Categories
ଅପରାଧ ଆଜିର ଖବର ଜାତୀୟ ଖବର

PFI ର ଟ୍ୱିଟର ଆକାଉଣ୍ଟ ବ୍ୟାନ, ସରକାରଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇସଲାମିକ୍ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନକୁ ଭାରତ ସରକାର (GOI) ନିଷେଧ କରିବା ପରେ ଟ୍ୱିଟର ଏହି ପଦକ୍ଷେପ ନେଇଛି। ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ଭାରତରେ PFI ଅଫିସିଆଲ୍ (@PFIOofficial) ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି ବୋଲି ଟ୍ୱିଟର ଲେଖିଛି।

ଭାରତ ସରକାର ମଙ୍ଗଳବାର ଦିନ ବିଳମ୍ବିତ ରାତିରେ PFI ଉପରେ ନିଷେଧାଦେଶ ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶରେ PFI ଉପରେ ପ୍ରତିବନ୍ଧକ ଲଗାଇଛି। ସରକାର ଦେଶର ବିଭିନ୍ନ ରାଜ୍ୟକୁ PFI ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା PFI କୁ କେରଳ ଏବଂ ତାମିଲନାଡୁ ସରକାର ମଧ୍ୟ ନିଷିଦ୍ଧ କରିଛନ୍ତି। କେରଳ ଏବଂ ତାମିଲନାଡୁ ସରକାର PFI ଏବଂ ଏହାର ଅନୁବନ୍ଧିତ ସଂଗଠନର ତାଲିକା ପ୍ରକାଶ କରିଛନ୍ତି ଯାହା ଆତଙ୍କବାଦ ବିରୋଧୀ ଆଇନ ‘UAPA’ ଅନୁଯାୟୀ ନିଷିଦ୍ଧ ହୋଇଛି। ଏହି ତାଲିକାରେ ନାମିତ ସଂସ୍ଥାଗୁଡ଼ିକରେ PFI, ଏହାର ସହଯୋଗୀ ତଥା ଅନୁବନ୍ଧିତ ଫ୍ରଣ୍ଟ- ରିହେବ ଇଣ୍ଡିଆ ଫାଉଣ୍ଡେସନ, କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ, ଅଲ ଇଣ୍ଡିଆ ଇମାମ ପରିଷଦ, ନ୍ୟାସନାଲ କନଫେଡେରେସନ୍ ଅଫ୍ ହ୍ୟୁମାନ ରାଇଟସ ଅର୍ଗାନାଇଜେସନ, ନ୍ୟାସନାଲ ଓମେନ ଫ୍ରଣ୍ଟ, ଜୁନିଅର ଫ୍ରଣ୍ଟ, ଏମପାୱାର ଇଣ୍ଡିଆ ଫାଉଣ୍ଡେସନ ଅନ୍ତର୍ଭୁକ୍ତ।