Categories
ଆଜିର ଖବର ଜାତୀୟ ଖବର

‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ସମଗ୍ର ବିଶ୍ୱରେ ପରିଚିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ କାରଣରୁ ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଟ୍ବିଟର ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ନୀତି ଉପରେ କେନ୍ଦ୍ରର ଗୁରୁତ୍ୱ କିପରି ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ କରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

Categories
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ସମେତ ବିଜେପିର ଏହି ୧୯ ଜଣ ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିବେ, ଆସନ ମଧ୍ୟ ସ୍ଥିର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ଦିଗରୁ ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି। ବିଶେଷ କରି ରାଜ୍ୟସଭାର ପ୍ରାୟ ୨୦ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି। ପ୍ରାୟ ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ଲୋକସଭା ଆସନ ସ୍ଥିର ହୋଇସାରିଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ପ୍ରମୁଖ ଚେହେରାମାନେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି। ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ ବଡ଼ ବଡ଼ ନେତାଙ୍କୁ ପ୍ରାର୍ଥୀ କଲେ ସେହି ଆସନ ଜିତିବା କେବଳ ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ।

ଏହି କାରଣରୁ ବିଜେପି ନିଜର ବଡ଼ ବଡ଼ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯାଉଛି। ଏହା ପୂର୍ବରୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ପରୀକ୍ଷଣ କରିସାରିଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଥିଲା। ଏହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟସଭା ସାଂସଦଙ୍କୁ ନେଇ ମଧ୍ୟ ଏହି ଫର୍ମୁଲା ଲାଗୁ କରିବାକୁ ଯାଉଛି।

କିଏ କେଉଁଠୁ ନିର୍ବାଚନ ଲଢ଼ିପାରିବେ!

ନେତାଙ୍କ ନାମ- ଲୋକସଭା ଆସନ- ରାଜ୍ୟ

୧- ଧର୍ମେନ୍ଦ୍ର ପ୍ରଧାନ- ସମ୍ବଲପୁର- ଓଡ଼ିଶା

୨- ପୀୟୂଷ ଗୋୟଲ- ମୁମ୍ବାଇ ଦକ୍ଷିଣ କିମ୍ବା ମିରଟ- ମହାରାଷ୍ଟ୍ର/ଉତ୍ତର ପ୍ରଦେଶ

୩- ଅନୀଲ ଜୈନ- ଫିରୋଜାବାଦ କିମ୍ବା ମିରଟ- ଉତ୍ତର ପ୍ରଦେଶ

୪- ନିର୍ମଳା ସୀତାରମଣ- ଚେନ୍ନାଇ- ତାମିଲନାଡୁ

୫- ଭୁପେନ୍ଦ୍ର ଯାଦବ- ଅଲୱାର- ରାଜସ୍ଥାନ

୬- ଅରୁଣ ସିଂହ- ମଥୁରା କିମ୍ବା ଗାଜିଆବାଦ- ଉତ୍ତର ପ୍ରଦେଶ

୭- ହରଦୀପ ସିଂ ପୁରୀ- ଅମୃତସର- ପଞ୍ଜାବ

୮- ଜିଭିଏଲ୍ ନରସିଂହ- ବିଜୟୱାଡା ଆନ୍ଧ୍ରପ୍ରଦେଶ

୯- ବିଏଲ୍ ବର୍ମା- ବଦାୟୁନ୍ ଉତ୍ତର ପ୍ରଦେଶ

୧୦- ସୁରେନ୍ଦ୍ର ସିଂହ ନାଗର- ଫରିଦାବାଦ ହରିୟାନା

୧୧- ନୀରଜ ଶେଖର- ବଲିଆ- ଉତ୍ତର ପ୍ରଦେଶ

୧୨- ସୁଧାଂଶୁ ତ୍ରିବେଦୀ- କାନପୁର କିମ୍ବା ରାଏବରେଲି- ଉତ୍ତର ପ୍ରଦେଶ

୧୩- ମନସୁଖ ଭାଇ ମାଣ୍ଡଭିଆ- ଭାବନଗର- ଗୁଜରାଟ

୧୪- ରାଜୀବ ଚନ୍ଦ୍ରଶେଖର- ଉତ୍ତର ବେଙ୍ଗାଲୁରୁ କିମ୍ବା କେରଳର କୌଣସି ଆସନ।

୧୫- ସରୋଜ ପାଣ୍ଡେ- ଦୁର୍ଗ- ଛତିଶଗଡ଼

୧୬- ଭି ମୁରଲୀଧରନ ତ୍ରିଭେନ୍ଦ୍ରମ- କେରଳ

୧୭- ରାକେଶ ସିହ୍ନା- ବେଗୁସରାଇ- ବିହାର

୧୮- ଜ୍ୟୋତିରାଦିତ୍ୟ ସିନ୍ଧିଆ- ଗୁନା ନା ଗ୍ୱାଲିୟର ମଧ୍ୟପ୍ରଦେଶ

୧୯- ଏଲ୍ ମୁରୁଗାନ୍- ତାମିଲନାଡୁର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ।

