Categories
ଆଜିର ଖବର ରାଜ୍ୟ ଖବର

ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର

ଭୁବନେଶ୍ୱର: ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ। ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ। ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ସଂପର୍କ ରହିଛି। ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେ କରୁ। ‘ପଖାଳ’ ଖାଦ୍ୟ  କେଉଁ ଆବହମାନ କାଳରୁ ରହିଆସିଛି। ପଖାଳ ଖାଇ ଆମେ ଦିନସାରା ନିଜ ପାଇଁ ଶକ୍ତି ସଂଚୟ କରୁ। ବିଶ୍ୱ ପଖାଳ ଦିବସ ପାଳନ କରି ଆନ୍ତର୍ଜାତିକ  ସ୍ତରରେ ଓଡିଶା ‘ପଖାଳ’ର ପ୍ରଚାର ପ୍ରସାର ଏବଂ  ଲୋକପ୍ରିୟତା ବୃଦ୍ଧି ପାଇଁ ଓଟିଡିସିର ପ୍ରୟାସ ଅତ୍ୟନ୍ତ  ପ୍ରଶଂସନୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର  ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଡଃ.ଲେନିନ୍ ମହାନ୍ତି ଯୋଗଦେଇ ‘ପଖାଳ’ର ଉପକାରିତା ଏବଂ ପୁଷ୍ଟିକାରିତା ସମ୍ପର୍କରେ ସେ ଆଲୋକପାତ କରିଲେ ଯେ, ପଖାଳ ହେଉଛି ଆମ ଐତିହ୍ୟର ପରିଚୟ। ଗରୀବ, ମଜଦୁରଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଧନୀଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇଥା’ନ୍ତି। ବିଶ୍ୱ ପଖାଳ ଦିବସ ଅବସରରେ ଓଟିଡିସି ତରଫରୁ ନିଆରା ପ୍ରୟାସ କରାଯାଇ ସାମୁହିକ ଭାବେ ଏକତ୍ରିତ ହୋଇ  ଶହ ଶହ ସଂଖ୍ୟାରେ ସମସ୍ତେ ପଖାଳ ଖାଇବାର ଆୟୋଜନ, ଆମ ଐତିହ୍ୟ ଓ ପରଂପରାର ସୁରକ୍ଷା ଦିଗରେ ଅନନ୍ୟ ପ୍ରୟାସ ବୋଲି ଡଃ ମହାନ୍ତି ମତବ୍ୟକ୍ତ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ, ପଖାଳ ଏବେ କେବଳ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ,ବରଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ଭାବେ ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଓଟିଡିସିର ସାଧାରଣ ପରିଚାଳକ ଲଗ୍ମଜିତ୍ ରାଉତ କହିଲେ ଯେ, ଓଡିଆମାନଙ୍କର ପ୍ରିୟ ଖାଦ୍ୟ ପଖାଳକୁ  ବିଶ୍ୱରେ  ଅଧିକରୁ ଅଧିକ ପରିଚିତ କରାଇବା ଓଟିଡିସିର ପ୍ରମୁଖ ପ୍ରୟାସ ରହିଛି। କିମ୍ସ ହସ୍ପିଟାଲର ଡାକ୍ତର ଡ. ସଂଘମିତ୍ରା ନାୟକ ଯୋଗଦେଇ ପଖାଳ ଏବଂ ପଖାଳରେ ଲୁଣ ସହ ଖିଆଯାଉଥିବା ବିଭିନ୍ନ ବ୍ୟଞ୍ଜନ ଯଥା, ଭଜା, ଶାଗ, ବଡି,ଲଙ୍କା,ଲେମ୍ବୁ  ଓ ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ପୋଷକ ଯଥା,ସୋଡିୟମ୍, ପୋଟାସିୟମ, କ୍ୟାଲସିଅମ ଏବଂ ପଖାଳ ତୋରାଣୀରୁ  ଇଲେକ୍ଟୋଲାଇଟ୍ ଆଦି କଠିନ ପରିଶ୍ରମ ପାଇଁ ଶକ୍ତି ଯୋଗାଇଥାଏ ବୋଲି କହିଥିଲେ। ମାଷ୍ଟର ସେଫ୍ ଇଣ୍ଡିଆ ସ୍ମୃତିଶ୍ରୀ ସିଂ ଯୋଗଦେଇ ପଖାଳର ପ୍ରଚଳନ ଦଶମ ଶତାବ୍ଦୀରୁ ଚଳି ଆସିଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମରେ  ବହୁଳ ବ୍ୟବହାର  ଆମର ଲୋକପ୍ରିୟ ଖାଦ୍ୟ ପଖାଳକୁ ଭଲ ପାଇବା ଓ ଏହାର ପ୍ରଚାର ଓ ପ୍ରସାରରେ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ପଖାଳ ତଥା ଓଡିଆ ସୁସ୍ୱାଦୁ ଖାଦ୍ୟର ପ୍ରସ୍ତୁତି  ପ୍ରଚାର ପ୍ରସାର ପାଇଁ ମାଷ୍ଟର ସେଫ ଇଣ୍ଡିଆ ସ୍ମୃତିଶ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବଅନନ୍ତ ନାରାୟଣ ସିଂ ଲାଗୁରୀ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥଙ୍କ ସମେତ ବିଭାଗ ତଥା ଓଟିଡିସିର ସମସ୍ତ ଅଧିକାରୀ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଟିଭି ଉପସ୍ଥାପିକା ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍  ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି
ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହାକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି। ଉତ୍କଳ ଦିବସ ଅବସରରେ ଏହି ଉତ୍ସବର ଶୁଭାରମ୍ଭ କରି ଶ୍ରୀମତି ଦାସ ଏହାକୁ ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି।

ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ ଗ୍ରାମାଂଚଳର ଛାପ ସୃଷ୍ଟି କରାଯିବା ସହ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଏହାକୁ ଶ୍ରୀମତି ଦାସ ପ୍ରଶଂସା କରିଛନ୍ତି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ କଂସା। ପଖାଳ ଦ୍ୱାରା ଅଂଶୁଘାତ ଓ ଚର୍ମ ରୋଗ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଗରିବ ହୁଅନ୍ତୁ କି ଧନୀ ସବୁ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ। ୭ ବର୍ଷ ଧରି ପଖାଳ ଉତ୍ସବ ଏସ୍‌ଏଚ୍‌ଏମ୍‌ରେ ପାଳନ ହୋଇଆସୁଥିବା ବେଳେ ଗତ ୨ ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଗକୁ ଏହି ଉତ୍ସବ ମହୋତ୍ସବର ରୂପ ନେବ ବୋଲି ପ୍ରଫେସର ମିଶ୍ର ଆଶା ବ୍ୟକ୍ତ କରିଛନ୍ତି

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ପୋଡା ଟମାଟ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।