Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କଲେ ଏହା ଅଧିକ ଲୋକାଭିମୁଖୀ କରିବ: ନୀତା ଅମ୍ବାନି

ମୁମ୍ବାଇ: ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି ବୋଲି ଆଇଓସି ସଦସ୍ୟା ନୀତା ଏମ୍‌. ଅମ୍ବାନି କହିଛନ୍ତି।

ସମ୍ପ୍ରତି ମୁମ୍ବାଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡା ଭାବରେ ଗ୍ରହଣ କରାଯିବା ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଜଣେ ଆଇଓସି ସଦସ୍ୟ, ଜଣେ ଗର୍ବିତ ଭାରତୀୟ ଏବଂ ଜଣେ ଦୃଢ କ୍ରିକେଟ ପ୍ରଶଂସକ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇଓସି ସଦସ୍ୟମାନେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି!”

କ୍ରିକେଟ ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର ସ୍ଥାନ ପାଇଥିଲା ଯେତେବେଳେ ମାତ୍ର ଦୁଇଟି ଦଳ ଅଂଶଗ୍ରହଣ କରିଥିଲେ। “କ୍ରିକେଟ ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକ ଭଲପାଉଥିବା ଖେଳ ଏବଂ ଦ୍ୱିତୀୟ ସର୍ବାଧିକ ଦର୍ଶକ ଦେଖୁଥିବା ଖେଳ ହୋଇଛି। ୧୪୦ କୋଟି ଭାରତୀୟଙ୍କ ପାଇଁ କ୍ରିକେଟ କେବଳ ଏକ କ୍ରୀଡା ନୁହେଁ, ଏହା ଏକ ଧର୍ମ!” ବୋଲି ନୀତା କହିଛନ୍ତି।

ଆଇଓସି ଅଧିବେଶନ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଏବଂ ଏହା ୪୦ ବର୍ଷ ପରେ ଏହି ଦେଶକୁ ଫେରିଛି। ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାର ଐତିହାସିକ ନିଷ୍ପତ୍ତି ଏହି କ୍ରୀଡାର ଅନ୍ୟତମ ଲୋକପ୍ରିୟ ସ୍ଥଳ ଭାରତରେ ନିଆଯାଇଛି। “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଐତିହାସିକ ପ୍ରସ୍ତାବ ଆମ ଦେଶର ମୁମ୍ବଇରେ ଅନୁଷ୍ଠିତ ହେଉଥିବା ଆଇଓସିର ୧୪୧ତମ ଅଧିବେଶନରେ ଗୃହୀତ ହୋଇଛି”, ବୋଲି ନୀତା ଅମ୍ବାନି ଉଲ୍ଲେଖ କରିଛନ୍ତି।

ନୀତା ଅମ୍ବାନି ଆଶା ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଏହି କ୍ରୀଡାକୁ ନେଇ ଯେଭଳି ଆଦର ଓ ଆଗ୍ରହ ରହିଛି ତାହା ଏହି ଘୋଷଣା ସହିତ ଆହୁରି ଉଲ୍ଲେଖନୀୟ ଭାବରେ ବଢିଯିବ। “ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ଦ୍ୱାରା ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହେବ। ସେହି ସମୟରେ ଏହା କ୍ରିକେଟର ବର୍ଦ୍ଧିତ ଆନ୍ତର୍ଜାତିକ ସ୍ତରର ଲୋକପ୍ରିୟତାକୁ ମଧ୍ୟ ଅଧିକ ବେଗ ପ୍ରଦାନ କରିବ” ବୋଲି ସେ କହିଛନ୍ତି।

ନୀତା ଏମ୍‌. ଅମ୍ବାନି ପ୍ରଥମ ଭାରତୀୟ ମହିଳା ଭାବରେ ଆଇଓସି ସଦସ୍ୟ ହୋଇଥିବା ବେଳେ ଏହି ଦିବସକୁ ଭାରତ ପାଇଁ ଏକ ଅନ୍ୟତମ ମହାନ୍ ଦିବସ ଭାବରେ ବର୍ଣ୍ଣନା କରିଛନ୍ତି । “ମୁଁ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନିମନ୍ତେ ସେମାନଙ୍କର ସମର୍ଥନ ପାଇଁ ଆଇଓସି ଏବଂ ଏଲ୍‌ଏ ଆୟୋଜନକାରୀ କମିଟିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି। ଏହା ବାସ୍ତବରେ ଏକ ଆନନ୍ଦ ଓ ଉତ୍ସବ ପାଳନର ଦିନ!” ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ

ନୀତା ଅମ୍ବାନି କଲଚରାଲ୍ ସେଣ୍ଟରରେ ମେଗା ସୋ’ “ଇଣ୍ଡିଆ ଇନ୍ ଫେସନ୍‌’ ଆୟୋଜିତ

ମୁମ୍ବାଇ: ନୀତା ଅମ୍ବାନି କଲଚରାଲ୍ ସେଣ୍ଟର ଶୁଭାରମ୍ଭର ଦ୍ୱିତୀୟ ଦିନରେ “ଇଣ୍ଡିଆ ଇନ୍ ଫେସନ’ ନାମକ ଏକ ମେଗା ସୋ’ ଆୟୋଜିତ ହୋଇଯାଛି। ଏହି ପ୍ରଦର୍ଶନୀରେ ଫେସନ ଦୁନିଆରେ ଭାରତୀୟ ଫେସନର ରହିଥିବା ପ୍ରଭାବକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଥିଲା। କଷ୍ଟ୍ୟୁମ୍ ବିଶେଷଜ୍ଞ ହାମିସ ବୋଲ୍‌ସ ଏହି କଷ୍ଟ୍ୟୁମ୍ ଆର୍ଟ ସୋ’କୁ ପ୍ରସ୍ତୁତ କରିଥିବା ବେଳେ ପ୍ୟାଟ୍ରିକ୍ କିନ୍‌ମୋଂଥ୍‌ଙ୍କ ସହିତ ମିଶି ଋଶଦ ଶ୍ରଫ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ।

ଏହି ସୋ’ରେ ଦୁନିଆର କିଛି ଦୁର୍ଲଭ ପୋଷାକକୁ ସାମିଲ କରାଯାଇଛି। ଏହି ସୋ’ ପାଇଁ ୧୪୦ରୁ ଅଧିକ ପୋଷାକ ପରିଚ୍ଛଦକୁ ପ୍ରମୁଖ ଫେସନ୍ ହାଉସ୍‌, ବ୍ୟକ୍ତିଗତ ସଂଗ୍ରହ ଏବଂ ସାରା ଦୁନିଆର ପ୍ରମୁଖ ସଂଗ୍ରହାଳୟଗୁଡ଼ିକରୁ ଅଣାଯାଇଥିଲା।

ଆଲେକଜାଣ୍ଡର ମାକ୍ୱିନ, ବେଲେନ୍‌ସିୟାଗା ଆର୍କାଇଭ୍‌ସ-ପ୍ୟାରିସ, ସନେଲ୍‌, କ୍ରିଷ୍ଟିଆନ ଡିୟୋର କୁଟୁଅର, ମେସନ କ୍ରିଷ୍ଟିଆନ ଲୁବୋଟିନ୍‌, କୋରା ଗେନ୍‌ସବର୍ଗ ଏଲ୍‌ଏଲ୍‌ସି, ଡ୍ରିସ୍ ବେନ୍ ନୋଟେନ୍‌, ଏନ୍‌ରିକୋ କ୍ୱିଂଟୋ ଏବଂ ପାଓଲୋ ତିନାରେଲି କଲେକ୍ସନ, ଫେସନ ମ୍ୟୁଜିୟମ୍ ବାଥ୍‌, ଫ୍ରାଂଚେସ୍କା ଗେଲୋୱେ କଲେକ୍ସନ-ଲଣ୍ଡନ ଭଳି ବହୁ ଆନ୍ତର୍ଜାତିକ ଫେସନ ହାଉସ୍ ଓ ଫେସନ ଡିଜାଇନରମାନଙ୍କ କଲେକ୍ସନ (ସମ୍ଭାର)କୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା।

