Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି’ ସମ୍ମିଳନୀ

ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି।

ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି।

ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନରେ ଯୋଡ଼ି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୬ଟି ବିଶେଷ ଅଧିବେଶନ ଜରିଆରେ ସେମାନେ ଭବିଷ୍ୟତର ଶିଳ୍ପ ପାଇଁ ଓଡ଼ିଶାରେ ରହିଥିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ।

ମଙ୍ଗଳବାର ଦିନ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଯୋଗଦେଇ କହିଥିଲେ ଯେ, ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି। ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ୍‌, ମାନୁଫାକଚରିଂ, ଲଜିଷ୍ଟିକ୍‌ ଓ ସପ୍ଲାଏ ଚେନ୍‌ ତଥା ବିଭିନ୍ନ ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି।

ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି । ଏହି ଦୁଇଦିନିଆ ସମ୍ମିଳନୀରେ ଏହିସବୁ ବିଷୟରେ ଯେଉଁ ବ୍ୟାପକ ଆଲୋଚନା ହେଲା ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ।

ସୋମବାର ଦିନ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିିଢ଼ିଙ୍କ ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ବାଟ ଦେଖାଇବ । ସେହିପରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ଓଡ଼ିଶାର ରୂପାନ୍ତରଣର ନୂଆ ଯୁଗ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ସ୍କିଲï-ଇନ୍‌-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବାବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀ ପ୍ରମୁଖ ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।

ସମ୍ମିଳନୀର ଦ୍ୱିତୀୟ ଦିନରେ ‘ମିଶନ ଶକ୍ତି ଓଡ଼ିଶା’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କହିଥିଲେ।ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପଛରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ।

ଏହାସହ ମଙ୍ଗଳବାର ଦିନ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକଫର ସଂତୃପ୍ତ ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ଯୋଗ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ୱ ଓ ମାନବ ସମ୍ବଳ ଓ ଦକ୍ଷତା ବିକାଶ ବିଶେଷଜ୍ଞମାନଙ୍କ ସକ୍ରିୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଦୁଇଦିନିଆ “ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ”

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।

“ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ। ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ସମ୍ମିଳନୀ ଆମକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ”, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାର ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, “ରୂପାନ୍ତରଣ ଆମ ପାଇଁ କେବଳ ଏକ ନୂଆ ବାଟ ନୁହେଁ, ଏହା ଏକ ଆବଶ୍ୟକତା।” ପ୍ରମୁଖ ଶିଳ୍ପ ନେତୃତ୍ୱ ଏବଂ ବିଭିନ୍ନ ଅଂଶୀଦାରମାନେ ଏକାଠି ହୋଇ ଭବିଷ୍ୟତର ମାନବ ସମ୍ବଳ ଲାଗି ଅପାର ସମ୍ଭାବନା ତଥା ଓଡ଼ିଶା ପାଇଁ ଅସୀମ ସମୃଦ୍ଧି ସୃଷ୍ଟି ଲାଗି ରାସ୍ତା ପ୍ରସ୍ତୁତ କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ । ସେ କହିଥିଲେ, “ଆଜି ସ୍କିଲ୍ଡ-ଇନ୍‌-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବା ବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିଖର ସମ୍ମିଳନୀ ଦେଶ ବିଦେଶର ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ।”

ଏହି ଅବସରରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରାଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ \”ସ୍କିଲ୍ଡ ଇନ୍ ଓଡ଼ିଶା\’ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦେଶରେ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବେ ଏକ ରିକ୍ରୁଟମେଣ୍ଟ ଏଜେନ୍ସି ଭାବେ କାମ କରିବ । ଏହି କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା ।

ଏହି ଅଧିବେଶନରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇଥିଲେ । ଆରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ସୋମବାର ଦିନ ପୂର୍ବହ୍ନରୁ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଥିଲା । ବିଭିନ୍ନ ଅଧିବେଶନରେ ଓଡ଼ିଶାର ଅଭିବୃଦ୍ଧି, ଶିଳ୍ପ ସମ୍ଭାବନା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଆଦି ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଦେଶ ବିଦେଶରୁ ଆସିଥିବା ବିଭିନ୍ନ ଶିଳ୍ପ କ୍ଷେତ୍ର, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ସେମାନଙ୍କ ସହ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ଯୋଡ଼ି ହୋଇଛନ୍ତି ।