Categories
ବିଶେଷ ଖବର ବ୍ୟବସାୟ

‘ଭାରତ୍‌ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି। କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ।

ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଆଉଟଲେଟ୍‌ ଚଣା ଡାଲିକୁ ବିକ୍ରି କରୁଛନ୍ତି। ‘ଭାରତ ଡାଲ୍‌’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ନାଫେଡ୍‌ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଳ ଆଉଟଲେଟ୍‌ ମାଧ୍ୟମରେ ବିତରଣ କରାଯାଇଥାଏ। ଏହି ବ୍ୟବସ୍ଥା ଅଧୀନରେ, ରାଜ୍ୟ ସରକାରମାନଙ୍କୁ ଚଣା ଡାଲି ମଧ୍ୟ ଯୋଗାଇ ଦିଆଯାଇଛି। ଯାହାକୁ ସେମାନେ ନିଜର କଲ୍ୟାଣକାରୀ ଯୋଜନା, ପୁଲିସ, ଜେଲ ଏବଂ ଉପଭୋକ୍ତା ସମବାୟ ଦୋକାନଗୁଡ଼ିକୁ ବିତରଣ କରିପାରିବେ।

ଚଣା ଡାଲି ଭାରତରେ ସବୁଠୁ ଅଧିକ ମାତ୍ରାରେ ଉତ୍ପାଦିତ ହୋଇଥାଏ। ସାରା ଭାରତରେ ଅନେକ ରୂପରେ ଏହାର ଉପଯୋଗ କରାଯାଇଥାଏ। ସାଲାଡ୍‌ ପ୍ରସ୍ତୁତ କରିବା ଲାଗି ଗୋଟା ଚଣାକୁ ଭିଜାଇ ସିଝା ଯାଏ। ଭଜା ହୋଇଥିବା ଚଣାକୁ ଜଳଖିଆ ରୂପରେ ପରଷି ଦିଆଯାଏ। ଛଣା ହୋଇଥିବା ଚଣା ଡାଲିକୁ ହରଡ଼ ଡାଲି, ତରକାରୀ ଏବଂ ସୁପ୍‌ର ବିକଳ୍ପ ରୂପରେ ଉପଯୋଗ କରାଯାଏ। ଚଣା ବେସନ ଛଣା ଖାଦ୍ୟ ସାମଗ୍ରୀ ଏବଂ ମିଠେଇ ପାଇଁ ଏକ ପ୍ରମୁଖ ଉପଦାନ ରୂପରେ ବ୍ୟବହୃତ ହୁଏ। ଚଣାର ଅନେକ ପୁଷ୍ଟିକର ଗୁଣ ରହିଛି । ଏଥିରେ ଫାଇବର, ଆଇରନ୍‌, ପଟାସିୟମ, ଭିଟାମିନ୍‌ ବି, ସେଲେନିୟମ, ଭିଟା କ୍ୟାରୋଟିନ ଏବଂ କୋଲିନ୍‌ ପରିପୂର୍ଣ୍ଣ ହୋଇ ରହିଛି। ମଣିଷ ଶରୀରରେ ଏନିମିୟା, ରକ୍ତ ସର୍କରା, ହାଡ଼ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରିବା ଲାଗି ଏହା ଏକ ଉପଯୋଗୀ ଖାଦ୍ୟ ଦ୍ରବ୍ୟ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ଆକାଂକ୍ଷୀ ବଜାର ବିଷୟରେ ବିଶ୍ୱକୁ ସୂଚନା ଦେବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖିପାରିଛନ୍ତି। ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ।

ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି। ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ।

