Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନକୁ ଦେଖି ବାଣପୁରରେ ଦୋକାନୀଙ୍କ ମନମାନୀ: ଦୁଇଗୁଣା ଅଧିକା ଦରରେ ବିକୁଛନ୍ତି ପରିବା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜିଠୁ ପରିବାର କଳାବଜାରୀ ଆରମ୍ଭ ହୋଇଯାଇଥିବାର ଅଭିଯୋଗ ହେଉଛି। ବିଶେଷ କରି ବାଣପୁର ଏନଏସିରେ ଆଳୁ କେଜି ୩୨ ଟଙ୍କାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ଏପରିକି କେତେ ଦୋକାନୀ କେବଳ ଆଳୁ ଦେବାକୁ ମନା କରୁଛନ୍ତି। ଅନ୍ୟ ପରିବା ନେଲେ ଆଳୁ ଦେବେ ବୋଲି ଗ୍ରାହକମାନଙ୍କୁ କିଛି ଦୋକାନୀ କହୁଥିବା ଅଭିଯୋଗ ହେଉଛି। ନଚେତ କେଜି ପିଛା ୩୨ ଟଙ୍କା ଦରରେ ଆଳୁ ନେବା ଲାଗି ଗ୍ରାହକମାନଙ୍କୁ କହୁଥିବା ଶୁଣିବାକୁ ମିଳିଛି।

ତେବେ କେତେକ ଅସାଧୁ ଦୋକାନୀଙ୍କ ଏଭଳି ମନମାନୀ ଯୋଗୁଁ କିଛି ଲୋକ ନାଚୁଣୀ ବଜାରରୁ ଆଳୁ କେଜି ୨୦ ଟଙ୍କା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। କୋଭିଡ଼ ସମୟରେ ଏପରି ଅଭିଯୋଗ ବାରମ୍ବାର ହେଉଥିଲେ ସୁଦ୍ଧା ଯୋଗାଣ ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏହି ଘଟଣାର ତଦନ୍ତ କରାଯାଇ ଯେଉଁ ଦୋକାନୀ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ  ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ ଅଭିଯୋଗ କରିବା ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ ନମ୍ବର  ଜାରି କରାଯାଉ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଦାବି ହୋଇଛି।

ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ବିଷୟରେ ଅବଗତ ନଥିବା ପ୍ରକାଶ କରିବା ସହ ସ୍ଥାନୀୟ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।