Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପିଲାଙ୍କୁ ପାଠ ପଢାଇ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଶିକ୍ଷକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକଙ୍କ ଘର ଭୋଇସାହିରେ ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ସରସ୍ଵତୀ ବିଦ୍ୟା ମନ୍ଦିରର ଶିକ୍ଷକ ବିଜୟ କୁମାର ପଟ୍ଟନାୟକ (୫୫) ଏବଂ ତାଙ୍କର ଜଣେ ବନ୍ଧୁ ପିଲାଙ୍କୁ ପାଠ ପଢାଇ ଚାଲି ଚାଲି ଘରକୁ ଫେରୁଥିଲେ। କିନ୍ତୁ ନିରାକାରପୁର କଲେଜ ପଡିଆ ନିକଟରେ ହଠାତ ଗୋଟିଏ ହାତୀ ସେହି ଦୁଇଜଣଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ କରିଥିଲା। ତେବେ ବିଜୟ ହାତୀ ହାବୁଡରେ ପଡିଯାଇଥିବା ବେଳେ ତାଙ୍କ ବନ୍ଧୁ ଖସି ପଳାଇଯାଇଥିଲେ। ହାତୀ ଆକ୍ରମଣ କରିବାରୁ ବିଜୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

କିନ୍ତୁ ଦୁଃଖର ବିଷୟ ଯେ, ଜନବସତି ଅଞ୍ଚଳରେ ହାତୀ ପ୍ରବେଶ କରିଥିବା ଖବର ବନ ବିଭାଗକୁ ଖବର ଥିଲେ ମଧ୍ୟ ଏହା ପାଇଁ କୌଣସି ବ୍ୟବସ୍ଥା କରିପାରିନଥିଲେ। ଯଦି ବନ ବିଭାଗ ଏହା ଉପରେ କୌଣସି ପଦକ୍ଷେପ କିମ୍ବା ଲୋକଙ୍କୁ ସତର୍କ କରାଇଥାନ୍ତେ, ତେବେ ବିଜୟଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଗୋଟିଏ ମୁଲ୍ୟବାନ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ବିଜୟଙ୍କ ପରିବାରକୁ କ୍ଷତି ପୂରଣ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ, ସେଥିପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି।