Categories
ଆଜିର ଖବର ରାଜ୍ୟ ଖବର

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ: ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ

ଭୁବନେଶ୍ୱର: ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି। ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ। ତେବେ ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ। ନିରଙ୍କୁଶ ସ୍ୱାଧୀନତା ଭିତରେ ବି ଦାୟିତ୍ୱବୋଧ ଥାଏ। ଅନୁରୂପ ଭାବେ ଗଣମାଧ୍ୟମ ପାଇଁ ସ୍ୱାଧୀନତା ଯେତିକି ଜରୁରୀ, ଦାୟିତ୍ୱବୋଧତା ମଧ୍ୟ ସମପରିମାଣରେ ଆବଶ୍ୟକ। ଆଜି ଏହା କହିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର।

ଭୁବନେଶ୍ୱର ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ସ୍ୱାଧୀନତାର ଜରୁରୀ ଆବଶ୍ୟକତା ଉପରେ ଦାର୍ଶନିକମାନେ ଆଲୋକପାତ କରିଛନ୍ତି। ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଅଭିଭାଷଣ ରଖି ସେ କହିଛନ୍ତି, ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱାଧୀନତା ଜରୁରୀ। ତେବେ ଗଣମାଧ୍ୟମ ସରକାରଙ୍କ ସହ ରହିବା ଦରକାର ବୋଲି ସେ ନିବେଦନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ସରକାର ହେଉଛନ୍ତି ଜନସାଧାରଣଙ୍କ ଆଶା ଓ ଭରସାର ପ୍ରତୀକ। ତେଣୁ ଗଣମାଧ୍ୟମ ସରକାରଙ୍କ ସହ ରହି ମଧ୍ୟ ପରିବର୍ତ୍ତନର ବାହକ ହେବା ଆବଶ୍ୟକ । ସବୁ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିଥା’ନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ, ବିଗତ ଦଶନ୍ଧିରେ ଗଣମାଧ୍ୟମ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆଣିଛି। ମୂଦ୍ରିତ ଗଣମାଧ୍ୟମର କ୍ରମବିକାଶ ସହିତ ବୈଦ୍ୟୁତିକ ଗଣମାଧ୍ୟମର ଉଦ୍ଭବ ହୋଇଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ ମିଡିଆର ଯୁଗରେ ପହଞ୍ଚିଛୁ। ଫଳରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିଛି। ସ୍ୱାଧୀନତା ପୂର୍ବ ଏବଂ ପରବର୍ତ୍ତୀ ସମୟ ତୁଳନାରେ ବର୍ତ୍ତମାନ ଗଣମାଧ୍ୟମର ଆକାର, ପ୍ରକୃତି ତଥା ପରିସର ବଦଳିଛି ଓ ବ୍ୟାପକ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ମତ ରଖିଥିଲେ। ସେ କହିଥିଲେ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ମୂଳପିଣ୍ଡ ଏବଂ ଏଥିରେ ସ୍ୱାଧୀନ ଭାବେ ମତ ରଖିବାର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ଜରିଆରେ ଗଣମାଧ୍ୟମକୁ ବି ସ୍ୱାଧୀନତା ମିଳିଛି। କାର୍ଯ୍ୟକ୍ରମରେ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧଜୀବୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କର୍ମଶାଳା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି ନିବାରଣ ଉପରେ ଏକ ସ୍ବତନ୍ତ୍ର ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ନୀତି ନିବାରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟସ୍ଥଳୀରେ ଅସତ୍‌ ଆଚରଣକୁ ରୋକିବା ଏବଂ ସ୍ବଚ୍ଛତା ଓ ନୈତିକ ଅଭ୍ୟାସ ଆଚରଣ କରିବା ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ବାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର କହିଥିଲେ, ପିଆଇବି ଗତ ୧୦୦ ବର୍ଷ ଧରି ଭାରତ ସରକାରଙ୍କ ପ୍ରମୁଖ ଯୋଗାଯୋଗ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପିଆଇବି ପକ୍ଷରୁ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ରୋଜିନା ଦାସ କହିଥିଲେ, ଗଣତନ୍ତ୍ରରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଏହା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ କାମ କରିଥାଏ।

ବାର୍ତ୍ତାଳାପର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରି ଡାକ ବିଭାଗ ନୟାଗଡ଼ ଡିଭିଜନର ଅଧିକ୍ଷକ ଖଗେଶ୍ୱର ମଲ୍ଲିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ସୂଚନା ଦେବା ସହିତ ନୟାଗଡ଼ ଜିଲ୍ଲାରେ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୟାଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ତ୍ରିଲୋଚନ ବେହେରା ଜିଲ୍ଲାରେ ପିଏମ ବିଶ୍ୱକର୍ମା ଏବଂ ପିଏମଇଜିପି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ରଥ ନୟାଗଡ଼ ଜିଲ୍ଲାରେ ପିଏମ ଆବାସ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ପିଆଇବି ଭୁବନେଶ୍ୱର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ମତ ବିନିମୟ କରିଥିଲେ।

