Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଲକ୍ଷ କାମ ପାଇଁ ୩୦ ହଜାର ପିସି ଘଟଣା: ରଫାଦଫା ପାଇଁ ଚାଲିଛି ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଗତଦୁଇଦିନ ତଳେ ଗୋଟିଏ ୩ ଲକ୍ଷ ଟଙ୍କାର କାମ ପାଇଁ ୩୦ ହଜାର ପିସି କାରବାର ନେଇ ଖବର ପ୍ରସାରଣ ପରେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲୁଥବା ନେଇ ଅଭିଯୋଗ ହୋଇଛି। ପିସି ମାଗିଥିବା କନିଷ୍ଠ ଯନ୍ତ୍ରୀକୁ ବଂଚାଇବା ପାଇଁ ବ୍ଲକ୍‌ର ସମସ୍ତେ ଚେୟାରମ୍ୟାନ, ସରପଞ୍ଚ, ସମିତିସଭ୍ୟ ଏବଂ ପଦସ୍ଥ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି।

ସୂଚନାଯୋଗ୍ୟ ପିସି ନେଇ ଅଭିଯୋଗ କରିଥିବା ଟି. ଫକୀର ପାତ୍ରକୁ ଘଟଣା ପ୍ରସାର ହେବା ପରେ ବ୍ଲକ୍ ତରଫରୁ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟକୁ ଡ଼କାଇଥିଲେ। ସେଠାରେ ସଭାପତି, ସରପଞ୍ଚ, ସମିତିସଭ୍ୟ, ବିଡ଼ିଓ ଏହି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରି ଟି. ଫକୀର ପାତ୍ରକୁ ପ୍ରଥମେ ଲୋଭ ଦେଖାଇ ଏବଂ ନ ମାନିବାରୁ ଚାପ ପକାଇ କିଛି ଲେଖିବାକୁ ଦେଇଥିଲେ। ସମସ୍ତେ ଚାପ ପକାଇବାରୁ ଟି. ଫକୀର ପାତ୍ର ଭୟଭୀତ ହୋଇ ସେମାନେ କହିବା ପ୍ରକାରେ ଅଧାଲେଖି ଉକ୍ତ ସ୍ଥାନରୁ ଦୌଡ଼ି ପଳାଇ ଆସିଥିଲେ। ଏନେଇ ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌.ମୋହନ ରାଓଙ୍କୁ ଜଣାଇବା ସହ ଏଭଳି ହୀନ କାର୍ଯ୍ୟ ତଥା ଭୟଭୀତ କରିବା ଭଳି ଘଟଣା ଅଭିଯୋଗ କରି ଏକ ଭିଡ଼ିଓ ଜାରି କରିଥିଲେ। ଏଭଳି ହୀନ ଉଦ୍ୟମକୁ ସମସ୍ତେ ଭର୍ସନା କରିବା ସହ ଘଟଣାର ଭିଜିଲାନସ ତଦନ୍ତ ଦାବି ଉଠିଲାଣି। ସୂଚନାଯୋଗ୍ୟ ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌.ମୋହନ ରାଓ ଅଭିଯୋଗ କରିଥିଲେ ଯେ, ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ର କାର୍ଯ୍ୟ କରି କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିଲେ। ଏହି ଟି. ଫକୀର ପାତ୍ର ଜିଲ୍ଲା ପରିଷଦ ଶ୍ରୀ ରାଓଙ୍କୁ ଜଣାଇବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଘଟଣାଟି ଚର୍ଚ୍ଚାହେବା ପରେ ବର୍ତ୍ତମାନ ଏହାକୁ ରଫାଦଫା କରିବା ପାଇଁ ଚେଷ୍ଟା ଜୋର୍‌ସୋର୍‌ରେ ଚାଲିଛି। ତେଣୁ ଯଥାଶୀଘ୍ର ଘଟଣାଟିର ଭିଜିଲାନସ ତଦନ୍ତ କରାଯାଉ ବୋଲି ଦାବି ହୋଇଛି।