Categories
ଜାତୀୟ ଖବର ବିଶେଷ ଖବର

ଆଜି ଚାଷୀ ସଂଗଠନର ଭାରତ ବନ୍ଦ ଡାକରା, ଜାଣନ୍ତୁ ଏଥିରେ କେଉଁଠି କଣ ହେବ ପ୍ରଭାବିତ

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ତିନିଟି ବିବାଦୀୟ ନୂଆ କୃଷି ଆଇନ ବିରୋଧରେ କିଶାନ ମୋର୍ଚ୍ଚା ସାମ୍ମୁଖ୍ୟ ସୋମବାର, ସେପ୍ଟେମ୍ବର 27 ରେ 10 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ଗତବର୍ଷ ସେପ୍ଟେମ୍ବର 27 ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ତିନିଟି ବିଲ୍ ପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ। ଫଳରେ ଏହାର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଏହି ବନ୍ଦ ଡାକରା ଦିଆଯାଇଛି।

ଦୀର୍ଘ ମାସ ଧରି ଏହି ତିନୋଟି ବିଲକୁ ବିରୋଧ କରୁଥିବା କୃଷକଙ୍କ ସଂଘ କହିଛି ଯେ ସୋମବାର ଦିନ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ହେବ ଏବଂ ଜନସାଧାରଣ ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

କୌଣସି ଘରୋଇ ଏବଂ ବେସରକାରୀ ପରିବହନ ଅନୁମତି ନାହିଁ

ଏହାର ଗାଇଡଲାଇନରେ କୃଷକ ସାମ୍ମୁଖ୍ୟ କହିଛି ଯେ ଭାରତ ବନ୍ଦ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବଜାର, ଦୋକାନ, କାରଖାନା, ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ସାର୍ବଜନୀନ ଏବଂ ବେସରକାରୀ ପରିବହନକୁ ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ କୈଣସି ସାଧାରଣ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ।

ତେବେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ସେବା ସମେତ ଜରୁରୀକାଳୀନ ସେବା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ଏହି ବନ୍ଦର ମୁଖ୍ୟ ସ୍ଲୋଗାନ ହେଉଛି ‘ କୃଷକ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଭାରତ ବନ୍ଦ’ ବୋଲି ସାମ୍ମୁଖ୍ୟ ଏକ ବିବୃତ୍ତିରେ କହିଛି।

କେଉଁ ରାଜ୍ୟଗୁଡ଼ିକରେ ଭରତ ବନ୍ଦ ପ୍ରଭାବ ଅନୁଭବ ହେବାର ସମ୍ଭାବନା ଅଛି

କଂଗ୍ରେସ, AAP, YSRC, DMK, ତେଲୁଗୁ ଦେଶମ, ବାମପନ୍ଥୀ ଦଳ, ବିଏସପି, ଆରଜେଡି ଇତ୍ୟାଦି କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ସରକାର ସମେତ ବିଭିନ୍ନ ରାଜନୈତିକ ଦଳର ସମର୍ଥନ କରିସାରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର 26 ସେପ୍ଟେମ୍ବର ମଧ୍ୟରାତ୍ରରୁ 27 ସେପ୍ଟେମ୍ବର ଅପରାହ୍ନରେ APSRTC ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୁରକ୍ଷା ବଳୟ ଭିତରେ ନୂଆଦିଲ୍ଲୀ

ଦିଲ୍ଲୀ ପୋଲିସ କହିଛି ଯେ ସହରର ସୀମାରେ ଥିବା ତିନୋଟି ବିରୋଧ ସ୍ଥାନରୁ କୌଣସି ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଜଣେ ଅଧିକାରୀ କହିଛନ୍ତି, “ସୁରକ୍ଷା କଡାକଡି ହେବ ଏବଂ ଆମେ ସମ୍ପୂର୍ଣ୍ଣ ସତର୍କ ରହିଛୁ। ଏହା ଉପରେ କଡା ନଜର ରଖିଛୁ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ବିଭିନ୍ନ ସ୍ଥାନରେ ରହିବେ ବୋଲି ଜଣେ ଅଧିକାରୀ କହିଛନ୍ତି।

ବ୍ୟବସାୟୀମାନେ ବନ୍ଦକୁ ସମର୍ଥନ ଦେବେ ନାହିଁ

ବ୍ୟବସାୟୀ, କ୍ଷୁଦ୍ର ଶିଳ୍ପ, ଦୋକାନୀମାନଙ୍କ ବନ୍ଦ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଭାରତ ଉଦ୍ୟୋଗ ବ୍ୟାପାର ମଣ୍ଡଳ କହିଛି।  ସଂଘ କହିଛି ଯେ, ଅଳ୍ପ କେତେକ ତଥାକଥିତ କୃଷକମାନଙ୍କ ଦ୍ୱାରା ବନ୍ଦ ଆହ୍ୱାନ ଦିଆଯାଇଛି। ଏହାକୁ ବିରୋଧୀ ଦଳଗୁଡ଼ିକ ଭିତିରିଆ ପ୍ରାୟୋଜିତ କରିଛନ୍ତି ଏବଂ ଏହା ବ୍ୟବସାୟଙ୍କ ସ୍ବାର୍ଥ ସଂପର୍କିତ ନୁହେଁ। ସେଥିପାଇଁ ସଂଘ ଏହାକୁ ସମର୍ଥନ କରିବ ନାହିଁ।

ବ୍ୟାଙ୍କ କାର୍ଯ୍ୟକଳାପ ପ୍ରଭାବିତ ହେବ କି?

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ ଭାରତ ଚାଷିଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। କୃଷକଙ୍କ ଏହି ବନ୍ଦରେ ସାମିଲ ହେବ ବୋଲି ବୋଲି ସଂଘ କହିଛି।

Categories
ଆଜିର ଖବର ରାଜ୍ୟ ଖବର

୨୭ ତାରିଖ ଭାରତ ବନ୍ଦ ଡାକରା, କଂଗ୍ରେସ କରିବ ସମର୍ଥନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ହେବାକୁ ଯାଉଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାପାଇଁ ନିଷ୍ପତି ନେଇଛି । ଏହି ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ।

ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠାର କର୍ମକର୍ତା, ସାଂସଦ ଓ ବିଧାୟକ ପ୍ରାର୍ଥର୍ୀ, କୃଷକ, ଶ୍ରମିକ ଓ ଜନସାଧାରଣ ଏହି ବନ୍ଦକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମୋଦୀ ଭେଟିବା ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କୁ ଟୁଇଟ କଲେ କୃଷକ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଜି ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତାହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଟ୍ୱିଟ୍ କରିଛନ୍ତି। ରାକେଶ ଟିକାଏତ ଆମେରିକାର ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟନ୍ତି, ସେତେବେଳେ ସେ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ୍।

ରାକେଶ ଟିକାଏତ ଲେଖିଛନ୍ତି ଯେ, ଆମେ ଭାରତୀୟ କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରୁଛୁ, ଯାହା ପ୍ରଧାନମନ୍ତ୍ରୀ ମୋଦୀ ସରକାର ଆଣିଛି। ୧୧ ମାସର ବିକ୍ଷୋଭ ସମୟରେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। ଆମକୁ ଏହି କଳା ଆଇନରୁ ସୁରକ୍ଷିତ କରାଯିବା ଉଚିତ୍।

ଗତକାଲି ରାତିରେ କରାଯାଇଥିବା ଅନ୍ୟ ଏକ ଟୁଇଟ୍‌ରେ ସୂଚନା ଦିଆଯାଇଛି ଯେ, ଆଜି ୱାଶିଂଟନ୍‌ ଡିସିରେ ୨ ଟା ୩୦ ମିନିଟରେ ତିନୋଟି କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରର ନୂଆ କୃଷି ଆଇନ ବାତିଲ୍ ଦାବିରେ ରାଜଭବନ ଘେରାଉ

ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା।

କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୂଆ କୃଷି ଆଇନ ବିଷୟରେ ଚାଲିଥିବା ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ପଦାରେ ପଡିଯାଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ଶକ୍ତି ଦ୍ୱାରା ଭାରତୀୟ ଇତିହାସ କେବଳ ରଚନା ହୋଇନାହିଁ; ବିଦେଶୀ ଶାସନ ପ୍ରତି ଅନୁରକ୍ତ ଓ ସମଭାବାପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଏହା ଲିଖିତ ହୋଇଛି। ଭାରତର ଇତିହାସ ଲୋକଙ୍କ ଦ୍ୱାରା ପ୍ରତିପାଳିତ ହୋଇଛି ଏବଂ ଲୋକକଥାରେ ଏହା ପିଢି ପରେ ପିଢି ଆଗକୁ ବଢିଛି। ଯେଉଁମାନେ ଭାରତ ଓ ଭାରତୀୟତା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ ସେମାନଙ୍କୁ ଦେଶର ଇତିହାସରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନାହିଁ; ସେମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ଭାରତୀୟ ଇତିହାସର ନିର୍ମାତାଙ୍କ ପ୍ରତି ଇତିହାସକାରମାନେ ଯେଉଁ ଅନ୍ୟାୟ ଓ ଅନିୟମିତତା କରିଛନ୍ତି ତାହାର ସଂଶୋଧନ କରାଯାଉଛି। ଆମେ ଆମ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀ ଓ ଇତିହାସ ନିର୍ମାତାମାନଙ୍କ ଅବଦାନକୁ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଉଦ୍ୟମ ଜାରି ରହିଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ତାଙ୍କ ଅବଦାନକୁ ସ୍ମରଣକରି ତାହା ପାଳନ କରୁଛୁ। ସେହିଭଳି ଷ୍ଟାଚ୍ୟୁ ଅଫ୍‍ ୟୁନିଟ ମାଧ୍ୟମରେ ସର୍ଦ୍ଦାର ପଟେଲ ଏବଂ ପଞ୍ଚତୀର୍ଥ ଜରିଆରେ ବାବା ସାହେବ ଆମ୍ବେଦକରଙ୍କୁ ମନେ ପକାଉଛୁ। ଦେଶରେ ଅଗଣିତ ବ୍ୟକ୍ତିବିଶେଷ ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକ ଗ୍ରହଣ କରିଥିଲେ ସେମାନଙ୍କୁ ବିଭିନ୍ନ କାରଣରୁ ମାନ୍ୟତା ଓ ସ୍ୱୀକୃତି ଆଜିଯାଏଁ ମିଳିପାରି ନାହିଁ। ଚଉରି ଚଉରାର ସାହସୀମାନଙ୍କ କ୍ଷେତ୍ରରେ ଯାହା ଘଟିଥିଲା ତାହାକୁ ଆମେ କ’ଣ ଭୁଲିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେହିଭଳି ଭାରତୀୟତା ଓ ଭାରତ ପାଇଁ ମହାରାଜା ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି। ଏହି ଉପେକ୍ଷା ସତ୍ତ୍ୱେ ମହାରାଜ ସୁହେଲ ଦେବ ଅବଧ, ତରାଇ ଏବଂ ପୂର୍ବାଞ୍ଚଳର ଲୋକଙ୍କ ହୃଦୟରେ ଲୋକକଥା ମାଧ୍ୟମରେ ବଞ୍ଚି ରହିଛନ୍ତି; ଅଥଚ ତାଙ୍କ ବିଷୟରେ ପଢା ବହିରେ ଉଲ୍ଲେଖ ନାହିଁ। ସେ କହିଛନ୍ତି ଯେ ମହାରାଜା ସୁହେଲ ଦେବ ଜଣେ ସମ୍ବେଦନଶୀଳ, ପ୍ରଜାନୁରଞ୍ଜନ ଓ ବିକାଶମୁଖୀ ଶାସକ ଥିଲେ। ତାଙ୍କ ପାଇଁ ଯେଉଁ ସ୍ମାରକ ନିର୍ମିତ ହେବ ତାହା ଆଗାମୀ ପିଢିକୁ ଅନୁପ୍ରାଣିତ କରିବ। ସେହିଭଳି ତାଙ୍କ ନାମରେ ନାମିତ ହୋଇଥିବା ମେଡିକାଲ କଲେଜ ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ସଂପ୍ରସାରଣ ଦ୍ୱାରା ଏହି ଆକାଂକ୍ଷୀ ଜିଲା ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକେ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ଦୁଇବର୍ଷ ପୂର୍ବେ ମହାରାଜା ସୁହେଲ ଦେବଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିଥିଲେ।

