Categories
ଆଞ୍ଚଳିକ

ବାଲୁଗାଁ ଏନ୍‌ଏସିର ପ୍ରଥମ ବୈଠକ: ଲୋକଙ୍କ ସୁବିଧା ପାଇଁ ନିଶୁଳ୍କ ଯୋଗାଯୋଗ ନଂ ଜାରି କଲେ ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଓ ସମସ୍ତ ୧୦ କାଉନ୍‌ସିଲରଙ୍କ ସମେତ ପୌରଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଓ ପରିଷଦର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ପ୍ରଥମେ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଦୀପ ପ୍ରଜ୍ଜ୍ୱଳନ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ପିଲାଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ସମସ୍ତ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ସମସ୍ତ କାଉନ୍‌ସିଲର୍ ଓ ବିଭାଗୀୟ କର୍ମକର୍ତ୍ତାମାନଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ।

ଉକ୍ତ ଅଭିଭାଷଣରେ ଶ୍ରୀ ସେଠ୍ ବିଗତ ୫ ବର୍ଷ ମଧ୍ୟରେ ପରିଷଦରେ ହୋଇଥିବା ଆୟବ୍ୟୟ ପଠନ କରିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବ କରାଯାଇଥିବା ସାମ୍ଭାବ୍ୟ ବଜେଟ୍‌ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏକ ଜନହିତକର କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି। ତାହା ହେଉଛି ୨୪ ଘଣ୍ଟିଆ ନିଶୁଳ୍କ ଯୋଗାଯୋଗ ନଂ-୮୦୯୩୮୨୯୯୮୮। ଏହି ନଂ ମାଧ୍ୟମରେ ନଗରବାସୀ ଯେକୌଣସି ସମୟରେ ନିଜ ନିଜ ସମସ୍ୟାକୁ ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରିପାରିବେ।

ଏହି ଯୋଗାଯୋଗ ନଂକୁ ନେଇ ଶ୍ରୀମତି ପାଇକରାୟ କହିଛନ୍ତି ବାଲୁଗାଁ ଏନ୍‌ଏସିବାସୀ ବହୁତ ଉପକୃତ ହେବେ। ଏବଂ କାହାର କୌଣସି ସମସ୍ୟା ରହିବ ନାହିଁ। ପରେ ସର୍ବସାଧାରଣଙ୍କର ଯେକୌଣସି ସାହାର୍ଯ୍ୟ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ମୋବାଇଲ୍ ନଂ-୯୪୩୭୮୧୪୮୪୮ ସାର୍ବଜନୀନ କରିଛନ୍ତି।

ଏହାପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।