Categories
ବିଶେଷ ଖବର

ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ରଗୁଡ଼ିକର ଉତ୍ତମ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅବିବୃଦ୍ଧି କ୍ଷେତ୍ରରେ ଅନ୍ୟଏକ ପଦକ୍ଷେପ ଭାବେ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୪ ଟି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୩୫ ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ ଟି କେନ୍ଦ୍ର ପୂର୍ତ୍ତବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଛି। ଏହାଛଡ଼ା ପ୍ରକୃତି ପର୍ଯ୍ୟଟନ-ସ୍ଥଳୀ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗମାଧ୍ୟମରେ ମଧ୍ୟ ପର୍ଯ୍ୟଟନ-ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି।

ବୈଠକରେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ରଗୃଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ନିରନ୍ତର ପରିଚାଳନା ଏବଂ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଆଦିକୁ ବିଚାର କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଂଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେସନ୍ ମାଧ୍ୟମରେ ଏହିସବୁ କେନ୍ଦ୍ରର ପରିଚାଳନା ନିମନ୍ତେ ନିତୀଗତ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ବିଭାଗ ଦ୍ୱାରା ସଂପୃକ୍ତ ପରିଚାଳକ ସଂଘର ସକ୍ରିୟ ସହଯୋଗରେ କରାହେବ । କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଏବଂ ନିରାପଦ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପୁର୍ତ୍ତ, ପର୍ଯ୍ୟଟନ ଏବଂ ମିଶନଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଭ୍ରମଣକାରୀ ଏବଂ ପର୍ଯ୍ୟଟକମାନେ ସାଧାରଣତଃ ଯିବା ଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନ ଗୁଡିକୁ ଚିହ୍ନଟ କରି ସେସବୁର ଏକ ସଂକ୍ଷିପ୍ତ ବିବରଣୀ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରାମ ଉନ୍ନୟନ ଓ ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସୁନ୍ଦର ସ୍ଥାନ ଗୁଡିକର ବିକାଶ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଶୌଚାଳୟ, ବସିଥିବା ସ୍ଥାନ ଏବଂ ଛୋଟ ପାର୍କିଂ ସ୍ଥାନ ଆଦିର ସୁବିଧା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା କରାଗଲେ ପର୍ଯ୍ୟଟକମାନେ “ଦୀର୍ଘ ଯାତ୍ରାର କ୍ଲାନ୍ତିରୁ ସାମାନ୍ୟ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରିପାରିବେ”, ଏବଂ ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂଫୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ମଦ ପ୍ରସାରଣ ନହେଉ: ଓଡ଼ିଶା ନିଶା ନିବାରଣ ଅଭିଯାନ

ଭୁବନେଶ୍ୱର: ଓଡିଶାର ବିସ୍ତିର୍ଣ୍ଣ ବେଳାଭୂମି ଓ ଖଣିଜ ପଦାର୍ଥ ପରିପୂର୍ଣ୍ଣ ପାହାଡ ଏବଂ ପ୍ରାକୃତିକ ସଂପଦର ସଦୁପଯୋଗ ନ ହୋଇପାରିବାରୁ ଦେଶର ଆର୍ଥିକ ମାନଚିତ୍ରରେ ରାଜ୍ୟକୁ ଗରୀବ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାକୁ ପଡିଛି। ରାଜ୍ୟ ସଂପଦର ପ୍ରକୃତ ମାଲିକ ଜନସାଧାରଣଙ୍କୁ ଆର୍ଥିକ ଦୁର୍ଗତ ମଧ୍ୟରେ ଗତି କରିବାକୁ ପଡୁଛି। ରାଜ୍ୟରେ ସରକାରୀ ପ୍ରୋତ୍ସାହନରେ ମଦ ବିକ୍ରୀର ପ୍ରାବଲ୍ୟ ଯୋଗୁଁ ରାସ୍ତା ଦୁର୍ଘଟଣା, ଘରୋଇ ହିଂସା, ସାମାଜିକ କ୍ଷେତ୍ରରେ ବ୍ୟାପକ ଗଣ୍ଡଗୋଳ ତଥା ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଅବକ୍ଷୟ ଏକ ଚିନ୍ତାଜନକ ଅବସ୍ଥାରେ ପହଂଚିଛି।

ସୁଖର କଥା, ବିଳମ୍ବରେ ହେଲେବି ସରକାର ରାଜ୍ୟର ପ୍ରାକୃତିକ ସଂପଦ ଓ ସୁଦୀର୍ଘ ବେଳାଭୂମିକୁ ଉପଯୋଗ କରି ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପରିକଳ୍ପନା କରିଛନ୍ତି। ମାତ୍ର ଏହି ପରିକଳ୍ପନା ସହ ଯୋଡାହୋଇଥିବା ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନା ସରକାରଙ୍କର ସମସ୍ତ ପରିକଳ୍ପନାକୁ ପାଉଁଶ ଗଦାରେ ପରିଣତ କରି ରାଜ୍ୟକୁ ଅପରାଧୀଙ୍କ ଚରାଭୂଇଁରେ ପରିଣତ କରିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ।

ଯେତେ ଖଣିଖାଦାନ ଅଥବା ଶିଳ୍ପାଂଚଳରେ ମଦପ୍ରସାରଣ ଘଟିଛି, ସେ ଅଂଚଳର ଶ୍ରମିକ କର୍ମଜୀବୀ ବା ସାଧାରଣ ଜନତା ବାହାରି ଉନ୍ନତି ଘଟି ନ ଥିବାର ପୁଞ୍ଜାପୁଞ୍ଜ ଦୃଷ୍ଟାନ୍ତ ଆମ ଚାରିପଟରେ ଦୃଶ୍ୟମାନ। ସର୍ବୋପରି ଆଜି ରାଜ୍ୟର ଦୁଃସ୍ଥିତି ପାଇଁ ମଦ ଏକ ଶକ୍ତ କାରଣ ସାଜିଛି; ତା ସରକାରୀ ମହଲରେ କତ୍ତୃପକ୍ଷ ଦେଖି ମଧ୍ୟ ନ ଦେଖିବାର ଛଳନା କରୁଛନ୍ତି କାରଣ ମଦମାଫିଆଙ୍କ କବଜ୍ଜାରେ ସମଗ୍ର ପ୍ରଶାସନ ପରିଚାଳିତ ହେବା ଅନୁମେୟ ହୁଏ। ସବୁଠାରୁ ଦୁର୍ଭାଗ୍ୟପୂଣ୍ର୍ଣ୍ର କଥା,ମଦମାଫିଆଙ୍କ ପ୍ରରୋଚନାରେ କରୋନା ମହାମାରୀ ସମୟରେ ମଧ୍ୟ ମଣିଷର ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରୁଥିବା ମଦର ବିକ୍ରୀକୁ ବ୍ୟାପକ କରାଗଲା।

ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ପୁରୀ ଭଳି ଏକ ବିଶ୍ୱପ୍ରସିଦ୍ଧ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ନେଇ ଗର୍ବ କରୁଥିବା ଓଡିଶାକୁ ମଧ୍ୟ ଏଥିରୁ ବାଦ ଦିଆଯାଇନାହିଁ ଯାହା ରାଜ୍ୟସରକାରଙ୍କର ଓଡିଆ ବିରୋଧୀ ମନୋବୃତ୍ତିକୁ ପ୍ରତ୍ୟକ୍ଷ ପ୍ରମାଣିତ କରୁଛି।

ଏଣୁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସମଗ୍ର ହିତ ଦୃଷ୍ଟିରୁ, ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବିସ୍ତିର୍ଣ୍ଣ ବେଳାଭୂମି ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନା ହାତକୁ ନିଆଯାଉ କିନ୍ତୁ ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ ଦିଆଯାଉ। ଅନ୍ୟଥା, ରାଜ୍ୟର ସଚେତନ ନାଗରୀକ ସମାଜ ମଦ ପ୍ରସାରଣ ବିରୋଧରେ ଦୃଢସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେବ।

ଏହି ସଂକ୍ରାନ୍ତରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗଙ୍କୁ ସାକ୍ଷାତ୍ କରି ସରକାରଙ୍କ ମଦ ପ୍ରସାରଣ ଯୋଜନାକୁ ନକରିବା ପାଇଁ ଦାବି ଜଣାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆଜିର ଏହି ଆଲୋଚନା ଏବଂ ବିକ୍ଷୋଭ ପ୍ରଦର୍ଶନରେ ମୋନାର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ସହ ସର୍ବଶ୍ରୀ ଖଗେଶ୍ୱର ବଳ, ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ, ମଳୟ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଜିତେନ୍ଦ୍ର ଦାଶ, ଚିତ୍ରୁପା ଅପା, ଇନ୍ଦୁ ଅପା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।