Categories
ଆଜିର ଖବର ଜାତୀୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ନୂଆ ପୀଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନତ୍ତୋର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ଧୀରେ ଧୀରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଆସ୍ଥାର ବିଷୟ ହେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଢାଉଛି । ଏହି କାର୍ଯ୍ୟକ୍ରମ ଏକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇସାରିଛି ।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର  ୧୦୨ ଜଣ ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଏନସିଇଆରଟି ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅତିଥି ଭାବେ ଭାଗ ନେବେ । ଏହି ସବୁ ପିଲାଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପରୀକ୍ଷା ପେ ଚର୍ତ୍ତାର ପର ଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ ।

ଏଗଜାମ ୱାରିୟର୍ସ ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା ।

ଏଗଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦି ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ତେଲୁଗୁ, ଉର୍ଦ୍ଧୁ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟକ୍ତି ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

———————-