Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କର ପରୀକ୍ଷା ଭୟ, କେମିତି ହେବ ଦୂର

ଲେଖକ: କମଳାକାନ୍ତ ଜେନା

ଗତ କିଛି ଦିନ ଧରି କରୋନା ସହିତ ଲଢେଇ କରିବା ପରେ ଆମର ବିଜୟ ହେଇଛି ସତ, କିନ୍ତୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତନ ଦେଖାଦେଇଛି। କରୋନା ପରିସ୍ଥିତି ଆମକୁ ବଂଚିବା ପାଇଁ ନୂଆ ନୂଆ ପନ୍ଥା ଶିଖେଇଛି। କରୋନା ସମୟରେ ଅନେକ କିଛି ବଦଳିଗଲା। ଶିକ୍ଷା ବ୍ୟବସ୍ଥା ସେଥିରୁ ବାଦ୍ ପଡିନାହିଁ । ଶିକ୍ଷା ବ୍ୟବସ୍ଥାରେ ବିଶେଷ ପରିବର୍ତନ ଦେଖାଦେଇଥିଲା। ତାହା ଥିଲା ଅନ୍‌-ଲାଇନ୍ ପାଠ ପଢା ବ୍ୟବସ୍ଥା।

କରୋନାରେ ସହର ବଜାର ଖୋଲିବା ସମ୍ଭବ ନଥିଲା। କିନ୍ତୁ ଅନ୍‌-ଲାଇନ୍ ବ୍ୟବସ୍ଥାରେ ଘରୁ ନ ବାହାରି ପାଠ ପଢିବା ଓ ପରୀକ୍ଷା ଦେବା ସମ୍ଭବ ହୋଇପାରିଥିଲା। ସବୁରୀ ଘରେ ସ୍ମାର୍ଟ ଫୋନ୍ ଦେଖିବାକୁ ମିଳିଲା। ପିଲାମାନେ ସ୍ମାର୍ଟ ଫୋନ୍ ଦେଖି ଦେଖି ପାଠ ପଢିଲେ। ଯାହା ହେଉ, କରୋନା ସମୟରେ ବନ୍ଦବାନ୍ଦ ଭିତରେ ବି ଆମ ପିଲାମାନେ ପାଠ ସହିତ ଯୋଡ଼ି ହୋଇ ରହିପାରିଲେ।

ଆଜି କରୋନା ପରିସ୍ଥିତି ସୁଧୁରି ଯାଇଛି। ସ୍କୁଲ କଲେଜ ସ୍ୱାଭାବିକ ଭାବରେ ଚାଲିଛି। ଏବେ ଆମ ପିଲାମାନେ ସ୍କୁଲ କଲେଜ ଯାଉଛନ୍ତି। ପାଠ ପଢୁଛନ୍ତି। ଅନ୍‌-ଲାଇନ୍‌ରେ ପରୀକ୍ଷା ନ ଦେଇ ଶ୍ରେଣୀଗୃହରେ ବସି ପରୀକ୍ଷା ଦେଉଛନ୍ତି। କିନ୍ତୁ ଏବେ ପରୀକ୍ଷାର ସଂଖ୍ୟା ବଢିଯାଇଛି। କାଳେ ଅଚାନକ ଭାବରେ କରୋନା ପରିସ୍ଥିତି ସୃଷ୍ଟି ହେବ, ସେଇ ଆଶଙ୍କାରେ ବର୍ଷ ଶେଷରେ ହେଉଥିବା ଚୂଡାନ୍ତ ପରୀକ୍ଷାକୁ ଅପେକ୍ଷା ନକରି ପ୍ରତି ମାସ ପରୀକ୍ଷା କରାଯାଉଛି।

ସେପରି କଲେ ବର୍ଷ ଶେଷରେ ହେଉଥିବା ଚୂଡାନ୍ତ ପରୀକ୍ଷା ହୋଇ ନ ପାରିଲେ ବି ମାସିକ ପରୀକ୍ଷା ଫଳ ଅନୁସାରେ ପିଲାଙ୍କୁ ଚୂଡାନ୍ତ ସାର୍ଟିଫିକେଟ୍ ଦେବାରେ ଅସୁବିଧା ହେବ ନାହିଁ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏଭଳି ପରୀକ୍ଷା ବ୍ୟବସ୍ଥା ଠିକ୍ ଲାଗୁଛି। କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ, ପିଲାଙ୍କ ଉପରେ ଅଧିକ ପରୀକ୍ଷା ଚାପ ପଡୁଛି। ବାରମ୍ବାର ପରୀକ୍ଷା ରହୁଥିବାରୁ ପିଲାମାନେ ପର୍ବପର୍ବାଣୀର ଆନନ୍ଦ ଉଲ୍ଲାସକୁ ଉପଭୋଗ କରିବାରୁ ବଂଚିତ ହେଉଛନ୍ତି । ମାତାପିତା ନିଜ ପିଲାର ଶୁଖିଲା ମୁହଁ ଦେଖିପାରୁ ନାହାନ୍ତି।

ପରୀକ୍ଷା ଜନିତ ଚିନ୍ତାକୁ କମ୍ କରିବା ସକାଶେ ଆମ ଦେଶରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଅଭିନବ ପଦକ୍ଷେପ ନିଆଯାଇଛି। ଦେଶର ହଜାର ହଜାର ଛାତ୍ରଛାତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନିଜେ ଆଲୋଚନା କରୁଛନ୍ତି। ଏହି ଆଲୋଚନାର ଶୀର୍ଷକ ରହିଛି – “ପରୀକ୍ଷା ପେ ଚର୍ଚ୍ଚା”। ଆଲୋଚନାରେ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ନିଜ ନିଜର ଅସୁବିଧା ଜଣାଉଛନ୍ତି ଓ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରଶ୍ନର ସହଜ ଉତର ଦେଉଛନ୍ତି।

ଏହି “ପରୀକ୍ଷା ପେ ଚର୍ଚ୍ଚା” ବିଶାଳ ଆଲୋଚନାରେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ତାଙ୍କର ମାତାପିତା, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଭାରତର କୋଣ ଅନୁକୋଣରୁ ଶିକ୍ଷକ ସମାଜ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଆଲୋଚନାର ମୂଳ ଉଦ୍ଦେଶ୍ୟ ରହିଛି – “ପରୀକ୍ଷା ସକାଶେ ଆମ ପିଲାମାନେ ଚିନ୍ତାଗ୍ରସ୍ତ ନ ହୁଅନ୍ତୁ”। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଆମ ପିଲାମାନେ ପରୀକ୍ଷା ପାଇଁ ବିବ୍ରତ ନହୋଇ ମନକୁ ସ୍ଥିର ରଖିବା ଜରୁରୀ।

ମନ ସ୍ଥିର ରହିଲେ ପଢା ମନେ ରହିବ। ପିଲାମାନେ ପରୀକ୍ଷାରେ ନିଶ୍ଚୟ ଭଲ କରିବେ। ଏହା ନିଃସନ୍ଦେହ ଛାତ୍ରଛାତ୍ରୀମାନଙ୍କର ମନୋବଳକୁ ଦୃଢ କରିବ। ପରୀକ୍ଷା ସକାଶେ ସେମାନେ ଜୀବନର ଆନନ୍ଦଠାରୁ ଦୂରେଇ ଯିବା ଉଚିତ ନୁହେଁ। ହୁଏତ ବିଗତ ବର୍ଷର କରୋନା ହେତୁ ପିଲାମାନେ ଠିକ୍ ଭାବେ ପଢାପଢି କରିବାରୁ ବଂଚିତ ହୋଇଛନ୍ତି। ସେଥିପାଇଁ ଆଜି ପିଲାଙ୍କ ମନରେ ଭୟ ରହିଛି।

ଆମ ଦେଶରେ ପ୍ରତି ମାସ କିଛି ନା କିଛି ପର୍ବପର୍ବାଣୀ ପାଳନ କରାଯାଏ। ତେଣୁ କୁହାଯାଏ, ବାର ମାସରେ ତେର ପରବ। ପର୍ବପର୍ବାଣୀ ପାଳନ ଅବସରରେ ଆମେ ଆମ ପିଲାମାନଙ୍କ ଭିତରେ ଆନନ୍ଦ ଉଲ୍ଲାସ ଦେଖିଥାଉ। କିନ୍ତୁ ଏବେ ବାରମ୍ବାର ପରୀକ୍ଷା ଦେବାକୁ ପଡୁଥିବାରୁ ସେମାନଙ୍କ ମନରୁ ସବୁ ଆନନ୍ଦ ଉଲ୍ଲାସ ଅପସରି ଯାଉଛି। ଏଭଳି ଧାରାରେ ପରିବର୍ତନ ଲୋଡ଼ା। ପିଲାମାନଙ୍କର ପରୀକ୍ଷା ସମୟରେ ବି ସେମାନେ ଆନନ୍ଦ ଉଲ୍ଲାସରେ ପରୀକ୍ଷା ଦେବା କଥା।