ଆଜି ବସନ୍ତ ପଞ୍ଚମୀ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ଏହି ବସନ୍ତ କରୋନା ମହାମାରୀଜନିତ ନୈରାଶ୍ୟକୁ ପଛରେ ପକାଇ ଭାରତ ପାଇଁ ନୂଆ ଆଶା ଆଣିଛି। ମୁଁ  ଆଶା କରୁଛି ମା’ ସରସ୍ୱତୀ ଭାରତର ଜ୍ଞାନ ଓ ବିଜ୍ଞାନକୁ ଆଶିଷ ପ୍ରଦାନ କରିବେ। ଆହୁରି ମଧ୍ୟ ଗବେଷଣା ଓ ନବସୃଜନ ମାଧ୍ୟମରେ ଯେଉଁମାନେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ନିମଗ୍ନ ସେମାନଙ୍କୁ ମା’ ବାଗ୍‍ଦେବୀ ଆଶୀର୍ବାଦ ରହିବ ବୋଲି ମୋର ଆଶା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ, ବିଶ୍ୱାସ ଓ ଅଧ୍ୟାତ୍ମ ସହ ଜଡିତ ଯେତେସବୁ କୀର୍ତ୍ତିରାଜି ଗତ କେଇବର୍ଷ ମଧ୍ୟରେ ନିର୍ମିତ ହୋଇଛି ସେସବୁର ପ୍ରମୁଖ ଲକ୍ଷ୍ୟ ହେଲା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ଉତ୍ତର ପ୍ରଦେଶ ଉଭୟ ପର୍ଯ୍ୟଟନ ଓ ତୀର୍ଥାଟନ ଦୃଷ୍ଟିରୁ ସମୃଦ୍ଧ। ଏ କ୍ଷେତ୍ରରେ ଏହାର ଅନନ୍ତ ସମ୍ଭାବନା ରହିଛି। ରାମାୟଣ ସର୍କିଟ, ଆଧ୍ୟାତ୍ମିକ ସର୍କିଟ ଓ ବୌଦ୍ଧ ସର୍କିଟଗୁଡିକୁ ବିକଶିତ କରାଯାଉଛି। ଏହାଛଡା ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଓ ବୁଦ୍ଧଦେବଙ୍କ ଜୀବନୀ ସହ ସଂପୃକ୍ତ ସ୍ଥାନଗୁଡିକୁ ବିକଶିତ କରିବା ପାଇଁ ଅଯୋଧ୍ୟା, ଚିତ୍ରକୁଟ, ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, କୁଶିନଗର ଏବଂ ଶ୍ରାବସ୍ତି ଆଦି ସ୍ଥାନରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟର ଉତ୍ତମ ଫଳ ମଧ୍ୟ ମିଳୁଛି। ଉତ୍ତର ପ୍ରଦେଶକୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ପର୍ଯ୍ୟଟକ ଆସିବା ତାହାର ପ୍ରମାଣ। ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଉତ୍ତର ପ୍ରଦେଶ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ ପାଇଁ ଉତ୍ତର ପ୍ରଦେଶରେ ଆଧୁନିକ ସଂଯୋଗ ଓ ଗମନାଗମନ ବ୍ୟବସ୍ଥା କରାଯାଉଛି। ଅଯୋଧ୍ୟା ଏବଂ କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟଟକଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଭବିଷ୍ୟତରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏହାର ସୁଯୋଗ ନେବେ। ସେହିଭଳି ଉତ୍ତର ପ୍ରଦେଶରେ ଯେଉଁ ଛୋଟବଡ଼ ୧୦-୧୨ଟି ବିମାନ ବନ୍ଦର ତିଆରି ହେଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବାଞ୍ଚଳରେ ଅବସ୍ଥିତ। ସେ କହିଛନ୍ତି ଯେ ପୂର୍ବାଞ୍ଚଳ ଏକ୍ସପ୍ରେସ,  ବୁନ୍ଦେଲଖଣ୍ଡ ଏକ୍ସପ୍ରେସ, ଗଙ୍ଗା ଏକ୍ସପ୍ରେସ, ଗୋରଖପୁର ଲିଙ୍କ୍‍ ଏକ୍ସପ୍ରେସ, ବଲିଆ ଲିଙ୍କ୍‍ ଏକ୍ସପ୍ରେସ ଭଳି ଯେଉଁସବୁ ଆଧୁନିକ ଓ ପ୍ରଶସ୍ତ ସଡକମାନ ତିଆରି ଚାଲିଛି ତାହା ଆଧୁନିକ ଉତ୍ତର ପ୍ରଦେଶର ଆଧୁନିକ ଭିତ୍ତିଭୂମି ନିର୍ମାଣର ଅୟମାରମ୍ଭ। ସେ କହିଛନ୍ତି ଯେ ଦୁଇଟି ବୃହତ୍‍ ସମର୍ପିତ ଫ୍ରେଟ କରିଡରର ସଂଗମସ୍ଥଳ ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ଫଳରେ ନିବେଶକମାନେ ପୁଞ୍ଜି ନିବେଶ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍ତର ପ୍ରଦେଶରେ ଉଭୟ ଉଦ୍ୟୋଗ ଓ ଯୁବକମାନଙ୍କ ପାଇଁ ନୂଆ ସୁବିଧା ସୁଯୋଗ ତିଆରି ହେଉଛି।

