Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି

ନୂଆଦିଲ୍ଲୀ : ଉପନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ନୁହେଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ସାଢେ ୪କୋଟି ଲୋକଙ୍କର ସେବା କରିବା ସହିତ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପନିର୍ବାଚନ ମଡେଲ ମନ୍ତବ୍ୟର ଜବାବରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଥିଲେ ଯେ ବିଜେଡିର ପଦ୍ମପୁର ମଡେଲ ଥିଲେ ବିଜେପିର ଧାମନଗର ମଡେଲ ଅଛି । ଶ୍ରୀ ପ୍ରଧାନଙ୍କର ଏଭଳି ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ଉପ-ନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ହୋଇପାରିବ ନାହିଁ ।

ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କର ସେବା କରିବା । ବିଜେଡି ଉପରେ ଲୋକଙ୍କର ବିଶ୍ୱାସ ଓ ଭରସା ଥିବାରୁ ଓଡିଶାବାସୀଙ୍କ ପାଇଁ ଏହି ଦଳ ଭଲ କାମ କରୁଛି । ଗତ ୨୨ ବର୍ଷ ଧରି ଓଡିଶାରେ ନିର୍ବାଚନ ଜିତିବା ସତ୍ତ୍ୱେ ଲୋକଙ୍କ ସେବା ପାଇଁ ବିଜେଡି ନିର୍ବାଚନରେ ବିଜୟକୁ ଓଡିଶାର ମଡେଲ କରିନାହିଁ ।

ଆମର ମଡେଲ୍ ହେଉଛି ଉତ୍ତମ ପ୍ରଶାସନର ମଡେଲ ଏବଂ ୫-ଟି ଏବଂ ମୋ ସରକାର ଆଧାରରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଆମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରୁଛୁ ଯେ ଶାସନ ପାଇଁ ଉପ-ନିର୍ବାଚନର ମଡେଲ ବ୍ୟବହାର କରନ୍ତୁ ନାହିଁ, ଓଡିଶାର ଲୋକଙ୍କ ସେବା ପାଇଁ ଉତ୍ତମ ଶାସନର ମଡେଲ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।