Categories
PIB_NEWS ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଏସ ଶିକ୍ଷାନବୀସଙ୍କ ଓଡ଼ିଶା ଗସ୍ତ; ପିଆଇବି ଭୁବନେଶ୍ବର କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ବର: ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ୯ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ଭୁବନେଶ୍ବରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି।

ଭୁବନେଶ୍ବର ଏନଏବିଏମ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶବ୍ୟାପୀ ପାଳିତ ହେଉଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ ଏବଂ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏନଏବିଏମ୍‌ ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ କାର୍ଯ୍ୟାଳୟ ପରିସର ସଫେଇ କରାଯାଇଥିଲା।

ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ନେତୃତ୍ୱରେ ସିବିସି ଓ ପିଆଇବିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବଚ୍ଛତା ପାଇଁ ଶ୍ରମଦାନ କରିଥିଲେ। ଏହି ସ୍ବଚ୍ଛତା ଅଭିଯାନରେ ସିବିସି ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲିଙ୍କ ସମେତ ଅନ୍ୟ ଅଧିକାରୀ ମାନେ  ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ ଅନ୍ୟ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ସଫଳତାର ବିସ୍ତୃତ ପ୍ରଚାରପ୍ରସାର ଲାଗି ଆପୋସ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି ନେଇ ବୈଠକରେ ସହମତି ହୋଇଛି । ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ବର୍ତ୍ତମାନ ଜାରି ରହିଥିବା ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଅଭିଯାନ ସମ୍ପର୍କରେ ସଚେତନତାକୁ ଆହୁରି ବ୍ୟାପକ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନର କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମର ଅଧିକ ପ୍ରଚାରପ୍ରସାର ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ବୈଠକରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ପାରାଦୀପ ବନ୍ଦର ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ (କର୍ପୋରେଟ୍‌ ଯୋଗାଯୋଗ) ରତିକାନ୍ତ ନାୟକ, ଆକାଶବାଣୀ କଟକର ସମାଚାର ବିଭାଗ ଉପନିର୍ଦ୍ଦେଶକ ପ୍ରକାଶ ଦାଶ, ପିଆଇବି ଭୁବନେଶ୍ୱରର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ଭୁବନେଶ୍ୱର ଏନସିଇଆରଟି- ଆରଆଇଇ ଶିକ୍ଷା ବିଭାଗ ପ୍ରାଧ୍ୟାପକ ଓ ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାହୁ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଅଧିକାରୀ ପ୍ରଦୀପ୍ତ କୁମାର ବେହେରା ଓ ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପିପିଲିରେ ସ୍ୱଚ୍ଛତା ହିଁ ସେବା ସମ୍ପର୍କିତ ଦୁଇଦିନିଆ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଇତିମଧ୍ୟରେ ୧୦ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶରେ ପାଳନ ହେଉଛି ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ।

ଏହିକ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କିତ ଦୁଇଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସମପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

ସମ୍ମାନିତ ଅତିଥି ଭାବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆୟୋଜିତ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ ମଧ୍ୟ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଡା. ପାତ୍ର କହିଥିଲେ, ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଅଭିଯାନ ଅଧୀନରେ ଦେଶରେ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି।

ପୁରୀ ଭଳି ପ୍ରସିଦ୍ଧ ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ସାଂସଦ ଡା. ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ପିପିଲି ବ୍ଲକ୍ ସମେତ ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।

ଏଥିପାଇଁ ସେ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଭୁବନେଶ୍ୱର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମପୁର ସରପଞ୍ଚ ଝରଣା ବରାଳ, ବିଶିଷ୍ଟ ସାମାଜିକ କର୍ମୀ ଜ୍ୟୋତିକାନ୍ତ ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ସିବିସି ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ଵର: ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ। ଓଡ଼ିଶା ସହ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ।

ଶ୍ରୀ ମିଶ୍ର ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ଜଣେ ଗବେଷକ ଭାବରେ ସେ ଆମେରିକାର ବର୍କଲେ ଓ ମ୍ୟାରିଲାଣ୍ଡ ତଥା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି।

ସେ ଜଣେ ପ୍ରତିଷ୍ଠିତ କବି ଭାବରେ ସୁପରିଚିତ ଓ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ ବୈଠକ

କଟକ: ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନ ୨୦୧୫ ଅନ୍ତର୍ଗତ ଭିନ୍ନକ୍ଷମମାନଙ୍କ ପାଇଁ କୋଠାବାଡ଼ି ଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାରେ ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଭିନ୍ନକ୍ଷମମାନଙ୍କ ପାଇଁ ଏକ ସମାବେଶୀ ସମାଜ ସୃଷ୍ଟି ହୋଇପାରିବ। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ପ୍ରେକ୍ଷାଳୟରେ ଫିଚର୍‌ ଫିଲ୍ମର ସାର୍ବଜନୀନ ପ୍ରଦର୍ଶନ କ୍ଷେତ୍ରରେ ସୁଗମତା ମାର୍ଗଦର୍ଶିକା (Accessibility Guidelines) ଗତ ୧୫ ମାର୍ଚ୍ଚ ୨୦୨୪ରେ ପ୍ରକାଶ ପାଇଛି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ କଟକ ଠାରେ ଆଜି ବୋର୍ଡର ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଚଳଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ପ୍ରତିନିଧି ଯୋଗ ଦେଇଥିଲେ।

ବୈଠକରେ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଉପରେ ଆଲୋକପାତ କରି ଦିବ୍ୟାଙ୍ଗଜନ ଅଧିକାର ଆଇନ ୨୦୧୬ ଅନୁସୃତ ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବା ପାଇଁ ଡକ୍ଟର ଦାଶ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡକ୍ଟର ଦାଶ କହିଥିଲେ, ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ମଇ ୨୦୦୮ ରୁ ଲାଗୁହୋଇଛି। ଭିନ୍ନକ୍ଷମଙ୍କ ପାଇଁ ସୁଗମତା ଏକ ମାନବୀୟ ଅଧିକାର ବୋଲି ଏଥିରେ ଜୋର୍‌ ଦିଆଯାଇଛି। ତେଣୁ ଚଳଚ୍ଚିତ୍ରରେ ମଧ୍ୟ ବିଶେଷ ଭାବେ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ Closed Caption ଓ Audio Description ଭଳି ସୁଗମତା ବ୍ୟବସ୍ଥା ସୃଷ୍ଟି କରିବା ବାଞ୍ଛନୀୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା ୧୫ ସେପ୍ଟେମ୍ବର ଠାରୁ ଲାଗୁ ହେବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରୀ ୨୦୨୫ ରୁ ସୁଗମତା ମାନକ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ରହିଛି। ଏତଦବ୍ୟତୀତ ୨୦୨୬ ମସିହା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର ଗୁଡିକରେ Closed Caption ଓ Audio Description ଭଳି ସୁଗମତା ସୁବିଧା ପ୍ରଦାନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ। ଅଂଶଗ୍ରହଣକାରୀ ପ୍ରତିନିଧିମାନେ ସରକାରଙ୍କ ଏହି ସାଧୁ ଉଦ୍ୟମକୁ ସ୍ୱାଗତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାନବାଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ବୃଦ୍ଧି ପାଇଛି। ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଥିବା କାରଣରୁ ସାମ୍ବାଦିକମାନେ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ କରିବା ଉଚିତ୍‌ ବୋଲି କହିଛନ୍ତି ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ, କମାଣ୍ଡାଣ୍ଟ ଜେନେରାଲ (ଗୃହରକ୍ଷୀ), ନିର୍ଦ୍ଦେଶକ (ବେସାମରିକ ପ୍ରତିରକ୍ଷା) ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ‘‘ତିନୋଟି ନୂଆ ଅପରାଧିକ ଆଇନ’’ ଉପରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡକ୍ଟର ଷଡ଼ଙ୍ଗୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଅପରାଧିକ ଆଇନକୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଆସନ୍ତା ଜୁଲାଇ ପହିଲାରୁ ଦେଶରେ ତିନୋଟି ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହେଉଛି ସ୍ୱାଧୀନ ଭାରତର ନିଜସ୍ୱ ନ୍ୟାୟିକ ଆଇନ। ଏଥିରେ ଦୁଇଟି ଭଲ ଦିଗ ରହିଛି  ପ୍ରଥମଟି ହେଉଛି ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯାହାର ସୁଫଳ ନିଶ୍ଚିତ ଭାବେ ନାଗରିକମାନଙ୍କୁ ମିଳିପାରିବ। ଦ୍ୱିତୀୟ ଦିଗଟି ହେଉଛି ବିଭିନ୍ନ ମାମଲାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବା। ପୂର୍ବରୁ ଥିବା ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା। ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲା। ନୂଆ ଆଇନରେ ମାମଲାର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଛି, ଯଦ୍ଦ୍ୱାରା ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ।

ବରିଷ୍ଠ ପୁଲିସ ଅଧିକାରୀ ଡକ୍ଟର ଷଡ଼ଙ୍ଗୀ ଆହୁରି କହିଥିଲେ, ନୂଆ ଆଇନକୁ ଭଲ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଅଧିକ ମାନବ ସମ୍ବଳ ଆବଶ୍ୟକ ହେବ। ପୁଲିସ କର୍ମଚାରୀ ଓ ଆଇନଜୀବୀମାନଙ୍କୁ ନୂଆ ଆଇନ ବିଷୟରେ ପ୍ରଶିକ୍ଷଣ ଦେବାକୁ ହେବ। କିଛି ମାସ ମଧ୍ୟରେ ନୂଆ ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ଡକ୍ଟର ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଥିଲେ। ସେହିପରି ମାମଲାର ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରିବାର ବ୍ୟବସ୍ଥା ଫଳରେ ତଦନ୍ତ ପ୍ରକ୍ରିୟା ଅଧିକ ପ୍ରଭାବୀ ହେବ। ପ୍ରକୃତ ଦୋଷୀ ଦଣ୍ଡିତ ହେବେ ଏବଂ ନିର୍ଦ୍ଦୋଷ ସୁରକ୍ଷା ପାଇପାରିବେ। ଅନୁରୂପ ଭାବେ ମହିଳା ଓ ଶିଶୁ ସୁରକ୍ଷା ଏବଂ ମାନବ ଚାଲାଣ ଭଳି ଅପରାଧ ପାଇଁ ଏହି ଆଇନରେ ପୀଡ଼ିତଙ୍କୁ ସୁରକ୍ଷା ଦେବା ସହିତ ଦୋଷୀକୁ ଦଣ୍ଡବିଧାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ।

ସାତ ବର୍ଷରୁ କମ୍‌ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ଛୋଟ ଛୋଟ ଅପରାଧ ସ୍ୱୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ନୂଆ ଆଇନରେ ରହିଥିବା ବ୍ୟବସ୍ଥାକୁ ଡକ୍ଟର ଷଡ଼ଙ୍ଗୀ ସ୍ୱାଗତ କରିଥିଲେ। ଏହାଦ୍ୱାରା ପ୍ରଥମ ଥର ଅପରାଧ କରିଥିବା ଦୋଷୀ ଉପକୃତ ହେବେ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁବିଧାଜନକ ହେବ ବୋଲି ସେ କହିଥିଲେ। ଡକ୍ଟର ଷଡ଼ଙ୍ଗୀ ଆହୁରି କହିଥିଲେ, ଜେଲ୍‌ରେ ଥିବା ବହୁ ଗରିବ ଲୋକ ପାଖରେ ଟଙ୍କା ନଥିବା କାରଣରୁ ଓକିଲଙ୍କୁ ନିୟୋଜିତ କରି ଜାମିନ୍‌ ପାଇପାରୁନଥିଲେ। ନୂଆ ଆଇନରେ ଏଭଳି ଗରିବ ଲୋକଙ୍କୁ ଓକିଲଙ୍କ ସହାୟତା ବିନା ଜାମିନ ଦେବାର ବ୍ୟବସ୍ଥା କରାଯାଇଛି। ଏଭଳି ଲୋକଙ୍କ ଜାମିନ ପାଇଁ ଜେଲ୍‌ ଅଧୀକ୍ଷକ ଅଦାଲତଙ୍କୁ ସୂଚୀତ କରିବାର ବ୍ୟବସ୍ଥା ନୂଆ ଆଇନରେ କରାଯାଇଥିବା ଡକ୍ଟର ଷଡ଼ଙ୍ଗୀ କହିଥିଲେ। ବିଚାରଧୀନ କଏଦୀଙ୍କ ସଂଖ୍ୟା ହ୍ରାସ ପାଇଁ ଏହା ଏକ ଭଲ ବ୍ୟବସ୍ଥା ବୋଲି ସେ ସୂଚାଇ ଥିଲେ।

ଡକ୍ଟର ଷଡ଼ଙ୍ଗୀ କହିଥିଲେ, ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍‌ ଆକ୍ରମଣ ସମେତ ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି। ଜିରୋ ଏଫଆଇଆର ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇପାରିବ, ଯାହାକି ପୀଡ଼ିତମାନଙ୍କୁ ବେଶ ସୁବିଧା ପ୍ରଦାନ କରିବ ବୋଲି ସେ କହିଥିଲେ।

