Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସମବାୟ ବ୍ୟାଙ୍କ ଦ୍ଵାରା ପାକ୍ସଗୁଡିକୁ ସହାୟତା ପ୍ରଦାନ, ୫୦ହଜାର ଟଙ୍କା ଲେଖାଏଁ କରିବେ ଖର୍ଚ୍ଚ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ।

ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି l  ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

ବିଳମ୍ବ ନ କରି  ସମୟୋଚିତ ଢଙ୍ଗରେ ଏହି ଆର୍ଥିକ ସହାୟତା ରାଶିର ସୁବିନିଯୋଗ ଜରୁରୀ।ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ  ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ବ୍ଲକରେ ଥିବା ପାକ୍ସ ଗୁଡିକୁ ଏହି ସହାୟତା ରାଶି ପ୍ରଦାନ କରାଯିବ।

ଓଡ଼ିଶା ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଟି ପ୍ରସାଦ ରାଓ ଦୋରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସାରା ଭାରତରେ ଚାଷୀଙ୍କ ବୀମାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି। ଲ୍ୟାମ୍ପ୍ସ ଓ ପାକ୍ସ ଗୁଡିକର କମ୍ପୁଟରୀକରଣ , ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଓ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି।

ଜାତୀୟ ସ୍ତରରେ କୃଷି କ୍ଷେତ୍ରକୁ ସମବାୟ ଋଣ ମାତ୍ର ୧୭ ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି ନିମନ୍ତେ ସମବାୟ ଋଣ ୫୨ ପ୍ରତିଶତ ହାସଲ କରିବା ନିଶ୍ଚିତ ରୂପେ ଗୌରବର ବିଷୟ ବୋଲି ଶ୍ରୀ ଦୋରା ମତବ୍ୟକ୍ତ କରିଥିଲେ।

ବୈଠକରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦ୍ଧବ ଚନ୍ଦ୍ର ମାଝୀ ,  କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନନ୍ତ କୁମାର ସାମଲ ଏବଂ ୩୪ ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି, ଉପସଭାପତି ଓ  ସମ୍ପାଦକଗଣ ଏହି ସମାରୋହରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

୨୦୦୦ ପାକ୍‍ସକୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ଓ ସାର ମନ୍ତ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ  ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଏବଂ ଆଉ ୧୦୦୦ଟି ଡିସେମ୍ବର ସୁଦ୍ଧା ଖୋଲିବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସ ର ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବ। ସମବାୟ ମନ୍ତ୍ରଣାଳୟର ସଚିବ, ରସାୟନିକ ଏବଂ ସାର ବିଭାଗର ସଚିବ ଏବଂ ସମବାୟ ମନ୍ତ୍ରଣାଳୟ ତଥା ରସାୟନିକ ଏବଂ ସାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୪୦୦ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଏହି ଜନ ଔଷଧି କେନ୍ଦ୍ରରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପଲବ୍ଧ ହେଉଛି। ବ୍ରାଣ୍ଡେଡ୍ ଔଷଧ ତୁଳନାରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ୫୦% ରୁ ୯୦% କମ୍ ହାରରେ ଔଷଧ ଉପଲବ୍ଧ। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ବ୍ୟକ୍ତିଗତ ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ହେଉଛି ଡି ଫାର୍ମା / ବି ଫାର୍ମା। ଯେକୌଣସି ସଂସ୍ଥା, ଏନଜିଓ, ସେବା ସଂଗଠନ ଏବଂ ଡାକ୍ତରଖାନା ବି ଫାର୍ମା / ଡି ଫାର୍ମା ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରି ଏଥିପାଇଁ ଆବେଦନ କରିପାରିବେ।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅତି କମରେ ୧୨୦ ବର୍ଗଫୁଟ ଜାଗା ଘରୋଇ ମାଲିକାନା କିମ୍ବା ଭଡାରେ ଉପଲବ୍ଧ ହେବା ଆବଶ୍ୟକ। ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ ଶୁଳ୍କ ହେଉଛି ୫୦୦୦ ଟଙ୍କା। ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସେନା କର୍ମଚାରୀମାନେ ସ୍ୱତନ୍ତ୍ର ବର୍ଗ ଅଧୀନରେ ଆସୁଛନ୍ତି। ଆକାଂକ୍ଷା ଜିଲ୍ଲା, ହିମାଳୟ ପର୍ବତ୍ୟାଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଆଦି ସ୍ୱତନ୍ତ୍ର ଅଞ୍ଚଳ ବର୍ଗରେ ଆସୁଛି। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କରେ ଛାଡ ବ୍ୟବସ୍ଥା ରହିଛି।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପାଇଁ ପ୍ରୋତ୍ସାହନ ରାଶି ହେଉଛି ୫ ଲକ୍ଷ ଟଙ୍କା (ମାସିକ କ୍ରୟର ୧୫% କିମ୍ବା ମାସିକ ସର୍ବାଧିକ ୧୫,୦୦୦ ଟଙ୍କା)। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳ କ୍ଷେତ୍ରରେ ଆଇଟି ଏବଂ ଭିତ୍ତିଭୂମି ପାଇଁ ଫେରସ୍ତ ପରିଶୋଧ ବାବଦରେ ୨ଲକ୍ଷ ଟଙ୍କାର ଏକ କାଳୀନ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।