Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଅଧ୍ୟକ୍ଷ, ଉପାଧ୍ୟକ୍ଷ ସହ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନର ନିୟମ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି, ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆଜି ଏ ନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି।

ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭା ପତି ନିର୍ବାଚନ ଅନୁଷ୍ଠିତ ହେବ ।

ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖରେ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପରୋକ୍ଷ ନିର୍ବାଚନ ମାଧ୍ୟମରେ ଉପରୋକ୍ତ ପଦବୀଗୁଡ଼ିକ ପୂରଣ ହେଉଥିବାରୁ ଏଥିନିମନ୍ତେ ନିର୍ବାଚନ ଅଧିକାରୀମାନେ ସଭ୍ୟମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିବେ ଓ ପରୋକ୍ଷ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହରୁ ବାହାରକୁ ଆସି ପାରିବେ ନାହିଁ ।

ଉପରୋକ୍ତ ପଦବୀ ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ସକାଳ ୧୦.୩୦ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧.୩୦ରୁ ୧୨.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ଅପରାହ୍ନ ୧ ଘଣ୍ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୧.୩୦ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସଂପୃକ୍ତ ପଦବୀ ନିମନ୍ତେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପରେ ପରେ ଭୋଟଗଣତି କରାଯିବ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।