Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ନିଳାଦ୍ରୀବିହାର ସୀତାନାଥ ବସ୍ତିସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ପ୍ରାଧ୍ୟାପକ ଡଃ ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, କର୍ପୋରେଟର ମୋନାଲିସା ସାହୁ, ଜୟ ଓଡ଼ିଶା, ଉଇ ଫର ଭୁବନେଶ୍ୱର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ବହୁ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ବକ୍ତବ୍ୟରେ ସାନ୍ତାଳି ଭାଷାର ଅଲଚିକି ଲିପି ଉଦ୍‌ଭାବନ କରି ପଣ୍ଡିତ ରଘୁନାଥ ମୁର୍ମୁ ଭାଷାର ବିକାଶ ଦିଗରେ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହା ତାଙ୍କୁ ଚିରସ୍ମରଣୀୟ କରି ରଖିବ।

ବିଶ୍ୱରେ ଦିନକୁ ଦିନ ବହୁ ଭାଷା ଅସ୍ତିତ୍ୱ ହରାଉଥିଲା ବେଳେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅଲଚିକି ଲିପି ମାଧ୍ୟମରେ ସାନ୍ତାଳି ଭାଷା ଓଡ଼ିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସହ ସମଗ୍ର ଦେଶରେ ଆଦୃତ ହୋଇପାରିଛି। ସାନ୍ତାଳି ଭାଷା ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ସ୍ଥାନିତ ହୋଇଅଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ନବ ନିଯୁକ୍ତ ନିର୍ଦ୍ଦେଶକ ଶ୍ରୀ ରାଉତରାୟଙ୍କୁ ମା’ମାନଙ୍କ ଦ୍ୱାରା ବନ୍ଦାବନା କରାଯାଇ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଭାଷାର ସୁରକ୍ଷା ସହିତ ତାହାର ବିକାଶ ନିମନ୍ତେ ଉଦ୍ୟମ କରାଯିବ ଏବଂ ମାତୃଭାଷାରେ ଯେପରି ଲୋକେ ଲେଖିବା, ପଢିବା ଓ କହିବା ପାଇଁ ଆଗ୍ରହ ପ୍ରକାଶ କରିବେ, ସେଥିପାଇଁ ଉଦ୍ୟମ କରାଯିବ। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବିକାଶ ଦିଗରେ ବିଭାଗ ନିରନ୍ତର ଉଦ୍ୟମ କରିବା ସହ ସେଥିପାଇଁ ଆକ୍ସନପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିବ।

ଦେଶ, ଜାତି ଓ ସମାଜ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କୁ ମନେପକାଇ ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପଲ୍ଲୀଗ୍ରାମଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ଓ ପୂଜ୍ୟପୂଜାକୁ ଅଧିକ ବ୍ୟାପକ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ମଧ୍ୟ ସକ୍ରିୟ କରାଯିବ। ରାଜ୍ୟରେ ପଠନ ପ୍ରବୃତ୍ତି ବୃଦ୍ଧି ପାଇଁ ସମସ୍ତେ ସମ୍ମିଳିତ ଭାବରେ ଉଦ୍ୟମ କରିବା ସହିତ ଶୁଦ୍ଧ ଓଡ଼ିଆ କହିବା, ଲେଖିବା ଓ ପଢିବା ପାଇଁ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ସମସ୍ତେ ଶପଥ ନେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଦୀପଦାନ କରୁଥିବା ମା’ ମାନଙ୍କ ସହିତ ସ୍ଥାନୀୟ କର୍ପୋରେଟର, ବିଭିନ୍ନ ଆଦିବାସୀ ମୁରବୀମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ରାଉତରାୟ କୃତଜ୍ଞତା ଜଣାଇ ସେମାନଙ୍କୁ ସମ୍ମାନିତ କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି।

ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍‌ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି। ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି। ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି। ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି। ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ୨ ଓ ୩ ଦୁଇ ଦିନ ଧରି ମୟୁରଭଂଜ ଗସ୍ତରେ ଯାଇଥିବା ବେଳେ ଦାଣ୍ଡବୋସ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ। ତାଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳି ଭାଇଭଉଣୀଙ୍କ ସହ ଆଲୋଚନା ବେଳେ ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ତଦ୍‌ନୁଯାୟୀ ସେଥିପାଇଁ ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ତଦନୁଯାୟୀ ଦାଣ୍ଡବୋସ-କାପିବୁରୁ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସମାଧୀ ପୀଠର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଆଉ ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ସେଠାରେ ଧ୍ୟାନକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏତଦ୍‌ବ୍ୟତୀତ କାପିବୁରୁର ପାଚେରୀ ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିବାବେଳେ, ସେଠାରେ ଏକ ଅଡିଟୋରିମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେଠାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ Dormitory ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାପିବୁରୁର ସୌନ୍ଦର୍ଯ୍ୟକରଣ ଓ ସ୍ବାଗତତୋରଣ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଦାଣ୍ଡବୋସ, ବିଦୁ ଚାନ୍ଦାନ ବାହାଗାଳର ବିକାଶ ତଥା ମାରାଙ୍ଗ-ଆହାରା ପୁଷ୍କରିଣୀ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏତଦ୍‌ବ୍ୟତୀତ ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥିର କରାଯାଇଛି।

୫-ଟି ଉପକ୍ରମରେ ଏ ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ବାରା ସଂପାଦନ କରାଯିବ। ଖୁବଶୀଘ୍ର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।