Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ଚାଲିଲା ସିଧା ବିମାନ ଚଳାଚଳ, ଶୁଭାରମ୍ଭ କଲେ ମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି କାଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ ସହର । ଏହା ହିନ୍ଦୁ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପାଇଁ ଧାର୍ମିକ ହବ୍ ଅଟେ । ଅଧିକନ୍ତୁ, ଏକ ଧାର୍ମିକ ହବ୍ ବ୍ୟତୀତ ଏହି ସହର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ଆଇଟି ଏବଂ ଶିକ୍ଷା ହବ୍ ମଧ୍ୟରେ ଭୁବନେଶ୍ୱର ଅନ୍ୟତମ । ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ ଟି ସହର ସହିତ ଯୋଡି ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିମାନ ଚଳାଚଳରେ ବିନିଯୋଗ ସର୍ବଦା ଅନେକ ଲାଭ ପ୍ରଦାନ କରିଥାଏ । ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ । ଆଗକୁ ବିମାନ ଚଳାଚଳ କ୍ଷେତ୍ର ଅପାର ନିଯୁକ୍ତି ସୁଯୋଗ ଆଣିବ – ରୋଜଗାରର ଏକ ପ୍ରବେଶ ଦ୍ୱାର ହେବ । ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର‌୍ୟ୍ୟ ଧାର‌୍ୟ୍ୟ ସମୟରେ ସରିବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି ।

ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୁହାଯାଇଛି ଯେ ୨୦୭୦ ସୁଦ୍ଧା ଭାରତ ନେଟ ଜିରୋ ନିର୍ଗମନର ଉଚ୍ଚାଭିଳାଷୀ ମାଇଲ ଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ ଆମର ସମସ୍ତ ବିମାନବନ୍ଦରକୁ ସବୁଜ ବିମାନବନ୍ଦର କରିବା ପାଇଁ ନିରନ୍ତର ଶକ୍ତି ସମ୍ବଳ କାର‌୍ୟ୍ୟକାରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । “ମୁଁ ଗର୍ବିତ ଯେ ଭୁବନେଶ୍ୱର ବିମାନବନ୍ଦରର ବିଜୁଳି ଚାହିଦାର ୮୦% ସୌର ଶକ୍ତି ଦ୍ୱାରା ପୂରଣ ହେଉଛି ଏବଂ ଏହା ଦେଶ ପାଇଁ ଏକ ଉଦାହରଣ ପାଲଟିଛି । ଅଧିକନ୍ତୁ, ଝାରସୁଗୁଡା ପରି ଉଡାନ ବିମାନବନ୍ଦରଗୁଡିକ ମଧ୍ୟ ଅନେକ ସଫଳତା ହାସଲ କରୁଛନ୍ତି । ଏହି ବିମାନବନ୍ଦର ଏକ ମାସରେ ୧ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ ରେକର୍ଡ କରିଛି ।”

ଏହି ମାର୍ଗରେ ନୂତନ ବିମାନ ଯୋଗେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ପାଇବେ, ଯାହା ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତାୟତକୁ ସହଜ କରିବ । ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଏହି ନୂତନ ବିମାନ ସହିତ ପଯ୍ୟଟକ ଓ ଯାତ୍ରୀମାନେ ବିମାନ ସଂଯୋଗ ପାଇଁ ଏକାଧିକ ବିକଳ୍ପ ପାଇବେ ଯାହା ପର‌୍ୟ୍ୟଟନ ସମ୍ଭାବନାକୁ ବଢାଇବ ଏବଂ ଏହି ଅଞ୍ଚଳର ଆର୍ଥିକ କାର‌୍ୟ୍ୟକଳାପକୁ ବୃଦ୍ଧି କରିବ ।

Categories
ଆଜିର ଖବର ରାଜ୍ୟ ଖବର

ଖୁବ୍‌ ଶୀଘ୍ର ରାଜ୍ୟରେ ଗଡିବ ବସ୍‌

ଭୁବନେଶ୍ବର : ରାଜ୍ୟରେ ଖୁବ ଶୀଘ୍ର ବସ୍‌ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଲକ୍‌ ଡାଉନ୍‌ 4.0ର ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି। ସହମତି ଭିତ୍ତିରେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ କରି ପାରିବ ବୋଲି କେନ୍ଦ୍ର ସୂଚନା ଦେଇଥିବାବେଳେ ରାଜ୍ୟ ଭିତରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି।  ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ଅନୁମତି ରହିଥିବାବେଳେ ଏବେ ନୂତନ ଗାଇଡ ଲାଇନ ଅନୁସାରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ମଧ୍ୟରେ ଗାଡି ଚାଲିପାରିବ। ରାଜ୍ୟ ଭିତରେ ଗାଡି ଚଳାଚଳ କରିବା ସହ ଅନ୍ୟ ରାଜ୍ୟ ସହ କିପରି ଗାଡି ଚଳାଚଳ କରାଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଅତିଶୀଘ୍ର ରାଜ୍ୟ ଭିତରେ ଗାଡି ଚଳାଚଳ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତେବେ ପୂର୍ବ ଭଳି 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବାର ନିୟମ ବଳବତ୍ତର ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସେହି ଘାଟି ନିକଟରେ ଆଉ ଏକ ବସ୍‌ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ହୋଇଥିବା ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି, ଡ୍ରାଭଭର ମାନେ ଅଭ୍ୟସ୍ତ ନୁହଁନ୍ତି। ଏଣିକି ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି। ଗତ 24 ଘଣ୍ଟାରେ 3ଟି ବସ୍‌ ଦୁର୍ଘଟଣା ଘଟିଛି। ଗତକାଲି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ମଧ୍ୟ ସେହି ଘାଟି ନିକଟରେ ମଧ୍ୟ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ନାଗପୁର ଏନଏଚ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍‌ ମଧ୍ୟ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଦୁର୍ଘଟଣା ବଢ଼ୁଥିବାରୁ ବିକଳ୍ପ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।