Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସମିତି ସଭ୍ୟଙ୍କୁ କେହି ପଚାରୁ ନାହାଁନ୍ତି, କ୍ଷମତା ହାସଲ ପାଇଁ ଭୁବନେଶ୍ବରରେ କରିବେ ଲଢେଇ

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାରେ ଗୋଟିଏ ପଞ୍ଚାୟତରେ ସରପଞ୍ଚ ଯେପରି ନିର୍ବାଚନ ଜିତିଥାଏ, ଜଣେ ସମିତ ସଭ୍ୟ ମଧ୍ୟ ସେମିତି ଜିତେ। ହେଲେ ଦୁଃଖର କଥା ପଞ୍ଚାୟତରେ ଏବଂ ବ୍ଲକରେ ସରପଞ୍ଚଙ୍କୁ ସମସ୍ତେ ପଚାରୁଥିବା ବେଳେ କେହି ସମିତି ସଭ୍ୟଙ୍କୁ ପଚାରୁ ନାହାଁନ୍ତି। ଏହିପରି ଅଭିଯୋଗ କରିଛନ୍ତି ରାଜ୍ୟର ସମିତି ସଭ୍ୟ ସଂଘ। ସେମାନଙ୍କର ଭୂମିକା କଣ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବୀ କରିଛନ୍ତି।

ଏ ନେଇ ରାଜ୍ୟ ସରକାରଙ୍କୁ ସମିତି ସଭ୍ୟମାନଙ୍କ ତରଫରୁ ଦାବୀ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ସେଥିପାଇଁ ଆସନ୍ତା 28 ତାରିଖରେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ଭୁବନେଶ୍ବରରେ ମହାସମାବେଶ କରିବେ ବୋଲି ନିଷ୍ପତି କରିଛନ୍ତି। ଯଦି ସରକାର ଏହାର ଶିଘ୍ର ସମାଧାନ ନ କରନ୍ତି ତେବେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଇସ୍ତଫା ଦେବେ ବୋଲି ସେମାନେ ମଧ୍ୟ ଧମକ ଦେଇଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ପଞ୍ଚାୟତର ତ୍ରିସ୍ତରୀୟ ବ୍ୟବସ୍ଥାରେ ସରପଞ୍ଚଙ୍କ ପରି ସମିତି ସଭ୍ୟ ମଧ୍ୟ ନିର୍ବାଚନ ଲଢି ଆସିଥାଏ। ହେଲେ ସେମାନଙ୍କୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ଗୁରୁତ୍ବ ଦିଆଯାଏ। ସେହି ନିର୍ବାଚନ ସରିଗଲେ ସେମାନଙ୍କୁ କେହି ପଚାରନ୍ତି ନାହିଁ। ଏପରିକି ସେହି ବ୍ଲକ ଅଧ୍ୟକ୍ଷ ମଧ୍ୟ ପରବର୍ତ୍ତି ସମୟରେ ସମିତି ସଭ୍ୟଙ୍କୁ ପଚାରନ୍ତି ନାହିଁ।

ସେମାନଙ୍କର ଅଭିଯୋଗ ଯେ, ବ୍ଲକର ସବୁକାମ ଅଧ୍ୟକ୍ଷ, ସରପଞ୍ଚ ଏବଂ ବିଡିଓ ମିଳିମିଶି କରିଦିଅନ୍ତି। ସରକାରୀ ସ୍ତରରେ ସେମିତି କିଛି ବ୍ୟବସ୍ଥା ନ ରହିବାରୁ ସେମାନେ କେହି ସମିତି ସଭ୍ୟଙ୍କୁ ପଚାରନ୍ତି ନାହିଁ। ଏପରିକି କୌଣସି ବୈଠକକୁ ମଧ୍ୟ ଡାକନ୍ତି ନାହିଁ। ବର୍ତ୍ତମାନ ପଞ୍ଚାୟତରେ ସମିତି ସଭ୍ୟ ଅଲୋଡା ହୋଇଯାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନର ନିୟମ ଅନୁସାରେ ପଞ୍ଚାୟତ ସମିତି ସଦସ୍ୟଙ୍କୁ ବର୍ଷକୁ 4 ଲକ୍ଷ ଟଙ୍କା ଅନୁଦାନ ଆସିଥାଏ। ତେବେ ସେହି ଅନୁଦାନ ବିଡିଓ, ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ମିଳିମିଶି ବାଣ୍ଟି ଦିଅନ୍ତି। କେବଳ ଶେଷରେ ସମିତି ସଭ୍ୟଙ୍କୁ ଦସ୍ତଖତ କରିବାକୁ କୁହାଯାଇଥାଏ। ଏପରିକି ଅନୁଦାନ ସଂପର୍କରେ ସମିତି ସଦସ୍ୟ କେହି ଜଣାନ୍ତି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ପଞ୍ଚାୟତ ବ୍ୟବସ୍ଥାରେ ସମିତି ସଭ୍ୟଙ୍କ କ୍ଷମତା କଣ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି। ଏଥିସହିତ ବାର୍ଷିକ ଖର୍ଚ୍ଚ ପରିମାଣ 4 ଲକ୍ଷରୁ 20 ଲକ୍ଷକୁ ବୃଦ୍ଧି କରିବା, ସମିତି ସଭ୍ୟ ବସିବା ପାଇଁ ପଞ୍ଚାୟତ ଏବଂ ବ୍ଲକରେ ବ୍ୟବସ୍ଥା କରିବା, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମିତି ସଭ୍ୟଙ୍କ ସ୍ବାକ୍ଷର ବାଧ୍ୟତା ମୂଳକ କରିବା, ଅନାସ୍ଥା ପ୍ରସ୍ତାବ ବେଳେ କେବଳ ସମିତି ସଭ୍ୟ ଭୋଟ ଦେବାପରି ବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି।

