Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସିଙ୍ଗଲ ଓ୍ୱିଣ୍ଡୋ ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ, ୨୨୫୩ କୋଟି ଟଙ୍କାର ପୁଂଜି ନିବେଶ

ଭୁବନେଶ୍ବର: ଆଜି ସିଙ୍ଗଲ ଓ୍ୱିଣ୍ଡୋ ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡିକରେ ମୋଟ ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।  ଏଥିରେ ମୋଟ ୩ ହଜାର ୮୧୭ ଜଣଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ଯେଉଁ ମୁଖ୍ୟ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି ସେଗୁଡିକ ହେଲା

1- ସୁନ୍ଦରଗଡ଼ରେ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ ହେବ, ଏଥିରେ ୫୫୩.୨୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ।

2- ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର। ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି।

3- କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା। ଆର୍ଯ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ। କାରଖାନାରେ ମୋଟ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ।

4- ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା। ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ। କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

5- ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ।

Categories
ବିଶେଷ ଖବର ବ୍ୟବସାୟ

ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ୧୨ଟି ପ୍ରକଳ୍ପ ଅନୁମୋଦିତ, ୨୦୭୧ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର‌୍ୟ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର‌୍ୟ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି।

ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି। ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ଇଶା ମୁକେଶ ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ। ଆମ ବ୍ୟବସାୟ ପ୍ରତି ନିବେଶକମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଆଗ୍ରହକୁ ନେଇ ଆଗେ ଗର୍ବିତ ଅନୁଭବ କରୁଛୁ ଏବଂ ସେମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କ ଅଭିଜ୍ଞତା ଏବଂ ବିଶ୍ୱସ୍ତରରେ ରହିଥିବା ସମ୍ପର୍କର ଲାଭନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନୂତନ ବାଣିଜ୍ୟ ଉପରେ ଆମେ ଗୁରୁତ୍ୱ ଦେବା ସହ ନିୟୁତାଧିକ ବ୍ୟବସାୟୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି ଆମେ ଭାରତୀୟ ରିଟେଲ୍ କ୍ଷେତ୍ରରେ ପରିବର୍ତନକାରୀ ଭୂମିକା ନିର୍ବାହ କରିବାକୁ ପ୍ରତିବଦ୍ଧ ରହିଛୁ।’’

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟିଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ ପକ୍ଷରୁ ୯,୫୫୫ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯,୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ କରିବ। ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୫୮୭ ଲକ୍ଷ କୋଟି ଟଙ୍କା (ପ୍ରାୟ ୬୨.୪ ବିଲିଅନ ଡଲାର) ଆକଳନ କରି ଏହି ନିବେଶ କରାଯାଇଛି। ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ ସେବା ପ୍ରଦାନକାରୀ ସହଯୋଗୀ ସଂସ୍ଥା ଜିଓ ପ୍ଲାଟର୍ମର୍ସ୍‌ର ୨.୩୨ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ପିଆଇଏଫ୍ ପକ୍ଷରୁ ଆର୍‌ଆର୍‌ଭିଏଲ୍‌ରେ ପୁଞ୍ଜିନିବେଶ କରାଯାଇଛି। ଦୀର୍ଘମିଆଦୀ ବାଣିଜ୍ୟିକ ରିଟର୍ଣ୍ଣ ପ୍ରଦାନ କରୁଥିବା ଅଭିନବ ଓ ପରିବର୍ତନଶୀଳ ବ୍ୟବସାୟରେ ନିବେଶ କରିବା ଲାଗି ପିଆଇଏଫ୍‌ର ରହିଥିବା ରଣନୀତି ଓ ସିଦ୍ଧାନ୍ତ ଅନୁସାରେ ଏହି ପୁଞ୍ଜିନିବେଶ କରାଯାଇଛି। ଭାରତର ରିଟେଲ୍ କ୍ଷେତ୍ର ହେଉଛି ବିଶ୍ୱର ଅନ୍ୟତମ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଅବଦାନ ୧୦ ପ୍ରତିଶତରୁ ଅଧିକ ରହିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମର ସାଉଦି ଆରବ ସାମ୍ରାଜ୍ୟ ସହିତ ଦୀର୍ଘ ଅବଧିର ସୁସମ୍ପର୍କ ରହିଛି। ସାଉଦି ଆରବ ସାମ୍ରାଜ୍ୟର ଅର୍ଥନୈତିକ ପୁନର୍ବିନ୍ୟାସ କ୍ଷେତ୍ରରେ ପିଆଇଏଫ୍ ଅଗ୍ରଦୂତ ସାଜିଛି। ରିଲାଏନ୍ସ ରିଟେଲ୍‌ରେ ପିଆଇଏଫ୍‌କୁ ଏକ ମୂଲ୍ୟବାନ ସହାଯୋଗୀ ଭାବେ ମୁଁ ସ୍ୱାଗତ କରୁଛି। ଆମେ ଭାରତର ଖୁଚୁରା କ୍ଷେତ୍ରରେ ପରିବର୍ତନ ଆଣି ୧୩୦ କୋଟି ଭାରତୀୟ ଓ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନକୁ ସମୃଦ୍ଧ କରିବା ଭଳି ମହତ୍ୱକାଂକ୍ଷୀ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଏହାର ନିରନ୍ତର ସହାୟତା ଏବଂ ମାର୍ଗଦର୍ଶନ ଆଶା ରଖିଛୁୁ।’’

ପିଆଇଏଫ୍‌ର ଗଭର୍ଣ୍ଣର ୟାସିର ଅଲ୍‌-ରୁମାୟନ କହିଛନ୍ତି ଯେ, “ଭାରତରେ ଏକାଧିକ ଆକର୍ଷଣୀୟ ଓ ଉତ୍ସାହଜନକ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଆମର ବିଶ୍ୱାସପୂର୍ଣ୍ଣ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଆମେ ଅତ୍ୟନ୍ତ ଖୁସି। ସାରା ବିଶ୍ୱର ଅଭିନବ ବ୍ୟବସାୟ ସହିତ ଦୀର୍ଘମିଆଦୀ ସହଯୋଗିତା ଏବଂ ନିବେଶ ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ନିବେଶ ପ୍ରତିଫଳିତ କରୁଛି, ଯାହା ସେହି କ୍ଷେତ୍ରର ଅଗ୍ରଣୀ ହେବା ସହିତ ପରିବର୍ତନର ପଥ ସୁଗମ କରୁଛି। ସାଉଦି ଆରବର ଲୋକମାନଙ୍କ ପାଇଁ ଲାଭ ସୃଷ୍ଟି କରିବା ଏବଂ ସାଉଦି ଆରବରେ ଅର୍ଥନୈତିକ ବିବିଧତା ଆଣିବା ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ପରିଦର୍ଶିତ କରୁଛି।”

ରିଟେଲ୍ କ୍ଷେତ୍ରରେ ଭାରତର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ରିଲାଏନ୍ସ ରିଟେଲ୍‌ର ଲକ୍ଷ୍ୟ ହେଉଛି ନୂଆ ବାଣଜ୍ୟ ରଣନୀତି ଜରିଆରେ ଭାରତୀୟ ଖୁଚୁରା କ୍ଷେତ୍ରର ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରି ଭାରତୀୟ ସମାଜକୁ ଲାଭ ପହଂଚାଇବା ଏବଂ ନିୟୁତାଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏମ୍‌ଏସ୍‌ଏମ୍‌ଇ) ଗୁଡିକୁ ସଶକ୍ତ କରିବା।