Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ: ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି।

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ୪ରେ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି।

ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବୃଷ୍ଟିପାତ ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁଲାଇ ୯ ତାରିଖରେ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ।