Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ପାଇକ ବିଦ୍ରୋହ ଉପରେ ଆଧାରିତ ‘ବିଦ୍ରୋହୀ’ ଧାରାବାହିକ ଦେଖିବେ ଗୃହମନ୍ତ୍ରୀ, ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କିନିଂ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ ।

ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ୱାରା ଏହି ସ୍ପେଶାଲ ସ୍କିନିଂର ଆୟୋଜନ କରାଯାଇଛି । ‘ଷ୍ଟାର୍ ପ୍ଲସ୍’ ଭଳି ଜାତୀୟ ସ୍ତରର ପ୍ରମୁଖ ଇଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ଓ ହଟ୍ ଷ୍ଟାର୍ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ବିଦ୍ରୋହୀ ପ୍ରସାରଣ ହେଉଥିଲା ।

ଆଜି ସଂଧ୍ୟା ୮ଟାରେ ‘ବିଦ୍ରୋହୀ’ ସିରିଏଲର ସ୍ପେଶାଲ ସ୍କିନିଂ କରାଯିବ । ଏହି  କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖିତ । ଇଂରେଜମାନଙ୍କ କଠୋର ଆଇନ ବିରୋଧରେ ବୀର ପାଇକମାନଙ୍କ ଭୂମିକା, ତ୍ୟାଗ, ପରାକ୍ରମ ଓ ବିଦ୍ରୋହ ଉପରେ ଏହା ପର୍ଯ୍ୟବେଷିତ ।

ସୁବ୍ରତ ସିହ୍ନାଙ୍କ ପ୍ରଯୋଜିତ ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଶରଦ ମାଲହୋତ୍ରା ଅଭିନୟ କରିଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ରାଣୀ ଭୂମିକାରେ ଅଭିନେତ୍ରୀ ହେମଲ ଦେବ୍ ଏବଂ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଅଭିନୟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ଦିବସରେ ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ଦାବି ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି।

ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ ପାଇକ ମହାସଂଘ ଆହ୍ୱାନ କରୁଛି। ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକ ବା କ୍ଷତ୍ରିୟର ଧର୍ମ। ରଣରଙ୍କା ପାଇକମାନେ ନିଜ ମାତୃଭୂମିର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ରଣହୁଙ୍କାର ଡ଼ାକରା ଦେଇଥିଲେ।

ପରନ୍ତୁ ଆଜି କିଛି ଅଣପାଇକ, ଚିଟ୍‌ଫଣ୍ଡ ଦଲାଲ, ଜମି ଦଲାଲ ଯେଉଁମାନଙ୍କ ପୂର୍ବପୁରୁଷ ଇଂରେଜମାନଙ୍କ ସହିତ ସାମିଲ୍ ହୋଇ ପାଇକ ବୀରମାନଙ୍କୁ ଇଂରେଜ ହାତରେ ଧରାଇ ଦେଇଥିଲେ, ସେହିମାନେ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପାଇକମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦି ପୁଣି ପାଇକମାନଙ୍କୁ ପଶାପାଲିରେ ବାଜି ଲଗାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମା’କୁ ଭଲପାଅ, ମାଟିକୁ ଭଲପାଅ, ଏହି ବାର୍ତ୍ତା ପ୍ରଦାନ କରିଛି ମହାସଂଘ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ବିଭୂତ ଭୂଷଣ ସ୍ୱାଇଁ, ମୁଖପାତ୍ର ରାଜୀବ ନୟନ ରଥ, ଇଂ. ଶିବ ପ୍ରସାଦ ମିଶ୍ର, କାକଟପୁର ପାଇକ ସର୍ଦ୍ଦାର ସୁଧାକର ନାୟକ ପମୁଖ ଉପସ୍ଥିତ ଥିଲେ।