Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ହଜାର, ପଟିଆଲା ଆଇନ ବିଶ୍ୱବିଦ୍ୟାଳୟର ୬୦ ଛାତ୍ର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ଗତି ପୁଣି ଥରେ ଅନିୟନ୍ତ୍ରିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୭୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ଏବଂ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଗତକାଲି ତିନି ହଜାର ୧୦ ଜଣ ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୯ ହଜାର ୭୧୯ କୁ ବୃଦ୍ଧି ପାଇଛି। ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୯୭୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୪୭ ହଜାର ୬୯୯ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଏଥି ସହିତ ପଞ୍ଜାବର ପଟିଆଲାସ୍ଥିତ ରାଜୀବ ଗାନ୍ଧୀ ନ୍ୟାସନାଲ ୟୁନିଭରସିଟି ଅଫ୍ ଲ ର ୬୦ ଜଣ ଛାତ୍ର କରୋନା ପଜିଟିଭ୍ ଥିବା ଜଣାପଡିଛି। ସଂକ୍ରମିତ ଛାତ୍ରମାନଙ୍କର ସାମାନ୍ୟ ଲକ୍ଷଣ ଥିଲା ଏବଂ ବର୍ତ୍ତମାନ ସେମାନଙ୍କୁ ବିଭିନ୍ନ ବ୍ଲକରେ ଅଲଗା ରଖାଯାଇଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମେ ’୧୦ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା।