Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ୧୦ କେଜି ଓ ୩୦ କେଜି ପ୍ୟାକରେ ଉପଲବ୍ଧ ହେବ।

ଏହି ଅଟା ସାରାଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ।

ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ

ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି।

ଗହମଦର ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି

ବଜାରରେ ଅଣବ୍ରାଣ୍ଡେଡ୍ ଅଟାର ଖୁଚୁରା ମୂଲ୍ୟ କିଲୋ ପିଛା ୩୦ରୁ ୪୦ ଟଙ୍କା ଥିବାବେଳେ ବ୍ରାଣ୍ଡେଡ୍ ଅଟା କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। କ୍ରମାଗତଭାବେ ଗହମଦର ବୃଦ୍ଧି ପାଉଥିବାରୁ ପର୍ବପର୍ବାଣୀ ଋତୁରେ ଅଟା ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶସ୍ତାରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାର ଶସ୍ତାରେ ପିଆଜ ଓ ଡାଲି ବିକ୍ରି କରୁଛନ୍ତି

ପିଆଜ ଦର ବୃଦ୍ଧିରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ୨୫ ଟଙ୍କା କିଲୋ ଦରରେ ପିଆଜ ବିକ୍ରି କରୁଛନ୍ତି। ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ) ଏବଂ ନାଫେଡ୍ ୨୫ ଟଙ୍କା କିଲୋ ଦରରେ ବଫର ପିଆଜ ବିକ୍ରି କରୁଛନ୍ତି। ଏନସିସିଏଫ ୨୦ଟି ରାଜ୍ୟର ୫୪ଟି ସହରର ୪୫୭ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି।

ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରର ୩୨୯ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି। ସେହିପରି କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ଶୁକ୍ରବାରଠାରୁ ଦିଲ୍ଲୀ-ଏନସିଆରରେ ପିଆଜର ଖୁଚୁରା ବିକ୍ରି ଆରମ୍ଭ କରିଛି। ଏତଦ୍ ବ୍ୟତୀତ କିଲୋ ପିଛା ୬୦ ଟଙ୍କା ଦରରେ ସରକାର ଭାରତ ଡାଲି (ଚଣା ଡାଲି) ଯୋଗାଇ ଦେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରେ ଶ୍ରୀଗଣେଶଙ୍କୁ ଆରତୀ କଲେ ପ୍ରଧାନମନ୍ତ୍ରୀ, ପତିଆରା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ।

ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ ସେଦିନ ପୀୟୁଶ ଗୋଏଲଙ୍କ ଘରେ ଅନ୍ୟତମ ଅତିଥୀ ଭାବେ ଯୋଗଦେଇଥିଲେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି, ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ।

ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। କାରଣ ବର୍ତ୍ତମାନ ମୋଦୀ ସରକାରରେ ଅମିତ ସାହା ହେଉଛନ୍ତି ସବୁଠୁ ପାୱାରଫୁଲ। ସେହି ସ୍ତରରେ ରାଜନାଥ ସିଂ ଏବଂ ନୀତିନ ଗଡକରୀ ଯିବେ। ଏହା ପରେ ଯୁବମନ୍ତ୍ରୀଙ୍କ ଭିତରେ କିଏ ସେ ଅଧିକ ପାୱାର ଫୁଲ ସେ ନେଇ ଚାଲିଛି କସରତ।

ଏପରି ପରିସ୍ଥିତିରେ ପୀୟୁଶ ଗୋଏଲଙ୍କ ଘରେ ତାଙ୍କର ପାରିବାରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ  ଯୋଗ ଦେବା ତାଙ୍କର ପତିଆରାକୁ ପ୍ରତିପାଦନ କରିଛି। ଫଳରେ ବର୍ତ୍ତମାନ ଯୁବମନ୍ତ୍ରୀଙ୍କ ମଧ୍ୟରେ ପୀୟୁଶ ଗୋଏଲଙ୍କ ପତିଆରା ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଗତକାଲି ଦିନତମାମ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।