Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ମାସ୍କେଟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଟ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆଜି ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା ଓ ସିନେ ଜଗତର କଳାକାର ମାନେ ପହଞ୍ଚି ପକ୍ଷୀ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳାଯୋଡି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ସଭା ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା।

ଚିଲିକାରେ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ଜଣେ ଯୁବତୀକୁ ଆମ୍ବାସଡର ଭାବରେ ନିଯୁକ୍ତି ଦେଇଛନ୍ତି ଗ୍ରୀନ ଆର୍ମିର ଅଧ୍ୟକ୍ଷ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ଆସନ୍ତା ୨୭ରେ ହେବ ମାସ୍କେଟ ଉନ୍ମୋଚନ ଉତ୍ସବ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନଙ୍କର ଆସିବା ଆରମ୍ଭ ହୋଇଗଲାଣି। ତେଣୁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନକରିବା ପାଇଁ ସାମାଜିକ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଜନସଚେତନତା ସୃଷ୍ଟି ଆସନ୍ତା ୨୭ ତାରିଖ ସକାଳ ୮ ଘଟିକାରେ ମାସ୍କେଟ ଉତ୍ସବ ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହେବ।

ସେହିପରି ୯ ଘଟିକା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ଚିତ୍ର ଅଙ୍କନ ପ୍ରଦର୍ଶନୀ, ୧୦ ଘଟିକା ସମୟରେ ସଭା ପୁରସ୍କାର ବିତରଣ ଉତ୍ସବ, ୧୦.୩୦ ରେ ବୃକ୍ଷ ରୋପଣ ଓ ୧୧ ଘଟିକା ସମୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରେରଣା ଗ୍ରୀନ ଆର୍ମୀର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ତେଣୁ ପ୍ରକୃତିପ୍ରେମି ବିଭିନ୍ନ ପ୍ରତିଯୋଗୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବଢ଼ି ଚାଲିଛି ପକ୍ଷୀ ଶିକାର: ଆଉ ୨ ଶିକାରୀ ଗିରଫ, ଚିନ୍ତାରେ ପ୍ରକୃତିପ୍ରେମୀ

ସୀତାରାମ ଅଗ୍ରୱାଲ

ଚିଲିକା: ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି। ତଥାପି କମୁନି ପକ୍ଷୀଶିକାର। ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଦୁଇ ଜଣ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଭୂଷଣ୍ଡପୁର ଚିଲିକାର ୧୩ ନମ୍ବର କୁଦ ନିକଟରୁ ଦୁଇ ଜଣ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶିକାରୀଙ୍କ ନିକଟରୁ ବନ୍ୟପ୍ରାଣୀ ବିଭାଗ ସାତ ଗୋଟି ମୃତ ପକ୍ଷୀ ଜବତ କରିଛି। ଗିରଫ ଶୀକାରୀ ଦ୍ବୟ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳେଇପଦର ଗ୍ରାମର ଦୁଷ୍ମନ୍ତ ବେହେରା (୩୫) ଏବଂ ସୁରେନ୍ଦ୍ର ବେହେରା (୪୬)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୨ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

ତେବେ ଗୋଟେ ପଟେ ବନ୍ୟପ୍ରାଣୀ ବିଭାଗ ପ୍ରତିଦିନ ପକ୍ଷୀ ଶିକାରୀଙ୍କୁ ଗିରଫ କରି ବାହା ବାହା ସାଉଣ୍ଟୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରକୃତିପ୍ରେମୀ।  ଚିଲିକାରେ ପାଟ୍ରୋଲିଂକୁ ଆହୁରି ବଢେଇବା ସହ ଏ ଦିଗରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ବୋଲି ପ୍ରକୃତିପ୍ରେମୀ ମତ ରଖିଛନ୍ତି।