ପରୀକ୍ଷା ପାଖେଇ ଆସିଲେ ଛାତ୍ରଛାତ୍ରୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ସେମାନେ ପରୀକ୍ଷା ବିଷୟରେ ଭାବି ଭାବି ବ୍ୟସ୍ତବିବ୍ରତ ହୋଇପଡନ୍ତି। ପରୀକ୍ଷାରେ କେଉଁ ପ୍ରଶ୍ନ ଆସିବ? ସହଜ ସହଜ ପ୍ରଶ୍ନ ଆସିବ ନା ପ୍ରଶ୍ନଗୁଡିକ ଜଟିଳ ଥିବ? ସବୁ ପ୍ରଶ୍ନ ଆମର ପଢା ବହିରୁ ଆସିବ ନା ବହି ବାହାରୁ ଆସିବ? ଏସବୁ ପ୍ରଶ୍ନ ପିଲାଙ୍କୁ ଚିନ୍ତାଗ୍ରସ୍ତ କରିଥାଏ। ସେମାନଙ୍କ ମନରେ ଭୟ ଜାତ ହୁଏ ଓ ମନ ଦୁର୍ବଳ ହୋଇଯାଏ।

ଆମ ପିଲାମାନେ କାହିଁକି ବୁଝୁ ନାହାଁନ୍ତି ଯେ, ଜୀବନ ସାରା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ପରୀକ୍ଷାକୁ ଏତେ ଭୟ କାହିଁକି। ଏହା କଅଣ ସେମାନଙ୍କ ଜୀବନର ପ୍ରଥମ ପରୀକ୍ଷା? ଏହା ପୂର୍ବରୁ ଆମ ପିଲାମାନେ ଅନେକ ପରୀକ୍ଷା ଦେଇଛନ୍ତି ଏବଂ ସମସ୍ତ ପରୀକ୍ଷାରେ ସଫଳତା ପୂର୍ବକ ଉତ୍‌ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ଶ୍ରେଣୀ ପରେ ଶ୍ରେଣୀ ଉତୀର୍ଣ୍ଣ ହୋଇ ଆଜି କିଏ ନବମ କିଏ ଦଶମ ଆଉ କିଏ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି । ଅତଏବ, ପରୀକ୍ଷାରେ ସଫଳତା ପାଇବାର ମନ୍ତ୍ର ପିଲାମାନଙ୍କୁ ଭଲ ଭାବରେ ଜଣା।

ସତ କହିଲେ, ଆମ ପିଲାମାନେ ଅଥଳ ସମୁଦ୍ରକୁ ପାର କରି କୂଳରେ ପାଦ ଦେବାକୁ ଯାଉଛନ୍ତି। ଆଉ କେଇଟା ମୁହୂତ୍‌ର୍ତ ପରେ ସେମାନେ କୂଳରେ ପାଦ ଦେବେ। ତେଣୁ ସେମାନେ କୂଳକୁ ଛୁଇଁବାର ଖୁସି ନେଇ ପରୀକ୍ଷାକୁ ଯିବା ଉଚିତ। ଡରି ଡରି ନୁହେଁ କିମ୍ବା ଉଦାସରେ ନୁହେଁ। ସେମାନେ ପରୀକ୍ଷାକୁ ଆଦର କରିବା ଶିଖନ୍ତୁ ଏବଂ ଅନୁଭବ କରନ୍ତୁ ଯେ, ପରୀକ୍ଷା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ପରୀକ୍ଷାକୁ ଆମେ ଡରିଲେ ଏବଂ ହସି ହସି ଜଣେ ଅନୁଭବୀ ବିଦ୍ୟାର୍ଥୀ ଭାବରେ ଆମେ ପରୀକ୍ଷା ଗୃହକୁ ନ ଗଲେ ପରୀକ୍ଷା ଆମକୁ ଡରେଇବା ଆରମ୍ଭ କରିବ। ଯିଏ ଡରିଯିବ, ସିଏ ହାରିଯିବ। ଡରକୁଳା ବିଦ୍ୟାର୍ଥୀକୁ ସମାଜ ଦେଖିଲେ ଉପହାସ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀକ୍ଷା ପାଇଁ ପିଲାମାନେ ଚିନ୍ତାଗ୍ରସ୍ତ ରହିଲେ ସେମାନଙ୍କର ଶାରୀରିକ ସ୍ତରରେ ବିଭିନ୍ନ ସମସ୍ୟା ଦେଖାଦେବ। ତା’ ସହିତ ସେମାନଙ୍କର ମାନସିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ।

