Categories
ଆଜିର ଖବର ଜାତୀୟ ଖବର

ପାଟନାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସଚିବ, ସଦସ୍ୟ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବାଞ୍ଚଳ ଦେଶର ସାଂସ୍କୃତିକ ରାଜଧାନୀ ହୋଇଥିବାରୁ ପ୍ରାଚୀନ କାଳରୁ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର କେନ୍ଦ୍ରସ୍ଥଳୀ ଭାବେ ରହିଆସିଛି। ପୂର୍ବାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ ପରୀକ୍ଷଣ କରାଯାଇଛି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ପୂର୍ବାଞ୍ଚଳର ପିଲାମାନେ ସବୁଠାରୁ ସଫଳ ହେଉଛନ୍ତି ବୋଲି ସେ କହିଥିଲେ। ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବାଞ୍ଚଳ ସମଗ୍ର ଦେଶର ଶିଳ୍ପ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଏବଂ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ପୁନଃବିକାଶରେ ଏହି ଅଞ୍ଚଳର ଅନେକ ଦେଶପ୍ରେମୀ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏହି ଅଞ୍ଚଳ ଖଣିଜ ସମ୍ପଦ ଏବଂ ଜଳରେ ସମୃଦ୍ଧ। ବିହାର, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପୂର୍ବାଞ୍ଚଳ ରାଜ୍ୟ ସମଗ୍ର ଦେଶର ଆବଶ୍ୟକତା ପାଇଁ ପ୍ରାୟ ସମସ୍ତ ଖଣିଜ ସମ୍ପଦ ଯୋଗାଇ ଦେଇଛନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷ ମଧ୍ୟରେ ସହଯୋଗୀ ସଂଘୀୟ ଭାବନାକୁ ସୁଦୃଢ଼ କରିବା ପାଇଁ ଏକ ଦୂରଦୃଷ୍ଟି ଦେଇଛନ୍ତି ଏବଂ ଏହାକୁ ସାକାର ମଧ୍ୟ କରିଛନ୍ତି । ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଞ୍ଚଳିକ ପରିଷଦ ବୈଠକ ସଂଖ୍ୟା ବୃଦ୍ଧିର ତଥ୍ୟ ଦେଇ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୦୪ରୁ ମେ ୨୦୧୪ ମଧ୍ୟରେ ଆଞ୍ଚଳିକ ପରିଷଦ ଏବଂ ସେମାନଙ୍କର ଷ୍ଟାଣ୍ଡିଂ କମିଟିର ସମୁଦାୟ ବୈଠକ ସଂଖ୍ୟା ମାତ୍ର ୨୫ ଥିଲା ଏବଂ ପ୍ରତିବର୍ଷ ହାରାହାରି ୨.୭ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ୨୦୧୪ ଜୁନ୍ ମାସରୁ ଗତ ୯ ବର୍ଷ ମଧ୍ୟରେ କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ଆଞ୍ଚଳିକ ପରିଷଦ ଓ ସେମାନଙ୍କ ଷ୍ଟାଣ୍ଡିଂ କମିଟିର ସମୁଦାୟ ୫୬ଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ପ୍ରତିବର୍ଷ ହାରାହାରି ୬.୨ଟି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଆଞ୍ଚଳିକ ପରିଷଦର ୪ଟି ବୈଠକ ଓ ଷ୍ଟାଣ୍ଡିଂ କମିଟିର ୫ଟି ବୈଠକକୁ ମିଶାଇ ମୋଟ ୯ଟି ବୈଠକ ଅନୁଷ୍ଠିତ ହୋଇଛି। ସେ କହିଛନ୍ତି, ବୈଠକ ସଂଖ୍ୟା ଦ୍ୱିଗୁଣିତ ହେବା ପ୍ରଧାନମନ୍ତ୍ରୀ ମୋଦୀ ଟିମ୍ ଇଣ୍ଡିଆ ବିଚାରକୁ ପ୍ରତିଫଳିତ କରୁଛି।