ଶ୍ରୀ ଗୋୟଲ ଭାରତରେ ଥିବା ଜୀବନ୍ତ ଷ୍ଟାର୍ଟ-ଅପ ଇକୋସିଷ୍ଟମକୁ ରେଖାଙ୍କିତ କରି ସ୍ମରଣ କରିଛନ୍ତି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ‘ଷ୍ଟାର୍ଟ-ଅପ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲେ, ଏହି ପଦକ୍ଷେପ ନବସୃଜନର ବର୍ଦ୍ଧିଷ୍ଣୁ ମହତ୍ତ୍ୱ, ଯୁବ ପ୍ରତିଭାମାନଙ୍କର ନୂଆ ବିଚାର, ନୂଆ ପ୍ରୟୋଗ ସହିତ ସାମ୍ନାକୁ ଆସିବା ଏବଂ ନୂଆ ସମାଧାନ ଉପସ୍ଥାପନ କରିବାର ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ ଥିଲା।

ଶ୍ରୀ ଗୋୟଲ ଦର୍ଶାଇଛନ୍ତି ଯେ ଭାରତରେ ଷ୍ଟାର୍ଟ-ଅପର ବହୁତ ବିଚାର ବିକଶିତ ହେଉଛି ଏବଂ ସେଠାରେ ଏକ ବିଶାଳ ଘରୋଇ ବଜାର ଉପସ୍ଥିତ ରହିଛି। ଏହି ଘରୋଇ ବଜାର ବିଶ୍ୱ ସହିତ ସେତିକି ଜଡ଼ିତ ରହିଛି, ଯେତିକି ହେବା ଦରକାର ଥିଲା। ଶ୍ରୀ ଗୋୟଲ କହିଛନ୍ତି ଯେ ଏହା ଜରୁରି ଯେ ଭାରତୀୟ ଷ୍ଟାର୍ଟ-ଅପ ବିଚାରଗୁଡ଼ିକୁ ଅଧିକ ସୁଯୋଗ ମିଳିବା ଉଚିତ ଏବଂ ସେଗୁଡ଼ିକ ବଜାର ପର୍ଯ୍ୟନ୍ତ ପହଞ୍ଚ ବନାଇ ରଖନ୍ତୁ। ସେ କହିଥିଲେ ଯେ ବୈଶ୍ୱିକ ହେବା ପାଇଁ ସିଲିକନ ଭ୍ୟାଲି ଠାରୁ ଉତ୍ତମ ସ୍ଥାନ ଆଉ କିଛି ନାହିଁ। ଶ୍ରୀ ଗୋୟଲ କହିଛନ୍ତି ଯେ ବିଶ୍ୱରେ ଏମିତି କୌଣସି ଦେଶ ନାହିଁ, ଯାହା କି ବାକି ବିଶ୍ୱ ସହ ସମ୍ପର୍କ ବୃଦ୍ଧି ନ କରି ବିକଶିତ ହୋଇଛି। ତେଣୁ ଆମ ପାଇଁ ଜରୁରି ଯେ ଆମେ ବିଶ୍ୱ ସହ ଯୋଡ଼ି ହେବାର କୌଣସି ସୁଯୋଗ ଯେମିତି ହାତଛଡ଼ା ନ କରିବା।

ଶ୍ରୀ ଗୋୟଲ କହିଛନ୍ତି ଯେ ସରକାର ଭାରତୀୟ ଷ୍ଟାର୍ଟ-ଅପ ଏବଂ ଆମେରିକାର ନିବେଶକଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରୁଛନ୍ତି। ସେ ଆଗ୍ରହ ଦେଖାଇଛନ୍ତି ଯେ ଉଭୟ ପରସ୍ପର ସହ ବାର୍ତ୍ତାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇଯିବା ଆବଶ୍ୟକ। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ନିବେଶକଙ୍କର କିଛି ନୂଆ ବିଚାର ନିଜ ସାଥିରେ ନେଇ ଯାଉଛନ୍ତି, ଯାହା ଭାରତରେ ନୂଆ ନବସୃଜନ ନିମନ୍ତେ ପୁଞ୍ଜିଗତ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ।

