Categories
ଆଞ୍ଚଳିକ

ଆଇନ୍‌ର କାଠଗଡ଼ାରେ ପଧାନସାହି ଗ୍ରାମ ପଞ୍ଚାୟତ

ଭୁବନେଶ୍ୱର: ୧୯୯୭ ମସିହା ଠାରୁ ଆଜକୁ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ଗ୍ରାମପଞ୍ଚାୟତରେ କେବଳ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ବାକି ସମସ୍ତ ବର୍ଗଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ରହି ଆସୁଥିଲା। କିନ୍ତୁ ଦୁଃଖର ବିଷୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପବ୍ଲିକେଶନ ନୋଟିଫିକେଶନରେ ପଧାନସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ଅନୁସୂଚିତ ଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିଥିଲା।

ଉଚ୍ଚତମ ନ୍ୟାୟାଳୟ କଟକଙ୍କ ଆଦେଶ ଅନୁଯାୟୀ କେବଳ ପଛୁଆବର୍ଗଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ବାଦ୍ ଦେବା ପାଇଁ ଆଦେଶ ଥିଲେ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ବେଖାତିର କରି ଦ୍ୱିତୀୟ ପର୍ଯ୍ୟାୟରେ ଜଟଣୀ ବ୍ଲକ ଅଧିନରେ ଥିବା ୧୫ଟି ପଞ୍ଚାୟତରେ କୌଣସି ସ୍ଥାନ ସଂରକ୍ଷଣ ପରିବର୍ତ୍ତନ କରିନଥିବା ବେଳେ କେବେଳ ଏକମାତ୍ର ସରପଞ୍ଚ ପଦବୀ ନିମନ୍ତେ ପଧାନସାହି ପଞ୍ଚାୟତରେ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ଉକ୍ତ ସ୍ଥାନରେ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କରିଥିଲେ। ଯାହା ଉକ୍ତ ସାମ୍ବିଧାନିକ ଅଧିକାର ପାଇବା ପାଇଁ ସାମାଜିକ କର୍ମୀ ସୁରେନ୍ଦ୍ର ଭଞ୍ଜ ଜିଲ୍ଲା ପ୍ରଶାସନର କାର୍ଯ୍ୟାଳୟ ଆଗରେ ଉକ୍ତ ଘଟଣାବଳୀକୁ ନେଇ ଧାରଣା ଓ ପ୍ରତିବାଦ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ।

କିନ୍ତୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ରାଜନେତାଙ୍କ ଚାପରେ ପ୍ରଭାବିତ ହୋଇ ପଧାନସାହି ଗ୍ରାମ ପଞ୍ଚାୟତର ସମସ୍ତ ତଫସିଲଭୁକ୍ତ ଶ୍ରେଣୀକୁ ଅଣଦେଖା କରି ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ମାନସିକ ଆଘାତ ପହଞ୍ଚାଇଥିଲେ। ତେଣୁ ଉକ୍ତ ଘଟଣାବଳୀକୁ ନେଇ ଶ୍ରୀ ଭଞ୍ଜ ମାନନୀୟ ଉଚ୍ଚତମ ନ୍ୟାୟାଳୟ କଟକଙ୍କ ଅଦାଲତର ଦ୍ୱାରସ୍ଥ ହୋଇ କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୨୬୯/୨୦୨୨ରେ ମାମଲା ରୁଜୁ କରିଥିଲେ।

ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଜିଲ୍ଲା ପ୍ରଶାସନକୁ ଏହି ଘଟଣାର ପୁର୍ନବିଚାର କରିବା ସହିତ ସାମ୍ବିଧାନିକ ଓ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଏବଂ ଉକ୍ତ ଘଟଣାରେ ଆବେଦନକାରୀ ଚାହିଁଲେ ଉପରିସ୍ଥ ଅଦଲାତର ଆଶ୍ରୟ ନେଇପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।