ସେ ଆହୁରି ସୂଚନା ଦେଇଥିଲେ ଯେ ପୂର୍ବରୁ ସିଆରପିସିରେ ୪୮୪ଟି ଧାରା ରହିଥିଲା ବେଳେ ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ରହିଛି। ଆଇପିସିରେ ୫୧୧ଟି ଧାରା ଥିବା ବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରାକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପୁରୁଣା ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟରେ ୧୭୦ ଟି ଧାରା ଥିବା ବେଳେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୬୭ ଧାରା ରହିଛି। ଡକ୍ଟର ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କୁ ନୂଆ ଆଇନ ବିଷୟରେ ଅଧିକ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଓ ପିଆଇବି  ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ମୁଖ୍ୟ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଥିଲେ, ଦେଶରେ ତିନୋଟି ନୂଆ  ଅପରାଧିକ ଆଇନ ଲାଗୁ ହେବା ଐତିହାସିକ। ଏ ସମ୍ପର୍କରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସବୁ ଅଂଶୀଦାର ସଚେତନ ହେବା ଉଚିତ୍‌। ନୂଆ ଆଇନର ପ୍ରମୁଖ ଉଦ୍ଦେଶ୍ୟ – ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା ବୋଲି ସେ ଗୁରୁତ୍ଵାରୋପ କରିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଓ ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମ୍ବାଦିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ ପିଆଇବି ପକ୍ଷରୁ ବାର୍ତ୍ତାଳାପ କର୍ମଶାଳା ଆୟୋଜନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ସୁବର୍ଣ୍ଣପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦ୍ରୁତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ। ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମନରେଗା, ପିଏମ ଆବାସ ଯୋଜନା, ପିଏମଇଜିପି ଓ ଡିଡିୟୁଜିକେୱାଇ ଆଦି ଯୋଜନା ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, ଏହାର ଲାଭ ଏବଂ କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ସ୍ୱୟମ୍ଭୁନାଥ ଖଣ୍ଡଗିରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘‘ପିଆଇବିର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ।
ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ।

ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ମତ ବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ନୂଆଦିଲ୍ଲୀ: ମନୀଷ ଦେଶାଇ ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି।

ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ସରକାରୀ ବିଜ୍ଞାପନ ଏବଂ ଯୋଗାଯୋଗ କାର୍ଯ୍ୟକଳାପର ତଦାରଖ କରୁଥିଲେ।

ତିନି ଦଶନ୍ଧି ଧରି ତାଙ୍କର ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଶ୍ରୀ ଦେଶାଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ଡିଭିଜନର ମହାନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶାସନ ଓ ପ୍ରଶିକ୍ଷଣ), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଚଳଚ୍ଚିତ୍ର ଡିଭିଜନରେ ଥିବା ସମୟରେ ସେ ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା ସହିତ ଜଡିତ ଥିଲେ।

ସେ ପିଆଇବି ମୁମ୍ବାଇରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହିତ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଗଣମାଧ୍ୟମ କାର୍ଯ୍ୟକଳାପକୁ ପରିଚାଳନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ମାଲହୋତ୍ରା

ଭୁବନେଶ୍ଵର: ରାଜେଶ ମାଲହୋତ୍ରା ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ସତ୍ୟେନ୍ଦ୍ର ପ୍ରକାଶ ଅବସର ଗ୍ରହଣ କରିବା ପରେ ଶ୍ରୀ ମାଲହୋତ୍ରା ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି।

୧୯୮୯ ବ୍ୟାଚର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀ ରାଜେଶ ମାଲହୋତ୍ରା ଏଥିପୂର୍ବରୁ ଜାନୁଆରୀ ୨୦୧୮ ଠାରୁ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ। କୋଭିଡ ୧୯ ମହାମାରୀ ସମୟରେ ଦେଖା ଦେଇଥିବା ଆର୍ଥିକ ଅସନ୍ତୁଳନରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ସକାଶେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ସମୟରେ ଶ୍ରୀ ମାଲହୋତ୍ରା ଅର୍ଥ ମନ୍ତ୍ରଣାଳୟର ଗଣମାଧ୍ୟମ ଏବଂ ଯୋଗାଯୋଗ ନୀତିର ନେତୃତ୍ୱ ନେଇ ଦେଶବାସୀଙ୍କ ନିକଟରେ ଏସବୁ ଯୋଜନାର ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରୀ ମାଲହୋତ୍ରାଙ୍କର ୩୨ ବର୍ଷରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଅର୍ଥ, କମ୍ପାନୀ ବ୍ୟାପାର, କୃଷି, ଶକ୍ତି, କୋଇଲା, ଖଣି, ସଞ୍ଚାର ଓ ଆଇଟି, ବୟନ, ଶ୍ରମ, ନୂତନ ଓ ଅକ୍ଷୟ ଶକ୍ତି ଆଦି ମନ୍ତ୍ରଣାଳୟ ତଥା ବିଭାଗରେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି। ଆହୁରି ସେ ଭାରତର ନିର୍ବାଚନ ଆୟୋଗରେ ୨୧ ବର୍ଷ (୧୯୯୬ରୁ ୨୦୧୭ ପର୍ଯ୍ୟନ୍ତ) ଗଣମାଧ୍ୟମ ଓ ଯୋଗାଯୋଗ ଦାୟିତ୍ୱରେ ଥିଲେ। ସେଠାରେ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପରିଚାଳନା କରାଯାଇଥିବା ଛଅଟି ଲୋକସଭା (ସଂସଦର ନିମ୍ନ ସଦନ) ସାଧାରଣ ନିର୍ବାଚନ, ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ କରିଥିଲେ। ନିଜର କାର୍ଯ୍ୟକାଳ ସମୟରେ, ଶ୍ରୀ ମାଲହୋତ୍ରା ୧୨ ଜଣ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହିତ କାର୍ଯ୍ୟ କରିଛନ୍ତି।

ଶ୍ରୀ ମାଲହୋତ୍ରା ଗାଜିଆବାଦ ଆଇଏମଟିରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ଏବଂ ହାଇଦ୍ରାବାଦର ନାଲସାରରୁ ଗଣମାଧ୍ୟମ ଆଇନରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି। ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଏନାଲିସିସରେ ଏକ ସ୍ବଳ୍ପ ଅବଧି ବିଶିଷ୍ଠ ପାଠ୍ୟକ୍ରମ ଶେଷ କରିଛନ୍ତି। ସେହିପରି ବ୍ରିଟେନର ଥୋମାସ ଫାଉଣ୍ଡେସନରୁ ଗଣମାଧ୍ୟମ ପରିଚାଳନା ଓ ରଣନୀତି ପାଠ୍ୟକ୍ରମରେ ମଧ୍ୟ ଶିକ୍ଷା ହାସଲ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆଇଆଇଏମ ଲକ୍ଷ୍ନୌ ପକ୍ଷରୁ ଆୟୋଜିତ ‘ମାର୍କେଟିଂ : ଦ ୱିନିଂ କନସେପ୍ଟ ଏଣ୍ଡ ପ୍ରାକ୍ଟିସେସ’ରେ ମଧ୍ୟ ଭାଗ ନେଇଥିଲେ। ଶ୍ରୀ ମାଲହୋତ୍ରା ଇନଷ୍ଟିଚ୍ୟୁଟ୍‌ ଅଫ କମ୍ପାନୀ ସେକ୍ରେଟାରିଜ୍‌ର ଜଣେ ସଦସ୍ୟ ହୋଇଥିବା ବେଳେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।

ମୁଖପାତ୍ର ଭାବେ ଶ୍ରୀ ମାଲହୋତ୍ରାଙ୍କର ‘ଦ୍ୱି-ପାକ୍ଷିକ’ ଯୋଗାଯୋଗ ମାଧ୍ୟମ ପ୍ରତିଷ୍ଠା କରିବାରେ ଅଭିଜ୍ଞତା ରହିଛି ଯେଉଁଥିରେ ଗୋଟିଏ ପକ୍ଷରେ ସରକାର ଏବଂ ଅନ୍ୟ ପକ୍ଷରେ ଗଣମାଧ୍ୟମ ରହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟରେ ନିଜର ଜାଜ୍ଜୁଲ୍ୟମାନ କ୍ୟାରିଅରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ସମୟରେ ସଙ୍କଟପୂର୍ଣ୍ଣ ପରିସ୍ଥିତିର ସଫଳ ମୁକାବିଲା କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଗଣମାଧ୍ୟମକୁ କେବଳ ସଠିକ ସୂଚନା ପ୍ରସାରଣ କରାଯିବା ଉଚିତ ବୋଲି ସେ ସୁନିଶ୍ଚିତ କରିଛନ୍ତି। ନିଜର କ୍ୟର୍ଯ୍ୟକାଳ ସମୟରେ ଭାରତରୁ ଯାଉଥିବା ବିଭିନ୍ନ ମନ୍ତ୍ରିସ୍ତରୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଅନ୍ତର୍ଜାତୀୟ ସମ୍ମିଳନୀ/କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗଣମାଧ୍ୟମ ପ୍ରସାର କାର୍ଯ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦର୍ଶନରୁ ପ୍ରେରଣା ନେଇ ଭାରତ ସରକାର ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ବ୍ୟବହାର କରିବା ପାଇଁ ଅନେକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ବୈଦ୍ୟୁତିକ କାରଗୁଡିକର ଚାହିଦାକୁ ଆହୁରି ବୃଦ୍ଧି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଦ୍ୱାରା ଖରିଦ ହେଉଥିବା କିମ୍ବା ଭଡାରେ ଆସୁଥିବା କାର ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ବୈଦ୍ୟୁତିକ କାର ହେବ। ସେହି ଲକ୍ଷ୍ୟ ଅନୁଯାୟୀ ଆଜି ୧୪ ଟି କାର ବଦଳାଇଥିବାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟକୁ ପ୍ରଶଂସା କରିଥିଲେ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସତ୍ୟେନ୍ଦ୍ର ପ୍ରକାଶ

