Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏକ ଭିଡିଓ ଜାରୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ‘ନୂଆଁଖାଇ ଜୁହାର’

ଭୁବନେଶ୍ବର: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଆଜି ପୁରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। ଆଜି ଜମିରୁ ଅମଳ ହୋଇଥିବା ଫସଲକୁ ପୂଜା କରାଯାଇ ସେବନ କରାଯିବ। ଏହି ପଂରପରା ବହୁ କାଳରୁ ପଶ୍ଚିମ ଓଡିଶାରେ ପାଳିତ ହୋଇ ଆସୁଛି।

ଏହିପରି ଏକ ବଡ ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଜାରୀ କରିଛନ୍ତି। ଏହି ଭିଡିଓରେ ସେ ପ୍ରଥମେ ମା ସମଲେଶ୍ବରୀଙ୍କୁ ମୁଣ୍ଡିଆ ମାରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୂଆଖାଇ ଉପଲକ୍ଷେ ଓଡିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ। ଏହାକୁ ସେ ସମ୍ବଲପୁରୀ ଭାଷାରେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ ପର୍ବ ଓଡିଶାରେ କାହିଁକି ପାଳନ ହୁଏ, ଜାଣନ୍ତୁ ଏହାର କାରଣ ସହ ପୂଜା ପଦ୍ଧତି

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରୀ ଭାଷାରେ ନୂଆଖାଇ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଏକ ବଡ ପର୍ବ ହେଉଛି ନୂଆଖାଇ। ଏହି ଦିନ ସାରା ପଶ୍ଚିମ ଓଡିଶା ହୋଇଯାଏ ଉତ୍ସବ ମୁଖର। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସେ ଏହି ଅଭିନନ୍ଦନ କରିଛନ୍ତି। ତାହା ହେଲା

“ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍।”

Categories
ଫଟୋ ଖବର

ଆଜି ନୂଆଖାଇ ଉପଲକ୍ଷେ ପିଲାମାନେ ପରିବାରର ବଡମାନଙ୍କ ଆର୍ଶିବାଦ ଭିକ୍ଷା କରୁଛନ୍ତି

ଭୁବନେଶ୍ବର, ନୂଆଖାଇ ଏକ ପଂରପରା ରହିଛି ବଡମାନଙ୍କର ଆର୍ଶିବାଦ ନେବା। ପୂଜା ସରିବା ପରେ ଏହି ଆର୍ଶିବାଦ ପିଲାମାନେ ନେଉଛନ୍ତି।

Categories
ବିଶେଷ ଖବର ସଂସ୍କୃତି

କରୋନା ସମୟର ନୂଆଖାଇ ଜୁହାର, ଇତିହାସରେ ଇଏ ବି ଗୋଟେ ସ୍ମରଣୀୟ ଅଧ୍ୟାୟ

କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ  ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି। ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

ଦିନେ ଏମିତି ବି ସମୟ ଆସିବ ଯେ, ନୂଆଖାଇ ଭଳି ପାର୍ବଣ ବି ଫିକା ପଡିଯିବ, ଏକଥା କେହି କେବେ ସ୍ଵପ୍ନରେ ବି ଚିନ୍ତା କରିନଥିବେ। ନୂଆଖାଇ ସହିତ ସବୁଠୁ ବଡ ସମ୍ପର୍କ ହାଟର। ବିନା ହାଟରେ କି ନୂଆଖାଇ? ତିହାର ଆଗରୁ ତାର ସଜବାଜରେ ଦୁଇ ସପ୍ତାହ ବିତିଯାଏ। ହାଟରୁ ଖାଇବା, ପିନ୍ଧିବା, ମଉଜ କରିବାର ସବୁ ସାମାନ କିଣିବା ଲାଗି କେତେ ଯୋଜନା ଚାଲେ। ଏଥରର ନୂଆଖାଇରେ ହାଟ ଆଉ ବସିନାହିଁ। ହାଟରୁ କରଡି କିଣାହୋଇ “ଲେଥା” ( ଆମ୍ବିଳ- ବହୁ ପରିବା ମିଶାମିଶି ଖଟା ଜାତୀୟ ଏକ ବ୍ୟଞ୍ଜନ) ବନାଇବାର ମଜା ଏଥର ଆଉ ନାହିଁ। “ଜୀଇଁ ଜାଗିଥିଲେ ବଚ୍ଛରେ”- ବଞ୍ଚିଥିଲେ ବର୍ଷକ ଥରେ ନୂଆଖାଇରେ ସମସ୍ତଙ୍କର “ଭେଟଘାଟ”- ସେ ବି ହେବାର ସମ୍ଭାବନା ନାହିଁ। ନୂଆଖାଇ ସମୟରେ ପୂରା ପରିବାର ଯିଏ ଯେଉଁଠି ଥିଲେ ଘରକୁ ଫେରନ୍ତି। ଆଜିର “ଲକ ଡାଉନ-ଶଟ ଡାଉନ” ସମୟରେ ସେ ବି ହେବାର ନାହିଁ। ଏମିତି ଗୋଟେ ସର୍ବନାଶୀ ସମୟରେ ନୂଆଖାଇ ପାଳିବାର ଆନନ୍ଦ ଆଜି ନାହିଁ।

