Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏକତରଫା ପ୍ରେମ ଯୋଗୁଁ ବଡ଼ସିରେଇପୁର ଗ୍ରାମରେ ହୋଇଥିଲା ହତ୍ୟାକାଣ୍ଡ: ପର୍ଦ୍ଦାଫାଶ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ଏସଡ଼ିପିଓଙ୍କ ସୂଚନା ମୁତାବକ ଏକତରଫା ପ୍ରେମ ଲାଗି ଉକ୍ତ ହତ୍ୟାଟି ହୋଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ବେଳେ ଅନ୍ୟ ୩ ଜଣ ପ୍ରାପ୍ତବୟସ୍କ ଅଛନ୍ତି। ସୂଚନା ମୁତାବକ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ନାବାଳକ ଏବଂ ମୃତକ ସନ୍ତୋଷ ମହାରଣା ଉଭୟେ ଗୋଟିଏ ଝିଅକୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା।

ତେବେ ଯେହେତୁ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ଠାରୁ ବୟସରେ ବଡ଼ ଥିଲେ ତେଣୁ ତାଙ୍କୁ ପ୍ରତିବାଦ କରିବାର ସାହସ ନାବାଳକଙ୍କ ନଥିଲା। ତେଣୁ ଏ କ୍ଷେତ୍ରରେ ମୁଖ୍ୟ ନାବାଳକଙ୍କୁ ଭଗବାନ ଦାସ, ଧୀରେନ୍ଦ୍ର ସ୍ୱାଇଁ, ବିଚିତ୍ର ସାମଲ ନାମକ ତିନି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଉକ୍ତ ହତ୍ୟା କାଣ୍ଡ କରିବା ନିମନ୍ତେ ଉସକାଇବା ସହ ଦରକାର ପଡିଲେ ଏଥିପାଇଁ ତାଙ୍କୁ ଅନ୍ୟାୟ ଆନୁସଙ୍ଗିକ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ।

ପୂର୍ବଯୋଜନା ମୁତାବକ ଘଟଣା ଦିନ ଝିଅର ଜଣେ ନାବାଳକ ମାମୁଁଙ୍କ ସହିତ ମୃତକଙ୍କ ଝଗଡା ଓ ମାରପିଟ ହୋଇଥିଲା। ଏହାପରେ ମୁଖ୍ୟ ନାବାଳକ ଏବଂ ଅନ୍ୟ ଦୁଇ ନାବାଳକ ମିଶି ମୃତ ସନ୍ତୋଷଙ୍କ ସହ ପୁଣି ଝଗଡା କରିଥିଲେ। ସେହି ସମୟରେ ଫେରାର ଥିବା ଜଣେ ନାବାଳକ ମୁଖ୍ୟ ନାବାଳକଙ୍କୁ ଏକ ଛୁରୀ ଦେଇଥିଲେ ଯାହା ଦ୍ୱାରା ମୁଖ୍ୟ ନାବାଳକ ଉକ୍ତ ଛୁରୀ ଦ୍ୱାରା ସନ୍ତୋଷଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମସ୍ତ ତିନି ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନୁସନ୍ଧାନ କରିବା ପରେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳକ ଏବଂ ତିନି ଜଣ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଅଦ୍ୟାବଧି ଫେରାର ଅଛନ୍ତି। ତେବେ ଦୁଇ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ଙ୍କ ସମ୍ମୁଖରେ ହାଜର କରାଯିବା ସହ ଅନ୍ୟ ପ୍ରାପ୍ତ ବୟସ୍କ ଅଭିଯୁକ୍ତ ମାନଙ୍କୁ ବାଣପୁର କୋର୍ଟରେ ହାଜର କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡ ଭିଆଇଲା ପରେ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କୁ ଅଭିଯୁକ୍ତ ବିଚିତ୍ର ଏବଂ ଅଭିଯୁକ୍ତ ଧୀରେନ୍ଦ୍ର ଅନ୍ୟ ଜଣଙ୍କ ଘରେ ଲୁଚାଇ ରଖିଥିଲେ ଯାହାକୁ ପୋଲିସ ବହୁ ଖୋଜାଖୋଜି କରିବା ପରେ ଠାବ କରଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାରେ ଫେରାର ଥିବା ନାବାଳକଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଶଙ୍କର ସ୍ୱାଇଁଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।  ଉକ୍ତ କେସର ପ୍ରତ୍ୟକ୍ଷ ତତ୍ୱାବଧାନ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା କରୁଥିବା ବେଳେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ଏସଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଏବଂ ଉମାକାନ୍ତ ସାହୁଙ୍କ ଉଲ୍ଲେଖନୀୟ ଭୂମିକା ଥିବା ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)।

ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା ସହ ନକଦ ପଇସା ମଧ୍ୟ ଲୁଟିନେଇଥିଲେ।

ପରବର୍ତ୍ତୀ ସମୟରେ ତିନି ଜଣ ପରସ୍ପର ମଧ୍ୟରେ ଚୋରି ଜିନିଷକୁ ବାଣ୍ଟିନେଇଥିଲେ। ତେବେ କେତେକ ଅଳଙ୍କାର ସେମାନେ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ଥଳେ ଆଉ କେତେକ ଅଳଙ୍କାର ବାଜାଜ ଫାଇନାନ୍ସ ରେ ବନ୍ଧା ପକାଇଥିଲେ।

