Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ପୂର୍ବାହ୍ନ ୯ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଠାରୁ ନୂତନ ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହାପରେ ନୂତନ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବିଜେବି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ।

୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଶ୍ରୀ ଚକ୍ରବର୍ତ୍ତୀ ପୁର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସମୟରେ ସେ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ବେସ୍ ସୁଚାରୁରୂପେ ପରିଚାଳନା କରିପାରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଥା ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ: ଏଣିକି ଘରେ ବସି ଅଭିଯୋଗ ଦାଖଲ କରିପାରିବେ ଲୋକେ

ଖୋର୍ଦ୍ଧା: କଥା ରଖିଲେ ନୂତନ ଜିଲ୍ଲାପାଳ। ଖୋର୍ଦ୍ଧାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ। ଜିଲ୍ଲାପାଳ ଗତକାଲି କାର୍ଯ୍ୟଭାର ସମ୍ଭାଳିଥିବାବେଳେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଜନସାଧାରଣ ମାନେ ସିଧାସଳଖ ଘରେ ବସି ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ଯୋଡି ହୋଇ ପାରିବେ ଏବଂ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ଆବଶ୍ୟକୀୟ ସୂଚନା ମଧ୍ୟ ପାଇପାରିବେ।

ତେବେ ଚବିଶ ଘଣ୍ଟା ମଧ୍ୟରେ ଜିଲ୍ଲାର ୩୭ ଗୋଟି ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ସେଥିମଧ୍ୟରେ ଜିଲ୍ଲାର ଦଶ ଗୋଟି ବ୍ଲକ, ଦଶ ଗୋଟି ତହସିଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ , ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଦୁଇ ଗୋଟି ଏନଏସି, ଦୁଇ ଗୋଟି ମ୍ୟୁନିସିପାଲିଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି, ଆପତକାଳିନ ବିଭାଗ, ଖୋର୍ଦ୍ଧା ଏସପି କାର୍ଯ୍ୟାଳୟ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମଯିକ ସୁରକ୍ଷା ଅଧିକାରୀ, ଦୁଇ ଗୋଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀ ଏବଂ ଟିପିସିଓଡ଼ିଏଲ ଆଦି ସାମିଲ ଅଛି।

Image

ରାଜ୍ୟ ସରକାରଙ୍କ ଫାଇଭ-ଟି ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଅନୁଯାୟୀ ଉକ୍ତ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ତେବେ ଜିଲ୍ଲାବାସୀ ଏଥର ଉକ୍ତ ଆକାଉଣ୍ଟ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ସମସ୍ୟାଗୁଡିକର ସମାଧନ କରାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ: ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। ଗତକାଲି ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରି ଜିଲ୍ଲାର ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର।

ତେବେ ଚିଲିକା ନିର୍ବାଚନମଣ୍ଡଳି ପାଇଁ ପ୍ରାଥମିକତା କଣ ରହିବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ଚିଲିକା ଗସ୍ତରେ ଆସିବେ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ସମସ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି କହିଥିଲେ। ବାଣପୁର ଓ ବାଲୁଗାଁ ଏନଏସି ରେ ଡ୍ରେନେଜ ସମସ୍ୟା, ଷ୍ଟ୍ରିଟ ଲାଇଟ ସମସ୍ୟା, ବାଣପୁର ସବ ରେଜିଷ୍ଟ୍ରର ପଦବୀ ପୂରଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପୋଲିସ ଥାନାରେ ସାଧାରଣ ଜନତା ସାମ୍ନା କରୁଥିବା ବିଭିନ୍ନ ସମସ୍ୟାଗୁଡିକ ବିଷୟରେ ଆମ ପ୍ରତିନିଧିଙ୍କ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନାରେ ଟ୍ୱିଟର ହ୍ୟାଣ୍ଡଲ ଖୋଲିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଏବଂ ଖୋର୍ଦ୍ଧା ଏସପିଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରିଥିବାର ସୂଚନା ଦେଇଛନ୍ତି।

ଆଜିକାଲି ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବଢ଼ିବାରେ ଲାଗିଛି ଏବଂ ଗଣମାଧ୍ୟମ ଏହାର ଏକ ପ୍ରମୁଖ ଅଂଶ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ସମଗ୍ର ଜିଲ୍ଲାରେ ଇ-ୱାର୍କ କୁ ଗୁରୁତ୍ୱ ଦିଆଯିବ। ସମସ୍ତ ଜନସାଧାରଣ ଘରେ ବସି ସେମାନଙ୍କ ଅଭିଯୋଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦାଖଲ କରିବା ସହ ଫାଇଭ-ଟି ଅନ୍ତର୍ଗତ ସରକାରଙ୍କ ବିଭିନ୍ନ ଯୋଜନାର କିପରି ସିଧାସଳଖ ସେମାନେ ସୁଫଳ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯିବ।

ସେହିପରି ଭାବେ ଜିଲ୍ଲାପାଳ ସ୍ଵତଃପ୍ରବୃତ୍ତ ଭାବେ ନିଜ ସମ୍ପତ୍ତି ତାଲିକା ଏନଆଇସି ୱେବସାଇଟରେ ପ୍ରକାଶ କରିସାରିଛନ୍ତି ଏବଂ ଜିଲ୍ଲାର ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକା ଖୁବଶୀଘ୍ର ସାର୍ବଜନୀନ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି।  ଏହାଦ୍ୱାରା ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବେ।

ସେହିପରି ଭାବେ ଜିଲ୍ଲାର ଯେକୌଣସି ନାଗରିକ ସିଧାସଳଖ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିଜ ସମସ୍ୟା ଉପସ୍ଥାପନ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରୁ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟପନ୍ଥା ଦେଖି ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନତି ହେବାସହ ଦୀର୍ଘଦିନ ଧରି ଜିଲ୍ଲାରେ ଲାଗିରହିଥିବା ଏକାଧିକ ସମସ୍ୟାଗୁଡିକର ସମାଧାନ ହୋଇପାରିବ ବୋଲି ଜିଲ୍ଲାବାସି ଆଶା କରିଛନ୍ତି।

ସୂଚନା ଥାଉକି ନିକଟରେ ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।