Categories
ଆଜିର ଖବର ଜାତୀୟ ଖବର

ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କରିଛନ୍ତି। ଏହି ଅବରସରେ ଆୟୋଜିତ କାର୍ଯ୍ୟକ୍ରମର ଜାତୀୟ ଗୁରୁତ୍ବକୁ ଦୃଷ୍ଟିରେ ରଖି, ଭୁବନେଶ୍ବରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପକ୍ଷରୁ କୃଷି ଷ୍ଟାର୍ଟଅପ କନକ୍ଲେଭ ଓ କିଷାନ ସମ୍ମେଳନର ୱେବକାଷ୍ଟ ଆୟୋଜନ କରାଯାଇଥିଲା। ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହିଳା ଚାଷୀମାନେ ଅନଲାଇନ ମାଧ୍ୟମରେ ଦେଖିପାରିଥିଲେ। ପ୍ରାରମ୍ଭରେ, ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ସବିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ସବୁ ପ୍ରତିନିଧି ଏବଂ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ସେ ମଧ୍ୟ କୃଷି ଷ୍ଟାର୍ଟଅପ କନକ୍ଲେଭ ଓ କିଷାନ ସମ୍ମେଳନ ସମ୍ପର୍କରେ ମହିଳା ଚାଷୀମାନଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କ ଉଦଘାଟନୀ ବକ୍ତବ୍ୟରେ କୃଷି ବିକାଶରେ ମହିଳା ଚାଷୀଙ୍କ ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ମହିଳା ଚାଷୀମାନଙ୍କୁ ମୁଖ୍ୟଧାରାକୁ ଆଣିବା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରତିଷ୍ଠାନର ଭୂମିକାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ, ପ୍ରଗତିଶୀଳ ମହିଳା ଚାଷୀମାନେ ସେମାନଙ୍କର ମତବ୍ୟକ୍ତ କରିବା ସହିତ ସେମାନଙ୍କର ଜୀବିକା ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଯୋଜନା ଓ ନୀତି ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହିଳା ଚାଷୀମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ଏବଂ ମେଗା ଇଭେଣ୍ଟକୁ ଦେଖିବା ଲାଗି ସୁଯୋଗ ଦେଇଥିଲା। ଏହି ଲାଇଭ୍‌ ୱେବକାଷ୍ଟ ସମୟରେ, ମହିଳା ଚାଷୀମାନେ କୃଷି ନବୋନ୍ମେଷ, କୃଷି ଷ୍ଟାର୍ଟଅପ୍‌ ଉଦ୍ୟୋଗ ଏବଂ ଏକ-ରାଷ୍ଟ୍ର ଏକ ସାର ଯୋଜନା ଭଳି ନୂଆ ସରକାରୀ ଯୋଜନା ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ।

ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପାଖାପାଖି ୨୫୦ ମହିଳା ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦୀର୍ଘସ୍ଥାୟୀ କୃଷି ଜ୍ଞାନକୌଶଳ, ବିଭିନ୍ନ କିସମର ଫସଲ ଏବଂ କୃଷି ପରିଚାଳନା ସମ୍ପର୍କରେ କୃଷି ବୈଜ୍ଞାନିକମାନେ ଏହି ଅବସରରେ ମହିଳା ଚାଷୀଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ପ୍ରମୁଖ ବୈଜ୍ଞାନିକ ଡକ୍ଟର ଜ୍ୟୋତି ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଅକ୍ଟୋବର ୧୭ ରେ ପିଏମ କିଷାନ ସମ୍ମାନ ସମ୍ମେଳନ- ୨୦୨୨କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କାର୍ଯ୍ୟକ୍ରମ ‘‘ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨’’କୁ ଉଦଘାଟନ କରିବେ। ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୩ ହଜାର ୫୦୦ରୁ ଅଧିକ ଚାଷୀ ଏବଂ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ୍ସ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ ୧ କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ। ଏହି ଯୋଜନା ଅଧୀନରେ, ସାରା ଦେଶରେ ଥିବା ଖୁଚୁରା ସାର ବିକ୍ରୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରାଯିବ। ଏସବୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଚାଷୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବ ଏବଂ ସେମାନଙ୍କୁ କୃଷି ଇନପୁଟ୍‌ (ସାର, ବିହନ, ଉପକରଣ) ପ୍ରଦାନ କରିବ; ମୃତ୍ତିକା ପରୀକ୍ଷା, ବିହନ, ସାର ପାଇଁ ସୁବିଧା ଦେବ; ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ; ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେବ ଏବଂ ବ୍ଲକ/ଜିଲ୍ଲାସ୍ତରୀୟ କେନ୍ଦ୍ରଗୁଡ଼ିକରେ ରିଟେଲରମାନଙ୍କର ନିୟମିତ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବ। ଦେଶର ବିଭିନ୍ନ ସ୍ଥାନରେ ଥିବା ୩.୩ ଲକ୍ଷରୁ ଅଧିକ ଖୁଚୁରା ସାର ଦୋକାନକୁ ପିଏମକେଏସକେ ରୂପରେ ପରିବର୍ତ୍ତିତ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭାରତୀୟ ଜନ ଉର୍ବରକ ପରିଯୋଜନା – ଏକ ରାଷ୍ଟ୍ର ଏକ ସାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅଧୀନରେ, ଭାରତ ୟୁରିଆ ବ୍ୟାଗକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏହା ବିକ୍ରେତାମାନଙ୍କୁ ଗୋଟିଏ ବ୍ରାଣ୍ଡ ନାମ ‘‘ଭାରତ’’ ଅଧୀନରେ ସାର ବିକ୍ରି କରିବା ଲାଗି ସହାୟକ ହେବ।

ଚାଷୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ ସ୍ବରୂପ, ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ଦ୍ବାଦଶ କିସ୍ତି ଆକାରରେ ୧୬ ହଜାର କୋଟି ଟଙ୍କା ଜାରି କରିବେ। ଏହି ଅର୍ଥ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯିବ। ପିଏମ-କିସାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରମାନଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଦିଆଯାଏ। ୨ହଜାର ଟଙ୍କା ଲେଖାଏଁ ୩ଟି କିସ୍ତି ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯାଏ। ବର୍ତ୍ତମାନ ସୁଦ୍ଧା, ଯୋଗ୍ୟ ଚାଷୀ ପରିବାରମାନେ ପିଏମ କିସାନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କାର ଲାଭ ପାଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ କୃଷି ଷ୍ଟାର୍ଟଅପ୍‌ କନକ୍ଲେଭ ଓ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏଥିରେ ୩୦୦ରୁ ଅଧିକ ଷ୍ଟାର୍ଟଅପ ସଂସ୍ଥା ମୂଲ୍ୟ ଆଧାରିତ କୃଷି, ଅମଳ ପରବର୍ତ୍ତୀ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ସମାଧାନ, ଆନୁସଙ୍ଗିକ କୃଷି, ବର୍ଜ୍ୟରୁ ସମ୍ପଦ, କ୍ଷୁଦ୍ର ଚାଷୀଙ୍କ ପାଇଁ ଯାନ୍ତ୍ରିକୀକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା, କୃଷି-ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଦିଗ ସହ ଜଡ଼ିତ ସେମାନଙ୍କର ଅଭିନବ ସମାଧାନ ପ୍ରଦର୍ଶିତ କରିବେ। ଚାଷୀ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କୃଷି ବିଶେଷଜ୍ଞ, କର୍ପୋରେଟ୍‌ ସଂସ୍ଥା ଆଦିଙ୍କ ସହ ଆଲୋଚନା କରିବା ଲାଗି ମଧ୍ୟ ଏହି ପ୍ଲାଟଫର୍ମ ସୁବିଧା ଯୋଗାଇ ଦେବ। ଷ୍ଟାର୍ଟଅପ୍ସଗୁଡ଼ିକ ସେମାନଙ୍କର ଅନୁଭୂତି ବାଣ୍ଟିବେ ଏବଂ ବୈଷୟିକ ଅଧିବେଶନରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବେ।

କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ‘ଇଣ୍ଡିଆନ ଏଜ୍’ର ଶୁଭାରମ୍ଭ କରିବେ। ଏହା ହେଉଛି ସାର ଉପରେ ଆଧାରିତ ଏକ ଇ-ପତ୍ରିକା। ଏହା ଘରୋଇ ଏବଂ ଅନ୍ତର୍ଜାତୀୟ ସାର ପରିଦୃଶ୍ୟ ସମେତ ସଦ୍ୟତମ ଘଟଣାକ୍ରମ, ମୂଲ୍ୟ ସ୍ଥିତିର ବିଶ୍ଳେଷଣ, ଉପଲବ୍ଧତା ଓ ବ୍ୟୟ, ଚାଷୀଙ୍କ ସଫଳତା କାହାଣୀ ଆଦି ବିଷୟରେ ସୂଚନା ଯୋଗାଇ ଦେବ।