Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ସମାଧାନ ପାଇଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ପାଇଁ ପ୍ରତି ବ୍ଲକ୍‌ରେ ତିନିଜଣ ଲେଖାଏଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ସମାଧାନ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭି.ସି. ବୈଠକରେ ଜଣାଇଥିଲେ।

ଚଳିତ ବର୍ଷ ଏପ୍‌.ଏ.କୁୟ ଧାନ କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ଟଙ୍କା ଜମା ହେବ। ଚଳିତ ଖରିଫ୍ ଋତୁ ଧାନ ୧୩୯୬୪୮ ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍‌ସ ଏବଂ ୬୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ କରାଯାଇ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣିପଞ୍ଚାୟତ ଅଂଶଗ୍ରହଣ କରିବ। ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ସ୍ଥାନରେ ବି ବିଶୃଙ୍ଖଳା ଯେପରି ଦେଖାନଯାଏ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ତଥ୍ୟ ଉପସ୍ଥାପନ କରି ଯାହାର ଯାହା ସମସ୍ୟା ରହିଛି ସେ ସବୁ ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇ ଥିଲେ।

ବୈଠକରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢ଼ୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡ଼ିଭିଜନ ବିଶ୍ୱ ରଂଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ, ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।