ପାଖାପାଖି ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି, ଆଞ୍ଚଳିକ ପରିଷଦର ବୈଠକରେ ୧୧୫୭ଟି ସମସ୍ୟାର ସମାଧାନ ହୋଇଛି। ଆଞ୍ଚଳିକ ପରିଷଦର ବୈଠକରେ ରାଜନୈତିକ ଦଳଗୁଡିକ ଉପରେ ମତଭେଦକୁ ବାଦ୍ ଦେଇ ଉଦାର ଭାବରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସେ କହିଛନ୍ତି। ଆଞ୍ଚଳିକ ପରିଷଦର ବୈଠକର ଏଜେଣ୍ଡାରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ଅନେକ ପ୍ରସଙ୍ଗକୁ ମଧ୍ୟ ସାମିଲ କରାଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି। ପୋଷଣ ଅଭିଯାନ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା, ସ୍କୁଲ ପିଲାଙ୍କ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକର ସମ୍ପୃକ୍ତି, ମହିଳା ଓ ଶିଶୁଙ୍କ ବିରୋଧରେ ଦୁଷ୍କର୍ମ ମାମଲାର ତ୍ୱରିତ ତଦନ୍ତ ଏବଂ ସମାଧାନ ପାଇଁ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ଗାଁର ୫ କିଲୋମିଟର ମଧ୍ୟରେ ବ୍ୟାଙ୍କ/ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶାଖାଗୁଡ଼ିକର ସୁବିଧା, ଦେଶରେ ୨ ଲକ୍ଷ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ପ୍ରତିଷ୍ଠା ଏବଂ ଦେଶର ସମସ୍ତ ବର୍ତ୍ତମାନର ପ୍ୟାକ୍ସକୁ ସୁଦୃଢ଼ କରିବା ଆଦି ବିଷୟରେ ଆଲୋଚନା ହୋଇଛି। ପ୍ରତି ତିନି ମାସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଏହି ସବୁ ପ୍ରସଙ୍ଗର ସମୀକ୍ଷା ହେବା ଦରକାର। ଖଣି ଖନନ, କେତେକ ସାମଗ୍ରୀରେ କେନ୍ଦ୍ରୀୟ ଆର୍ଥିକ ସହାୟତା, ଭିତ୍ତିଭୂମି ନିର୍ମାଣ, ଜମି ଅଧିଗ୍ରହଣ ଓ ଜମି ହସ୍ତାନ୍ତର, ଜଳ ବଣ୍ଟନ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର କାର୍ଯ୍ୟକାରିତା, ରାଜ୍ୟ ପୁନର୍ଗଠନ ଓ ଆଞ୍ଚଳିକ ସ୍ତରର ସାଧାରଣ ହିତ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ୪ଟି ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ଭଲ ଉପସ୍ଥାପନା କରିଥିଲେ। ଏହି ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଅନ୍ୟ ରାଜ୍ୟମାନଙ୍କୁ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ହାଜିପୁର-ସାଗୌଲି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ପଶ୍ଚିମବଙ୍ଗରେ ନବଦ୍ୱୀପ ଘାଟ-ନବଦ୍ୱୀପ ଧାମ ନୂଆ ରେଳଲାଇନ ପ୍ରକଳ୍ପ (୧୫ କିଲୋମିଟର) ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। ଏହାବ୍ୟତୀତ କୃଷ୍ଣନଗର-ନବଦ୍ୱୀପ-ଘାଟ ଗେଜ୍ ରୂପାନ୍ତରଣ (୧୨.୨ କିଲୋମିଟର) ସମ୍ପୂର୍ଣ୍ଣ ଫେଜ୍ ଅର୍ଥାତ୍ କୃଷ୍ଣନଗର-ଅମଘାଟା (୮.୩୦ କିଲୋମିଟର)ରେ କାମ ଆରମ୍ଭ ହୋଇଛି।

ବିହାରରେ ହୋଇଥିବା ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି, ଯେତେବେଳେ ତାଙ୍କ ଦଳ ବିହାରରେ କ୍ଷମତାରେ ଅଂଶୀଦାର ଥିଲା ସେତେବେଳେ ସେ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରିଥିଲେ ଏବଂ ରାଜ୍ୟପାଳ ମଧ୍ୟ ଏହି ବିଲକୁ ଅନୁମୋଦନ କରିଥିଲେ। ଜାତିଭିତ୍ତିକ ଜନଗଣନାକୁ ନେଇ କିଛି ସମସ୍ୟା ରହିଛି ଏବଂ ରାଜ୍ୟ ସରକାର ଏହାର ସମାଧାନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଜାତିଭିତ୍ତିକ ସର୍ବେକ୍ଷଣରେ ବାଧା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଞ୍ଚଳିକ ପରିଷଦ ବୈଠକର ଭୂମିକା ଉପଦେଷ୍ଟାଙ୍କ ଭଳି ହୋଇଥିଲେ ମଧ୍ୟ ଗୃହମନ୍ତ୍ରୀ ଭାବରେ ସାଢ଼େ ଚାରି ବର୍ଷର ଅଭିଜ୍ଞତା ଆଧାରରେ ସେ କହିପାରିବେ ଯେ ପରିଷଦ ଏବଂ ଏହାର ଷ୍ଟାଣ୍ଡିଂ କମିଟିର ବୈଠକକୁ ଗୁରୁତ୍ୱ ଦେଇ ଅନେକ ସମସ୍ୟାର ସମାଧାନ କରିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛୁ । ଜୁନ୍ ୧୭, ୨୦୨୩ରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟିର ତ୍ରୟୋଦଶ ବୈଠକରେ ସମୁଦାୟ ୪୮ଟି ପ୍ରସଙ୍ଗ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିବା ବେଳେ ସେଥିମଧ୍ୟରୁ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ପାରସ୍ପରିକ ସହମତିରେ ସମୁଦାୟ ୨୮ଟି ପ୍ରସଙ୍ଗର ସମାଧାନ କରାଯାଇଥିଲା। ଆଜିର ବୈଠକରେ ମୋଟ ୨୧ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର

ପାଟନାରେ ବିଜେପିର ପଦଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ଅନେକ କର୍ମୀ ଆହତ

ପାଟନା: ବିହାରର ରାଜଧାନୀ ପାଟନାରେ ବିଜେପିର ବିରୋଧ ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଲାଠିଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଟନାରେ ବିଜେପି କର୍ମୀ ଓ ନେତାମାନେ ବର୍ତ୍ତମାନର ନୀତୀଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ସ୍ଥାନରୁ ହଟାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଗୁଳି ବ୍ୟବହାର କରିଥିଲା। ପ୍ରକାଶ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପି କର୍ମୀମାନେ ବିହାର ସରକାର ବିରୋଧରେ ବିଧାନସଭା ପଦଯାତ୍ରା କରୁଥିଲେ।

ବିହାର ବିଜେପିର ବହୁ ବଡ ନେତା ମଧ୍ୟ ପାଟନାରେ ବିଜେପିର ଏହି ପଦଯାତ୍ରାରେ ଭାଗ ନେଇଥିଲେ। ବିଜେପି ନେତା ଓ କର୍ମୀମାନେ ବିଧାନସଭାକୁ ଅବରୋଧ କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ପ୍ରଥମେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଥିଲା ଏବଂ କିଛି ସମୟ ପରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ପଦଯାତ୍ରା ପାଟଣାର ଗାନ୍ଧୀ ମଇଦାନରୁ ବିଧାନସଭା ପର୍ଯ୍ୟନ୍ତ କରାଯାଉଥିଲା।

ରାଜ୍ୟରେ ଚାଲିଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପାଇବାରେ ବିଳମ୍ବ, ଭ୍ରଷ୍ଟାଚାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେପି ଗୁରୁବାର ବିହାରରେ ମାର୍ଚ୍ଚ କରିଥିଲା। ବିଜେପି ନେତା ଓ କର୍ମୀମାନେ ଗାନ୍ଧୀ ମୈଦାନରୁ ବିଧାନସଭାକୁ ପଦଯାତ୍ରା କରୁଥିଲେ। ଏହି ସମୟରେ ପୋଲିସ ଏହି କର୍ମୀ ଓ ନେତାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

ପାଟନାରେ ବିଜେପିର ଏହି ପଦଯାତ୍ରାରେ ବିଜେପିର ଅନେକ ସାଂସଦ ଏବଂ ବିଧାୟକ ମଧ୍ୟ ଭାଗ ନେଇଥିଲେ। ଏହି ପଦଯାତ୍ରାରେ ରାଜ୍ୟସଭା ସାଂସଦ ରାକେଶ ସିହ୍ନା, ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବହୁ ବିଧାୟକ ମଧ୍ୟ ଅଂଶଗ୍ରହଣ କରିଥିଲେ। କର୍ମୀଙ୍କ ଉପରେ ଲାଠିଚାର୍ଜକୁ ବିହାରର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦମନକାରୀ ନୀତିର ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ଆମେ ମିଳିତ ଭାବେ ବିଜେପିକୁ ପରାସ୍ତ କରିବାକୁ ଯାଉଛୁ’: ରାହୁଲ ଗାନ୍ଧୀ

ପାଟନା: ପାଟନାରେ ବିରୋଧୀଙ୍କ ଏକତା ବୈଠକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମେ ଏକାଠି ବିଜେପିକୁ ପରାସ୍ତ କରିବାକୁ ଯାଉଛୁ। ଆମେ କର୍ଣ୍ଣାଟକରେ ବିଜେପିକୁ ପରାସ୍ତ କରିଛୁ। ଏହାପରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ମଧ୍ୟ କଂଗ୍ରେସ ଦଳ ସରକାର ଗଠନ କରିବ ବୋଲି ରାହୁଲ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶରେ ଦୁଇଟି ଚିନ୍ତାଧାରାର ଲଢେଇ ଚାଲିଛି, ଆମର ଲକ୍ଷ୍ୟ ଭାରତ ଯୋଡ଼ିବା ଏବଂ ଅନ୍ୟ ପଟେ ଭାରତ ଭାଙ୍ଗିବା ପାଇଁ ବିଜେପି କାର୍ଯ୍ୟ କରୁଛି। ଦେଶରେ ଘୃଣା ଏବଂ ହିଂସା ବ୍ୟାପିବା ପାଇଁ ବିଜେପି କାର୍ଯ୍ୟ କରୁଛି ଏବଂ ପ୍ରେମକୁ ଏକଜୁଟ କରିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି। ଘୃଣା ସହିତ ଘୃଣା କଟାଯାଇପାରିବ ନାହିଁ, ଘୃଣାକୁ କେବଳ ପ୍ରେମ ଦ୍ଵାରା ରୋକାଯାଇପାରିବ।

Categories
ବିଶେଷ ଖବର

ଆଜି ବିରୋଧୀ ମେଳି: ପାଟନା ସାଧାରଣ ସଭାରେ ଯୋଗଦେବେ ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଜୁନ୍ ୨୩ ତାରିଖରେ ବିରୋଧୀ ଦଳର ଅନେକ ରାଜନୈତିକ ଦଳର ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ନେତାଙ୍କ ସମାବେଶ ହେବ। ଏହି ବୈଠକ ପ୍ରଥମେ ମେ ୧୯ ତାରିଖରେ ଏବଂ ପରେ ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସବୁ ଦଳର ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ୍ ୨୩ ତାରିଖରେ ସମସ୍ତ ଦଳର ବରିଷ୍ଟ ନେତାମାନେ ସେମାନଙ୍କ ସମ୍ମତି ଦେଇଛନ୍ତି।

୧୫ ଟି ବିରୋଧୀ ଦଳର ନେତା ଏହି ବୈଠକରେ ଭାଗ ନେବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ତାମିଲନାଡୁର ସିଏମ ଏବଂ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଯୋଗଦେବେ।

ଏମାନଙ୍କ ବ୍ୟତୀତ ଜମ୍ମୁ କାଶ୍ମୀରର ପୂର୍ବତନ ସିଏମ୍ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି, ଜମ୍ମୁ କାଶ୍ମୀରର ପୂର୍ବତନ ସିଏମ୍ ତଥା ଏନସି ନେତା ଓମାର ଅବଦୁଲ୍ଲା, ସିପିଆଇ ନେତା ଡି ରାଜା, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ସାଧାରଣ ସଚିବ ଦୀପାଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ବିରୋଧୀଙ୍କ ଏହି ପ୍ରଥମ ଉଚ୍ଚ ସ୍ତରୀୟ ବୈଠକରେ ଭାଗ ନେବାକୁ ଯାଉଛନ୍ତି।

ଜୟନ୍ତ ଚୌଧୁରୀ ଏହି ସଭାରେ ଯୋଗଦେବେ ନାହିଁ:

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ବୈଠକ ଆୟୋଜନ କରୁଛନ୍ତି। ଏହି ସଭାରେ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଅଂଶଗ୍ରହଣ କରିବାରଥିଲା। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ହେତୁ ଦଳର ସଭାପତି ଜୟନ୍ତ ଚୌଧୁରୀ ବୈଠକରେ ଯୋଗ ଦେଉନାହାଁନ୍ତି। ଗୁରୁବାର ଦିନ ଏକ ଚିଠି ଲେଖି ବିରୋଧୀ ଏକତାକୁ ସମର୍ଥନ ଜଣାଇଛନ୍ତି।

ବୈଠକର ଏଜେଣ୍ଡା କ’ଣ ହେବ?:

ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ସହ ଜଡିତ ପ୍ରଶ୍ନକୁ ଅତିକ୍ରମ କରି ସାଧାରଣ ପ୍ରତିଯୋଗିତାର ରଣନୀତି ଉପରେ ଧ୍ୟାନ ଦିଆଯିବ। ସମସ୍ତ ଦଳ ସହମତ ହୋଇଛନ୍ତି ଯେ, ପ୍ରଥମ ଲକ୍ଷ୍ୟ ହେଉଛି ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା। ସମାନ କଥା ମଧ୍ୟ ଘୋଷଣା କରାଯାଇପାରେ। ପ୍ରାୟ ୪୫୦ ଟି ଆସନରେ ବିଜେପି ବିରୋଧରେ କେବଳ ଗୋଟିଏ ବିରୋଧୀ ପ୍ରାର୍ଥୀଙ୍କୁ ଛିଡା କରାଯିବା ଉପରେ ଏକ ଚୁକ୍ତି ହୋଇପାରେ। ଏହି ବୈଠକରେ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ଅର୍ଡିନାନ୍ସ ପ୍ରସଙ୍ଗ ଉଠାଇବାକୁ ଯାଉଥିବାବେଳେ ମମତା ବାନାର୍ଜୀ ମଧ୍ୟ ବଙ୍ଗଳାରେ କଂଗ୍ରେସ ଏବଂ ବାମପନ୍ଥୀଙ୍କ ମଧ୍ୟରେ ନକ୍ସଲ ପ୍ରସଙ୍ଗ ଉଠାଇ ପାରନ୍ତି।

ବିରୋଧୀ ଦଳ ଉପରେ ମାୟାବତୀଙ୍କ ଟାର୍ଗେଟ:

ଏହି ସମୟରେ ଗୁରୁବାର ପୂର୍ବତନ ୟୁପି ସିଏମ ଏବଂ ବିଏସପି ମୁଖ୍ୟ ମାୟାବତୀ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକ ‘ଦିଲ ମିଲେ ନା ମିଲେ, ହାତ ମିଲାତେ ରହିଏ’ ପ୍ରବାଦକୁ ଅର୍ଥ ପ୍ରଦାନ କରୁଛି। ସେ କହିଛନ୍ତି ଯେ, ଉତ୍ତରପ୍ରଦେଶର ୮୦ ଟି ଲୋକସଭା ଆସନ ନିର୍ବାଚନରେ ​​ସଫଳତାର ଚାବିକାଠି ବୋଲି ବିବେଚନା କରାଯାଏ, କିନ୍ତୁ ବିରୋଧୀ ଦଳର ମନୋଭାବ ଦର୍ଶାଏ ନାହିଁ ଯେ, ସେମାନେ ରାଜ୍ୟରେ ସେମାନଙ୍କ ଲକ୍ଷ୍ୟକୁ ନେଇ ପ୍ରକୃତରେ ଚିନ୍ତିତ ଏବଂ ଗମ୍ଭୀର।

ଏହି ଦଳଗୁଡିକ ଆମନ୍ତ୍ରିତ କରାଯାଇନାହିଁ:

ଏହି ସଭାରେ ମାୟାବତୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏହା ବ୍ୟତୀତ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି, ଓଡିଶାର ବିଜୁ ଜନତା ଦଳ ଏବଂ YSR କଂଗ୍ରେସ ପାର୍ଟି ସେହି ଅଣ-ବିଜେପି ଦଳ ମଧ୍ୟରେ ଅଛନ୍ତି। ଯେଉଁମାନେ ଏହି ସଭାରେ ଯୋଗଦେବାକୁ ଆମନ୍ତ୍ରିତ ହୋଇନନାହାନ୍ତି। ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ କହିଛନ୍ତି ଯେ ଆମେ କେବଳ ସେହି ଦଳଗୁଡିକୁ ନିମନ୍ତ୍ରଣ କରିଛୁ, ଯେଉଁମାନେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ବିରୋଧରେ ଲଢିବାକୁ ପ୍ରସ୍ତୁତ ଅଛନ୍ତି।

Categories
ବିଶେଷ ଖବର

ଜୁନ୍ ୨୩ରେ ବିରୋଧୀ ମେଳି: ପାଟନା ସାଧାରଣ ସଭାରେ ଯୋଗଦେବେ ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଜୁନ୍ ୨୩ ତାରିଖରେ ବିରୋଧୀ ଦଳର ଅନେକ ରାଜନୈତିକ ଦଳର ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ନେତାଙ୍କ ସମାବେଶ ହେବ। ଏହି ବୈଠକ ପ୍ରଥମେ ମେ ୧୯ ତାରିଖରେ ଏବଂ ପରେ ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସବୁ ଦଳର ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ୍ ୨୩ ତାରିଖରେ ସମସ୍ତ ଦଳର ବରିଷ୍ଟ ନେତାମାନେ ସେମାନଙ୍କ ସମ୍ମତି ଦେଇଛନ୍ତି।

ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ରାଷ୍ଟ୍ରୀୟ ସଭାପତି ଲଲନ ସିଂ କହିଛନ୍ତି ଯେ, “କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛନ୍ତି। ଏହା ସହିତ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି (ଏସପି) ସଭାପତି ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖ୍ୟ ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଶିବସେନା ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର, ଡିଏମକେ ସଭାପତି ଏବଂ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇ ସଚିବ ଡି ରାଜା, ସିପିଏମ ସୀତାରାମ ୟେଚୁରୀ, ସିପିଆଇ (ଏମ) ସଚିବ ଦୀପାଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ଏଥିରେ ଯୋଗଦେବାକୁ ସମ୍ମତି ଦେଇଛନ୍ତି।”

ଜେଡିୟୁ ସଭାପତି କହିଛନ୍ତି ଯେ, “ବିରୋଧୀ ଏକଜୁଟ ହୋଇ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଦେଶରେ ଆଜି ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି। କେହି କିଛି କହିପାରିବେ ନାହିଁ। ଯଦି କେହି ତାଙ୍କ ପାଟିରୁ ଶବ୍ଦ ବାହାର କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।” ସେଥିପାଇଁ ବିରୋଧୀ ଦଳର ଏକଜୁଟ ହେବାର ଆବଶ୍ୟକତା ରହିଛି। ଦେଶକୁ ବିଜେପି ମୁକ୍ତ କରିବା ଆବଶ୍ୟକ। ଏଥିରେ ବିରୋଧୀ ଏକତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।”

ଆରଜେଡି ନେତା ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, “ମୁଁ ନିଜେ ନୀତୀଶ କୁମାରଙ୍କ ସହ ଅନେକ ନେତାଙ୍କୁ ଭେଟିଛି। ମୁଁ ଭାବୁଛି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଆସୁଛନ୍ତି। ଦେଶରେ ଯେଉଁ ପରିସ୍ଥିତି, ଗଣତନ୍ତ୍ର ଉପରେ ଏହି ଆକ୍ରମଣ ହେଉଛି। ମୁଦ୍ଦାକୁ ନେଇ ଆଲୋଚନା କରାଯାଉ ନାହିଁ। ଏକପାଖିଆ ଏକଛତ୍ରବାଦୀ ଶାସନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପାଟନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ମୁଁ ଭାବୁଛି ଏହି ବୈଠକ ପରେ ଏକ ସକରାତ୍ମକ ଫଳାଫଳ ସାମ୍ନାକୁ ଆସିବ।

ସେ କହିଛନ୍ତି ଯେ, “ସମସ୍ତଙ୍କ ମତ ପରେ ଜୁନ୍ ୨୩ ତାରିଖରେ ପାଟନାରେ ଏକ ବଡ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ନେତା ସେମାନଙ୍କ ସମ୍ମତି ଦେଇଛନ୍ତି। ମହାମେଣ୍ଟ ସରକାର ଗଠନ ପାଇଁ ନୀତୀଶ କୁମାର, ଲାଲୁ ପ୍ରସାଦ ଯାଦବ ଏବଂ ସମସ୍ତ ଲୋକଙ୍କ ଏହା ଉଦ୍ୟମ ଥିଲା ଯେ, ସର୍ବାଧିକ ବିରୋଧୀଙ୍କୁ ଏକତ୍ରିତ କରିବା, ଏକାଠି ବସିବା, ନୀତି ନିର୍ଣ୍ଣୟ କରିବା।

ବାସ୍ତବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ନିୟୋଜିତ ଅଛନ୍ତି। ଏଥିପାଇଁ ସେ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଏକ ସାଧାରଣ ମଞ୍ଚରେ ଆସି ଲୋକସଭା ନିର୍ବାଚନ ପାଇଁ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାଟନାରୁ ଗିରଫ ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ: ଭାରତକୁ ଇସଲାମ ରାଷ୍ଟ୍ର କରିବା ଥିଲା ଲକ୍ଷ୍ୟ

ପାଟନା: ବୁଧବାର ଦିନ ପାଟନା ପୋଲିସ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଫୁଲୱାରୀ ସରିଫରୁ ଗିରଫ କରିଛି। ଦୁହେଁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ପୋଲିସ ଉଭୟଙ୍କୁ ନୟା ଟୋଲାରୁ ଗିରଫ କରିଛି। କୁହାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ସିଆଇଏମ୍ଆଇ ଆତଙ୍କବାଦୀ ସଂଗଠନର ସଦସ୍ୟ ଅଛି। ଅନ୍ୟଜଣେ ଝାଡଖଣ୍ଡ ପୋଲିସର ସବ୍ ଇନ୍ସପେକ୍ଟର ପଦରୁ ଅବସର ନେଇଛନ୍ତି। ଏହି ଚଢାଉ ସମୟରେ ପୋଲିସ ପ୍ରତିବନ୍ଧିତ ବିଦେଶୀ ଦଲିଲ ଜବତ କରିଛି।

