Categories
ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ସାମିଲ ହେଲା ନୂଆପଡ଼ା, କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନ୍ୟାସନାଲ୍‌ ମିଶନ ଅଫ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଏହି ମର୍ମରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।

ଚଢ଼ା କମିଟି-୨୦୦୬ ଏବଂ ରେଥିୟମ୍‌ କମିଟି-୨୦୦୭ର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ ନିମନ୍ତେ ୨୩ ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ କେନ୍ଦ୍ର ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା।

ମୃତ୍ତିକା ଓ ପରିବେଶ ଅନୁକୂଳକୁ ଦୃଷ୍ଟିରେ ରଖି ଏବଂ ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଯୋଗୁଁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି।

୨୦୨୩-୨୪ ବର୍ଷ ପାଇଁ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ କାର୍ଯ୍ୟକ୍ରମ ନିମନ୍ତେ ଆଗ୍ରହୀ ଅଏଲ୍‌ ପାମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ଜିଲ୍ଲା ଆବଣ୍ଟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯାଉଥିବା ପରିପ୍ରେକ୍ଷୀରେ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ଉକ୍ତ ୨୩ଟି ଜିଲ୍ଲାକୁ ଆବଣ୍ଟନ ନିମନ୍ତେ ଆଗ୍ରହୀ କମ୍ପାନୀଗୁଡ଼ିକ ତରଫରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ଏବଂ ରାଜ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୧୦ଟି ଅଏଲ୍‌ ପାମ୍‌ କମ୍ପାନୀଙ୍କ ନାମ ତାଲିକା ଚୂଡ଼ାନ୍ତ କରାଯାଇଛି।

Categories
ବିଶେଷ ଖବର

ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ଵର: ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ। ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି। ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁ ଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା। ଏହି ଏକ୍ସପ୍ରେସ ୱେ କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶ ର ନୂଆ ଇତିହାସ ଲେଖିବ। ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ପାଇଁ ବଜାର ସୁବିଧା ମିଳିବ।  ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀ ମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ।

ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସେ କଥା ନୂହେଁ କାମ ରେ ବିଶ୍ବାସ କରନ୍ତି ବୋଲି ତାଙ୍କ ଉକ୍ତି କୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ।

ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ।  ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ।

ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ. ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୁମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି।

ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା। L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ।  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ।

ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ତଥା ବିଧାୟକ ମାନେ ଉପସ୍ଥିତ ଥିଲେ।

Categories
ରାଜ୍ୟ ଖବର

ପ୍ରତିଶୃତି ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର: ପଦ୍ମପୁର ଦେଇ ବରଗଡ ଏବଂ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନର ମଞ୍ଜୁର ସମ୍ବନ୍ଧରେ କିଛି ଦିନ ତଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି କେନ୍ଦ୍ରକୁ ଲେଖିଥିଲେ। ତଥ୍ୟ ଉପରେ ଆଧାରିତ ସ୍ଥିତିକୁ ଟୁକୁନି ସାହୁଙ୍କୁ ଚିଠି ଦ୍ୱାରା 21.11.2022 ତାରିଖରେ ଅବଗତ କରାଇଥିବାର ଜଣାଇଛନ୍ତି।

ବରଗଡ – ପଦ୍ମପୁର – ନୁଆପଡାକୁ ସଂଯୋଗ କରିବା ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି। ଏଠାରେ ଦର୍ଶାଯାଇପାରେ ଯେ, ORIDL ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ।

ଭାରତ ସରକାର 31.12.2021 ତାରିଖ ଦିନ ORIDL କୁ ରେଳ ମନ୍ତ୍ରଣାଳୟର ଚିଠି (ନଂ 2019 / ଜେଭି ସେଲ୍ / ଓଡିଶା / ବରଗଡ ରୋଡ଼-ନୂଆପଡା ରୋଡ) ଦ୍ବାରା ଇନ୍-ପ୍ରିନସିପଲ ଅନୁମୋଦନ (ଆଇପିଏ) ଦେଇଛନ୍ତି। ଆଜି ସୁଦ୍ଧା ଏହି ପ୍ରକଳ୍ପର ଡିପିଆର (DPR) ମଞ୍ଜୁରୀ ଓଡିଶା ସରକାରଙ୍କ ପାଖରେ ବିଚାରାଧୀନ ଥିବାର ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ଚଳିତ ବର୍ଷ 10,012 କୋଟି ଟଙ୍କା ଆବଣ୍ଟନ କରିଛନ୍ତି। 57 ଟି ରେଳ ଷ୍ଟେସନ ମଧ୍ୟ ଓଡ଼ିଶାରେ ପୁନନିର୍ମାଣ କରାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବହୁଗୁଡିଏ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି କରାଯାଇପାରିବ। ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, ଆଇନ ଶୃଙ୍ଖଳା ବିଷୟ ଗୁଡିକରେ ସହଯୋଗ କରିବାକୁ ରେଳ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।

