିତ।

ପୋଲିସ କହିବା ଅନୁସାରେ ଉଭୟ ଏହି କାରରେ ଯାଉଥିବା ବେଳେ ସେମାନଙ୍କୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା। ଏହିସମୟରେ ପାମେଲାଙ୍କ ହାଣ୍ଡବ୍ୟାଗରୁ ଏବଂ କାରର ଭିତର ଅଂଶରୁ ପ୍ରାୟ 100 ଗ୍ରାମ କୋକେନ ମିଳିଥିଲା। ଉଭୟଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଏମାନେ ପୂର୍ବରୁ ନିଶା କାରାବାରରେ ସଂପୃକ୍ତ ଥିବାର ସନ୍ଦେହ ରହିଥିଲା। ସେଥିପାଇଁ ସେମାନଙ୍କ ଚାଳିଚଳନକୁ ପୋଲିସ ଟ୍ରାକରେ ରଖିଥିଲା।