ଏକଥା ସତ, ଦୀର୍ଘ ଦୁଇ ବର୍ଷ ଧରି ମୋବାଇଲ ଧରି ଅନ୍‌-ଲାଇନ୍ କ୍ଲାସ୍ କରିବା ପରେ ଏବେ ସିଧା ସଳଖ ଶ୍ରେଣୀଗୃହରେ ବସି ପାଠ ପଢିବା ପିଲାମାନଙ୍କୁ ଭଲ ଲାଗି ନପାରେ। ପିଲାମାନେ ଏବେ ବି ମୋବାଇଲ ଛାଡ଼ି ପାରୁ ନାହାଁନ୍ତି। କାରଣ, କିଛି ଦିନ ହେଲା ଛପାବହି ବଦଳରେ ମୋବାଇଲକୁ ନିଜର କରିନେଇଥିଲେ। କେବଳ ସେତିକି ନୁହେଁ, ପିଲାମାନଙ୍କୁ ଖୁସି ଦେବା ପାଇଁ ମୋବାଇଲ ଭିତରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଛପା ହୋଇଥିବା ପଢା ବହିରେ ସେସବୁ ମିଳିବ ନାହିଁ।

ଅତଏବ, ପିଲାମାନେ ମୋବାଇଲ ନିଶାରେ ପଡ଼ିଯାଇଛନ୍ତି ଏବଂ ମୋବାଇଲକୁ ଛାଡିପାରୁ ନାହାଁନ୍ତି। ଆଜିକାଲି ମୋବାଇଲ ଧରିବା ନ ଧରିବା କଥାକୁ ନେଇ ମାତାପିତାଙ୍କ ସହିତ ପିଲାମାନଙ୍କର କଳି ହେଉଛି ଓ ମନାନ୍ତର ହେଉଛି। ସେଭଳି ପରିସ୍ଥିତିର ମୁକାବିଲା କରିବା ଜରୁରୀ ହୋଇପଡ଼ିଛି। ଏହି ସମସ୍ୟାର ସମାଧାନ ଦିଗରେ ଆମେ କହିପାରିବା ଯେ, ଆଗରୁ ଗଛ ମୂଳରେ ବସି ବାଲି ଉପରେ ଗାର ଟାଣି ପିଲାମାନେ ପାଠ ପଢୁଥିଲେ। ଘରେ ବିଜୁଳିବତି ନଥିଲେ ପିଲାମାନେ ରାସ୍ତାର ବତିଖୁଂଟ ତଳେ ବସି ପଢିବାର ଅନେକ ଦୃଷ୍ଟାନ୍ତ ରହିଛି । ବହି କିଣି ପାରୁ ନଥିବା ପିଲାମାନେ ଶିକ୍ଷକଙ୍କର କଥାକୁ ଲେଖି ରଖି ପରୀକ୍ଷାରେ କୃତକାର‌୍ୟ୍ୟ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏସବୁ କଥାର ସାରକଥା ହେଉଛି – ପାଠ ପଢିବାକୁ ପ୍ରକୃତରେ ମନ ଭିତରେ ଇଚ୍ଛା ଥିଲେ, ସବୁ ପରିସ୍ଥିତିରେ ପାଠ ପଢି ହେବ। ପଢିବା ପାଇଁ ପ୍ରକୃତ ଇଚ୍ଛା ରହିଲେ ଅନ୍‌-ଲାଇନ୍ ଅଥବା ଅଫ୍‌-ଲାଇନ୍ ବ୍ୟବସ୍ଥା ପିଲାର ପଢାକୁ ପ୍ରଭାବିତ କରିପାରିବ ନାହିଁ। କିନ୍ତୁ ପଢିବା ପାଇଁ ଇଚ୍ଛା ନଥିଲେ ହାତରେ ମୋବାଇଲ ପାଇଲା ପରେ ଅନ୍‌-ଲାଇନ୍ କ୍ଲାସ୍ ଚାଲିବା ସମୟରେ ବି ପିଲାଟି ଅନ୍ୟ ସାଇଟ୍ ଖୋଲି ବିଳାସପୂର୍ଣ୍ଣ ପ୍ରୋଗ୍ରାମ୍ ଦେଖିବାରେ ସମୟ କଟେଇବ। ତେଣୁ ସମୟ ଓ ପରିସ୍ଥିତିକୁ ଖାପ ଖୁଆଇ ଆମକୁ ଆଗକୁ ବଢିବାକୁ ହେବ। କୌଣସି ବାହାନା ଚଳିବ ନାହିଁ। କୌଣସି ବାହାନା କରି ଆମେ ପଢାଠାରୁ ଦୂରେଇ ଯିବା ଆମ ନିର୍ବୋଧ ପଣିଆର ପରିଚୟ ଦେବ।