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଲାଭ କରିଥିଲା।

ଶ୍ରୀ ପ୍ରକାଶ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର‌୍ୟ୍ୟାନ୍ୱୟନରେ ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: କୋଭିଡ ଭୂମିକାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥଭାରତ ଏବଂ ଏକ ସୁସ୍ଥ ଭାରତ ନିମନ୍ତେ ଆମେ ସ୍ୱସ୍ଥ ନାଗରିକ ଆବଶ୍ୟକ କରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସ୍ୱାସ୍ଥ୍ୟକୁ ନିଜ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଛନ୍ତି ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଭାରତ ମଧ୍ୟ “ ହିଲ୍ ଇନ୍ ଇଣ୍ଡିଆ” ଓ “ହିଲ ବାଏ ଇଣ୍ଡିଆ” ପ୍ରୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଶ୍ୱରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି।

ଗତକାଲି ପିଆଇବି, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱମାନଙ୍କ ସହ କଥୋପକଥନ ସମୟରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଅଧିକାରୀ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ବିଷୟକ ସାମ୍ବାଦିକ ସବୁ ରାଜ୍ୟରୁ ଭାଗ ନେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କୋଭିଡ ମହାମାରୀ ସଂକ୍ରମଣ କାଳରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ, ସେଥିପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏଭଳି ଏକ ପରୀକ୍ଷାର ଘଡିରେ ସାମ୍ବାଦିକମାନେ ଆଶାନୁରୁପ କାର୍ଯ୍ୟ କରି ପ୍ରକୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। କରୋନା ଘେନି ଯେଉଁ ବିଭ୍ରାନ୍ତିକାର ଖବର ଓ ଭୁଲ ତଥ୍ୟ ପ୍ରଚାରିତ ହେଉଥିଲା ତାହାକୁ ନିର୍ଭୁଲ ତଥ୍ୟ ଭିତ୍ତିକ ଖବର ଦେଇ ସେମାନେ ଏହାର ପ୍ରତିହତ କରିଥିଲେ। ଏହା ଫଳରେ କରୋନା ଘେନି ରହିଥିôବା ଭ୍ରାନ୍ତି, କାଳ୍ପନିକ କଥା ଓ ଭୟ ଦୂର ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ବଢିଥିଲା ଏବଂ ଏଥିପ୍ରତି ଥିବା ବିରୋଧ ହ୍ରାସ ପାଇଥିଲା।

ଏହି ମହାମାରୀ କାଳରେ ପିଆଇବି, ଦୂରଦର୍ଶନ ସମାଚାର, ଆକାଶବାଣୀ ସମାଚାରର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ଏହା କେବଳ ସରକାରୀ ଉଦ୍ୟମ ନ ଥିଲା, “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ”ମାଧ୍ୟମରେ  ଆମେ ବିଶ୍ୱର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆରମ୍ଭ କରିପାରିଥିଲୁ। ଏହି ମହାମାରୀ କାଳରେ ଯେଉଁ ସାମ୍ବାଦିକମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତି ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେ ଆହୁରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ -ଗଣମାଧ୍ୟମ ମହାମାରୀ କାଳରେ ନିଜର ସାମର୍ଥ୍ୟର ଏକ ଅତି ଉଚ୍ଚ ମାନ ପ୍ରଦର୍ଶନ କରିଥିଲା। ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥ ଭାରତ ଆବଶ୍ୟକ କରୁ ଏବଂ ଏକ ସୁସ୍ଥ ଭାରତ ପାଇଁ ସ୍ୱସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି -ଏହି ବାର୍ତ୍ତାକୁ ଗଣମାଧ୍ୟମ ଅଧିକରୁ ଅଧିକ ଲୋକଙ୍କ  ପାଖରେ ପହଞ୍ଚାଇବା ଉଚିତ। ଆମେ ଇତି ମଧ୍ୟରେ ହର୍ ଘର୍ ଦସ୍ତକ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ। ଲୋକଙ୍କୁ ଟିକାନେବାକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା ଡୋଜ ଦେବା ଏହି  ଅଭିଯାନର ଲକ୍ଷ୍ୟ। ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଅଧିକରୁ ଅଧିକ ପହଂଚାଇବାରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି ବୋଲି ସେ କହିଥିଲେ। ସେହିଭଳି ଟିବି ନିରାକରଣ, ଟେଲି ମେଡିସିନ, ମୋତିଆବିନ୍ଦୁ,  ଇ-ସଂଜୀବନୀ ଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକରୁ ଅଧିକ ଖବର ଆଞ୍ଚଳିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।

ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଭାରତ ସ୍ୱାସ୍ଥ୍ୟକୁ ଏକ ସେବା ଭାବେ ବିବେଚନା କରେ। ନିଜର ତାଲିମପ୍ରାପ୍ତ ଓ ସମର୍ଥ ଲୋକଶକ୍ତି ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟସେବା ଯୋଗାଇ ପୃଥିବୀରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଭାରତ ଏବେ କେବଳ “ହିଲ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମର ଏକ ନୂଆ ମୋଡରେ ପହଞ୍ଚି ନାହିଁ,  ‘ହିଲ ବାଏ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସ୍ୱାସ୍ଥ୍ୟ  ପେସାଦାର /ଚିକିତ୍ସକମାନେ ବିଶ୍ୱସ୍ତରରେ ଚିକିତ୍ସାସେବା ଓ ପରାମର୍ଶ ଦେବାକୁ ପ୍ରସ୍ତୁତ। ଆମର ଉନ୍ନତ ଚିକିତ୍ସା  ବ୍ୟବସ୍ଥା ସ୍ୱାସ୍ଥ୍ୟ  ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କୋଭିଡ ପରିଚାଳନା, ଟିକାଦାନ, ହର୍ ଘର୍ ଦସ୍ତକ ଅଭିଯାନ, ବୈଶ୍ୱିକ ଟିକାଦାନ କ୍ଷେତ୍ରରେ ଭାରତର ଭ୍ୟାକ୍ସିନ ମୈତ୍ରୀର ଭୂମିକା, କୋ-ୱିନର ବିଶ୍ୱସ୍ତରୀୟ ଗୁରୁତ୍ୱ, କୋଭିଡ କାଳରେ ଗଣମାଧ୍ୟମର ଭୂମିକା ଆଦି ପ୍ରସଙ୍ଗରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ଅନୁଭୂତି, ସମ୍ମୁଖୀନ ହୋଇଥିବା ଆହ୍ୱାନ ଆଦି ସମ୍ପର୍କରେ  କହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନେକ ଅଭିନବ ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଯୋଗ ଶିବିର ଆୟୋଜିତ

ଭୁବନେଶ୍ବର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ଯ୍ୟଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଆସନ୍ତା ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଯୋଗ ଦିବସ ପାଇଁ ୭୫ ଦିନ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି। ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଶିବିର ସମେତ ଯୋଗର ପ୍ରଚାରପ୍ରସାର ପାଇଁ କାର‌୍ୟ୍ୟକ୍ରମମାନ ଆୟୋଜନ କରାଯାଉଛି।

Categories
ବିଶେଷ ଖବର

ଆଗାମୀ 7 ଦିନ ପାଇଁ ଭାରତ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି!, ଜାଣନ୍ତୁ ପୁରା ସତ୍ୟତା?

ନୂଆଦିଲ୍ଲୀ: ଆଗାମୀ ସାତ ଦିନ ପାଇଁ ଭାରତ ବନ୍ଦ ରହିବ କି? ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି କି? ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଆଇବି ଏହି ବାର୍ତ୍ତା ଯାଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ବାର୍ତ୍ତାର ସତ୍ୟତା କ’ଣ-

ପିଆଇବି ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ, ଏକ ନକଲି ବାର୍ତ୍ତାରେ ଏହା ଦାବି କରାଯାଉଛି ଯେ ମାର୍ଚ୍ଚ 21 ତାରିଖରୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭରତ ବନ୍ଦର ନିଷ୍ପତ୍ତି ନିଆଯାଇଛି।

ଯେତେବେଳେ ପିଆଇବି ଏହି ନକଲି ବାର୍ତ୍ତା ଯାଞ୍ଚ କଲା, ସେତେବେଳେ ଜାଣିବାକୁ ପାଇଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି। ଭାରତ ବନ୍ଦ କରିବାକୁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ସତ୍ୟତା ଯାଞ୍ଚ ପରେ ପିଆଇବି ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି। ଲୋକଙ୍କୁ ଏପରି ବାର୍ତ୍ତା ପଠାଇବା ଲାଗି ପିଆଇବି ବାରଣ କରିଛି।

ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ ପିଆଇବି ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: [email protected] କୁ ପଠାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଭାରତୀୟ ସୂଚନା ସେବା ଅଧିକାରୀ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।

ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।