ଶ୍ରୀଯୁକ୍ତ ଭଞ୍ଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ନିଶ୍ଚିତ ପଧାନସାହି ଗ୍ରାମ ପଞ୍ଚାୟତ ତଫସିଲଭୁକ୍ତ ଶ୍ରେଣୀର ଲୋକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ମିଳିବା ସହିତ ଯେଉଁମାନେ ସାମାଜିକ, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଅଛନ୍ତି, ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଶ୍ରୀଯୁକ୍ତ ଭଞ୍ଜ ଆଶାପ୍ରକଟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ୧୯ଟି ରାଜ୍ୟକୁ କେନ୍ଦ୍ରର ୮,୪୫୩ କୋଟି ସହାୟତା, ଓଡ଼ିଶାକୁ ୪୬୧ କୋଟି ଟଙ୍କା

ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨ ଲକ୍ଷ ଟଙ୍କା ଜାରି କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ ସହାୟତା ଯୋଗାଇ ଦିଆଯାଇଛି।

ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଜାରି କରିବା ଲାଗି ସୁପାରିସ କରାଯାଇଥିଲା।  ଏହି ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିଥିଲେ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ଅଭାବଗୁଡ଼ିକୁ ଦୂର କରିବା ସହିତ ଏକ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଦାନ ଜାରି କରାଯାଇଛି। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଭିତ୍ତିଭୂମି ଏବଂ ସୁବିଧାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପ୍ରତ୍ୟକ୍ଷ ହସ୍ତକ୍ଷେପଗୁଡ଼ିକୁ ଆୟୋଗ ଚିହ୍ନଟ କରିଥିଲେ। ତଦନୁଯାୟୀ, ପ୍ରତ୍ୟେକ ହସ୍ତକ୍ଷେପ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଛି। ଏହି ହସ୍ତକ୍ଷେପଗୁଡ଼ିକ ହେଲା:

  • ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୧୬ ହଜାର ୩୭୭ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ – ୫ ହଜାର ୨୭୯ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ – ୭ ହଜାର ୧୬୭ କୋଟି ଟଙ୍କା
  • ଗ୍ରାମାଞ୍ଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପକେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା – ୧୫ ହଜାର ୧୦୫ କୋଟି ଟଙ୍କା
  • ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୨,୦୯୫ କୋଟି ଟଙ୍କା
  • ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ର – ୨୪ ହଜାର ୨୮ କୋଟି ଟଙ୍କା

୨୦୨୧-୨୨ ଆର୍ଥିକ ବର୍ଷରେ ୧୩ ହଜାର ୧୯୨ କୋଟି ଟଙ୍କାର ସ୍ୱାସ୍ଥ୍ୟ ଅନୁଦାନ ଜାରି କରିବା ଲାଗି ସୁପାରିସ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ ଗ୍ରାମାଞ୍ଚଳ ପାଇଁ ୮ ହଜାର ୨୭୩ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ପାଇଁ ୪ ହଜାର ୯୧୯ କୋଟି ଟଙ୍କା ସାମିଲ ରହିଛି।

ବିଶେଷ କରି ଅତ୍ୟାଧୁନିକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ପ୍ରଶାସନଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ସମ୍ବଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ମାଧ୍ୟମରେ ସୁଦୃଢ଼ କରାଯାଇପାରିଲେ ମହାମାରୀ ଓ ସଂକ୍ରାମକ ରୋଗ ମୁକାବିଲାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ।

ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାଗୁଡ଼ିକୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡ଼ିକର ପରିଚାଳକ ସଂସ୍ଥା ଭାବେ ସମ୍ପୃକ୍ତ କରାଯାଇପାରିଲେ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତି ଫଳରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲୋକମାନଙ୍କ ପାଇଁ ଉତ୍ତରଦାୟୀ ହୋଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ସମ୍ପୃକ୍ତ ରାଜ୍ୟମାନଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ଅବଶିଷ୍ଟ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଅନୁଦାନ ଯୋଗାଇ ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ୬ ହଜାର ୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ହୋଇଛି ମଂଜୁର

ଭୁବନେଶ୍ୱର,  ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍‌ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦି୍ରକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି ।