ଦୀର୍ଘ ପନ୍ଦର ଦିନ ହେବ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ବିଜୟ କୁମାର ମଲ୍ଲିକ ଉକ୍ତ ଘଟଣାର ଅନୁସନ୍ଧାନରେ ଲାଗିପଡ଼ିଥିବା  ସ୍ଥଳେ ଗତକାଲି ଉଭୟଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଛନ୍ତି।

ସେମାନଙ୍କ ନିକଟରୁ ୧ ଟି ସୁନା ହାର, ଏକ ଯୋଡି ସୁନା ଶଙ୍ଖା, ୧ ଟି ସୁନା ଲକେଟ, ୧ ଟି ସୁନା ମୁଦି, ଏକ ଯୋଡି ସୁନା କାନ ଫୁଲ, ୧ ଟି ସୁନା ଚେନ, ନକଦ ୨୦ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟେ ମଟରସାଇକେଲ ପୋଲିସ ଜବତ କରିଛି। ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱର ଛକ ନିକଟରୁ ୫.୫ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାକୁ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଖୋର୍ଦ୍ଧା ଏସପିଙ୍କ  ନିର୍ଦ୍ଦେଶରେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର, ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କା, ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା

ତେବେ ଗତକାଲି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୧୦ ହଜାର ୩ ଶହ ୮୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟେ ଖଣ୍ଡା, ୫ଟି  ମୋବାଇଲ ଏବଂ ୩ଟି ମଟରସାଇକେଲ ଜବତ ହୋଇଛି। ଏନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଆଜି ମଧ୍ୟାହ୍ନରେ ଜଙ୍କିଆ ଥାନାରେ ଏକ ପ୍ରେସମିଟ ଜରିଆରେ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦  କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଲୁଟେରାମାନେ ଚାଳକଙ୍କୁ ଭୁଜାଲି ଓ  ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୫ ଲକ୍ଷ  ୫୦ ହଜାର ଟଙ୍କା ଲୁଟି ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ପାଞ୍ଚ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ସଫଳତା ମିଳିଛି। ଗତ ୧୫ ତାରିଖରେ ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ସମ୍ମିଳନୀରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ୍.ଆଇ ରାଜକିଶୋର ବେହେରା ଏବଂ ଏ.ଏସ୍.ଆଇ ମହେନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ଥିଲେ।

ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଉକ୍ତ ଡକାୟତରେ ଅଭିଯୋଗକାରୀ ଉମାକାନ୍ତ ସିଂହଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର ପ୍ରଥମରୁ ଡକାୟତଙ୍କ ସହ ସମ୍ପର୍କରେ ଥିଲେ। ଯାହାଫଳରେ ସେ ପୂର୍ବରୁ ଅଭିଯୋଗକାରୀଙ୍କ ବିଷୟରେ ଡକାୟତମାନଙ୍କୁ ସବୁ ଗତିବିଧି ଏବଂ କାର୍ଯ୍ୟକଳାପର ସୂଚନା ଦେଇଆସୁଥିଲେ। ପୂର୍ବ ଯୋଜନା ମୁତାବକ ଗାଡ଼ି ଚାଳକ ଉକ୍ତ ଦିନ ଘଟଣାସ୍ଥଳରେ କାରର ଗତିକୁ ଜାଣିଶୁଣି ଧୀର କରିଥିଲେ। ଯାହାଫଳରେ ଡକାୟତମାନେ ଦୁଇ ଗୋଟି ମଟର ସାଇକେଲରେ ଆସି ବନ୍ଧୁକମୁନରେ ଭୟଭୀତ କରି ୫ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଠାରୁ ଲୁଟି ଫେରାର ହୋଇଯାଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଡକାୟତିରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ନକଦ ୯୦ ହଜାର ଟଙ୍କା, ଗୋଟେ ସ୍କୁଟି, ଗୋଟେ ଏଟିଏମ୍ କାର୍ଡ ସହ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଗିରଫ ହୋଇଥିବା ତିନି ଅଭିଯୁକ୍ତ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ତିନି ଗୋଟି ଥାନା ଅଞ୍ଚଳର ପାଞ୍ଚ ଗୋଟି ମାମଲାରେ ଜଡିତମଧ୍ୟ ଅଛନ୍ତି। ତେବେ ଆଜି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ଶ୍ରୀ ବାରିକ। ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନୀୟ ରଖିଛି ପୋଲିସ।

ଲୁଟ ହେବା ଦିନଠାରୁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଏବଂ ଅନ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲା ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା। ତେବେ ବାଣପୁର ପୋଲିସକୁ ଉକ୍ତ ଘଟଣାରେ ସାମାନ୍ୟ ଆଶ୍ବସ୍ତି ମିଳିଥିବାବେଳେ ଏଯାବତ ଦକ୍ଷେଶ୍ୱର ମନ୍ଦିର ମୂର୍ତ୍ତି ଚୋରି ଏବଂ ବାଇପାସରୁ ୧୫ ଲକ୍ଷ ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚାଲେଞ୍ଜର ବିଷୟ ପାଲଟିଛି।