ଏହିଭଳି ଏକ ଅମୃତକାଳ ସମୟରେ ଓଡିଶା ରାଜ୍ୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆପଡା ଜିଲ୍ଲା ପାଇଁ ୨୩୩୭ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋୟାର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ବିଭିନ୍ନ ପିଇବା ପାଣି ପ୍ରକଳ୍ପ।ନୂଆପଡାର ତିନୋଟି ମୁଖ୍ୟ ସମସ୍ୟା ଥିଲା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳ ସେଚନ ଅଭାବରୁ ଚାଷବାସ ରେ ଅସୁବିଧା ହେଉଥିଲା ଏବଂ ଯୋଗାଯୋଗ ବ୍ୟବସ୍ତା ଉନ୍ନତ ନଥିବାରୁ ଆର୍ଥିକ ଉନ୍ନତି ସାଧିତ ହୋଇ ପାରୁନଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ନେତୃତ୍ବରେ ନୂଆପଡାର ଏହି ୩ ଗୋଟି ସମସ୍ୟାର ସମାଧାନ ହୋଇ ପାରିଛି ଏବଂ ନୂଆପଡା ଓଡିଶାର ବିକାଶ ଇତିହାସ ରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଏହି ଅବସରରେ ଆଜି ଖଡିଆଳ ଠାରେ ଏକ ବିରାଟ ଜନସଭା କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ନୂଆପଡା ବାସୀ ଫ୍ଲୋରାଇଡ ପାଣି ଯୋଗୁଁ ବହୁତ ସମସ୍ୟାର ସମୁଖୀନ ହେଉଥିଲେ । ମା ମାନଙ୍କୁ ଭଲ ପିଇବା ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ୟା ନାହିଁ । ଆଜି ନୂଆପଡା ର ଏକ ଲକ୍ଷ ପରିବାର ପାଖରେ ଆଜି ପାଇପ ପାଣି ପହଞ୍ଚି ପାରିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ପାଣିରୁ ଫ୍ଲୋରାଇଡ ଦୂର କରିବା ପାଇଁ ୧୧୦୦ ରୁ ଅଧିକ ପାଣିରୁ ଫ୍ଲୋରାଇଡ ନିଷ୍କାସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ସଂପୂର୍ଣ୍ଣ ଭାବରେ ଫ୍ଲୋରାଇଡ ସମସ୍ୟା ରୁ ମୁକ୍ତ କରାଯାଇଛି । ୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କା ୨୦୫ ଟି ପାଇପ ପାଣି ଯୋଗାଣ ପ୍ରକଳ୍ପ ଏବଂ ଗୋଟିଏ ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପର କାମ ଚାଲିଛି ।

ଆଜି ଉଦଘାଟିତ ଲୋୟାର ଇନ୍ଦ୍ର ପ୍ରକଳ୍ପକୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ନୂଆପଡାରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ନୂଆପଡା ଆଜି ବିକାଶର ନୂଆ ଇତିହାସ ଲେଖିଛି । ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଜଳସେଚନ ସୁବିଧା ୫୪ପ୍ରତିଶତ ବଢିଛି । ଜିଲ୍ଲାର ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି ।

ନୂଆପଡା ର ଚାଷୀ ଆଜି ଧାନ ଉତ୍ପାଦନ ସହିତ ଆଜି ମକା ଚାଷ , କପା ଚାଷ କରିପାରୁଛି । ଆଜିର ଏ ପ୍ରକଳ୍ପ ଚାଷୀ ମାନଙ୍କ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବ । ଏ ପ୍ରକଳ୍ପ ଦ୍ଵାରା ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗୀର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

ନୂଆପଡାରେ ଚାଲିଥିବା ୨୨୦ କୋଟି ଟଙ୍କାର ମେଗା ଉଠା ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହା ଦ୍ଵାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମି କୁ ପାଣି ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଲୋୟାର ଇନ୍ଦ୍ର ପ୍ରକଳ୍ପ ଭୂମିତଳ ପାଇପ ଲାଇନ ଟେକନଲୋଜିରେ ନିର୍ମିତ ହୋଇଥିବାରୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇବା ପାଇଁ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଲୋୟାର ଇନ୍ଦ୍ର ସାଇଟରେ ୩ କୋଟି ଟଙ୍କା ବ୍ୟୟ ରେ ଏକ ବିଜ୍ଞାନ ପାର୍କ ଓ ସଂଗ୍ରହାଳୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ନୂଆପଡା ଓ ଖଡିଆଳ ଏନଏସିରେ ଦୁଇଟି ଇନଡୋର ଷ୍ଟାଡିୟମ ସହିତ ଖଡିଆଳ ସ୍ବୟଂଶାସିତ କଲେଜରେ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ ।

ନୂଆପଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡାରେ ଶିଶୁ ମୃତ୍ୟୁ ହାର କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ରାଜ୍ୟର ବଡ ବଡ ସହରର ଡାକ୍ତରଖାନା ସହ ସମକକ୍ଷ ହୋଇପଡ଼ିଛି। ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କା ଖର୍ଚ୍ଚରେ ୧୩୨ କି.ମି ରାସ୍ତା କେବଳ ନୂଆପଡା ରେ ହିଁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଜିଲ୍ଲା ର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା କୁ ବିଜୁବାବୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” ।

ଆଜି ନୂଆପଡାର ରୂପାନ୍ତର କୁ ଆପଣ ମାନେ ଦେଖି ପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓ ନୂଆପଡା ଜିଲ୍ଲାର ବିଧାୟକ ମାନେ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଏବଂ 5ଟି ସଚିବ ଭି.କେ ପାଣ୍ଡିୟାନ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନୂତନ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର :ଆଜି  96 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1819ରେ ପହଞ୍ଚିଛି । ଆଜି ଚିହ୍ନଟ 96 ଜଣ ଆକ୍ରାନ୍ତ 18ଟି ଜିଲ୍ଲାରୁ ରହିଛନ୍ତି । ସମସ୍ତ ଆକ୍ରାନ୍ତ  କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

ଏଯାବତ୍‌ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 977 ଜଣ ସୁସ୍ଥ ହୋଇଥିବାବେଳେ 833 ଜଣ ଚିକିତ୍ସାଧୀନ ଅଛନ୍ତି। 7 ଜଣଙ୍କର ମୃତ୍ୟୁ ଘଟିଛି।  ତେବେ ବାଲେଶ୍ବରରୁ 72 ବର୍ଷୀୟ ଜଣେ ବୃଦ୍ଧ ଓ ଖୋର୍ଦ୍ଧାର 42 ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତେବେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 404 317 84 3
ଯାଜପୁର 259 173 86 0
ବାଲେଶ୍ବର 146 120 25 0
ଖୋର୍ଦ୍ଧା 131 60 67 3
ଭଦ୍ରକ 113 95 18 0
କଟକ 95 26 68 1
ପୁରୀ 87 33 54 0
କେନ୍ଦ୍ରାପଡା 71 30 41 0
ବଲାଙ୍ଗିର 69 6 63 0
ଜଗତସିଂହପୁର 66 28 38 0
ନୟାଗଡ 65 10 55 0
ସୁନ୍ଦରଗଡ 48 27 21 0
ବୌଦ୍ଧ 33 5 28 0
ଦେବଗଡ 28 2 26 0
ଅନୁଗୁଳ 25 15 10 0
କେଉଁଝର 22 8 14 0
ଗଜପତି 20 0 20 0
କଳାହାଣ୍ଡି 20 2 18 0
ମାଲ୍‌କାନଗିରି 19 0 19 0
ଢେଙ୍କାନାଳ 18 1 17 0
ନୂଆପଡା 18 0 18 0
ମୟୂରଭଞ୍ଜ 17 11 6 0
କନ୍ଧମାଳ 13 2 11 0
କୋରାପୁଟ 8 1 7 0
ସମ୍ବଲପୁର 8 3 5 0
ଝାରସୁଗୁଡା 7 2 5 0
ସୋନପୁର 5 0 5 0
ବରଗଡ 2 0 2 0
ନବରଙ୍ଗପୁର 2 0 2 0

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 67 ପଜିଟିଭ୍‌ ଚିହ୍ନଟ : ପ୍ରଥମ ଥର ପାଇଁ ନୂଆପଡା ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 67 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।  ଏହି ନୂତନ 67ଙ୍କ ମଧ୍ୟରେ  ପୁରୀ ଜିଲ୍ଲାରୁ ସର୍ବାଧିକ 16, ନୟାଗଡରୁ 13, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ 7 ଜଣ ଲେଖାଏଁ, ଅନୁଗୁଳରୁ 6, ସୁନ୍ଦରଗଡ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ ତିନି, କଟକ ଓ ମାଲକାନଗିରିରୁ ଦୁଇଜଣ ରହିଛନ୍ତି । ଆଜି ପ୍ରଥମଥର ପାଇଁ  ବରଗଡ ଓ ନୂଆପଡା ଛୁଇଁଛି କରୋନା। ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ଆକ୍ରାନ୍ତଙ୍କ ମିଶାଇଲେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 833 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 497। ଏହି ନୂତନ 67 ମଧ୍ୟରୁ 60 କ୍ବାରେଣ୍ଟିନ୍‌ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍‌ କ୍ବାରେଣ୍ଟିନ୍‌ର ରହିଥିବାବେଳେ ତିନି ଜଣ ଲୋକାଲ୍‌ କେସ୍‌ ରହିଛି।