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେହିଭଳି ରାଜ୍ୟରେ ମସ୍ତିଷ୍କ ପ୍ରଦାହ ରୋଗ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ଏକ ଭଲ ଖବର; ଏହା ଫଳରେ ପୂର୍ବାଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏହା ପଛରେ ରାଜ୍ୟ ସରକାରଙ୍କ ନିଷ୍ଠା କଥା ସେ ଉଲ୍ଲେଖ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ମେଡିକାଲ କଲେଜ ସଂଖ୍ୟା ୧୪ରୁ ୨୪କୁ ବୃଦ୍ଧି ପାଇଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋରଖପୁର ଏବଂ ବରେଲିରେ ଦୁଇଟି ଏମ୍ସର ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ବ୍ୟତୀତ ଆଉ ୨୨ଟି ନୂଆ ମେଡିକାଲ କଲେଜ ତିଆରି ହେଉଛି। ବାରାଣସୀରେ ଖୋଲିଥିବା ଆଧୁନିକ କ୍ୟାନସ୍‍ର ହସପିଟାଲ ସୁବିଧା ପୂର୍ବାଞ୍ଚଳବାସୀ ପାଇପାରିବେ। ସେ ମଧ୍ୟ ଏହି ଅବସରରେ ଉତ୍ତର ପ୍ରଦେଶ ଜଳଜୀବନ ମିସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସ୍ୱଚ୍ଛ ପାନୀୟଜଳ ଲୋକେ ପାଇଲେ ଅନେକ ବ୍ୟାଧିରୁ ରକ୍ଷା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ।