ଭାରତୀୟ ଫେସନ ଡିଜାଇନ୍‌ର ରାହୁଲ ମିଶ୍ର, ରିତୁ କୁମାର, ଅବୁ ଜାନି ସନ୍ଦୀପ ଖୋସଲା, ମନିଷ ଅରୋରା, ସବ୍ୟସାଚୀ, ତରୁଣ ତହିଲିୟାନି, ଅନାମିକା ଖାନ୍ନା, ଅନିତା ଡୋଙ୍ଗରେ, ଅନୁରାଧା ୱକିଲଙ୍କ ଡିଜାଇନର ପୋଷାକର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା।

ମୁଖ୍ୟତଃ ଅଷ୍ଟାଦଶରୁ ଏକବିଂଶ ଶତାବ୍ଦୀ ପର‌୍ୟ୍ୟନ୍ତ ୟୁରୋପୀୟ ଡିଜାଇନରମାନଙ୍କୁ ଭାରତ ପ୍ରେରଣା ପ୍ରଦାନ କରିଥିଲା। କିନ୍ତୁ ଏଥିରୁ ଅତ୍ୟନ୍ତ ସ୍ୱତନ୍ତ୍ର ଥିବା ତିନି ଫେସନ ହାଉସ୍ ହେଉଛି ସନେଲ୍‌, କ୍ରିଷ୍ଟିଆନ୍ ଡିୟୋର ଏବଂ ୱିବ୍‌ସ ସେଂଟ୍ ଲରେଂଟ୍। ତିନି ପ୍ରଦର୍ଶନୀ କକ୍ଷରେ ପ୍ରଦର୍ଶିତ ଏହି ତାରକା ଡିଜାଇନରମାନଙ୍କ କୃତିରେ ଭାରତୀୟତାର ଛାପ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

Categories
ଆଜିର ଖବର

ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା

ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନୀ ନିବାସରେ ଅନୁଷ୍ଠିତ ହୋଇଥିଲା।

ଗୁଜରାଟି ହିନ୍ଦୁ ପରିବାରରେ ପିଢି ପରେ ପିଢି ପ୍ରଚଳିତ ହୋଇଆସୁଥିବା ଶହ ଶହବର୍ଷ ପୁରାତନ ଗୋଲ୍‍-ଧନା ଏବଂ ଚୁନରୀ ବିଧି ଆଦି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି, ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। କାର୍ଯ୍ୟକ୍ରମ ସମୟରେ ଏହି ବସ୍ତୁକୁ ବର ଘର ଲୋକଙ୍କୁ ବିତରଣ କରାଯାଏ। କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି। ଏହାପରେ ବର ଓ କନ୍ୟା ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ନିକଟରୁ ଆଶୀର୍ବାଦ ନେଇଥାନ୍ତି।

ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ। ତତ୍‍ପରେ ଅମ୍ବାନୀ ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ । ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ। ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା।

ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ କରାଯାଇଥିଲା। ଏହାକୁ ଉପସ୍ଥିତି ବ୍ୟକ୍ତି ବିଶେଷ ଭୂୟସୀ ପ୍ରଶଂସା କରିଥିଲେ।

ଭଉଣୀ ଇଶା ନିର୍ବନ୍ଧ ପର୍ବ ଆରମ୍ଭ ସମ୍ପର୍କରେ ଘୋଷଣା କରିବା ମାତ୍ରେ ଅନନ୍ତ ଏବଂ ରାଧିକା ନିଜ ପରିବାର ଓ ସାଙ୍ଗସାଥୀଙ୍କ ସମ୍ମୁଖରେ ପରସ୍ପର ପରସ୍କରକୁ ମୁଦି ପିନ୍ଧାଇ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ।

ଅନନ୍ତ ଏବଂ ରାଧିକା କିଛିବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ଏବଂ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବ ରୀତି ନୀତିରେ ଉଭୟ ପରସ୍ପରର ଅଧିକ ନିକଟତର ହେବା ସୁଯୋଗ ପାଇଛନ୍ତି । ଉଭୟଙ୍କ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।

ନୀତା ଓ ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।