Categories
ଆଞ୍ଚଳିକ

ପଞ୍ଚସୂତ୍ରୀ ନିୟମ ଉଲ୍ଲଂଘନ: ୯ ଦୋକାନ ସିଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସୋମବାରଠାରୁ ଗଂଜାମ ଜିଲ୍ଲାରେ କୋଭିଡ଼୍ ନିୟମରେ କିଛି କୋହଳ କରାଯାଇଛି। ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନବଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ପାଳନ ପୂର୍ବକ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନ ବଜାରରେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ତହସିଲ୍‌ଦାର, ମହାନଗର ନିଗଭମ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋର୍‌ଦାର କରାଯାଇଛି।

ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୯ଟି ଦୋକାନ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବାରୁ ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଏହିଗୁଡ଼ିକ ମଧ୍ୟରେ ଇଲୋକ୍ଟ୍ରୋ ନିକସ୍ ଦୋକାନ, ଫେନ୍‌ସି ଦୋକାନ, ମେଡ଼ିକାଲ୍ ଦୋକାନ ରହିଛି। ସେହିପରି ବ୍ରହ୍ମପୁର ପୋଲିସ୍‌ର ଏନ୍‌ଫୋର୍ସମଣ୍ଟେ ସ୍କ୍ୱାର୍ଡ଼ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ କରାଯାଇଥିଲା। ୧୦୧ ଗାଡ଼ି ଚାଳକଙ୍କୁ ୫୦ହଜାର ୫୦୦ ଟଙ୍କାର ଚାଲାଣ ହୋଇଥିବାବେଳେ ୮୫ ଜଣ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୧ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି।

ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ପଟ୍ରୋଲିଂ ତଥା ଚଢ଼ାଉରେ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୧ ହଜାର ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣଙ୍କୁ ଗିରଫ କରାଯିବା ସହ ୪୨୩୦ ଟଙ୍କା ଜବତ ହୋଇଛି। ୪ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯିବା ସହ ୬୬.୯ ଲିଟର ମଦ ଜବତ ହୋଇଛି।