Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହ୍ରଦରେ ଅମୃତ ଧରୋହର କ୍ଷମତା ବୃଦ୍ଧି ଯୋଜନାରେ ପ୍ରଶିକ୍ଷଣ ପ୍ରଦାନ

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରଣାଳୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍ ଏବଂ ସିସି) ସହଯୋଗରେ ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଡ. ସାଗନିକ ଚୌଧୁରୀଙ୍କ ଉପସ୍ଥିତିରେ ଚିଲିକା ହ୍ରଦର ସ୍ଥାନୀୟ ସଦସ୍ୟ, ଡଙ୍ଗା ମାଲିକ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପାଇଁ ୬ ଜାନୁଆରୀ ୨୦୨୪ରେ ଅମୃତ ଧରୋହର କ୍ଷମତା ନିର୍ମାଣ ଯୋଜନା ଅଧୀନରେ ପଞ୍ଚମ ପ୍ରଶିକ୍ଷଣ ଆରମ୍ଭ କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ, ଏମ୍ ଓ ଇଏଫ୍ ଆଣ୍ଡ ସିସିର ବୈଜ୍ଞାନିକ ‘ଇ’, ଆଇଆଇଟିଟିଏମ୍ ଭୁବନେଶ୍ୱରର ନୋଡାଲ ଅଫିସର ତଥା ମୁଖ୍ୟ ଡ. ଏମ୍ ଡି ସାବିର ହୁସେନ୍, ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ର ଅତିରିକ୍ତ ସିଇଓ ଡ. ଅମ୍ଳାନ ନାୟକ ଏବଂ ଓଡ଼ିଶା ସରକାରଙ୍କ ସିଡିଏ ଓ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଅଧୀନରେ ୧୫ ଦିନ ଲେଖାଏଁ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥା ଅଲଟରନେଟିଭ ଲାଇଭଲିହୁଡ୍ ପ୍ରୋଗ୍ରାମ (ଏଏଲପି) ଏବଂ ପରିବେଶ ନାଭିକ ସାର୍ଟିଫିକେଟ (ପିଏନସି) ଆୟୋଜନ କରାଯିବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହାୟତାରେ ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ସମ୍ପ୍ରଦାୟରୁ ମୋଟ ୬୦ ଜଣ ପ୍ରତିଯୋଗୀ (ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ୩୦ ଜଣ) ଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରକୃତି-ମାର୍ଗଦର୍ଶକ ଭାବେ ସାର୍ଟିଫିକେଟ୍ ଦିଆଯାଇଥିଲା।

ଏମଓଇଏଫ୍ ଆଣ୍ଡ ସିସିର ଅମୃତ ଧରୋହର  ଇନିସିଏଟିଭ୍ ଅଧୀନରେ ସାରା ଦେଶରେ ରାମସାର ସ୍ଥଳୀଗୁଡ଼ିକର ପ୍ରକୃତି-ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ସମୁଦାୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସର ଏହା ଏକ ଅଂଶ । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି, ଯଶବନ୍ତ ସାଗର, ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଚିଲିକା ହ୍ରଦ ଭଳି ପାଞ୍ଚଟି ପ୍ରାଥମିକ ରାମସାର ସ୍ଥାନ ଚିହ୍ନଟ କରାଯାଇଥିଲା। ସୁଲତାନପୁର ଜାତୀୟ ଉଦ୍ୟାନ, ସିରପୁର ଆର୍ଦ୍ରଭୂମି ଏବଂ ଯଶବନ୍ତ ସାଗର ପାଇଁ ପ୍ରଥମ ତିନୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିସେମ୍ବର ୨୦୨୩ ରେ ସଫଳତାର ସହ ଶେଷ ହୋଇଛି ଏବଂ ଚତୁର୍ଥ ପ୍ରଶିକ୍ଷଣ ଯାହା ୫ ଜାନୁଆରୀ ୨୦୨୪ ରେ ଉଦଘାଟିତ ହୋଇଥିଲା ତାହା ବର୍ତ୍ତମାନ ଚାଲିଛି ।

Categories
ଆଜିର ଖବର ଜାତୀୟ ଖବର

‘ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗ’ ଉପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୱେବିନାର ଆୟୋଜିତ