ସାରା ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକରେ ମିଶନ ଶକ୍ତି ଗୃହଗୁଡ଼ିକ ଏବେ ପାଲଟିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜି ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଆଦିର କେନ୍ଦ୍ରସ୍ଥଳୀ । ଏସ୍‌ଏଚ୍‌ଜି ସଦସ୍ୟାମାନେ ଏବେ ଏହି ଗୃହକୁ ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କିତ ସଭାସମିତି ଓ ମାନସମନ୍ଥନ ପାଇଁ ଆସୁଛନ୍ତି । ତା’ସହିତ ଏହି ଭିତ୍ତିଭୂମିକୁ ମଧ୍ୟ ସେମାନେ ଏକ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି ।

କୋଭିଡ୍‌-୧୯ ମହାମାରୀ ସମୟରେ ସିଲେଇ ଆଦିରେ ଅଭିଜ୍ଞତା ଥିବା ଏସ୍‌ଏଚ୍‌ଜି ସଦସ୍ୟାମାନେ ଏହି ଗୃହଗୁଡ଼ିକୁ ମାସ୍କ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରିବା ସହ ମାସ୍କ ପ୍ରସ୍ତୁତି କରି ଲୋକମାନଙ୍କୁ ଯୋଗାଇ ଦେଇଥିଲେ । “ସ୍ଥାନୀୟ ବ୍ୟବସାୟୀମାନେ ବିଭିନ୍ନ ଉତ୍ପାଦ ସଂପର୍କରେ ଏଠାକୁ ଆସି ପଚାରି ବୁଝିଥା’ନ୍ତି । ସେମାନଙ୍କ ଆବଶ୍ୟକତା ଅନୁସାରେ ଆମେ ନିର୍ଦ୍ଧିଷ୍ଟ ଏସ୍‌ଏଚ୍‌ଜି ଉତ୍ପାଦକ ଗୋଷ୍ଠୀ ସହ ଯୋଗାଯୋଗ କରି ବ୍ୟବସାୟ ସଂପର୍କିତ ଆବଶ୍ୟକତାକୁ ସହଜରେ ସଂପାଦିତ କରାଇ ଦେଇଥାଉ ।

ଏବେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏହି ଗୃହଗୁଡ଼ିକ ପାଲଟିଛି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟ ।’’-ଏ କଥା କୁହନ୍ତି କଟକ ଜିଲ୍ଲା ନିଆଳି ଗ୍ରାମ ପଞ୍ଚାୟତର ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌଦାମିନୀ ମଲ୍ଲିକ । ଗୋଟିଏ ବର୍ଷତଳେ ନିର୍ମାଣ ହୋଇଥିବା ନିଆଳି ଗ୍ରାମପଞ୍ଚାୟତର ଏହି ଗୃହର ପରିଚାଳନା ଦାୟିତ୍ୱ ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ।

ରାଜ୍ୟ ସରକାର ରାଜ୍ୟର ସହରାଞ୍ଚଳର ପ୍ରତି ୱାର୍ଡରେ ଏବଂ ପ୍ରତି ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଚ୍‌ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍‌ଏଚ୍‌ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ ।

ଏ ଯାବତ୍‌ ନିର୍ମାଣ ହୋଇସାରିଥିବା ପାଖାପାଖି ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍‌ଜିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‌ଏଚ୍‌ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍‌ଏଚ୍‌ଜି’କୁ ହସ୍ତାନ୍ତର କରାଯାଇଛି । ଏସ୍‌ଏଚ୍‌ଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍‌ଏଚ୍‌ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି।

ଏତଦ୍‌ ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍‌ ପଂଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । ପଞ୍ଚାୟତସ୍ତରରେ ଏସ୍‌ଏଚ୍‌ଜିମାନଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍‌ଏଚ୍‌ଜି ଆନ୍ଦୋଳନକୁ ଆହୁରି କି୍ରୟାଶୀଳ କରିପାରିଛି ।

ଯଥାର୍ଥରେ ଓମ୍‌ ମହାଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ‘ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ।’