Categories
ଆଜିର ଖବର ଜାତୀୟ ଖବର

ସିଆରସିଏସଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ, ମହାରାଷ୍ଟ୍ରରୁ ହିଁ ସମବାୟ ସଂସ୍କୃତି ସାରା ଦେଶରେ ବିସ୍ତାରିତ ହୋଇଥିଲା ଏବଂ ମହାରାଷ୍ଟ୍ରର ସମବାୟ ମଡେଲ ଦେଶରେ ସମବାୟ ଆନ୍ଦୋଳନକୁ ଆଗେଇ ନେଉଛି। ସେ କହିଥିଲେ, ଯଦି ଆମେ ଆଜି ସମବାୟ ଆନ୍ଦୋଳନର କ୍ରମ ବିକାଶକୁ ଦେଖିବା ତା’ହେଲେ ଏହା ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଶେଷ ଭାବେ ବିକଶିତ ହୋଇଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହି କ୍ଷେତ୍ର ବମ୍ବେ ରାଜ୍ୟ ଅଧୀନରେ ଥିଲା। ତେଣୁ  କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟ ମହାରାଷ୍ଟ୍ରରୁ ଆରମ୍ଭ କରାଯିବାର ବିଶେଷ ପ୍ରାସଙ୍ଗିକତା ରହିଛି । ଶ୍ରୀ ଶାହା କହିଥିଲେ, ବିଭିନ୍ନ ବହୁମୁଖ ସମବାୟ ସମିତିକୁ ପରିଚାଳନା କରୁଥିବା କେନ୍ଦ୍ରୀୟ ନିବନ୍ଧକ (ସିଆରସିଏସ)ଙ୍କ କାର୍ଯ୍ୟ ଆଜି ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ ହେଲା । ନୂଆ ଶାଖା ଖୋଲିବା, ଅନ୍ୟ ରାଜ୍ୟକୁ ସମ୍ପ୍ରସାରଣ କିମ୍ବା ଅଡିଟିଂ ଭଳି ସମବାୟ ସମିତିଗୁଡ଼ିକର ସବୁ କାର୍ଯ୍ୟ ଏବେ ଅନଲାଇନରେ ହେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଅନେକ ଚିନ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘‘ସହକାର ସେ ସମୃଦ୍ଧି’’ ବିଚାର ଉପସ୍ଥାପନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ଓ ବଞ୍ଚିତ ମାନଙ୍କୁ ଆବାସ, ବିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ଶୌଚାଳୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ଦେଶର କୋଟି କୋଟି ଲୋକ ପୂର୍ବରୁ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ପାଇଁ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଜରିଆରେ ଗରିବ ଲୋକଙ୍କୁ ଦେଶର ଅର୍ଥବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି । ସେ କହିଥିଲେ, ଯଦି ଦେଶର ଗରିବ ଲୋକଙ୍କ ପାଖରେ ଏକ ଉଦ୍ୟୋଗ ଆରମ୍ଭ କରିବା ଲାଗି ପୁଞ୍ଜିର ଅଭାବ ରହିଛି ତା’ହେଲେ ସମବାୟ ଆନ୍ଦୋଳନ ହିଁ ଏକମାତ୍ର ମାର୍ଗ ଯାହା ଜରିଆରେ ଅନେକ ଲୋକ ଅଳ୍ପ ପୁଞ୍ଜି ସହିତ ଏକତ୍ରିତ ହୋଇ ଏକ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ।

ଶ୍ରୀ ଶାହା କହିଥିଲେ ଯେ, ‘‘ସହକାରସେ ସମୃଦ୍ଧି’’ର ଅର୍ଥ ହେଉଛି ଗରିବ ଲୋକଙ୍କ ଜୀବନରେ ସୁଧାର ଆଣିବା, ସେମାନଙ୍କୁ ଦେଶର ଆର୍ଥିକ ବିକାଶ ଯୋଗଦାନ ଦେବା ପାଇଁ ମଞ୍ଚ ଯୋଗାଇ ଦେବା ଏବଂ ସମବାୟ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା । ଏହି ଉଦ୍ଦେଶ୍ୟ ନେଇ ଶ୍ରୀ ମୋଦୀ ସମବାୟ ମନ୍ତ୍ରଣାଳୟ ଗଠନ କରିଥିବା ସେ କହିଥିଲେ । ଶ୍ରୀ ଶାହା କହିଥିଲେ, ଆଜି ଶୁଭାରମ୍ଭ କରାଯାଇଥିବା ପୋର୍ଟାଲ ଦ୍ୱାରା ଦେଶର ୧୫୫୫ ବହୁମୁଖୀ ସମବାୟ ସମିତି ଲାଭବାନ ହେବେ ଏବଂ ଏସବୁ ୧୫୫୫ ସମବାୟ ସମିତି ମଧ୍ୟରୁ କେବଳ ୪୨% ମହାରାଷ୍ଟ୍ରରେ ଅଛନ୍ତି । ଏହା ମହାରାଷ୍ଟ୍ରରେ ସମବାୟ ଆନ୍ଦୋଳନର ସାମର୍ଥ୍ୟକୁ ଦର୍ଶାଉଛି। ଅନୁରୂପ ଭାବେ ମୋଦୀ ସରକାର ସବୁ ରାଜ୍ୟର ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରିବାକୁ ଯାଉଛନ୍ତି ଯାହାକି ଦେଶବ୍ୟାପୀ ରହିଥିବା ୮ ଲକ୍ଷ ସମବାୟ  ସମିତିଗୁଡ଼ିକର ଯୋଗାଯୋଗକୁ ସହଜ କରିବ ବୋଲି ସେ କହିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ, ଆଧୁନିକତା, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବିନା ଦେଶରେ ସମବାୟ ଆନ୍ଦୋଳନ ଆଗକୁ ବଢ଼ିପାରିବ ନାହିଁ । ସେ କହିଥିଲେ ଯେ, ଅଧିକ ସମବାୟ ପ୍ରତି ଗ୍ରହଣୀୟତା ବଢ଼ାଇବାକୁ  ହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ହେବ ଏବଂ ପାରଦର୍ଶିତା ଆଣିବାକୁ ହେବ । ଅମୁଲ, ଇଫକୋ ଏବଂ କ୍ରିଭକୋ ଭଳି ସମବାୟର ଅନେକ ସଫଳ କାହାଣୀ ଭାରତ ସାରା ଦୁନିଆକୁ ଦେଖାଇଛି । ବର୍ତ୍ତମାନ ଏସବୁକୁ ଆଗେଇ ନେଇ ଆମକୁ ସମବାୟ ଆନ୍ଦୋଳନକୁ ଏକ ନୂଆ ଗତି ଦେବାକୁ ହେବ ।

ଶ୍ରୀ ଶାହା କହିଥିଲେ ଯେ ନିକଟରେ ବହୁମୁଖୀ ସମବାୟ ସମିତି ଆଇନରେ ସଂଶୋଧନ ଅଣାଯାଇଛି । ଏହି ଆଇନ ଅଧୀନରେ ଆମେ ନିର୍ବାଚନୀ ସଂସ୍କାର କାର୍ଯ୍ୟକାରୀ କରିଛୁ, ସମବାୟ ପ୍ରଶାସନ ପାଇଁ ନୂଆ ନିୟମ ନିର୍ଦ୍ଧାରଣ କରିଛୁ, ଆର୍ଥିକ ଶୃଙ୍ଖଳା ଓ ପାଣ୍ଠି ପାଇଁ ବ୍ୟବସ୍ଥା କରିଛୁ, ବ୍ୟବସାୟିକ ସୁଗମତା ପାଇଁ ବ୍ୟବସ୍ଥା କରିଛୁ, ନିର୍ବାଚନ ଆୟୋଗଙ୍କ ଭଳି ଏକ ନିରପେକ୍ଷ ସଂସ୍ଥା ସମବାୟ ନିର୍ବାଚନ ପାଇଁ କାର୍ଯ୍ୟ କରିବ, ପରିଷଦ ପରିଚାଳନା ପାଇଁ ନିୟମିରେ ପରିବର୍ତ୍ତନ କରାଯାଇଛି, ପାରଦର୍ଶିତା ଆଣିବା ଲାଗି ପରିଷଦ ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି । ବହୁମୁଖୀ ସମବାୟ ସମିତି ଆଇନ, ୨୦୨୨ ସମବାୟ ସମିତିଗୁଡ଼ିକର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ସହିତ ପ୍ରିୟାପ୍ରୀତି ତୋଷଣକୁ ସମାପ୍ତ କରିବ ଯାହାଫଳରେ ଯୁବ ପ୍ରତିଭା ସମବାୟ ଆନ୍ଦୋଳନରେ ସାମିଲ ହୋଇପାରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ନିରନ୍ତର ମାର୍ଗଦର୍ଶନ ଫଳରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଅଧିକ ବ୍ୟବହାର୍ଯ୍ୟ କରିବା ଲାଗି ଅନେକ କାର୍ଯ୍ୟ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ପ୍ରତିଷ୍ଠା କରି ମୋଦୀ ସରକାର ସମବାୟ ଆନ୍ଦୋଳନକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ୭୦ ବର୍ଷ ମଧ୍ୟରେ ଦେଶରେ ୯୩ ହଜାର ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ ହୋଇଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ କରାଯିବ । ମୋଦୀ ସରକାରଙ୍କ ଦ୍ୱାରା ଦେଶର ସବୁ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ କାମ ଶେଷ କରାଯାଇଛି ବୋଲି ଶ୍ରୀ ଶାହା କହିଥିଲେ। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଏବେ ଜନ ସେବା କେନ୍ଦ୍ର (ସିଏସସି) ଭାବେ ପରିଣତ ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବିଶ୍ୱର ସର୍ବବୃହତ ଓ ବହୁମୁଖୀ ଭଣ୍ଡାରଣ ଯୋଜନାକୁ ମଞ୍ଜୁର କରିଛନ୍ତି । ବର୍ତ୍ତମାନ ଜିଇଏମ ପ୍ଲାଟଫର୍ମର ଲାଭ ମଧ୍ୟ ସମବାୟ ସଂସ୍ଥାଗୁଡ଼ିକୁ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ୯୫% ଜାତୀୟ ସମବାୟ ଡେଟାବେସ ତିଆରି କାମ ଶେଷ ହୋଇଛି । ଆମେ ଏକ ନୂଆ ସମବାୟ ନୀତି ଆଣିବାକୁ ଯାଉଛୁ । ଆମେ ଏକ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛୁ ଯାହା ମାଧ୍ୟମରେ ସମବାୟର ବୈଷୟିକ ଶିକ୍ଷା ଏବଂ ଏହାର ସମସ୍ତ ବିଭାଗକୁ ଯୋଡ଼ାଯାଇପାରିବ । ସେ କହିଥିଲେ ଯେ ଶ୍ରୀ ମୋଦୀ ୩ଟି ନୂଆ ବହମୁଖି ସମବାୟ ସମିତି ଗଠନ କରିଛନ୍ତି । ଗୋଟିଏ ସମିତି ବହୁମୁଖି ଜୈବିକ ଉତ୍ପାଦ ବିକ୍ରି ପାଇଁ ପ୍ରତିଷ୍ଠା କରାଯାଇଛି ଯାହାକି ‘ଭାରତବ୍ରାଣ୍ଡ’ ନାମରେ ପ୍ରାକୃତିକ କୃଷି ଉତ୍ପାଦ ବିକ୍ରି କରୁଛି । ଏହାର ସମ୍ପୂର୍ଣ୍ଣ ଲାଭ ଚାଷୀଙ୍କ ଏକାଉଣ୍ଟକୁ ଯାଉଛି । ଏହି ୩ଟି ନୂଆ ବହମୁଖି ସମବାୟ ସମିତି ଦ୍ୱାରା ଦେଶର ୧୦ କୋଟି ଚାଷୀ ଲାଭବାନ ହେଉଛନ୍ତି ଏବଂ ଏଗୁଡ଼ିକ ଆଗାମୀ ଦିନରେ କୋଟି ଚାଷୀଙ୍କ ସମୃଦ୍ଧି ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ, ପୂର୍ବରୁ ସମବାୟ ସଂସ୍ଥାଗୁଡ଼ିକ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଥିଲା କିନ୍ତୁ ଏବେ ସମବାୟ ସଂସ୍ଥାଗୁଡ଼ିକୁ କର୍ପୋରେଟ୍‌ ସଂସ୍ଥା ଭଳି ସୁବିଧାସୁଯୋଗ ମିଳିପାରୁଛି । ଆୟକରରେ ରହିଥିବା ଦୋହରା ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଅନେକ ବର୍ଷ ଧରି ପଡ଼ିରହିଥିବା ଚିନି କଳଗୁଡ଼ିକର ବିଭିନ୍ନ ସମସ୍ୟାକୁ ମୋଦୀ ସରକାର ସମାଧାନ କରିଛନ୍ତି ।  ଚାଷୀଙ୍କ ଲାଭ ଉପରେ ସରକାର ଟିକସ ଲାଗୁ କରି ପାରିବେ ନାହିଁ, ସମବାୟ କ୍ଷେତ୍ର ପାଇଁ ସରକାର ଏହି ନୀତି ଆପଣାଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସମବାୟ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବରୁ କେବର ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଗୃହ ଋଣ ପ୍ରଦାନ କରିବାର କ୍ଷମତା ଥିଲା ଏବେ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଏ ସୁବିଧା ମିଳିଛି । ଏବେ ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଯୋଗାଇ ଦେବାର ଅନୁମତି ମିଳିଛି । ସରକାରୀ ବ୍ୟାଙ୍କ ଭଳି ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ମଧ୍ୟ ନୂଆ ଶାଖା ଖୋଲିବା ଲାଗି ଅନୁମତି ପ୍ରଦାନ କରାଯିବା ସହିତ ଏକକାଳୀନ ସେଟଲମେଣ୍ଟ ଅଧିକାର ଦିଆଯାଇଛି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ରୂପରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମବାୟ କ୍ଷେତ୍ର ଏ ଦିଗରେ ଯୋଗଦାନ ସେବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉଚିତ୍‌ । ଶ୍ରୀ ମୋଦୀଙ୍କର ‘‘ସହକାର୍‌ ସେ ସମୃଦ୍ଧି’’ ସଂକଳ୍ପକୁ ସାକାର କରିବା ଦିଗରେ, ସମବାୟ ମନ୍ତ୍ରଣାଳୟ ଏହି ଡିଜିଟାଲ ପୋର୍ଟାଲ ଶୁଭାରମ୍ଭ ସହିତ ଏକ ନୂଆ ଯାତ୍ରା ଆରମ୍ଭ କରିଥିବା ସେ କହିଥିଲେ ।

Categories
ବିଶେଷ ଖବର

ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନ୍ୟ ତିଳକ ଜୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ‘ତିଳକ’ । ସେ ସମାଜର ଉନ୍ନତି ଦିଗରେ ଆନ୍ନା ଭାଉ ଶେଠଙ୍କ ଅସାଧାରଣ ତଥା ଅଦ୍ୱିତୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ, ଛାପକର ବ୍ରଦର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଗଡୁସେଠ ମନ୍ଦିରରେ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ଲୋକମାନ୍ୟ ତିଳକଙ୍କ ସହିତ ସିଧାସଳଖ ସଂଯୁକ୍ତ ସ୍ଥାନ ଏବଂ ଅନୁଷ୍ଠାନ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନକୁ ‘ଅବିସ୍ମରଣୀୟ’ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କାଶୀ ଏବଂ ପୁଣେ ମଧ୍ୟରେ ଥିବା ସମାନତା ଗୁଡିକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଉଭୟ ସ୍ଥାନ ବୃତ୍ତିର କେନ୍ଦ୍ର ଅଟନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଜଣେ ପୁରସ୍କାର ଗ୍ରହଣ କରେ, ସେତେବେଳେ ତାର ଦାୟିତ୍ୱ ବୃଦ୍ଧି ପାଇଥାଏ, ବିଶେଷ ଭାବରେ ଯେତେବେଳେ ଲୋକମାନ୍ୟ ତିଳକଙ୍କ ନାମ ପୁରସ୍କାର ସହିତ ସଂଲଗ୍ନ ହୁଏ ସେତେବେଳେ ଏହା ବହୁତ ଅଧିକ ହୋଇଥାଏ ।

ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ଲୋକମାନ୍ୟ ତିଳକ ପୁରସ୍କାର ଉତ୍ସର୍ଗ କରିଛନ୍ତି । ସେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ହାସଲ କରିବାରେ ସାହାଯ୍ୟ କରିବା ପାଇଁ କୌଣସି ଦିଗକୁ ଛାଡ଼ିବେ ନାହିଁ । ନମାମି ଗଙ୍ଗେ ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିବା ନିମନ୍ତେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତର ସ୍ୱାଧୀନତା ପାଇଁ ଲୋକମାନ୍ୟ ତିଳକଙ୍କ ଅବଦାନ କେବଳ କିଛି ଶବ୍ଦ କିମ୍ବା କିଛି କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ହୋଇ ପାରିବ ନାହିଁ , କାରଣ ସ୍ୱାଧୀନତା ସଂଗ୍ରାମ ସହତ ଜଡିତ ଥିବା ସମସ୍ତ ନେତା ତଥା ଘଟଣାରେ ତାଙ୍କର ପ୍ରଭାବ ସ୍ପଷ୍ଟ ରହିଥିଲା । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ “ ଏମିତିକି ବ୍ରିଟିଶ ମାନଙ୍କୁ ମଧ୍ୟ ତାଙ୍କୁ‘ ଭାରତୀୟ ଅଶାନ୍ତିର ପିତା ’ ବୋଲି ଡାକିବାକୁ ପଡୁଥିଲା । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ , ଲୋକମାନ୍ୟ ତିଳକ ତାଙ୍କର ‘ସ୍ୱରାଜ ମୋର ଜନସିଦ୍ଧ ଅଧିକାର’ ଦାବି ସହିତ ସ୍ୱାଧୀନତା ସଂଗ୍ରାମର ଦିଗ ବଦଳାଇ ଦେଇଥିଲେ । ଭାରତୀୟ ପରମ୍ପରାକୁ ବ୍ରିଟିଶ ମାନେ ପୁରୁଣାକାଳିଆ ପ୍ରଥା ବୋଲି ଯେଭଳି ନାମିତ କରୁଥିଲେ ତାହାକୁ ସେ ଭୁଲ ବୋଲି ପ୍ରମାଣ କରିଥିଲେ । ମହାତ୍ମା ଗାନ୍ଧୀ ନିଜେ ତାଙ୍କୁ ଆଧୁନିକ ଭାରତର ସ୍ଥପତି ବୋଲି କହିଥିଲେ ।

ଲୋକମାନ୍ୟ ତିଳକଙ୍କ ଅନୁଷ୍ଠାନ ନିର୍ମାଣ କ୍ଷମତାକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଲାଲା ଲଜପତ ରାୟ ଏବଂ ବିପିନ ଚନ୍ଦ୍ର ପାଲଙ୍କ ସହ ତାଙ୍କର ସହଯୋଗ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ସୁବର୍ଣ୍ଣ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ତିଳକଙ୍କ ଖବରକାଗଜ ଏବଂ ସାମ୍ବାଦିକତାର ବ୍ୟବହାରକୁ ମଧ୍ୟ ମନେ ପକାଇଲେ । କେସରୀ ଏବେ ମଧ୍ୟ ମହାରାଷ୍ଟ୍ରରେ ପ୍ରକାଶିତ ଏବଂ ପଢ଼ା ଯାଇଥାଏ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ସବୁ ଲୋକମାନ୍ୟ ତିଳକଙ୍କ ଦୃଢ଼ ଅନୁଷ୍ଠାନ ନିର୍ମାଣର ପ୍ରମାଶ ଅଟେ ।”

ଅନୁଷ୍ଠାନ ନିର୍ମାଣରୁ ଆଗକୁ ବଢ଼ି, ପ୍ରଧାନମନ୍ତ୍ରୀ ମଧ୍ୟ ତିଳକଙ୍କ ପରମ୍ପରା ଗୁଡିକର ପୃଷ୍ଠପୋଷକତା ଉପରେ ଆଲୋକପାତ କରିଥିଲେ ଏବଂ ଛତ୍ରପତି ଶିବାଜୀଙ୍କ ଆଦର୍ଶ ପାଳନ କରିବା ପାଇଁ ଗଣପତି ମହୋତ୍ସବ ଏବଂ ଶିବ ଜୟନ୍ତୀ ଆରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ । “ଏହି ଆୟୋଜନ ଭାରତକୁ ଏକ ସାଂସ୍କୃତିକ ସୂତ୍ରରେ ବାନ୍ଧି ରଖିବା ସହିତ ପୂର୍ଣ୍ଣ ସ୍ୱରାଜର ସଂପୂର୍ଣ୍ଣ ଧାରଣା ଦେଇଥିଲା । ଏହା ହେଉଛି ଭାରତର ବିଶେଷତା ଯେଉଁଠାରେ ନେତାମାନେ ସ୍ୱାଧୀନତା ଭଳି ବଡ଼ ଲକ୍ଷ୍ୟ ପାଇଁ ଲଢ଼ିଥିଲେ ଏବଂ ସାମାଜିକ ସଂସ୍କାରର ଅଭିଯାନ ମଧ୍ୟ ଚାଲୁ କରିଥିଲେ ବୋଲି ସେ କହିଛନ୍ତି ।

ଦେଶର ଯୁବବର୍ଗଙ୍କ ଉପରେ ଲୋକମାନ୍ୟ ତିଳକଙ୍କ ବିଶ୍ୱାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବୀର ସଭରକରଙ୍କର ତିଳକଙ୍କୁ ମାର୍ଗଦର୍ଶନ କରାଇବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ଏବଂ ଲଣ୍ଡନରେ ଦୁଇଟି ବୃତ୍ତି , ଛତ୍ରପତି ଶିବାଜୀ ବୃତ୍ତି ଏବଂ ମହାରଣା ପ୍ରତାପ ବୃତ୍ତି ଚଳାଉଥିବା ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କର ସୁପାରିଶ କଥା ଉଲ୍ଲେଖ କରିଥିଲେ । ପୁଣେରେ ନ୍ୟୁ ଇଂଲିଶ ବିଦ୍ୟାଳୟ, ଫର୍ଗୁସନ୍ କଲେଜ ଏବଂ ଡେକାନ୍ ଏଜୁକେସନ୍ ସୋସାଇଟି ପ୍ରତିଷ୍ଠା ସେହି ଦର୍ଶନର ଏକ ଅଂଶ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ୟବସ୍ଥା ନିର୍ମାଣରୁ ଅନୁଷ୍ଠାନ ନିର୍ମାଣ, ଅନୁଷ୍ଠାନ ନିର୍ମାଣରୁ ବ୍ୟକ୍ତି ନିର୍ମାଣ ଏବଂ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ଏକ ଦେଶର ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ପରି ହୋଇଥାଏ ଏବଂ ଦେଶ ଏହି ରୋଡମ୍ୟାପକୁ ଏକ ପ୍ରଭାବଶାଳୀ ଢଙ୍ଗରେ ଅନୁସରଣ କରୁଛି ।”

ଲୋକମାନ୍ୟ ତିଳକଙ୍କ ସହ ମହାରାଷ୍ଟ୍ରର ଲୋକ ମାନଙ୍କ ମଧ୍ୟରେ ଥିବା ବିଶେଷ ବନ୍ଧନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟର ଲୋକମାନେ ମଧ୍ୟ ତାଙ୍କ ସହ ସମାନ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଲୋକମାନ୍ୟ ତିଳକ ଅହମ୍ମଦାବାଦର ସାବରମତି ଜେଲ୍‌ରେ ପ୍ରାୟ ଦେଢ଼଼ ମାସ ବିତାଇ ଥିଲେ ଏବଂ ସୂଚନା ଦେଇଥିଲେ ଯେ ୧୯୧୬ ମସିହାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ୪୦,୦୦୦ ରୁ ଅଧିକ ଲୋକ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ବିଚାର ଶୁଣିବା ପାଇଁ ଆସିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଷଣର ପ୍ରଭାବ କାରଣରୁ ସର୍ଦ୍ଦାର ପଟେଲ ଅହମ୍ମଦାବାଦ ପୌରପାଳିକା ନେତୃତ୍ୱ ନେଉଥିବା ସମୟରେ ଅହମ୍ମଦାବାଦ ଠାରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ସର୍ଦ୍ଦାର ପଟେଲଙ୍କ ଭିତରେ ଜଣେ ଲୋକମାନ୍ୟ ତିଳକଙ୍କ ଦୃଢ଼ତାର ପରିଚୟ ପାଇ ପାରିବ । ଭିକ୍ଟୋରିଆ ଗାର୍ଡେନରେ ଏହି ପ୍ରତିମୂର୍ତ୍ତିର ଅବସ୍ଥାନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ , ବ୍ରିଟିଶମାନେ ୧୮୯୭ ମସିହାରେ ରାଣୀ ଭିକ୍ଟୋରିଆର ହୀରକ ଜୟନ୍ତୀ ଉତ୍ସବକୁ ସ୍ମରଣ କରିବା ପାଇଁ ଏହି ଭୂମି ପ୍ରସ୍ତୁତ କରିଥିଲେ ଏବଂ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଭଳି ଏକ ବୈପ୍ଳବିକ କାର୍ଯ୍ୟ ଉପରେ ସର୍ଦ୍ଦାର ପଟେଲ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ବ୍ରିଟିଶମାନଙ୍କ ପ୍ରତିରୋଧର ସମ୍ମୁଖୀନ ହେବା ପରେ ମଧ୍ୟ ଯେ ଏହି ମୂର୍ତ୍ତି ୧୯୨୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଡି ପ୍ରତିମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଉଜ୍ଜ୍ୱଳ ପ୍ରତିମୂର୍ତ୍ତି, ଯେଉଁଠି ତିଳକ ଜୀ ଅରାମଦାୟକ ମୁଦ୍ରାରେ ବସି ରହି ସ୍ୱାଧୀନ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରୁଥିବା ଭଳି ଅନୁଭୂତ ହୋଇଥାଏ । “ଦାସତ୍ୱ କାଳରେ ମଧ୍ୟ ସର୍ଦ୍ଦାର ସାହେବ ଭାରତର ପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ସମଗ୍ର ବ୍ରିଟିଶ ନିୟମକୁ ଆହ୍ୱାନ କରିଥିଲେ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ , ସରକାର ଯେତେବେଳେ କୌଣସି ଏକ ରାସ୍ତାର ନାମ ବିଦେଶୀ ଲୁଣ୍ଠନକାରୀଙ୍କ ନାମ ପରିବର୍ତ୍ତେ ଭାରତୀୟ ବ୍ୟକ୍ତିତ୍ୱ ମାନଙ୍କ ନାମକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ କିଛି ଲୋକ ହଙ୍ଗାମା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଗୀତା ଉପରେ ଲୋକମାନ୍ୟ ତିଳକଙ୍କ ବିଶ୍ୱାସ ଉପରେ ମଧ୍ୟ ମତ ବ୍ୟକ୍ତ କରିଥିଲେ । ସୁଦୂର ମାଣ୍ଡଲେ କାରାଗାରରେ ମଧ୍ୟ ଲୋକମାନ୍ୟ ଗୀତା ଉପରେ ଅଧ୍ୟୟନ ଜାରି ରଖିଥିଲେ ଏବଂ ଗୀତା ରହସ୍ୟ ଆକାରରେ ଏକ ଅମୂଲ୍ୟ ଉପହାର ଦେଇଥିଲେ ।

ସମସ୍ତଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଲୋକମାନ୍ୟଙ୍କ ସାମର୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତା, ଇତିହାସ ଏବଂ ସଂସ୍କୃତିର ଲଢ଼େଇ ଭିତରେ ତିଲକ ଲୋକଙ୍କ ଆତ୍ମବିଶ୍ୱାସକୁ ପୁନଃ ସ୍ଥାପନ କରିଥିଲେ । ଲୋକ, ଶ୍ରମିକ ଏବଂ ଉଦ୍ୟୋଗୀ ମାନଙ୍କ ଉପରେ ତାଙ୍କର ବିଶ୍ୱାସ ଥିଲା । ସେ କହିଛନ୍ତି, “ତିଳକ ଭାରତୀୟ ମାନଙ୍କ ମଧ୍ୟରେ ହୀନମନ୍ୟତାର ଧାରାକୁ ଭାଙ୍ଗି ସେମାନଙ୍କ ଦକ୍ଷତା ଦେଖାଇ ଥିଲେ” ।

ଅବିଶ୍ୱାସର ପରିବେଶରେ ଦେଶର ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ପୁଣେର ଜଣେ ଭଦ୍ରଲୋକ ଶ୍ରୀ ମନୋଜ ପୋଚାଟ ଜି’ ଙ୍କ ଏକ ଟ୍ୱିଟ୍ ସମ୍ପର୍କରେ ମନେ ପକାଇଥିଲେ, ଯିଏ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କୁ ୧୦ ବର୍ଷ ପୂର୍ବେ ପୁଣେ ଗସ୍ତ ବିଷୟରେ ମନେ ପକାଇଥିଲେ । ତିଳକ ଜୀ’ ଙ୍କ ଦ୍ୱାରା ପ୍ରତିଷ୍ଠିତ ଫର୍ଗୁସନ୍ କଲେଜରେ ସେହି ସମୟରେ ଭାରତରେ ହୋଇଥିବା ବିଶ୍ୱାସ ନିଅଂଟ ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ବିଶ୍ୱାସ ନିଅଂଟ ପ୍ରସଙ୍ଗ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଦେଶ ବିଶ୍ୱାସ ନିଅଂଟରୁ ଅଧିକ ବିଶ୍ୱାସ ଆଡକୁ ଯାଉଛି ବୋଲି କହିଛନ୍ତି ।

ଗତ ୯ ବର୍ଷ ମଧ୍ୟରେ ହୋଇଥିବା ପ୍ରମୁଖ ପରିବର୍ତ୍ତନ ଗୁଡିକରେ ପ୍ରଧାନମନ୍ତ୍ରୀ ଏହି ଅଧିକ ବିଶ୍ୱାସର ଉଦାହରଣ ଦେଇଛନ୍ତି । ଏହି ବିଶ୍ୱାସର ପରିଣାମ ସ୍ୱରୂପ ଭାରତ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଦେଶର ନିଜ ଉପରେ ବିଶ୍ୱାସ ବିଷୟରେ ମଧ୍ୟ କହିଥିଲେ ଏବଂ ଭାରତରେ ପ୍ରସ୍ତୁତ କରୋନା ଟୀକା ଭଳି ସଫଳତା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ପୁଣେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ସେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଏବଂ ଅଖଣ୍ଡତା ଉପରେ ବିଶ୍ୱାସର ଚିହ୍ନ ଭାବରେ ମୁଦ୍ରା ଯୋଜନା ଅଧୀନରେ ବନ୍ଧକମୁକ୍ତ ଋଣ ବିଷୟରେ କହିଥିଲେ । ସେହିଭଳି, ଅଧିକାଂଶ ସେବା ବର୍ତ୍ତମାନ ମୋବାଇଲରେ ଉପଲବ୍ଧ ଏବଂ ଲୋକମାନେ ସେମାନଙ୍କର ତଥ୍ୟ ଗୁଡ଼ିକୁ ସ୍ୱ- ପ୍ରମାଣୀକରଣ କରି ପାରିବେ । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ , ଏହି ବାଣିଜ୍ୟ ଅଧଶେଷ କାରଣରୁ ସ୍ୱଚ୍ଛତା ଅଭିଯାନ ଏବଂ ବେଟି ବଚାଓ – ବେଟି ପଢ଼ାଓ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଯାଇଛି । ଏସବୁ ଦେଶରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

ଯେତେବେଳେ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରୁ ତାଙ୍କ ସମ୍ବୋଧନ ସମୟରେ ଗ୍ୟାସ ଉପରେ ମିଳୁଥିବା ରିହାତି ଛାଡି ପାରିବେ ବୋଲି ଆହ୍ୱାନ ଦେଇଥିଲେ, ତାହା ପରେ ଲକ୍ଷ ଲକ୍ଷ ଲୋକ ଗ୍ୟାସ ସବସିଡି ଛାଡି ଦେଇଥିବା ସମ୍ପର୍କରେ ସେ ମନେ ପକାଇଥିଲେ । ସେ ସୂଚନା ଦେଇଛନ୍ତି ଯେ ଅନେକ ଦେଶ ଉପରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଜଣା ପଡିଛି, ଭାରତରେ ସରକାରଙ୍କ ଉପରେ ସର୍ବାଧିକ ବିଶ୍ୱାସ ରହିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ଭାରତର ଲୋକଙ୍କ ପାଇଁ ପ୍ରଗତିର ମାଧ୍ୟମ ପାଲଟିଛି ।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଦେଶ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବରେ ଦେଖୁଛି , ଯେଉଁଠାରେ ପ୍ରତ୍ୟେକ ନାଗରିକ ଦେଶର ସ୍ୱପ୍ନ ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ନିଜ ସ୍ତରରୁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିପାଇଁ ଆଜି ବିଶ୍ୱ ମଧ୍ୟ ଭାରତରେ ଭବିଷ୍ୟତକୁ ଦେଖୁଛି କାରଣ ଆଜିର ଆମର ପ୍ରୟାସ ସମଗ୍ର ମାନବିକତା ପାଇଁ ଏକ ନିଶ୍ଚିତତା ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକମାନେ ନିଶ୍ଚିତ ଭାବରେ ଏକ ଦୃଢ଼ ତଥା ସମୃଦ୍ଧ ଭାରତର ସ୍ୱପ୍ନକୁ ଲୋକମାନ୍ୟ ତିଳକଙ୍କ ଚିନ୍ତାଧାରା ଏବଂ ଆଶୀର୍ବାଦର ଶକ୍ତିରେ ପରିଣତ କରିବେ । ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଲୋକମାନ୍ୟ ତିଳକଙ୍କ ଆଦର୍ଶ ସହିତ ଲୋକଙ୍କୁ ଯୋଡିବାରେ ହିନ୍ଦ ସ୍ୱରାଜ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଚାଲିବ ।

ଏଡି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ସଂସଦର ସଦସ୍ୟ ଶ୍ରୀ ଅଜିତ ପାୱାର, ତିଳକ ସ୍ମାରକ ଟ୍ରଷ୍ଟର ସଭାପତି ଡଃ ଦୀପକ ତିଳକ, ତିଳକ ସ୍ମାରକ ଟ୍ରଷ୍ଟର ଉପ ସଭାପତି ଡଃ ରୋହିତ ତିଳକ ଏବଂ ତିଳକ ସ୍ମାରକ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ସୁଶୀଲ କୁମାର ସିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ କାର୍ଯ୍ୟ କରିଥିବା ଏବଂ ଯାହାର ଅବଦାନ କେବଳ ଉଲ୍ଲେଖନୀୟ ଏବଂ ଅସାଧାରଣ ହୋଇଥିବ , ସେହିଭଳି ଲୋକ ମାନଙ୍କୁ ଏହା ପ୍ରଦାନ କରାଯାଇଥାଏ । ଏହା ପ୍ରତି ବର୍ଷ ଅଗଷ୍ଟ ୧ ରେ – ଲୋକମାନ୍ୟ ତିଳକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଇଥାଏ ।

ପ୍ରଧାନମନ୍ତ୍ରୀ ଏହି ପୁରସ୍କାରର ୪୧ ତମ ପ୍ରାପ୍ତକର୍ତ୍ତା ହୋଇଛନ୍ତି । ଏହା ପୂର୍ବରୁ ଡଃ ଶଙ୍କର ଦୟାଲ ଶର୍ମା, ଶ୍ରୀ ପ୍ରଣବ ମୁଖାର୍ଜୀ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡଃ ମନମୋହନ ସିଂହ, ଶ୍ରୀ ଏନ୍ ଆର୍ ନାରାୟଣ ମୂର୍ତ୍ତି, ଡଃ ଶ୍ରୀଧରନ୍‌ଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଏହା ପ୍ରଦାନ କରାଯାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆଉ ଜଣେ ସନ୍ଦିଗ୍ଧଙ୍କୁ ଧରିଲା ମହାରାଷ୍ଟ୍ର ଏଟିଏସ୍, ପୂର୍ବରୁ ଗିରଫ ହୋଇଥିଲେ ୨ ଆତଙ୍କବାଦୀ

ପୁଣେ: ପୁଣେରେ ଧରାଯାଇଥିବା ଦୁଇ ଆତଙ୍କବାଦୀଙ୍କୁ ପଚରାଉଚରା କରିବା ପରେ ମହାରାଷ୍ଟ୍ର ଏଟିଏସ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏଟିଏସ୍ ଅନୁଯାୟୀ, ଧରାଯାଇଥିବା ବ୍ୟକ୍ତି ଗୋନ୍ଦିଆର ବାସିନ୍ଦା। ଏହି ବ୍ୟକ୍ତି ଗିରଫ ଆତଙ୍କବାଦୀଙ୍କୁ ପୁଣେରେ ଏକ ଭଡା ଘର ଲୁଚାଇବାକୁ ସାହାଯ୍ୟ କରିଥିଲେ।

ବିଶେଷ କଥା ହେଉଛି ପୁଣେରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ ଜଣା ପଡିଛି ଯେ ଉଭୟ ସତରା ଏବଂ କୋଲହାପୁର ଜଙ୍ଗଲରେ ବୋମା ବିସ୍ଫୋରଣ ତାଲିମ ନେଇଥିଲେ ଏବଂ ପୁଣେରେ ବୋମା ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଉଭୟ ବର୍ତ୍ତମାନ ଏଟିଏସ୍ ହେପାଜତରେ ଅଛନ୍ତି। ରିମାଣ୍ଡରେ ନେବାବେଳେ ଏଟିଏସ୍ କୋର୍ଟରେ ଏହା ପ୍ରକାଶ କରିଛି।

ପୂର୍ବରୁ ଧରାଯାଇଥିବା ଆତଙ୍କବାଦୀଙ୍କ ଉପରେ ରାଜସ୍ଥାନରେ ଏନଆଇଏ ର ଏକ ମାମଲାରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇସାରିଛି। ତେବେ ତାଙ୍କର ତୃତୀୟ ସହଯୋଗୀ ଫେରାର ହୋଇଯାଇଛି, ଯାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାସ୍ତା ପାର ହେଉଥିବା ବେଳେ ମହିଳାଙ୍କୁ ଧକ୍କା ଦେଲା ଏସୟୁଭି, ପାଞ୍ଚ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଶିକ୍-ପୁଣେ ରାଜପଥ ଅତିକ୍ରମ କରୁଥିବା ମହିଳାମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ପୁଣେ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଶିରୋଲି ଗ୍ରାମ ନିକଟରେ କ୍ୟାଟରିଂ କାମ ପାଇଁ ୧୭ ଜଣ ମହିଳା ଗୋଷ୍ଠୀ ରାଜପଥ ପାର ହେଉଥିଲେ। ରାତି ୧୧.୪୫ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ଖେଡ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ମହିଳାମାନେ ପୁଣେ-ନାଶିକ ରାଜପଥରେ ଅବସ୍ଥିତ ଏକ ବିବାହ ହଲରେ କ୍ୟାଟରିଂ କାମ ପାଇଁ ପୁଣେ ସହରରୁ ଆସିଥିଲେ। ସେମାନେ ରାଜପଥ ପାର ହେଉଥିବା ବେଳେ ଏକ ଏସୟୁଭି ସେମାନଙ୍କୁ ଧକ୍କା ଦେଇଥିଲା।” ଦୁର୍ଘଟଣା ପରେ ଏସୟୁଭି ଡ୍ରାଇଭର ପୁଣେ ଆଡକୁ ଚାଲିଯାଇଥିଲା।

ସେ କହିଛନ୍ତି ଯେ, ଦୁଇଜଣ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ତିନିଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ, ତିନିଜଣ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ଏସୟୁଭି ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣେରେ ଥିବା ଗୁଗୁଲ୍ ଅଫିସ୍ କୁ ବୋମାରେ ଉଡେଇଦେବା ଧମକ, ହାଇଦ୍ରାବାଦରୁ ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ଗୁଗୁଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା, ​​ଯେଉଁଥିରେ ଫୋନ କରୁଥିବା ବ୍ୟକ୍ତି ପୁଣେର ଗୁଗୁଲ୍ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲା। ଗୁଗୁଲ୍ ଅଧିକାରୀମାନେ ତୁରନ୍ତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ଏବଂ ପୁଣେ ପୋଲିସ ସହିତ ମୁମ୍ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା।

ସୂଚନା ଅନୁଯାୟୀ, ଧମକ ଦେଉଥିବା ବ୍ୟକ୍ତିଙ୍କ ନାମ ପଣ୍ୟମ ଶିବାନନ୍ଦ ବୋଲି କହିଥିଲେ। ସେ ହାଇଦ୍ରାବାଦରେ ରୁହନ୍ତି ବୋଲି ଫୋନରେ କହିଥିଲା।ପୋଲିସ ଏହି ମାମଲା ସହ ଜଡିତ ସମସ୍ତ ସୂଚନା ପୁଣେ ପୋଲିସକୁ ଦେଇଛି, ଯାହା ଦ୍ଵାରା ସେମାନେ ମଧ୍ୟ ତଦନ୍ତ କରିପାରିବେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଫିସରେ ପୋଲିସ ଏପର୍ଯ୍ୟନ୍ତ ସନ୍ଦେହଜନକ କିଛି ପାଇନାହିଁ। ସେପଟେ ହାଇଦ୍ରାବାଦରେ ପୋଲିସ କଲରଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସର ଏକ ଟିମ୍ ମଧ୍ୟ ତେଲେଙ୍ଗାନାରେ ଅଛନ୍ତି ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କୁ ମୁମ୍ବାଇକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ ଏହା ପ୍ରକାଶ କରାଯାଇ ନାହିଁ ଯେ, କଲ୍ ପଛରେ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ ଥିଲା। ପୋଲିସ ଆଇପିସିର ଧାରା ୫୦୫ (୧) (ବି) ଏବଂ ୫୦୬ (୨) ଅନୁଯାୟୀ କଲ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତଦନ୍ତ କରୁଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ସଞ୍ଜୁ ସାମସନ: ବର୍ତ୍ତମାନ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ପୁଣେ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଟିମ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବାଦ୍ ପଡିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ବାଉଣ୍ଡରୀ ନିକଟରେ ବଲ ଧରିବାକୁ ଚେଷ୍ଟା କରୁଥିବାବେଳେ ସାମସନ୍ ତାଙ୍କ ବାମ ଆଣ୍ଠୁରେ ଆଘାତ ପାଇଥିଲେ।

ସ୍କାନ ଏବଂ ବିଶେଷଜ୍ଞଙ୍କ ମତ ପାଇଁ ବିସିସିଆଇ ଡାକ୍ତରୀ ଦଳ ବୁଧବାର ଅପରାହ୍ନରେ ତାଙ୍କୁ ମୁମ୍ବାଇ ନେଇଥିଲେ, ଏହା ପରେ ତାଙ୍କୁ ବିଶ୍ରାମ ଏବଂ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସିନିୟର ଚୟନ କମିଟି ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରିଛନ୍ତି।

ଆଜି ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ପ୍ରଥମ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଉପରେ ରୋମାଞ୍ଚକର ଭାବେ ୨ ରନ୍ ରେନ ବିଜୟ ପଞ୍ଜିକରଣ କରିଥିଲା।

ଭାରତୀୟ ଦଳ:

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକି), ରୁତୁରାଜ ଗାଇକ୍ଵାଡ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକି), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ହର୍ଷଲ ପଟେଲ , ଉମ୍ରାନ ମଲିକ, ଶିବମ ମାଭି, ମୁକେଶ କୁମାର।

Categories
ଆଜିର ଖବର ଜାତୀୟ ଖବର

ପୁଣେ ଷ୍ଟେସନରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନର ଦୁଇଟି କୋଚ୍

ପୁଣେ: ପୁଣେ ଷ୍ଟେସନରେ ଏକ ଟ୍ରେନ୍ ଚଳାଚଳ କଲାବେଳେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାନୁସାରେ ଆଜି ସକାଳେ ପ୍ରାୟ ୯.୪୫ ମିନିଟରେ ମେମୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ​​ଏବଂ ଦୁଇ କୋଚ୍ ଲାଇନଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ଏହି କାରଣରୁ, ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଯାଇଛି। ଏହା ସହିତ କିଛି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ: ପୁଣେ ଠାରେ ଖେଳାଯିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ପୁଣେ ଠାରେ ଖେଳାଯିବ। ଏହା ଦିବାରାତ୍ର ମ୍ୟାଚ ହୋଇଥିବା ବେଳେ ଅପରାହ୍ନ ୧ ଟା ୩୦ ମିନିଟରେ ଖେଳର ସିଧା ପ୍ରସାରଣ କରାଯିବ।

ଭାରତ ପ୍ରଥମ ଦୁଇଟି ସିରିଜ ଯଥା ଟେଷ୍ଟ ସିରିଜ ଏବଂ ଟି-୨୦ ଜିତି ସାରିଥିବା ବେଳେ ଏକଦିବସୀୟ ସିରିଜ ଜିତି କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଇଂଲଣ୍ଡ ଦଳ ଟେଷ୍ଟ ଏବଂ ଟି-୨୦ ସିରିଜକୁ ହାରିଥିଲେ ମଧ୍ୟ ଭାରତକୁ ସହଜ କଡା ଟକ୍କର ଦେଇଛି। ପ୍ରାରମ୍ଭରୁ ଭ୍ରମଣକାରୀ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ ହାତେଇବାରେ ବିଫଳ ହୋଇଛି। ତେଣୁ ଭାରତ ବିରୋଧରେ ଏହି ଅନ୍ତିମ ସିରିଜକୁ ଜିତି ସମ୍ମାନ ବଞ୍ଚାଇବାକୁ ନିଶ୍ଚିତ ପ୍ରୟାସ କରିବ।

ଭାରତୀୟ ଦଳ: 

ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷଭ ପନ୍ତ, କେଏଲ୍ ରାହୁଲ, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ।

ଇଂଲଣ୍ଡ ଦଳ: 

ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ‌ଷ୍ଟୋକ୍ସ, ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ସାମ୍ ବିଲିଙ୍ଗ୍ସ, ମୋଇନ ଅଲ୍ଲୀ, ଲିୟମ ଲିଭିଂଷ୍ଟୋନ୍, ସାମ କରନ, ଟମ୍ କରନ, ଆଦିଲ ରସିଦ, ରେସେ ଟପଲେ, ମାର୍କ ଉଡ୍।