ଉତ୍ତରପ୍ରଦେଶ ଚାଷୀଙ୍କ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଗରିବ ଲୋକ ଓ ଚାଷୀମାନେ ଉନ୍ନତ ବିଦ୍ୟୁତ୍‍, ଜଳ ଯୋଗାଣ, ସଡକ ଏବଂ ସ୍ୱାସ୍ଥ୍ୟ ସୁବିଧାରୁ ସିଧାସଳଖ ଉପକୃତ ହେଉଛନ୍ତି। ପିଏମ୍‍ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ୨.୫ କୋଟି ଚାଷୀ ସିଧାଳସଖ ଲାଭ ପାଉଛନ୍ତି। ଆଗରୁ ସେମାନେ ସାର ବସ୍ତାଏ କିଣିବା ପାଇଁ ଋଣ କରୁଥିଲେ। ଏବେ ସେ ଅବସ୍ଥା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଉତ୍ପାଦକ ସଂଗଠନ ତିଆରି ହେବା ଫଳରେ ଚାଷୀମାନେ ବିଶେଷ ଉପକୃତ ହେବେ। ଏଥିରେ ଚାଷଜମିର ଚକବନ୍ଦୀ ସୁବିଧା ମିଳିବ। ଛୋଟ ଛୋଟ ଚାଷୀ ମିଶି ଯେଉଁ ଚକ ତିଆରି କରିବେ ତାହା ବଡ଼ ବଡ଼ ଚାଷୀଙ୍କ ଜମିଠାରୁ ଅଧିକ ହେବ ଏବଂ ସେମାନେ ଏହାଦ୍ୱାରା ଲାଭବାନ ହେବେ। ସହଯୋଗଭିତ୍ତିରେ ସେମାନେ ନିଜର ଉତ୍ପାଦିତ ପନିପରିବା, ଫଳ, ଦୁଗ୍ଧ, ମାଛ ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁବିଧାରେ ବିକ୍ରିବଟା କରି ନିଜର ରୋଜଗାର ବଢାଇପାରିବେ। ବଡ଼ ବଡ଼ ବଜାରରେ ପହଞ୍ଚିବା ପାଇଁ କିଷାନ ରେଳ ପ୍ରଚଳନ କରାଯାଇଛି। ଏହାର ସୁବିଧା ମଧ୍ୟ ଚାଷୀ ନେଲେଣି। କୃଷି କ୍ଷେତ୍ରରେ ଯେଉଁସବୁ ସଂସ୍କାର ଆସିଛି ତାହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହି ସଂସ୍କାର ସପକ୍ଷରେ ଚାଷୀ ମହଲରୁ ଅନୁକୂଳ ପ୍ରସ୍ତାବ ବହୁ ସଂଖ୍ୟାରେ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୃଷି ଆଇନ ସଂପର୍କରେ ନାନାପ୍ରକାର ଅପପ୍ରଚାର ଓ ଭୁଲତଥ୍ୟ ପ୍ରଚାର କରାଯାଉଛି। ସେ କହିଛନ୍ତି ଯେ ଦେଶକୁ ବିଦେଶୀ କମ୍ପାନୀମାନଙ୍କୁ ଡାକିବା ପାଇଁ ଯେଉଁମାନେ ଆଇନ ତିଆରି କରିଥିଲେ ଏବେ ସେହି ଲୋକମାନେ ଭାରତୀୟ କମ୍ପାନୀଗୁଡିକ ବିରୋଧରେ ଚାଷୀଙ୍କୁ ମତାଇ ଉଦ୍‍ଭ୍ରାନ୍ତ କରୁଛନ୍ତି। ସେମାନଙ୍କର ଏହି ମିଥ୍ୟା ଓ ଅପପ୍ରଚାର ପଦାରେ ପଡିଯାଇଛି। ନୂଆ କୃଷି ଆଇନ ପ୍ରଣୀତ ହେବା ପରେ ଧାନର ସଂଗ୍ରହ ପରିମାଣ ଉତ୍ତର ପ୍ରଦେଶରେ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। ଯୋଗୀ ସରକାର ଇତିମଧ୍ୟରେ ଆଖୁଚାଷୀଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଖୁଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ଟଙ୍କା ରାଜ୍ୟ ସରକାର ଚିନିକଳ ମାଲିକଙ୍କୁ ଦେବେ ଓ ସେମାନଙ୍କଠାରୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବେ। ଆଖୁଚାଷୀ ଯେପରି ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଆନ୍ତି ରାଜ୍ୟ ସରକାର ତାହା ନିଶ୍ଚିତ କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳ ଲୋକ ଓ ଚାଷୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାମିତ୍ୱ ଯୋଜନାରେ ଘର ଓ ଆବାସିକସ୍ଥଳର ଜବରଦଖଲ ସମ୍ଭାବନା ଦୂର ହୋଇଛି। ପ୍ରକୃତ ମାଲିକଙ୍କୁ ଏହାର ସ୍ୱତ୍ୱ ମିଳୁଛି। ଉତ୍ତର ପ୍ରଦେଶର ପ୍ରାୟ ୫୦ଟି ଜିଲାରେ ଏହି ଯୋଜନାରେ ଘର ଓ ଜମି ଆଦିର ସର୍ଭେ କାର୍ଯ୍ୟ ଡ୍ରୋନ ସାହାଯ୍ୟରେ କରାଯାଉଛି। ସେଥିମଧ୍ୟରୁ ୧୨ ହଜାର ଗ୍ରାମରେ ସର୍ଭେ ଶେଷ ହୋଇଛି ଏବଂ ଦୁଇଲକ୍ଷରୁ ଅଧିକ ପରିବାରକୁ ସଂପତ୍ତି କାର୍ଡ ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଯେତେବେଳେ ଭୂମି ଉପରେ ମାଲିକର ଅଧିକାରକୁ ସାବ୍ୟସ୍ତ କରି ସେମାନଙ୍କୁ କାର୍ଡ ପ୍ରଦାନ କରୁଛି ସେତେବେଳେ କୃଷି ଆଇନ ଦ୍ୱାରା ଚାଷୀଙ୍କଠାରୁ ଜମି ଛଡାଇ ନେବାର ସମ୍ଭାବନା ଆସିଲା କେଉଁଠି? ସେ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ ଏବଂ ଦେଶକୁ ଆତ୍ମନିର୍ଭର କରିବା ଆମର ଲକ୍ଷ୍ୟ। ଏଥିପାଇର୍ ଆମେ ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛୁ। ଗୋସ୍ୱାମୀ ତୁଳସୀ ଦାସଙ୍କ ରାମରଚିତ ମାନସରୁ ଏକ ଚୌପଦି ଉଦ୍ଧାର କରି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ। ଏହାର ଅର୍ଥ ହେଲା ଯେ ସତ୍‍ ଉଦ୍ଦେଶ୍ୟ ନେଇ କୌଣସି କାର୍ଯ୍ୟ ଆରମ୍ଭ କଲେ ଏବଂ ହୃଦୟରେ ପ୍ରଭୁ ଶ୍ରୀରାମଙ୍କୁ ରଖିଲେ ଏଥିରେ ସଫଳ ହେବା ନିଶ୍ଚିତ।