ରାଜ୍ୟ ସରକାର ସମିତି ସଭ୍ୟଙ୍କୁ କ୍ଷମତା ନ ଦେଲେ ଆଗାମୀ ଦିନରେ ସେମାନେ ସମୁହ ଇସ୍ତଫା ପ୍ରଦାନ କରିବେ ବୋଲି ଧମକ ଦେଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ପରିମାଣ, ଜାଣନ୍ତୁ କେତେ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କେତେ ଖର୍ଚ୍ଚ କରିବେ, କେତେ ଗାଡି ବ୍ୟବହାର କରିପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟିଂ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି।

ଏହି ନିର୍ବାଚନରେ ପୁଲିଂ ବୁଥ ବା ଭୋଟ ଗ୍ରହଣ କେନ୍ଦ୍ରରେ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ହେଲେ ଯେଉଁ ବୁଥରେ ଅଧିକ ଲୋକ ରହିବେ ସେଠାରେ ଶେଷ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏ ନେଇ ପୁଲିଂ ଅଧିକାରୀଙ୍କୁ କମିଶନର ଅବଗତ କରାଇବା ସହିତ ସର୍ବସାଧାରଣ ଅବଗତି ପାଇଁ ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଖର୍ଚ୍ଚର ସୀମା ଯାହା ନିର୍ଦ୍ଧାରଣ ହୋଇଛି ତାହା ହେଲା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 5 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 2 ଲକ୍ଷ ଟଙ୍କା ଭିତରେ ସୀମିତ ରଖିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଲକ୍ଷ ଟଙ୍କା ଭିତରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମିତ ରଖିବେ।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 5ଟି କାର ଏବଂ 10ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରଣ କରାଯାଇଥିବା ନିୟମ ଓ କଟକଣା

1-ଯେଉଁ ପ୍ରତିଦ୍ବନ୍ଦିମାନେ ଚାହିଁବେ ଅଟୋ ବ୍ୟବହାର କରିବା ପାଇଁ ସେମାନେ ମଧ୍ୟ ତାହା କରିପାରିବେ। ତେବେ ସେମାନଙ୍କୁ ଦିଆଯାଇଥିବା ଯେ କୌଣସି ଗାଡି ପରିବର୍ତ୍ତେ ଏହାକୁ ବ୍ୟବହାର କରିପାରିବେ। ଅର୍ଥାତ ଯଦି ଆପଣ ଗୋଟିଏ ଅଟୋ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଦିଆଯାଇଥିବା କାର କିମ୍ବା ମୋଟର ସାଇକେଲ ସଂଖ୍ୟାରୁ ଗୋଟିଏ କମ କରିବାକୁ ପଡିବ।

2- ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦିମାନେ ବ୍ୟବହାର କରିବାକୁ ଥିବା ଗାଡିର ସଂପୂର୍ଣ୍ଣ ବିବରଣୀ ଯଥା- ଗାଡିର ପ୍ରକାର, ଗାଡିର ପଂଜିକୃତ ପ୍ରମାଣପତ୍ର, ଗାଡିର ମାଲିକ ପ୍ରଭୃତି ତିନୋଟି ଲେଖାଏଁ କପି ଦାଖଲ କରିବାକୁ ପଡିବ।

3-ଏହି ଗାଡିର ବିବରଣୀ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀମାନେ ବିଡିଓଙ୍କ ନିକଟରେ ଦାଖଲ କରିବେ।

4-ଏହି ସବୁ କାଗଜ ତିନିଟି କପି କରିବା ଆବଶ୍ୟକ। ଏସବୁ କପି ସଂପୃକ୍ତ ଅଧିକାରୀମାନେ ଦସ୍ତଖତ ତଥା ଷ୍ଟାମ୍ପ ମାରିବା ପରେ ଗୋଟିଏ ସେମାନେ ରଖିବେ, ଗୋଟିଏ କପି ପ୍ରାର୍ଥୀ ନିଜେ ଆଣି ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କୁ ଦେବେ। ଆଉ ଏକ କପି ପ୍ରାର୍ଥୀ ନିଜ ପାଖରେ ରଖିବେ।

ଯଦି ଗାଡି ବ୍ୟବହାର ଉପରେ କୌଣସି ଅଭିଯୋଗ ଆସେ ତେବେ ନିର୍ବାଚନ କମିଶନର ସଂପୃକ୍ତ ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କଠାରୁ ସବିଶେଷ ବିବରଣୀ ମଗାଇପାରିବେ। ଏହି ନିୟମ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।