ସୋମବାର ଦିନ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଥମ ଅଧିବେଶନ ଅବସରରେ \”ଷ୍ଟ୍ରାଟେଜି ଆଣ୍ଡ ଆକ୍ସନ ପ୍ଲାନ୍ ଫର୍ ଡିଜିଟାଲ ସ୍କିଲିଂ\’ ବିଷୟରେ ଏକ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ସେହିପରି \”ସ୍କିଲ୍ଡ ଇନ୍ ଓଡ଼ିଶା\’ କାର୍ଯ୍ୟକ୍ରମର ସଫଳତାକୁ ନେଇ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

Categories
ଆଜିର ଖବର ରାଜ୍ୟ ଖବର

ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ “୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର ଲୋକାର୍ପଣ ହୋଇଯାଇଛି।

ଶନିବାର ସନ୍ଧ୍ର‌୍ୟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ସଂପୃକ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ୫ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପାଇଁ ବଡ଼ ଗାଁ ବ୍ଲକ ଦେଓକରଣପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲାପାଳ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପ୍ରତ୍ୟେକ ପିଲାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଏବଂ ଜୀବନରେ କିଛି ବଡ଼ କରିବାର ସ୍ୱପ୍ନ। ସ୍କୁଲ ରୂପାନ୍ତରଣ ପିଲାମାନଙ୍କ ଏହି ସ୍ୱପ୍ନରେ ଡେଣା ଯୋଡିପାରିଛି। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ,  ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଏବଂ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ।”

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଆମ ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ “୫ଟି’ର ମହତ୍ତ୍ୱ ବିଷୟରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନଠାରେ ଯୋଡ଼ି ହୋଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

ଦେଓକରଣପୁର ହାଇସ୍କୁଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମର ସଂଚାଳନ କରି ରାଜ୍ୟ ସରକାରଙ୍କ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନର ରୂପାନ୍ତରଣରେ ବିଶେଷ ସହାୟକ ହେବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ଥାନୀୟ ଦେଓକରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦେବରାଜ ମହାନନ୍ଦିଅ ରାଜ୍ୟ ସରକାରଙ୍କ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେୟ ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର ସ୍‌ୱପ୍ନକୁ ସାକାର କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବରାଜ କହିଥିଲେ ଯେ, ସେ ଭବିଷ୍ୟତରେ ଆଇପିଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ କହିଥିଲେ ଯେ, “ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଆଜି ପିଲାମାନଙ୍କ ଭିତରେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିଛି। ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି।”

ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ୨୦୨୧ ନଭେମ୍ବର ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୬୭ଟି ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ।

ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଆଜି ସରକାରୀ ହାଇସ୍କୁଲର ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏହା ଅଧୀନରେ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି, ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ଆଦି ସୃଷ୍ଟି କରାଯାଇଛି। ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି। ଏହି ଅଭିନବ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ଆଣିବା ସହିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଗଢ଼ିବାରେ ବିଶେଷ ସହାୟକ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଦେଓକରଣପୁର ହାଇସ୍କୁଲଠାରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ କୁମାର ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପଧାନଙ୍କ ସହ ଡିଏମଏଫ ଏବଂ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲର୍ଣ୍ଣିଂ ବାଏ ଡୁଇଙ୍ଗ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପଦାର୍ଥ ବିଜ୍ଞାନ ସମ୍ପର୍କରେ ବିଭିନ୍ନ ଶିକ୍ଷଣୀୟ ବିଷୟ ପ୍ରଦର୍ଶନ କରାଯାଇଥିଲା। ତା’ଛଡ଼ା ଏହି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ହାଇସ୍କୁଲରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।