Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଙ୍କପାଳରୁ ଅଭ୍ୟାସଗତ ଅପରାଧୀ ମିଟୁ ଗିରଫ, କୁଜଙ୍ଗ ପୋଲିସ୍‌କୁ ଆମେରିକାରୁ ଓଡିଆ ଯୁବକଙ୍କ ପ୍ରଶଂସା

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ପଙ୍କପାଳ ସ୍କୁଲ୍ ତଥା ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରୁ ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି। ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ।

ମିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାବେଳେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତି ଥିବାବେଳେ ପେଷାଦାର ଭାବେ ଚୋରାମଦ ବେପାର କରିଥାଏ। ପୋଲିସ୍ ଏହି ଘଟଣାରେ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍‌ର ଏଭଳି ପ୍ରଶଂସନୀୟ କାର୍ଯ୍ୟପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି।

ପ୍ରକାଶ ଯେ, ଗତକାଲି କୁଜଙ୍ଗରୁ ଏକ ନମ୍ବର ବିହୀନ ବୁଲେଟ୍‌ରେ ଚୋରା ମଦ ନେଇ ପଙ୍କପାଳ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଥିଲା। ଫଳରେ କୁଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ପଙ୍କପାଳରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଅପରାଧୀ ମିଟୁ ଚମ୍ପଟମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ ତାକୁ ମାଡ଼ିବସିଥିଲା। ତା ନିକଟରୁ ଦେଶୀ ମଦ (ଆସ୍କା ଫଟି)୩୦ ଲିଟର ଜବତ କରାଯାଇଥିବା ବେଳେ ଏହି କାରବାରେ ବ୍ୟବହୃତ ନମ୍ବର ବିହୀନ ବୁଲେଟ୍‌ଟିକୁ ପୋଲିସ୍ ଜବତ କରିଥିଲା।

ପୋଲିସ୍ ମିଟୁ ନାମରେ କେସ୍ ନଂ ୪୧୪/୨୩ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିଲା। ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ ମନୋଜ ଦାସ ଓରଫ୍ ମିଟୁ ନାମରେ କେନ୍ଦ୍ରାପଡ଼ା, ପାରାଦ୍ୱୀପ, କୁଜଙ୍ଗ ଭଳି ବିଭିନ୍ନ ଥାନାରେ ଅପରାଧୀକ ମାମଲା ସହିତ ସେ ସେକ୍ସ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ଭାବେ ତା ନାମରେ ମାମଲା ରହିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି। ଏବେ ତା ନାମରେ ୧୧୦ (ଅଭ୍ୟାସଗତ ଅପରାଧୀ) ଭାବେ ମାମଲା ରହିଥିବାବେଳେ ଆଗାମୀ ଦିନରେ ସେ ଜାମିନ୍‌ରେ ଆସି ଯଦି ଅପରାଧୀକ ମାମଲାରେ ସଂପୃକ୍ତି ରୁହେ ତାକୁ ଏ ଅଂଚଳରୁ ତଡ଼ିପାର କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ପଙ୍କପାଳରୁ ରାହାମା ୧୧କେଭି ବିଦ୍ୟୁତ୍ ଖୁଣ୍ଟ କାମ ଅତି ନିମ୍ନମାନର: ବିଦ୍ୟୁତ ଖୁଣ୍ଟର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ବ୍ରହ୍ମପୁରଠାରେ ୧୧କେଭି ବିଦ୍ୟୁତ ତାର ଟ୍ରାଜେଡି ପରେ ସାରା ରାଜ୍ୟରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ସମସ୍ତ ୧୧କେଭି ତାର ତଥା ବିଦ୍ୟୁତ ଖୁଣ୍ଟ ନିର୍ମାଣକୁ ବେଶ୍‌ ଜୋର ଦିଆଯାଇଛି। ଏହି କ୍ରମରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହମାଠାରୁ ପଙ୍ଗପାଳ ରାସ୍ତାରେ ୧୧ କେଭି ବିଦ୍ୟୁତ୍‌ ତାର ନିମନ୍ତେ ବିଦ୍ୟୁତ ଖୁଣ୍ଟର ମରାମତି କାମ ଚାଲିଛି। ତେବେ ଏହି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ ଓପିଟିସିଏଲ୍‌ ତରଫରୁ ୧୧କେଭି ବିଦ୍ୟୁତ୍‌ ତାର ଓ ଖୁଣ୍ଟ ମରାମତି କାର୍ଯ୍ୟକୁ ଏଠାରେ ଗୁପ୍ତା ପାଓ୍ବାର ଇନ୍‌ଫ୍ରାଟକ୍ଚର ଏଠାରେ କରୁଥିବାବେଳେ ଏହି ବିଦ୍ୟୁତ ଖୁଣ୍ଟର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟୁତ ଖୁଣ୍ଟଗୁଡିକୁ କେନାଲ୍‌ ଭିତରେ ପୋତା ଯାଉଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟରେ ବ୍ୟବହୃତ ହେଉଥିବା କଂକ୍ରିଟ୍‌ ଅତ୍ୟନ୍ତ ନିମ୍ନମାନର।

ସରକାର କେ ମାଲ୍‌  ଦରିଆ ପେ ଡାଲ୍‌ ପରି ବିଦ୍ୟୁତ ଖୁଣ୍ଟ କୁ ନେଇ ଚାଲିଥିବା ଅନିୟମିତତା ଏବେ ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟୁତ ଖୁଣ୍ଟକୁ ନେଇ ଏଠାରେ କରାଯାଉଥିବା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକୁ ସାଧାରଣରେ ବିରୋଧ କରାଯାଉଛି। ବିଦ୍ୟୁତ ଖୁଣ୍ଟଗୁଡିକୁ ଉତ୍ତମ ରୂପେ ପୋତା ଯିବା ତଥା ଏଥିରେ ଉପଯୁକ୍ତ ପରିମାଣରେ କଂକ୍ରିଟ ବ୍ୟବହାର କରାଯିବା ନେଇ ଦାବି କରାଯାଇଛି। ନିମ୍ନମାନର ତଥା ଅସ୍ଥାୟୀ କାର୍ଯ୍ୟ କରି ସରକାରଙ୍କ ପଇସାକୁ ପାଣିରେ ପକାଇବାକୁ ଚାହୁଁଥିବା ଏପରି ଅସାଧୁ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି କରାଯାଉଛି।