ଆଜିର ଏ ଉଜୁଡା ସମୟରେ ନୂଆଖାଇ ଆମ ଜୀବନକୁ ସଜାଡି ପାରିବ କି? ଗତ ସାଢେ ପାଞ୍ଚମାସ ହେଲା, ଭାରତର ସବୁ ପର୍ବ ପର୍ବାଣି ଫିକା ପଡିଯାଇଛି। ଭାରତ ପାର୍ବଣର ଦେଶ। ଭାରତ ଭିତରେ ଓଡିଶା, ବାର ମାସରେ ତେର ପର୍ବ ଲାଗି ପ୍ରସିଦ୍ଧ। ସେଥିରେ ଅଧା ବର୍ଷ ଆମର ବିନା ପାର୍ବଣରେ ଯାଇ ସାରିଛି। କରୋନା ମହାମାରୀ ପରଠୁ ଚନ୍ଦନ ଯାତ୍ରା, ରଜ,ଇଦ, ସାବିତ୍ରୀ, ସ୍ନାନଯାତ୍ରା,  ରଥଯାତ୍ରା, ଝୁଲଣ ଯାତ୍ରା, ଗହ୍ମା ପୂର୍ଣ୍ଣମୀ,  ଗଣେଶ ପୂଜା ଓ ଆଜି ନୂଆଖାଇ- କୌଣସି ପାର୍ବଣ ସାମୁହିକ ଭାବରେ ପାଳିତ ହୋଇ ପାରିନାହିଁ। ସାଢେ ପାଞ୍ଚ ମାସ ପରେ ବି ଆମେ କରୋନା ଭୂତାଣୁକୁ ଆମ ଜଣ ଜୀବନରୁ ମୁକ୍ତ କରିପାରିନାହୁଁ।

ଆଜି ଯେତେବେଳେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ କେବଳ ପରିବାର ଭିତରେ ନାମକୁ ମାତ୍ର ପାଳନ ହେଉଛି, ସେତେବେଳେ ଚୀନ ର “ଉହାନ” ସହରରେ ବିନା ମୁଖା ଲଗାଇ ଶହ ଶହ ଲୋକ “ୱାଟର ପାର୍କ” ରେ ଉତ୍ସବ ମନାଉଛନ୍ତି।ଆମେ ଜାଣୁ ଉହାନ ସହର ହେଉଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ।ଆଜି ସେଠାରୁ ଭୂତାଣୁ ବିଦାୟ ନେଇଛି।ଚୀନରେ ପ୍ରଥମ ସୋପାନ ପରେ ଦ୍ଵିତୀୟ ସୋପାନରେ କରୋନା ସଂକ୍ରମଣ ଆସିଛି ଓ ଯାଇଛି।

ଆଜି ଆମ ଲାଗି ନୂଆ କିଛି ଚିନ୍ତା କରିବାର ଆବଶ୍ୟକତା ଆସିଛି। ଜୀବନ ଭୟକୁ ସାଥି କରି ଚାଲି ପାରିବ ନାହିଁ। ବିନା ପାର୍ବଣ ଓ ଉତ୍ସବରେ ଜୀବନ କରୋନା ଜ୍ଵରଠୁ ଅଧିକ ମାରାତ୍ମକ ରୋଗ ପାଲଟିଯିବ।ତେଣୁ ଆମ ଜୀବନରେ ଉତ୍ସବର ପରିବେଶ ଫେରିବା ଜରୁରୀ। ଭୂତାଣୁ ଲାଗି ସତର୍କତା ରହୁ, ହେଲେ ଏହା ଏକ ଚିରସ୍ଥାୟୀ ଭୟ ହୋଇ ଆମ ଜୀବନରେ ନ ରହୁ।

ପଶ୍ଚିମ ଓଡିଶାର ସାମାଜିକ ଜୀବନ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଛି। ସବୁ ସଂଘର୍ଷ ଓ ସଙ୍କଟର ମହୌଷଧି ହେଉଛି ନୂଆଖାଇ। ଭୋକ, ଅଭାବ ଓ ଦାରିଦ୍ର୍ୟକୁ ତୁଚ୍ଛ କରି ଆମେ ନୂଆ ଧାନର ଉତ୍ସବ ପାଳି ଆସିଛୁ। ସଙ୍କଟ ଆଗରେ ଆମେ କେବେ ହାର ମାନିନୁ। ଆଜି ବି ମାନିବାର ନାହିଁ।

ମହାମାରୀ ସମୟର ଏ ନୂଆଖାଇ ଆମକୁ ନୂଆ କିଛି ସୁଯୋଗ ଦେବା ନିଶ୍ଚୟ। ସମସ୍ତଙ୍କୁ ନୂଆଖାଇର ଜୁହାର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ନୂଆଖାଇ, କରୋନା ପାଇଁ ଫିକା ପଡିଲା ପଶ୍ଚିମ ଓଡିଶାର ଏହି ଗଣପର୍ବ

ସମ୍ବଲପୁର, ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ। ହେଲେ କରୋନା ପାଇଁ ନୂଆଖାଇର ଉତ୍ସାହ ଫିକା ପଡିଯାଇଛି। ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ମା ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରିଥାନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କରୋନା ପାଇଁ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ପୂଜା କରିବା ପାଇଁ କୁହାଯାଇଛି। ଫଳରେ ଏହି ଗଣପର୍ବକୁ ଚଳିତ ବର୍ଷ ଜଣପର୍ବ ଭାବେ ପାଳିତ ହେଉଛି।

ଏହି ମହାନ ପର୍ବ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳାରେ ସମସ୍ତଙ୍କୁ ଅଭିନନ୍ଦନ କରିଛନ୍ତି। ଲୋକପ୍ରିୟ ଅଭିନନ୍ଦନ ବାର୍ତ୍ତା ନୂଆଖାଇ ଜୁହାରକୁ ସେ ନିଜ କଳା ମାଧ୍ୟମରେ ପ୍ରତିପାଦନ କରିଛନ୍ତି।