Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା: ବାଲୁଗାଁ ରେଳ ଷ୍ଟେସନରେ ପଞ୍ଜିକରଣ କରିବେ ପ୍ରବାସୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଚିଲିକା ନିର୍ବାଚନମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ପ୍ରତିହିତ କରିବା ପାଇଁ ଅଣ୍ଟା ଭିଡିଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ତୁହାକୁ ତୁହା  ବାଲୁଗାଁ ଏବଂ ବାଣପୁର ଗସ୍ତ କରି କୋଭିଡ ସମୀକ୍ଷା କରୁଥୁବାର ଦେଖାଯାଉଛି।

ତେବେ ଆଜି ବାଲୁଗାଁ ଏନଏସି ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ପ୍ରୟାସ ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଏନଏସି ପ୍ରଶାସନ ପକ୍ଷରୁ ବାଲୁଗାଁ ରେଳ ଷ୍ଟେସନରେ ଏକ  ପଞ୍ଜିକରଣ କ୍ୟାମ୍ପ ଖୋଲାଯାଇଛି। ଓଡିଶା ବାହାରୁ ଯେଉଁ ଲୋକ ରେଳ ଦ୍ୱାରା ବାଲୁଗାଁ ଆସିବେ ସେମାନେ ଉକ୍ତ କାଉଣ୍ଟରରେ ନିଜକୁ ପଂଜିକୃତ କରାଇବେ। ଯାହାଦ୍ୱାରା ସେମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରହିବ ଏବଂ ଭବିଷ୍ୟତରେ କୋଭିଡକୁ ପ୍ରତିହିତ କରିବାରେ ସହାୟ ହେବ।

ତେବେ ବାଲୁଗାଁ ଷ୍ଟେସନରେ ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉକ୍ତ କ୍ୟାମ୍ପରେ ପଞ୍ଜିକରଣ କରାଇବା ପାଇଁ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକା ନେବା ପାଇଁ ଅଫଲାଇନରେ ବି କରିପାରିବେ ପଞ୍ଜିକରଣ: ଜାଣନ୍ତୁ କ’ଣ ଦେବାକୁ ପଡ଼ିବ ତଥ୍ୟ

ଭୁବନେଶ୍ୱର: ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କମାନଙ୍କୁ ଆଜି ଟିକା ଦିଆଯାଉଛି। କୋ-ଓ୍ୱିନ୍ ଆପରେ ପଞ୍ଜୀକୃତ କରିଥିବା ଲୋକେ ଏହି ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ତେବେ ଆଜି ଅନଲାଇନରେ ପଞ୍ଜୀକରଣ କରିବା ସମୟରେ କିଛି ତ୍ରୁଟି ଦେଖାଯାଇଥିଲା। ସେଥିପାଇଁ ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ ବୋଲି ଏନେଇ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି।

ଚିଠିରେ ଟିକା ନେବାରେ ବରିଷ୍ଠ ନାଗରିକ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି। ଯେଉଁମାନେ ଟିକା ନେବାକୁ ପଞ୍ଜିକରଣ କରିବେ ସେମାନଙ୍କର ମୋବାଇଲ୍ ନମ୍ବର, ପରିଚୟ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ରରେ ଥିବା ନମ୍ବର, ନାଁ, ଜନ୍ମ ତାରିଖ, ଲିଙ୍ଗ ଏବଂ ୪୫ରୁ ୫୯ ବର୍ଷ ଭିତରେ ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କ ଡାକ୍ତରୀ ସାର୍ଟିଫିକେଟ ଦେବାକୁ କୁହାଯାଇଛି।