ଆମେ ଆଜି ମୋବାଇଲ ଫୋନ୍ ଭିତରେ ପଶି ତା’ ଭିତରେ ଥିବା ସୁଗୁଣକୁ ଗାନ କରୁଛୁ। ଲାପ୍‌ଟପ୍ ଭିତରେ ପଶି ତା’ ଭିତରେ ଥିବା ସୁଗୁଣକୁ ଗାନ କରୁଛୁ । ଆଇ ଫୋନ୍‌କୁ ଛାଡି ରହିପାରିବା ନାହିଁ ବୋଲି ଭାବୁଛୁ। କିନ୍ତୁ ଆମ ନିଜ ଭିତରେ ରହିଥିବା ପ୍ରତିଭାକୁ ଭଲ ଭାବରେ ଜାଣିବା ଲାଗି ଆମ ପାଖରେ ସମୟ ନାହିଁ । ମୋବାଇଲ ଫୋନ୍‌, ଲାପ୍‌ଟପ୍ ଓ ଆଇ ଫୋନ୍ ଉପରେ ଆମର ଯେତେ ଭରସା ଅଛି, ଆମ ନିଜ ଉପରେ ସେତିକି ଭରସା ନାହିଁ। ସେଇଟା ଅତି ଦୁଃଖର କଥା।

“ଆଇ କେନ୍‌” … “ମୁଁ ପାରିବି” – ଏହା ସମସ୍ତେ ଅନୁଭବ କରିବା ଜରୁରୀ। ଦୃଢ ଆତ୍ମବିଶ୍ୱାସ ରହିଲେ ପରୀକ୍ଷା ଆମକୁ ଡରେଇ ପାରିବନି। ଆଜିକାଲି ଛାତ୍ରଛାତ୍ରୀମାଙ୍କର ପରୀକ୍ଷା ଫଳାଫଳକୁ ନେଇ ମାତାପିତା ଓ ଶିକ୍ଷକଙ୍କର ଆଶା ମଧ୍ୟ ବଢିଯାଉଛି। ପିତାମାତା ତାଙ୍କ ପିଲାର ସାର୍ଟିଫିକେଟ୍‌ରେ ଶତ ପ୍ରତିଶତ ନମ୍ବର ଆଶା କରୁଛନ୍ତି। ନିଜ ସ୍କୁଲର ଗୌରବ ସକାଶେ ଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଶତ ପ୍ରତିଶତ ନମ୍ବର ଆଶା କରୁଛନ୍ତି। ସେଥିପାଇଁ ପିଲାମାନେ ଚାପଗ୍ରସ୍ତ ହେଉଛନ୍ତି।

କିନ୍ତୁ ନମ୍ବର ଉପରେ ଗୁରୁତ୍ୱ ନ ଦେଇ ପିଲାଙ୍କର ମଣିଷତ୍ୱ ବୃଦ୍ଧି ଉପରେ ଧ୍ୟାନ ଦେଲେ ପରୀକ୍ଷା ଚାପ ହ୍ରାସପାଇବ। ନୂତନ ଶିକ୍ଷାନୀତି ଏହାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରହିଛି।