Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଆମେନିଟିଜ୍‌ କମିଟି ସଦସ୍ୟଙ୍କ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଆମେନିଟିଜ୍‌ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ଆବଶ୍ୟକୀୟ ପ୍ରଶିକ୍ଷଣ ନେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଭାରତ ସରକାରଙ୍କ ଏହା ହେଉଛି ଏକ ମିଶନ ମୋଡ୍‌ ପ୍ରକଳ୍ପ। ଖୁବ୍‌ ଶୀଘ୍ର ଏହା ମାଧ୍ୟମରେ ଦେଶରେ ସଂସଦ ସମେତ ସମସ୍ତ ବିଧାନସଭାକୁ ପେପରଲେସ୍‌ ପ୍ରକ୍ରିୟାରେ ପରିଚାଳନା କରାଯିବ।

ଆଜି ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ନେଭା କାର୍ଯ୍ୟକ୍ରମ କିଭଳି ଭାବେ ଓଡ଼ିଶା ବିଧାନସଭାରେ ସଫଳ ଭାବେ କାର୍ଯ୍ୟକାରୀ ହେବ ସେ ସଂପର୍କିତ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଶଦ ଆଲୋଚନା ହୋଇଥିଲା। ପ୍ରଶିକ୍ଷଣ ଗ୍ରହଣ କରୁଥିବା ବିଧାୟକମାନଙ୍କୁ ଶ୍ରୀ ସିଂହ କହିଥିଲେ ଯେ ଏହି ଆପ୍ଲିକେସନ୍‌ର ସଫଳ ପ୍ରୟୋଗରେ ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚିପାରିବ ଏବଂ ଏହି ଆପ୍ଲିକେସନ୍‌ ଆପଣମାନଙ୍କ କାର୍ଯ୍ୟପ୍ରଣାଳୀକୁ ଆହୁରି ସରଳ କରିବ।

ବିଧାନସଭା ପକ୍ଷରୁ ନେଭାର ସଫଳ କାର୍ଯ୍ୟକାରିତା ପାଇଁ ତିନୋଟି କମିଟି ଗଠନ କରାଯାଇଛି। ଅଳ୍ପଦିନ ମଧ୍ୟରେ ଯେଭଳି ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକ ନେଭା ଆପ୍‌ ସହ ଅଭ୍ୟସ୍ତ ହୋଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ନେଭା କର୍ମକର୍ତ୍ତା ଏବଂ ବିଧାନସଭା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାନସଭା ଆମେନିଟିଜ୍‌ କମିଟିର ସଦସ୍ୟବୃନ୍ଦ, ବିଧାନସଭା ସଚିବ ଦାଶରଥି ଶତପଥୀ, ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଅଶୋକ କୁମାର ହୋତାଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ହାଇଟେକ ହେବ ଓଡିଶା ବିଧାନସଭା, ବିଧାୟକଙ୍କୁ ଦିଆଗଲା ନେଭା ଆପ୍ଲିକେସନ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଭାବେ ପେପରଲେସ୍‌ ବିଧାନସଭାରେ ପରିଣତ କରିବା ସହ ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ମାଧ୍ୟମରେ ସଂପାଦନ କରିବା ଉଦ୍ଦେଶ୍ୟରେ ବିଧାନସଭାର ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଭା ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ବିଧାନସଭାରେ ବିଧାୟକମାନଙ୍କ ପାଇଁ ବିଧାନସଭା ପରିସର ସ୍ଥିତ ନେଭା ସେବା କେନ୍ଦ୍ରଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି।

କାର୍ଯ୍ୟକାରୀ ବାଚସ୍ପତି ଶ୍ରୀରଜନୀକାନ୍ତ ସିଂହ ଏହି କାର୍ଯ୍ୟ କ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ବିଧାୟକମାନଙ୍କୁ କହିଲେ ଯେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକୁ ପେପରଲେସ କରି ଡିଜିଟାଲ୍‌ ଉପାୟରେ ପରିଚାଳିତ କରିବା ପାଇଁ ନ୍ୟାସନାଲ ଇ-ବିଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ। ଆଗାମୀ ଦିନରେ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ ହେବ। ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଲ୍‌ ପଦ୍ଧତିରେ ଏହି ନେଭା ଆପ୍ଲିକେସନ୍‌ ଜରିଆରେ ସଂପାଦିତ ହେବ।

ଏଣୁ ଏହି ବ୍ୟବସ୍ଥା ସହ ବିଧାନସଭା ସଂପୃକ୍ତ ସମସ୍ତଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହି ଅପ୍ଲିକେସନ୍‌ ଜରିଆରେ ସାଧାରଣ ନାଗରିକମାନେ ମଧ୍ୟ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ। ଆଗାମୀ ଦିନରେ ଏହି ଆପ୍ଲିକେସନ୍‌ ଜରିଆରେ ବିଧାନସଭାର ପ୍ରଶାସନିକ କାର୍ଯ୍ୟ ମଧ୍ୟ ସରଳ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଅନନ୍ତ ଦାସ, ବରିଷ୍ଠ ବିଧାୟକ ତଥା ଲାଇବ୍ରେରୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ବିଧାୟକମାନଙ୍କୁ ଏହି ଆପ୍ଲିକେସନ୍‌ ଜରିଆରେ କିଭଳି ସୁଚାରୁ ରୂପେ କାର୍ଯ୍ୟ ସଂପାଦନ ହୋଇପାରିବ ସେ ସମ୍ବନ୍ଧରେ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ପେପରଲେସ୍‌ ଓଡ଼ିଶା ବିଧାନସଭା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଶ୍ରୀ ଅଶୋକ କୁମାର ହୋତା କହିଥିଲେ ଯେ ଓଡ଼ିଶା ବିଧାନସଭାରେ ନେଭାର ପ୍ରୟୋଗକୁ ଜାତୀୟ ସ୍ତରୀୟ ନେଭା କାର୍ଯ୍ୟକ୍ରମରେ ପ୍ରଶଂସା ମିଳିଛି। ଏନ୍‌ଆଇସି ପକ୍ଷରୁ ଭବିଷ୍ୟତରେ ବିଧାନସଭା ଅଧିବେଶନର ସମସ୍ତ ବିଷୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଜାରି ରହିଛି।

ବିଧାୟକମାନେ ରାଜ୍ୟର ପ୍ରଗତି ପାଇଁ କିଭଳି ଭାବେ ଉଦ୍ୟମ କରିଥିଲେ ତାହା ଆଗାମୀ ପିଢ଼ିଙ୍କ ନିକଟରେ ଉପସ୍ଥାପନ କରିବାରେ ଏହି ଆପ୍ଲିକେସନ୍‌ ସହାୟକ ହେବ ବୋଲି ସେ କହିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଲାଇବ୍ରେରୀ କମିଟିର ସଦସ୍ୟମାନେ ଆଜି ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍‌ଆଇସିର ଅଧିକାରୀଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।