Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା: ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି। ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି “ସହରାଞ୍ଚଳ ଲିଡରସିପ୍‌” କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଭାଗ ନେବାକୁ ନିମନ୍ତ୍ରିତ ହୋଇଛି।

ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

“ରାଉରକେଲା ସହରକୁ ସ୍‌ଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ସହ ଶିଶୁ ଅନୁକୂଳ ସହର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଯେଉଁ ସୁଯୋଗ ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିବ। ସମସ୍ତଙ୍କର ସହଯୋଗ ପାଇଁ ରାଉରକେଲାକୁ ଏଭଳି ସଫଳତା ମିଳିପାରିଛି”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମଧ୍ୟ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

“ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ଭାଗନେବା ପାଇଁ ବିଶ୍ୱର ୩୦ଟି ସହର ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଚାଲିଥିବା ଶିଶୁ-ଅନୁକୂଳ ସହର ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ବିଚାର କରି ରାଉରକେଲା ସମେତ ୧୦ଟି ସହରକୁ ଏହି ବିଶେଷ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଚୟନ କରାଯାଇଛି।

ରାଉରକେଲା ସହରକୁ ସାନ ସାନ ପିଲା ଏବଂ ମା’ମାନଙ୍କୁ ଏକ ଆନନ୍ଦମୟ ପରିବେଶ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତା’ଛଡ଼ା ଜନଜାତି ଏବଂ ରାଉରକେଲା ସହରରେ ବସବାସ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମାର୍ଟ ସିଟି ରାଉରକେଲା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ରାଉରକେଲା ସହରରେ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” ଅଧୀନରେ ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଛି। ସେହିପରି ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ ସହିତ ସ୍ମାର୍ଟ ପାର୍କ ର୍ନିମାଣ କରାଯାଉଛି। ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ଫୁଟପାଥ୍ ସହିତ ବିଭିନ୍ନ ରାସ୍ତାଗୁଡ଼ିକର ଆଲୋକୀକରଣ କରାଯାଉଛି।

ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ, ସ୍ମାର୍ଟ ସିଟି ମିଶନ ସହଯୋଗରେ ସ୍ମାର୍ଟ ସିଟି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ଗତ କିଛି ମାସ ତଳେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ।

ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯିବ। ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଜିଲ୍ଲାର ସାଧାରଣ ଲୋକେ ଯେପରି ବିଭିନ୍ନ ଯୋଜନାରୁ ସୁଫଳ ପାଇବେ ତା’ ଉପରେ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେବ।’’

୨୦୨୩ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ତେଣୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସହ ଏହାର ସଫଳ ପରିଚାଳନା ଉପରେ ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଦିବାସୀ ଓ ସାଧାରଣ ଲୋକଙ୍କ ପାଖରେ କିପରି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚି ପାରିବ ତା’ ଉପରେ ସେ ବିଶେଷ ଗୁରୁତ୍ୱ ଦେବେ ବୋଲି ଜିଲ୍ଲାପାଳ ଏହି ଅବସରରେ କହିଥିଲେ।

ଡାକ୍ତର ପରାଗ ହର୍ଷଦ ଗାଭାଲି ହେଉଛନ୍ତି ୨୦୧୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

‘‘ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରଶାସନ ପ୍ରାଥମିକତା ଦେବ। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବ। ବିଶ୍ୱକପ ହକିର ସଫଳ ଆୟୋଜନ ଦିଗରେ ଗୁରୁତ୍ୱ ଦିଆଯିବ।’’ – ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲାପାଳ, ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଛନ୍ତି।