Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପିଡ଼ିଏସ ସାମଗ୍ରୀ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ, ପିଇଓ ଫେରାର

ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି।  କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ପଞ୍ଚାୟତରେ ସମାନ ଜିନିଷ ଦେଖିବାକୁ ମିଳିଛି।

ଉକ୍ତ ପଞ୍ଚାୟତରେ ଆସୁଥିବା ପିଡ଼ିଏସ ସାମଗ୍ରୀ ଯଥା ଗହମ, ଚାଉଳ, କେରୋସିନ ଆଦିକୁ ଚୋରି କରି ବେସରକାରୀ ଦରରେ ବିକିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତମାନେ ହେଲେ କେରଣ୍ଡାଟାଙ୍ଗୀ ଗ୍ରାମର କେଦାର ସ୍ୱାଇଁ ଏବଂ ପୂର୍ଣଚନ୍ଦ୍ର ଦଳାଇ। ସେହିଭଳି ଉକ୍ତ ଦୁଇ ଜଣଙ୍କ ସମେତ ପଞ୍ଚାୟତ ପିଇଓ ସୁନୀଲ ବେହେରା ଏବଂ ସରପଞ୍ଚଙ୍କ ଭାଇ ଧୀରେନ୍ଦ୍ର ପ୍ରଧାନ ମଧ୍ୟ ପିଡ଼ିଏସ ସାମଗ୍ରୀ ଚୋରି ଓ ଆତ୍ମସାତରେ ସମ୍ପୃକ୍ତ ଥିବା ବେଳେ ଉକ୍ତ ଦୁଇ ଜଣ ଅଦ୍ୟାବଧି ଫେରାର ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ତେବେ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ ଚୋରି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୭/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିବାର ଆଇଆଇସି କହିଛନ୍ତି।

ସୂଚନା ଥାଉକି ବିଗତ ଦିନରେ ରଣପୁର ଅଞ୍ଚଳରେ ଉକ୍ତ ପିଡ଼ିଏସ ସାମଗ୍ରୀ ଚୋରିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାପରେ ରଣପୁର ବିଡ଼ିଓ ଚାନ୍ଦପୁର ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।