Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଲକ୍ଷାଧିକ ଟଙ୍କାର ପାନମସଲା ଚୋରି ହୋଇଥିଲା। ଏହି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବିଡ଼ାନାସି ଅଞ୍ଚଳର ୱାଇ. ନରେଶ, ନିବେଶ ବେହେରା ଏବଂ ସୁଶାନ୍ତ ସାହୁ।  ତତସହିତ ଚୋରି ହୋଇଥିବା ପାନ ମସଲାର ବିକ୍ରି ମୂଲ୍ୟ ତିନି ଲକ୍ଷ ଟଙ୍କା ସମେତ ଚୋରି ପାଇଁ ବ୍ୟବହାର ହୋଇଥିବା ପିକ ଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତମାସ ୧୮ ତାରିଖ ମଧ୍ୟ ରାତ୍ରିରେ ବାଲୁଗାଁ ପାଟଣା ସାହିସ୍ଥିତ ସୁଶୀଲ ସୁବୁଦ୍ଧିଙ୍କ ଗୋଦାମରୁ ପାଖାପାଖି ତିନି ଲକ୍ଷ ଟଙ୍କାର ପାନ ମସଲା ଚୋରୀ ହୋଇଯାଇଥିଲା। ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କ ଦ୍ଵାରା ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ତିନି ଗୋଟି ଟିମ ଗଠନ କରଯାଇଥିଲା। ଏବଂ ଏହି ଟିମ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ତଦନ୍ତ ବେଳେ ଅଭିଯୁକ୍ତମାନେ ଉକ୍ତ ପାନ ମସଲାକୁ ଝାରସୁଗୁଡା ଅଞ୍ଚଳରେ ବିକ୍ରି କରିଥିବାର ସ୍ୱୀକାର କରିଥିଲେ।

ପୋଲିସ ସୁଦୂର ଝାରସୁଗୁଡା ଅଞ୍ଚଳ ଯାଇ ଏକାଧିକ ଦୋକାନୀଙ୍କ ଠାରୁ ବିକ୍ରି ହୋଇଥିବା ସମସ୍ତ ଚୋରା ପାନ ମସଲାର ମୂଲ୍ୟ ତିନି ଲକ୍ଷ ଟଙ୍କା ଜବତ କରିଥିଲା। ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ କେସ ନମ୍ବର ୨୧୩/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଚୋରିରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଅବ୍ୟାହତ ରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।