ନୂଆଦିଲ୍ଲୀ: ଅଖଣ୍ଡ ଭାରତ ସଂକଳ୍ପକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ସୂତ୍ରକୁ ଯୋଡ଼ିବା ଲାଗି ପ୍ରୟାସ କରାଯାଉଛି। ଏହି କ୍ରମରେ ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ରହିଥିବା ପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ଦେଖୋ ଆପନା ଦେଶ’ ପ୍ରୟାସ ଜରିଆରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପର୍ଯ୍ୟଟନ ଆଧାରିତ ବିଷୟବସ୍ତୁ ଉପରେ ୱେବିନାର ଆୟୋଜନ କରାଯାଉଛି। ଇତିମଧ୍ୟରେ ‘‘ପର୍ଯ୍ୟଟନ ଗାଇଡମାନଙ୍କ ସହିତ ୭୫ଟି ଲକ୍ଷ୍ୟସ୍ଥଳୀ’’ କାର୍ଯ୍ୟକ୍ରମ ଅଧୀନରେ ’ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗମ ମନ୍ଦିର’ ଉପରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏହାକୁ କ୍ଷେତ୍ରୀୟ ସ୍ତରର ଗାଇଡ ଉମେଶ ନାମଦେବ ଯାଦବ ଉପସ୍ଥାପନ କରିଥିଲେ।

ଏହି ୱେବିନାରରେ ମହାରାଷ୍ଟ୍ରରେ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ, ଲୋକପ୍ରିୟ, ଧାର୍ମିକ ଏବଂ ଆଧ୍ୟାତ୍ମିକ ସ୍ଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହାରାଷ୍ଟ୍ରରେ ତ୍ରୈମ୍ବକେଶ୍ବର, ଭୀମାଶଙ୍କର, ପାରାଲି, ବୈଜନାଥ, ଘୃଷ୍ଣେଶ୍ବର ଏବଂ ଔନ୍ଧ ନାଗନାଥ ଭଳି ପ୍ରମୁଖ ଜ୍ୟୋତିର୍ଲିଙ୍ଗ ପୀଠ ରହିଛି। ଏଠାରେ ଅନାଦି କାଳରୁ ଭଗବାନ ଶିବଙ୍କୁ ଜ୍ୟୋତିର୍ଲିଙ୍ଗ ସ୍ବରୂପରେ ପୂଜା କରାଯାଉଛି। ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା ରହିଛି। ଏସବୁ ଶୈବ ପୀଠ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଇତିହାସ ଓ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ।

ତ୍ରୈମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ ନାସିକ ଠାରୁ ୨୮ କିମି ଦୂର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ସିଂହସ୍ଥ ମେଳା (କୁମ୍ଭ ମେଳା)ର ୪ଟି ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ। ଏଠାରେ ଆୟୋଜିତ ହେଉଥିବା ମେଳାରେ ସାରା ଦେଶରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥାନ୍ତି।

ଭୀମାଶଙ୍କର ଭଗବାନ ଶିବଙ୍କର ଏକ ପ୍ରାଚୀନ ପୀଠ ଯାହାକି ମହାରାଷ୍ଟ୍ରର ସହ୍ୟାଦ୍ରୀ ପର୍ବତ ମାଳାରେ ଅବସ୍ଥିତ। ପୁଣେ ଜିଲ୍ଲାରେ ଅବସ୍ଥିତ ଏହି ଶୈବ ପୀଠ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ।

ଘୃଷ୍ଣେଶ୍ବର ବା ଘୁଷ୍ମେଶ୍ବର ଜ୍ୟୋତିର୍ଲିଙ୍ଗ ପୀଠ ମହାରାଷ୍ଟ୍ରର ଔରଙ୍ଗାବାଦରେ ରହିଛି। ଏହି ମନ୍ଦିର ଏକାଦଶ-ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ। ବର୍ତ୍ତମାନର ମନ୍ଦିରକୁ ରାଣୀ ଅହଲ୍ୟା ବାଈ ହୋଲକର ପୁନନିର୍ମାଣ କରାଇଥିଲେ। ଏହି ପୀଠ ଠାରୁ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ଅଜନ୍ତା-ଏଲୋରା ଗୁମ୍ଫା ଅଳ୍ପ ଦୂରରେ ରହିଛି।

ସୂଚନାଯୋଗ୍ୟ ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ ଗଭର୍ଣ୍ଣାନ୍ସ ବିଭାଗର ବୈଷୟିକ ସହଭାଗିତାରେ ଦେଖୋ ଅପନା ଦେଶ ୱେବିନାର ସିରିଜ ଆୟୋଜନ କରାଯାଇଛି। ଏହି ୱେବିନାରର ଅଧିବେଶନଗୁଡ଼ିକ ଏବେ https://www.youtube.com/channel/UCbzIbBmMvtvH7d6Zo_ZEHDA/featured  ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ସମସ୍ତ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଉପଳବ୍ଧ ରହିଛି।