Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ପରୀକ୍ଷଣ ସଫଳ

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦନ କରାଯାଇଥିଲା।

ଏଡି-୧ ହେଉଛି ଏକ ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ବା ପ୍ରତିରୋଧୀ କ୍ଷେପଣାସ୍ତ୍ର। ଏହାକୁ ଉଭୟ ନିମ୍ନ ବାହ୍ୟବାୟୁମଣ୍ଡଳୀୟ (ଏକ୍ସୋ-ଏଟମୋସଫିୟରିକ) ଏବଂ ଆଭ୍ୟନ୍ତରୀଣ (ଏଣ୍ଡୋ-ଏଟମୋସଫିୟରିକ) ଇଣ୍ଟରସେପ୍ସନ ବା ପ୍ରତିରୋଧ ପାଇଁ ଡିଜାଇନ କରାଯାଇଛି। ଏହା ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହିତ ବିମାନର ଇଣ୍ଟରସେପ୍ସନ ବା ବିଧ୍ବଂସ କରିବାକୁ ସକ୍ଷମ। ଏହି ପ୍ରଣାଳୀ ଦୁଇଟି-ପର୍ଯ୍ୟାୟ ବିଶିଷ୍ଟ ଦୃଢ଼ ମୋଟର ଦ୍ବାରା ପରିଚାଳିତ ହୋଇଥାଏ। ବାହନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ସଠିକ ଭାବେ ମାର୍ଗଦର୍ଶନ କରିବା ଲାଗି ଏଥିରେ ସ୍ବଦେଶୀ ଭାବେ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ ବା ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଏବଂ ମାର୍ଗଦର୍ଶୀ ଆଲଗୋରିଦିମ ଏଥିରେ ଖଞ୍ଜା ଯାଇଛି।

ଫ୍ଲାଇଟ୍‌ ଟେଷ୍ଟ ସମୟରେ, ସବୁ ଉପପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଫ୍ଲାଇଟର ତଥ୍ୟ ସଂଗ୍ରହ କରିବା ଲାଗି ମୁତୟନ ରାଡାର, ଟେଲିମେଟ୍ରୀ ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ଷ୍ଟେସନ ସମେତ ସଂଖ୍ୟାଧିକ ରେଞ୍ଜ ସେନ୍ସର ଦ୍ବାରା ସଂଗୃହିତ ତଥ୍ୟ, କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା।

ଡିଆରଡିଓ ଏବଂ ଏଡି-୧ର ସଫଳ ଫ୍ଲାଇଟ୍‌ ପରୀକ୍ଷଣ ସହ ଜଡ଼ିତ ସବୁ ସହଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଏକ ଅଭିନବ ଇଣ୍ଟରସେପ୍ଟର ଭାବେ ଅଭିହିତ କରିବା ସହିତ ବିଶ୍ବର ମାତ୍ର ଅଳ୍ପ କେତୋଟି ରାଷ୍ଟ୍ର ନିକଟରେ ଏହା ଉପଲବ୍ଧ ଥିବା କହିଛନ୍ତି। ଏହା ଦେଶର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ନିଜର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଇଣ୍ଟରସେପ୍ଟର ପ୍ରଣାଳୀ ବ୍ୟବହାରକାରୀଙ୍କୁ ଅଧିକ ପରିଚାଳନାଗତ ନମନୀୟତା ପ୍ରଦାନ କରିବ। ବିଭିନ୍ନ ପ୍ରକାରର ଲକ୍ଷ୍ୟ ବା ଟାର୍ଗେଟକୁ ବିଧ୍ବଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିକଟରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଉପକୂଳରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ

ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି ପରୀକ୍ଷଣ ସମ୍ପାଦନ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ବୈମାନିକ ପରୀକ୍ଷା ବା ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ବଦେଶୀ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ।

ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା। ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିଶନ ଆକଳନକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ କାର୍ଯ୍ୟକାରୀ କରିଥିଲା। ଏହାର ସବୁ ଉପ-ପ୍ରଣାଳୀ ସନ୍ତୋଷଜନକ ପ୍ରଦର୍ଶନ କରିଥିଲା। ପରୀକ୍ଷଣ ରେଞ୍ଜର ବିଭିନ୍ନ ସ୍ଥାନରେ ଏବଂ ଇମ୍ପାକ୍ଟ ପଏଣ୍ଟରେ ଲାଗିଥିବା ସେନ୍ସର କ୍ଷେପଣାସ୍ତ୍ରର ଗତିପଥକୁ ନିରୀକ୍ଷଣ କରିଥିଲା ଏବଂ ସବୁ ଘଟଣାକ୍ରମକୁ ରେକର୍ଡ କରିଥିଲା।

ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ନୂଆ ଜ୍ଞାନକୌଶଳ ଖଞ୍ଜା ଯାଇଛି। ଏଥିରେ ହେଲିକପ୍ଟର ପାଇଁ ସ୍ବଦେଶୀ ଭାବେ ବିକଶିତ ଏକ ଲଞ୍ଚର୍‌ ସଂଯୋଗ କରାଯାଇଛି। କ୍ଷେପଣାସ୍ତ୍ରର ମାର୍ଗଦର୍ଶୀ ପ୍ରଣାଳୀରେ ଅତ୍ୟାଧୁନିକ ନାଭିଗେସନ ବ୍ୟବସ୍ଥା ଓ ସମନ୍ବିତ ଏଭିଓନିକ୍ସ ଖଞ୍ଜା ହୋଇଛି। ଆଜିର ଫ୍ଲାଇଟ୍‌ ଟେଷ୍ଟ ସମୟରେ ଡିଆରଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନା ଏବଂ ଆଜିର ଫ୍ଲାଇଟ୍‌ ଟେଷ୍ଟରେ ସମ୍ପୃକ୍ତ ଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ବଦେଶୀ ଡିଜାଇନ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ବିକାଶ କ୍ଷେତ୍ରରେ ଭାରତ ଉଚ୍ଚ ସ୍ତରୀୟ ସାମର୍ଥ୍ୟ ହାସଲ କରିଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ସଫଳ ମିଶନରେ ସାମିଲ ଥିବା ପ୍ରକଳ୍ପ ଟିମ୍‌କୁ ଏହି ପରୀକ୍ଷଣ ପାଇଁ ପ୍ରଶଂସା କରିଛନ୍ତି। ପ୍ରକଳ୍ପ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ଭାରତୀୟ ନୌସେନା ଏବଂ ନୌସେନା ବିମାନ ପରୀକ୍ଷଣ ସ୍କ୍ବାଡର୍ଣ୍ଣଙ୍କୁ ପ୍ରଶଂସା କରିଛନ୍ତି। ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବାରା ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ସୁଦୃଢ଼ ହେବ।