Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ୟୁକ୍ରେନ ପ୍ରସଙ୍ଗରେ ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ, ଆକ୍ରମଣ କଲେ ଋଷକୁ ଭାରି ମୂଲ୍ୟ ଦେବାକୁ ପଡିବ

ନୂଆଦିଲ୍ଲୀ: ୟୁକ୍ରେନ ସୀମାରେ ୧ ଲକ୍ଷରୁ ଅଧିକ ସୈନ୍ୟକୁ ହଟାଇବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷର ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏହାସହିତ ପୁଟିନଙ୍କୁ ବାଇଡେନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ, ତେବେ ଏଥିପାଇଁ ତାଙ୍କୁ ଭାରି ମୂଲ୍ୟ ଦେବାକୁ ପଡିବ। ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ଵାଇଟ ହାଉସ୍ ଏହି ସୂଚନା ଦେଇଛି।

ସୂଚନାନୁସାରେ, ପୁଟିନଙ୍କୁ ବାଇଡେନ କହିଛନ୍ତି ଯେ, ଏହି ଆକ୍ରମଣର ଫଳାଫଳ ‘ବ୍ୟାପକ ମାନବିକ ପୀଡା ଦେବ। ଯାହାଦ୍ୱାରା ଋଷର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ। ଏଥି ସହିତ, ପୁଟିନଙ୍କୁ ବାଇଡେନ ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଉପରେ ଆମେରିକା କୂଟନୈତିକ କାର୍ଯ୍ୟ ଜାରି ରଖିବ। କିନ୍ତୁ ‘ଅନ୍ୟ ପରିସ୍ଥିତି ପାଇଁ ସମାନ ଭାବରେ ପ୍ରସ୍ତୁତ’ ରହିବ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ସୀମାରେ ଋଷ ଏକ ଲକ୍ଷରୁ ଅଧିକ ସୈନିକ ଠୁଳ କରିଛି ଏବଂ ପଡୋଶୀ ବେଲାଋଷରେ ଯୁଦ୍ଧାଭ୍ୟାସ ପାଇଁ ନିଜର ସୈନ୍ୟ ପଠାଇଛି। କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ କ୍ରମାଗତ ଭାବେ ମନା କରିଦେଇଛି।