ପୋଲିସର ସୂଚନାନୁସାରେ, ଏହି ଦୁଇଜଣଙ୍କର ସମ୍ପର୍କ ଅନେକ ଦେଶ ସହିତ ସଂଯୁକ୍ତ। ପୋଲିସ ଏନେଇ ତଦନ୍ତ କରୁଛି। ଏ ସମ୍ପର୍କରେ ଫୁଲୱାରୀ ସରିଫର ଏଏସପି ମନୀଷ କୁମାର କହିଛନ୍ତି ଯେ ଫୁଲୱାରୀ ସରିଫର ନୟା ଟୋଲାରେ ଅବସ୍ଥିତ ଅହମ୍ମଦ ପ୍ୟାଲେସରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସେ ସୂଚନା ପାଇଥିଲେ। ଏହା ପରେ ଝାଡଖଣ୍ଡ ପୋଲିସର ଅବସରପ୍ରାପ୍ତ ସବ୍ ଇନ୍ସପେକ୍ଟର ମହମ୍ମଦ ଜାଲାଲୁଦ୍ଦିନ ଏବଂ ପୂର୍ବତନ ସିଆଇଏମ୍ଆଇ ସଦସ୍ୟ ଅତହର ପରଭେଜଙ୍କୁ ଗିରଫ କରାଯାଇଥିଲା। ଏକାଠି ଏହି ଦୁଇଜଣ ଏଠାରେ ଏକ ସଂସ୍ଥା ଚଳାଉଥିଲେ। ଏହି ସଂଗଠନ ମାଧ୍ୟମରେ ଯୁବକମାନଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଏହି ଲୋକମାନଙ୍କର ଉଦ୍ଦେଶ୍ୟ ଥିଲା ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ର କରିବା। ଲୋକମାନେ ଅନ୍ୟ ରାଜ୍ୟରୁ ଏହି ଘରକୁ ଆସୁଥିଲେ, ସେମାନେ ନାମ ପରିବର୍ତ୍ତନ କରି ବିଭିନ୍ନ ହୋଟେଲରେ ରହୁଥିଲେ।

ପୋଲିସ କହିଛି ଯେ ଉଭୟ ଶାରୀରିକ ଶିକ୍ଷା ଏବଂ ମାର୍ଶଲ ଆର୍ଟ ନାମରେ ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିଲେ। ଏଥିପାଇଁ ସେମାନେ ଭଡା ନେଇ ଏକ ଘର ନେଇଥିଲେ। କୁହାଯାଇଥିଲା ଯେ ଏହି ଲୋକମାନେ ଧାର୍ମିକ ଭାବନା ବିସ୍ତାର କରିବା ପାଇଁ ଛାତ୍ରମାନଙ୍କୁ ବିଭ୍ରାନ୍ତ କରୁଥିଲେ। ଗିରଫ ଅତହାର ପରଭେଜ ଅତୀତରେ CIMI ର ସଦସ୍ୟ ଥିଲେ। ଏହି ଲୋକଙ୍କ ବିଦେଶୀ ଦେଶ ସହ ଜଡିତ ଥିବା ସମ୍ପର୍କକୁ ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି। ଏଏସପି ମନୀଷ କୁମାର କହିଛନ୍ତି ଯେ, ବିହାର ବ୍ୟତୀତ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟର ଛାତ୍ରମାନେ ତାଲିମ ପାଇଁ ଏଠାକୁ ଆସୁଥିଲେ। ବର୍ତ୍ତମାନ ଏହାର ଅନୁସନ୍ଧାନ ପାଇଁ ଇଡିର ସହାୟତା ମଧ୍ୟ ନିଆଯାଉଛି। ତାଲିମ ପାଇଁ ମିଳିଥିବା ଟଙ୍କା ସମ୍ପର୍କରେ ପୋଲିସ ମଧ୍ୟ ତଥ୍ୟ ସଂଗ୍ରହ କରୁଛି।

Categories
ଆଜିର ଖବର ଜାତୀୟ ଖବର

ସ୍ପାଇସଜେଟ୍ ରେ ଲାଗିଲା ନିଆଁ, ବିମାନରେ ଥିଲେ ୧୮୫ ଯାତ୍ରୀ

ପାଟନା: ବିହାରର ପାଟନାରେ ସ୍ପାଇସଜେଟର ବିମାନକୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ନିଆଁ ଲାଗିଥିବାରୁ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି ବୋଲି କୁହାଯାଉଛି। ଦିଲ୍ଲୀ ଯାଉଥିବା ଏହି ବିମାନକୁ ପାଟନା ବିମାନ ବନ୍ଦରରେ ଅବତରଣ କରାଯାଇଛି। ଏହି ବିମାନରେ ୧୮୫ ଜଣ ଲୋକ ଥିଲେ। ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ ବିମାନଟି ସକାଳ ୧୨.୧୦ ରେ ପାଟଣାର ଜୟପ୍ରକାଶ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ିବା ଆରମ୍ଭ କରିଥିଲା। ବିମାନଟି ଉଡ଼ାଣ ଭରିବାବେଳେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଉଡ଼ାଣର କିଛି ମିନିଟ୍ ପରେ, ଏହି ବିମାନର ପଙ୍ଖାରେ ନିଆଁ ଲାଗିଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ତଳୁ ଏହି ବିମାନର ପଙ୍ଖାରେ ନିଆଁ ଲାଗିଥିବା ଦେଖିଥିଲେ। ଲୋକମାନେ ଏହି ଘଟଣା ବିଷୟରେ ତୁରନ୍ତ ପାଟନା ପୋଲିସକୁ ଜଣାଇଥିଲେ। ଏହା ପରେ ବିମାନ ବନ୍ଦରକୁ ଖବର ଦିଆଯାଇଥିଲା। ତା’ପରେ ଏହି ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ଜାରି, ଟ୍ରେନ ଉପରକୁ ପଥର ଫିଙ୍ଗିଲେ ଛାତ୍ର

