Categories
ଆଞ୍ଚଳିକ

ହାବସପୁରଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାବସପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଉଦ୍ୟମରେ ସମଗ୍ର ପଞ୍ଚାଯତ ଅଞ୍ଚଳରେ କଳାହାଣ୍ଡି ଉତ୍ସବ ର ମୂଳ ଲକ୍ଷ୍ୟ ଉପରେ ବିଭିନ୍ନ ଆଲୋଚନା ମାନ ଅନୁଷ୍ଠିତ କରାଯାଇଥିଲା। ଗ୍ରାମାଞ୍ଚଳର ବିଭିନ୍ନ ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଯୁବ ସରପଞ୍ଚ ଶ୍ରୀ ପଣ୍ଡା ଉଦ୍ୟମ କରିଆସୁଥିବା ବେଳେ କଳାହାଣ୍ଡି ଉତ୍ସବ ରେ ସେମାନଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କରିଥିଲେ।

ଐତିହ୍ୟ ସମ୍ପନ୍ନ ହାବସପୁର ଗ୍ରାମ ପଞ୍ଚାୟତରେ ଅନେକ କଳାକାର ଥିବା ବେଳେ ଏହି ଅଞ୍ଚଳରେ ବନାବାଡି, ଘୁମୁରା, କୀର୍ତ୍ତନ, ଗିତିନାଟ୍ୟ ଆଦି ଅନେକ ସାଂସ୍କୃତିକ ଦଳ ଅତୀତରେ ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବେଳେ ସେସବୁକୁ ବଜାୟ ରଖିବାକୁ ଉଦ୍ୟମ କରିବାକୁ ଉପସ୍ଥିତ ଅତିଥି ମାନେ ଆହାନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ରିଡା ପ୍ରତିଯୋଗିତା, ପ୍ରାଥମିକ, ହାଇସ୍କୁଲ ଓ କଲେଜ ସ୍ତରରେ ନୃତ୍ୟ ପ୍ରତିଯୋଗିତା, ପ୍ରବନ୍ଧ ଓ କବିତା ଲିଖନ, ହୁଳହୁଳି, ଚିତ୍ରାଙ୍କନ, ଗୀତ ସଙ୍ଗୀତ ଆଦି ଅନେକ ବିଭାଗରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ, ଆଇନଜୀବି ଓ ସମାଜସେବୀ ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ବାରମ୍ବାର ପ୍ରୟାସ କରିବାକୁ ଆହାନ ଜଣାଇଥିଲେ। ସେହିପରି ଅନ୍ଧକାରରୁ ଆଲୋକ ଦେଖାଉଥିବା ଗୁରୁଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ଉଚିତ ବୋଲି ମତ ପ୍ରକାଶ କରିବା ସହିତ ସୁଶୀଲ କ୍ଷମାବନ୍ତ ଓ କର୍ମ ସଂସ୍କାରକ ଭାବରେ ଶିକ୍ଷକ ମାନେ ନିଜକୁ ପ୍ରତିପାଦନ କରିପାରିଲେ ଛାତ୍ର ସମାଜ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭ୍ୟା ଶାମୁକାରାଣୀ କୁମାର ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଶେଷଦେବ ପଣ୍ଡା ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ଯୁବ ସମାଜ ଏକଯୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ। ଏହି ଅଞ୍ଚଳର ଗର୍ବ ଗୌରବ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସଞ୍ଚଳର ସାଂସ୍କୃତିକ ଓ ପୁରାତନ ଭିତ୍ତି ଭୂମି ଉପରେ ଆଲୋକପାତ କରିବା ସହିତ ସମସ୍ତ ସାଂସ୍କୃତିକ ପ୍ରେମୀ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ବଜାୟ ରଖିବାକୁ ଆହ୍ବାନ ଜଣାଇଥିଲେ।