ସରକାରଙ୍କ କାର୍ଯ୍ୟଶୈଳୀରେ ହେଉଥିବା ପରିବର୍ତ୍ତନ ବାବଦରେ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଲାଲ ଫିତାଶାହି ଠାରୁ ଦୂରଉଛି, ଯାହା ଅତୀତରେ ତିଷ୍ଠି ରହିଥିଲା। ସେ କହିଛନ୍ତି ଯେ ପ୍ରାଦ୍ୟୋଗିକତା ଓ ପାରଦର୍ଶିତା ବଡ଼ ଆକାରରେ ପୁରୁଣା ଉପାୟକୁ ସମାପ୍ତ କରିଦେଇଛି। ଭାରତ ସରକାର ଅନୁକୂଳ ବ୍ୟବସାୟ ବାତାବରଣ ସୃଷ୍ଟି ନିମନ୍ତେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସରକାରଙ୍କ କାର୍ଯ୍ୟ କରିବାର ଉପାୟ କ୍ଷେତ୍ରୀୟ ସ୍ତରରେ ଲୋକଙ୍କ ସହ ସକି୍ରୟତା ସହ ଯୋଡ଼ିହେବା ଉପରେ ଆଧାରିତ। ସରକାର ନୀତିଗତ ନିଶ୍ଚିତତାକୁ ବଜାୟ ରଖିବା ତଥା ନିୟମ-ପ୍ରକି୍ରୟାଗୁଡ଼ିକୁ ତ୍ରୁଟିମୁକ୍ତ କରିବା ଉପରେ ଜୋର ଦେଉଛନ୍ତି, ଯାହା ବିକଶିତ ଦେଶଗୁଡ଼ିକର ସ୍ଥିତି ସହ ମେଳ ଖାଉଛି।

ସମଗ୍ର ଭାରତରେ, ବିଶେଷକରି ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଉନ୍ନତ ଅବସଂରଚନା ଉପଲବ୍ଧ କରାଇବା ବାବଦରେ ଶ୍ରୀ ଗୋୟଲ ଉଲ୍ଲେଖ କରିଛନ୍ତି ଯେ ନିକଟରେ ମନ୍ତ୍ରିମଣ୍ଡଳ ଧାର୍ଯ୍ୟ କରିଛି ଯେ ବଳକା ୨୫,୦୦୦ ଦୁର୍ଗମ ଗ୍ରାମ ପର୍ଯ୍ୟନ୍ତ ନେଟୱର୍କ କନେକ୍ଟିଭିଟି ପହଞ୍ଚାଯିବ। ରପ୍ତାନି ବାବଦରେ ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଗତ ଆର୍ଥିକବର୍ଷରେ ଏ ପର୍ଯ୍ୟନ୍ତର ସର୍ବାଧିକ ୬୭୫ ବିଲିୟନ ଆମେରିକୀୟ ଡଲାର ସାମଗ୍ରୀ ଏବଂ ସେବା ରପ୍ତାନି ହାସଲ କରିଛି। ସେ ଆଶାବ୍ୟକ୍ତ କରିଛନ୍ତି ଯେ ଚଳିତବର୍ଷ ଏହା ୭୫୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଯିବ।

ଶ୍ରୀ ଗୋୟଲ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ ଅମୃତ କାଳ ରହିବ, ଯେତେବେଳେ ଆମେ ଭାରତର ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବା। ଏହି କାଳଖଣ୍ଡ ବିକଶିତ ଦେଶ ହେବା ଅଭିମୁଖେ ଭାରତର ଯାତ୍ରା ନିର୍ଣ୍ଣାୟକ କାଳଖଣ୍ଡ ସାବ୍ୟସ୍ତ ହେବ। ସେତେବେଳେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହୋଇଯିବ। ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କାରଣ ସେମାନେ ପ୍ରତିଭା, ନୂଆ ବିଚାର ଏବଂ ନବସୃଜନକୁ ଭଲ ଭାବେ ଚିହ୍ନନ୍ତି, ସେମାନଙ୍କ ମାର୍ଗଦର୍ଶନ, ସମର୍ଥନ ଓ ବିତ୍ତପୋଷଣ କରୁଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ଭାରତ ଓ ଆମେରିକା ମଧ୍ୟରେ ସେତୁ ସ୍ଥାପନ କରିବାର ଲଗାତର ଉଦ୍ୟମର ସମର୍ଥକ, ଯାହା ଅନୁସାରେ ବ୍ୟବସାୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ।

Categories
ବିଶେଷ ଖବର

ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା ପାଇଁ ରାଜ୍ୟମାନଙ୍କ ମାନ୍ୟତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରେ ଏହି ରାଙ୍କିଙ୍ଗର ଫଳାଫଳ ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ୫ଟି ବର୍ଗରେ ବିଭକ୍ତ କରାଯାଇଥିଲା। ଶ୍ରେଷ୍ଠ (ବେଷ୍ଟ) ପ୍ରଦର୍ଶକାରୀ, ଶୀର୍ଷ (ଟପ୍‌) ପ୍ରଦର୍ଶନକାରୀ, ଅଗ୍ରଣୀ (ଆସ୍ପାୟାରିଂ) ଏବଂ ଆକାଂକ୍ଷୀ ଅଗ୍ରଣୀ (ଆସ୍ପାୟରିଂ ଲିଡର୍ସ) ଏବଂ ବିକାଶଶୀଳ (ଇମର୍ଜିଂ) ଷ୍ଟାର୍ଟଅପ୍‌ ଇକୋସିଷ୍ଟମ।