ପାଟନା: ଅଗ୍ନିପଥ ଯୋଜନା ବିରୋଧରେ ଦ୍ୱିତୀୟ ଦିନ ପାଇଁ ବିରୋଧ ଜାରି ରହିଛି। ବିଶେଷକରି ବିହାରରେ ଯୁବକମାନେ ଏହି ଯୋଜନାକୁ ବିରୋଧ କରୁଛନ୍ତି। ବୁଧବାର ଦିନ ବିହାରର ମୁଜାଫରପୁର, ଆରା, ବକ୍ସର, ବେଗୁସରାଇରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଏଥି ସହିତ ଗୁରୁବାର ଦିନ ରାଜ୍ୟର ଜହାନାବାଦରେ ପ୍ରଦର୍ଶନ ଖବର ସାମ୍ନାକୁ ଆସୁଛି। ଏଠାରେ ଯୁବକମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରି କାକୋ ମୋଡ ନିକଟରେ ନିଆଁ ଲଗାଇ ଏନଏଚ-୮୩ ଏବଂ ଏନଏଚ-୧୧୦ କୁ ଅବରୋଧ କରିଛନ୍ତି। ଏଥିସହ ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଏଠାରେ ପାଟନା-ଗୟା ରେଳ ଲାଇନରେ କିଛି ଯୁବକ ମଧ୍ୟ ବିରୋଧ କରୁଛନ୍ତି, ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିହାର ବନ୍ୟା ସ୍ଥିତି ସାଂଘାତିକ, 12ଟି ଜିଲ୍ଲାର 38 ଲକ୍ଷ ଲୋକ ବିପନ୍ନ

ପାଟନା, ବିହାରରେ ବନ୍ୟା ପରିସ୍ଥିତି ଅତି ଗୁରୁତର ଆକାର ଧାରଣ କରିଛି। 12ଟି ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ସମସ୍ତ ବଡ଼ ବଡ଼ ନଦୀ ଓ ତାର ଶାଖା ନଦୀଗୁଡିକରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର 38 ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଯାଏଁ ବନ୍ୟାଜନିତ ବିଭିନ୍ନ ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଛି।

12ଟି ଜିଲ୍ଲାର ମୋଟ 102ଟି ବ୍ଲକରୁ 901 ପଞ୍ଚାୟତ ବନ୍ୟା ପାଣି ଘେରରେ ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଏଥିରେ ଏନଡିଆରଏଫ ଏବଂ ଏସଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପି କାର୍ଯ୍ୟାଳୟରେ କରୋନା: 25 ଜଣ ଆକ୍ରାନ୍ତ ଚିହ୍ନଟ

ପାଟନା : ଦେଶରେ କରୋନା ସଂକଟ ସମୟରେ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ  ପାଟନାର ବିଜେପି କାର୍ଯ୍ୟାଳୟରେ ଏକାସାଙ୍ଗରେ 25ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଚଳିତ ବର୍ଷ ନଭେମ୍ବରରେ ବିହାର ବିଧାନସଭା ହେବାକୁ ରହିଛି ।  କରୋନା ସଂକଟ ମଧ୍ୟରେ ରାଜ୍ୟରେ ସମସ୍ତ ଦଳ ତରଫରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆଇସିଏମ୍‌ରଏକ ଟିମ୍‌ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟର 75 ଜଣଙ୍କ ସାମ୍ପଲ୍‌ ଟେଷ୍ଟ କରିଥିଲେ । ଏହି ଟେଷ୍ଟ ମଧ୍ୟରୁ ଆଉ କିଛି ରିପୋର୍ଟ ଆସିବାକୁ ବାକି ରହିଥିବାେବେ 25ଜଣ ସଂକ୍ରମିତ ହୋଇଥିବାର ସୂଚନା ରିହଛି ।

ମିଳିଥିବା ସୂଚନା ଅନୁସାରେ ସଙ୍ଗଠନ ମହାମନ୍ତ୍ରୀ ନାଗେନ୍ଦ୍ର ନାଥଙ୍କ ସମେତ ପ୍ରଦେଶ ମହାମନ୍ତୀ ଦିନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଧାମୋହନ ଶର୍ମାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।  ଏହି ଖବର ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସ୍‌ କରାଯାଉଛି । ପଜିଟିଭ୍‌ ଚିହ୍ନଟ ହୋଇଥିବା ଅଧିକାଂଶ ନେତାଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ସମସ୍ତଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)