ଏହି ଅବସରରେ ନେବ ସରପଞ୍ଚ ମନୋରମା ନାଗ, ଗ୍ରାମ ପଞ୍ଚାୟତ ଅଧିକାରୀ ମୁକୁନ୍ଦ ଦୋରା, ଜିଆରଏସ ହରି ନାରାୟଣ ମେହେରଙ୍କ ସମେତ ପ୍ରଧାନ ଶିକ୍ଷକ ଅଟଳ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ବାରା ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ୱାର୍ଡ ସଭ୍ୟ ଅର୍ଜୁନ ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ, ମହିଳା ସ୍ବାସ୍ଥ୍ୟ କର୍ମୀ, କେଏସ ହାଇ ସ୍କୁଲ ର ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ପ୍ରଶାସନର ବଡ ପଦକ୍ଷେପ: ଏଣିକି ପଞ୍ଚାୟତ ଏବଂ ଏନଏସିରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଟୀକାନେବାକୁ ନେଇ ବାଣପୁରରେ ପ୍ରତିଦିନ ବିଭିନ୍ନ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି।  ନାଗରିକମାନେ ଦିନ ଦିନ ଧରି ଟୀକା ନେବାପାଇଁ ଧାଡିରେ ଅପେକ୍ଷା କରୁଥିବାର ଦେଖାଯାଇଛି। ବେଆଇନ ଭାବେ ଦିନକ ପୂର୍ବରୁ କେତେକ ବ୍ୟକ୍ତି ଟୀକା କେନ୍ଦ୍ର ସମ୍ମୁଖରେ ନିଜର ଆଧାର କାର୍ଡର ନକଲରେ ମୋବାଇଲ ନମ୍ବର ଲେଖି ଥୋଇ ଦେଇ ଜାଗା ମାଡ଼ିବସୁଛନ୍ତି। ଯାହାଫଳରେ ଟୀକାକରଣ ଦିନ ସଠିକ ସମୟରେ ଆସୁଥିବା ବ୍ୟକ୍ତି ଟୀକା ପାଇପାରୁନାହାନ୍ତି। ଅପରପକ୍ଷରେ ଏହାଦ୍ୱାରା ସାଇବର ଠକେଇର ଶିକାର ବି ଜନସାଧାରଣମାନେ ହେବାର ବହୁ ସମ୍ଭାବନା ରହୁଛି। ସେହିପରି ଭାବେ ଅନ୍ୟ କେତେକ ଟୀକାକେନ୍ଦ୍ର ସମ୍ମୁଖରେ ଟୀକାର କଳାବଜାରୀ ହେଉଥୁବାର ମଧ୍ୟ ଅଭିଯୋଗ ହେଉଛି।

ତେବେ ଏସବୁ ସମସ୍ୟାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଗୁରୁତର ସହ ନେଇଛି। ବାଣପୁର ବ୍ଲକ ଏବଂ ଏନଏସି ଅଞ୍ଚଳରେ ଟୀକାକରଣ ପ୍ରକ୍ରିୟାକୁ ସରଳିକରଣ କରିବା ପାଇଁ ପାଇଁ ସ୍ଥାନୀୟ ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଗାମୀ ଦିନରେ ବାଣପୁର ବ୍ଲକରେ ପଞ୍ଚାୟତ ସ୍ତରୀୟ ଏବଂ ଏନଏସି ରେ ୱାର୍ଡ ସ୍ତରୀୟ ଟୀକାକରଣ ପାଇଁ ନିଷ୍ପତ୍ତି କରାଯାଇଛି। ଏଥି ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବାଣପୁର ବିଡ଼ିଓ ପ୍ରତି ପଞ୍ଚାୟତର ଟୀକାକରଣ କେନ୍ଦ୍ରର ସୂଚୀ ପ୍ରସ୍ତୁତ କରିବେ। ଏବଂ ଏହାର ବ୍ୟବସ୍ଥା ମଧ୍ୟ ବୁଝିବେ। ସମାନ ଜିନିଷ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ପ୍ରତି ୱାର୍ଡରେ କରିବେ ଉଭୟ ଅଧିକାରୀ ପ୍ରତି ଟୀକାକରଣ କେନ୍ଦ୍ରରେ ବ୍ୟାରିକେଡ଼ ସହ ପିଇବା ପାଣି ବ୍ୟବସ୍ଥା କରାଇବେ। ବାଣପୁର ଥାନାଧିକାରୀ ସବୁ ଟୀକା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ପୋଲିସ କର୍ମଚାରୀ ନିୟୋଜିତ କରିବେ।

ସମସ୍ତ ଅଧିକାରୀମାନେ ନିୟମିତ ଭାବେ ଟୀକା କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ରଖାଯାଉଥିବା ଆଧାର କାର୍ଡ ନକଲ ଏବଂ ମୋବଇଲ ନମ୍ବରକୁ ଯାଞ୍ଚ କରିବେ। ଯଦ୍ବାରା  ସାଇବର ଠକଙ୍କ ଠାରୁ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିବ।

ବାଣପୁର ମେଡିକାଲ ଏବଂ ଏନଏସି ପ୍ରଶାସନ ଟୀକାକରଣର ବହୁ ପୂର୍ବରୁ ମହଜୁଦ ଥିବା ଟୀକାର ସୂଚନା ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇବେ।

ସରପଞ୍ଚ/ୱାର୍ଡ ମେମ୍ବର /ୱାର୍ଡ ଅଫିସର(ଏନଏସି) ମାନେ ଟୀକାକରଣର ବିସ୍ତୃତ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଅନୁରୋଧ କରିଛି।

ତେବେ ଟୀକାକେନ୍ଦ୍ରରେ ସ୍ଥାନୀୟ ବ୍ୟକ୍ତିଙ୍କୁ ଚି଼ହ୍ନଟ ଏବଂ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ କୁ ରୋକିବା ନିମନ୍ତେ ଆଗକୁ ସରପଞ୍ଚ/ୱାର୍ଡ ମେମ୍ବର/ୱାର୍ଡ ଅଫିସରଙ୍କ ସହ ପ୍ରଶାସନର ଆଉ ଗୋଟାଏ ବୈଠକ ହେବ ବୋଲି ସୂଚନା ମିଳିଛି।

ଏହି ବୈଠକରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡ଼ିଓ, ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ସାମିଲ ଥିଲେ।