ତେବେ ପକ୍ଷୀଶିକାରକୁ ରୋକିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଆଇଏଫଏସ ଜ୍ୟୋତି କୋଟାଲଙ୍କୁ ଆମ ପ୍ରତିନିଧି ପଚାରିବାରୁ, ଚିଲିକାରେ ପାଟ୍ରୋଲିଙ୍ଗ ବଢିଥିବାର ସେ କହିଛନ୍ତି। ତତସହିତ ଆରପିଏଫ ର ଯବାନମାନେ ମଧ୍ୟ ପାଟ୍ରୋଲିଂ କରୁଛନ୍ତି। ବିଶେଷକରି ଟାଙ୍ଗୀ ରେଞ୍ଜରେ ବ୍ୟାପକ ବନ୍ୟପ୍ରାଣୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେହିଭଳି ପକ୍ଷୀ ସୁରକ୍ଷା କ୍ୟାମ୍ପର କର୍ମଚାରୀମାନେ ମଧ୍ୟ ପାଟ୍ରୋଲିଂରେ ସହଯୋଗ କରୁଛନ୍ତି।

ପାଟ୍ରୋଲିଂ ପାଇଁ ବୋଟ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବାର ଡ଼ିଏଫଓ କହିଛନ୍ତି। ତେବେ ଆଗକୁ ଆହୁରି କଡ଼ାକଡି ପାଟ୍ରୋଲିଂ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଡ଼ିଏଫଓ ସୁଶ୍ରୀ କୋଟାଲ କହିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପୁଣି ବିଦେଶୀ ପକ୍ଷୀ ଶିକାର: ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୁଣି ବିଦେଶାଗତ ପକ୍ଷୀଙ୍କୁ ଶିକାର କରାଯାଇଛି। ଏନେଇ ଜଣେ ଯୁବକଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ଚିଲିକାରେ କଇଁ ଫୁଲରେ ବିଷ ଦେଇ ଜଣେ ଯୁବକ ବିଦେଶାଗତ ପକ୍ଷୀଙ୍କୁ ଆଜି ଶିକାର କରୁଥିଲେ। ଖବର ପାଇ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତ ପକ୍ଷୀ ସହ ଶିକାରୀକୁ ଗିରଫ କରିଛି। ଏହାସହ ବନ୍ୟାପ୍ରାଣୀ ବିଭାଗ ଶିକାରୀ ଠାରୁ ସାଇକେଲ, ମୋବାଇଲ ଫୋନ, କଇଁ ଫୁଲ ମଧ୍ୟ ଜବତ କରିଛି।

ଗିରଫ ହୋଇଥିବା ଶିକାରୀ ଜଣଙ୍କ ସର୍ବେଶ୍ଵର ପ୍ରଧାନ (୩୦) ଏବଂ ସେ ଟାଙ୍ଗୀ ଥାନା ଅନ୍ତର୍ଗତ କାଟିଲା ଗୋଠ କଲୋନୀର ବାସିନ୍ଦା ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପକ୍ଷୀ ଶିକାର: ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି। ସେହିପରି ଦୁଇ ଦିନ ତଳେ ଚିଲିକାରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏଥିରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ସେପଟେ କେତେଜଣ ଶିକାରୀ ନିରୀହ ପକ୍ଷୀଗୁଡିକୁ ମାରି ପ୍ରକୃତି ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡିଛନ୍ତି। ଏମାନେ ବଣ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି। ଦିନରେ ବି ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହଁନ୍ତି। ପକ୍ଷୀ ମାନଙ୍କୁ କଇଁଫୁଲ କେଶରରେ ମାରାତ୍ମକ ଵିଷ ଦେଇ ଶୀକାର କରୁଥିବା ଜଣା ପଡିଛି।

ଆଜି ଜଣେ ପକ୍ଷୀ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ବଣ୍ୟ ପ୍ରାଣୀ ବିଭାଗ ହାତରେ ଧରାପଡିଛି। ଟାଙ୍ଗୀ ରେଞ୍ଜ ଅଧିନସ୍ଥ ଅଭିମାନପୁର ରିଂଗ୍ ବନ୍ଧର ଉଜ୍ଜଳା ଗୋପୀନାଥପୁର ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ସମ୍ପୃକ୍ତ ବିଭାଗ ଗିରଫ କରିଛି। ତା’ଠାରୁ ତିନୋଟି ମୃତ ବିଦେଶୀ ପକ୍ଷୀକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଶୀକାରୀ ଜଣକ ଗୁରୁଦେବ ସାହୁ (୩୨) ବୋଲି ଜଣାପଡିଛି। ଗୁରୁଦେବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।