Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କାହିଁକି ଭେଟିଲେ ସ୍ବାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ 

ଭୁବନେଶ୍ବର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶା ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି ।

ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହିତ ସ୍ମୃତି ସଂଗ୍ରହାଳୟ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟ କରାଯାଇଛି।

ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ ଗଭୀର ସନ୍ତୋଷ ପ୍ରକାଶ କରିଛି। ପରିଷଦ ପକ୍ଷରୁ ଆଜି ପବିତ୍ର ମୋହନଙ୍କ ନାତୁଣୀ ରଞ୍ଜିତା ରାଣୀ ପ୍ରଧାନ. ଓ ସମିତିର ଅନ୍ୟ ସଦସ୍ୟ ମାନେ ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ୍ ଜଣାଇ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜଣାଇ ଥିଲେ।

ସେମାନେ କହିଥିଲେ ପବିତ୍ର ମୋହନଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ତାଙ୍କ ସ୍ମୃତିକୁ ଚିର ଦିନ ପାଇଁ ଉଜ୍ଜଳ କରି ରଖିବ।

5T ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରପୁତ୍ର ମାନଙ୍କ ପ୍ରତି ଗଭୀର ସମ୍ମାନ କରନ୍ତି। ସେମାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପଦକ୍ଷେପ ନେଇଛନ୍ତି। ପବିତ୍ର ମୋହନ ରାଜ୍ୟର ଯୁବ ସମାଜ ପାଇଁ ଆଦର୍ଶ। ତାଙ୍କ ସ୍ମୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ସେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ।

ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ହେବ ତାଳଚେର ମେଡିକାଲ୍ କଲେଜ

ଭୁବନେଶ୍ୱର: ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ ଆନ୍ଦୋଳନ ମଧ୍ୟ ସେ ଯୋଗ ଦେଇଥିଲେ। ସ୍ୱାଧିନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ଶିକ୍ଷାର ବିକାଶ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏକ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ।

ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଭୁବନେଶ୍ଵର ଠାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସେହିପରି କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ।

ସୂଚନା ଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ଅନୁଗୋଳ ଗସ୍ତ ସମୟରେ ମହାନ୍ ସଂଗ୍ରାମୀ ସ୍ବର୍ଗତ ପ୍ରଧାନ ଙ୍କ ସ୍ମୃତି ରକ୍ଷା ପାଇଁ ମେଡିକାଲ କଲେଜ ହସ୍ପିଟାଲ କୁ ତାଙ୍କ ନାମରେ ନାମିତ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ପ୍ରସ୍ତାବ ଦେଇଥିଲେ।
ଲୋକଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।