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରକୁ ସାମିଲ କରାଯାଇଥିଲା । ଏହି ବର୍ଗରେ ଗୁଜରାଟ ଏବଂ କର୍ଣ୍ଣାଟକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମାନ୍ୟତା ପାଇଛନ୍ତି । ଅନ୍ୟପକ୍ଷରେ ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ସମେତ କେରଳ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର ଶୀର୍ଷ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଛି ।

ସେହିପରି ଅଗ୍ରଣୀ ବର୍ଗରେ ଆସାମ, ପଞ୍ଜାବ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ବିଜେତା ହୋଇଛନ୍ତି । ଏହି ବର୍ଗର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ ଏବଂ ଗୋଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଆକାଂକ୍ଷୀ ଅଗ୍ରଣୀ ବର୍ଗର ରାଜ୍ୟମାନଙ୍କ ମଧ୍ୟରେ ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନକୁ ପୁରସ୍କାର ମିଳିଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଳୀ, ଡାମନ ଓ ଡିଉ, ହିମାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରା ଆକାଂକ୍ଷୀ ଅଗ୍ରଣୀ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।

ଏହି ରାଙ୍କିଙ୍ଗ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଓଏନଡିସି (ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱର୍କ) ନିକଟରେ ହଜାର ହଜାର ଷ୍ଟାର୍ଟଅପ୍‌ ଗଢ଼ିବାର ସାମର୍ଥ୍ୟ ରହିଛି ।  ବିଗତ କିଛି ଦିନ ମଧ୍ୟରେ ଭାରତରେ ୟୁପିଆଇକୁ ବ୍ୟାପକ ସଫଳତା ମିଳିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଇ-କମର୍ସ ଅଧିକ ଲୋକାଭିମୁଖି ହୋଇପାରିବ । ଦେଶରେ ହଜାର ହଜାର ଷ୍ଟାର୍ଟଅପ୍‌ ଏବଂ ଶତାଧିକ ୟୁନିକର୍ଣ୍ଣ ସୃଷ୍ଟି ହେବେ । ଓଏନଡିସି ନିକଟରେ ଅପାର କ୍ଷମତା ରହିଛି । ଏହା ଜରିଆରେ ଦେଶରେ ଆଗାମୀ ଦିନରେ ୧୦୦ ବିଲିୟନ କିମ୍ବା ଏକ ଟ୍ରିଲିୟନ ଆକାରର ତିନୋଟି କମ୍ପାନୀ ପରିବର୍ତ୍ତେ ୧ ବିଲିୟନ ଡଲାର କ୍ଷମତା ବିଶିଷ୍ଟ ହଜାର ହଜାର କମ୍ପାନୀ ସୃଷ୍ଟି ହେବେ ।

ଭାରତୀୟ ଇକୋସିଷ୍ଟମରେ କାର୍ଯ୍ୟ କରିବା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ରାଜ୍ୟମାନେ ପଡ଼ୋଶୀ ରାଜ୍ୟ ସହଭାଗିତାରେ ପରସ୍ପର ଠାରୁ ଶିକ୍ଷାଲାଭ କରିପାରିବେ । ସରକାରୀ ଇ-ମାର୍କେଟ ପ୍ଲେସ୍‌ (ଜିଇଏମ) ପ୍ଲାଟଫର୍ମରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍‌ ସାମିଲ ହେବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ । ସେ କହିଥିଲେ ଯେ ଏବେ ଜିଇଏମ ପ୍ଲାଟଫର୍ମରେ ସେବା କ୍ଷେତ୍ରକୁ ସାମିଲ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଷ୍ଟାର୍ଟଅପ୍‌ ସଂକ୍ରାନ୍ତ ଯୋଜନାର ଲାଭ ଉଠାଇ ଜିଲ୍ଲା ସ୍ତରରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବିକାଶ କରିବା ଉପରେ ଧ୍ୟାନ ଦେବା ଲାଗି ସେ ଜୋର ଦେଇଥିଲେ । କ୍ରିକେଟ୍‌ କ୍ଷେତ୍ରରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଦେଶରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ଅନୁରୂପ ଭାବେ ଅଧିକ ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି ।

ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ସଚିବ ଶ୍ରୀ ଅନୁରାଗ ଜୈନ ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ଜନଧନ, ଆଧାର, ମୋବାଇଲ (ଜାମ୍‌), ଡିଜିଟାଲ ଇଣ୍ଡିଆ, ଗତିଶକ୍ତି, ଇଜ୍‌ ଅଫ୍‌ ଡୁଇଂ ବିଜନେସ ଆଦିର ଉଦାହରଣ ଦେଇଥିଲେ ।

ଜାତୀୟ ଷ୍ଟାର୍ଟଅପ୍‌ ପରାମର୍ଶଦାତା ପରିଷଦର ସଦସ୍ୟ ମନୋଜ କୋହଲୀ ନୂଆ ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ କାର୍ଯ୍ୟକ୍ରମ ମାର୍ଗ ବିଷୟରେ କହିଥିଲେ । ଭାରତରେ ଷ୍ଟାର୍ଟଅପଗୁଡ଼ିକ ପାଇଁ ଏକ ଟୁଲ୍‌ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ ବିକଶିତ କରାଯାଇଛି । ପ୍ରଶିକ୍ଷକଙ୍କ ସହ ଯୋଡ଼ି ହେବା ଲାଗି ଦେଶର ପ୍ରତ୍ୟେକ କୋଣରେ ଏହି ପୋର୍ଟାଲକୁ ଆକ୍ସେସ କରାଯାଇ ପାରିବ ।

ଡିପିଆଇଆଇଟିର ଯୁଗ୍ମ ସଚିବ ଶ୍ରୀମତୀ ଶ୍ରୁତି ସିଂ କହିଥିଲେ ଯେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବିକାଶରେ ରାଜ୍ୟମାନଙ୍କର ପ୍ରମୁଖ ଭୂମିକା ରହିଛି । ଆଜି ସାରା ଦେଶରେ ୨୭ଟି ରାଜ୍ୟ ପାଖରେ ସେମାନଙ୍କର ଆଞ୍ଚଳିକ ଭାଷାରେ ପୋର୍ଟାଲ ରହିଛି ।

ସାରା ଦେଶରେ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ପାଇଁ ସୁବିଧା ଦେବା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ଲାଗି ୨୦୧୮ ପରଠାରୁ ଡିପିଆଇଆଇଟି ପକ୍ଷରୁ ରାଜ୍ୟମାନଙ୍କର ଷ୍ଟାର୍ଟଅପ୍‌ ରାଙ୍କିଙ୍ଗ ପ୍ରତିଯୋଗିତା ଆୟୋଜନ କରାଯାଉଛି । ତୃତୀୟ ସଂସ୍କରଣର ରାଙ୍କିଙ୍ଗ ପ୍ରସ୍ତୁତ କରିବା ଲାଗି ୧ ଅକ୍ଟୋବର ୨୦୧୯ ଠାରୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଅବଧିକୁ ବିଚାରକୁ ନିଆଯାଇଥିଲା । ଏହାପରେ ୬ ମାସରୁ ଅଧିକ ସମୟ ଧରି ବିଭିନ୍ନ ଦସ୍ତାବିଜ ଆଧାରିତ ପ୍ରମାଣ ଯାଞ୍ଚ କରାଯାଇଥିଲା । ୧୯ଟି ସରକାରୀ ବିଭାଗ ଏବଂ ୨୯ଟି ଅଣ ସରକାରୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଅଂଶୀଦାରଙ୍କୁ ନେଇ ମୂଲ୍ୟାୟନ କମିଟିର ୧୪ଟି ବୈଠକ ଆୟୋଜନ କରାଯାଇଥିଲା । ୨୬ଟି କାର୍ଯ୍ୟବିନ୍ଦୁକୁ ନେଇ ପ୍ରସ୍ତୁତ ୭ଟି ବ୍ୟାପକ ସଂସ୍କାର କ୍ଷେତ୍ରରେ ପ୍ରତିଯୋଗୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରାଯାଇଥିଲା। ଏହି ଅବସରରେ ଜାତୀୟ ଷ୍ଟାର୍ଟଅପ୍‌ ରିପୋର୍ଟ ଏବଂ ରାଜ୍ୟ ନିର୍ଦ୍ଦିଷ୍ଟ ରିପୋର୍ଟ ଜାରି କରାଯାଇଥିଲା।