ଭୁବନେଶ୍ୱର: କୋରାଇ ଠାରେ ସୋମବାର ସକାଳେ ପଣ୍ୟବାହୀ ଟ୍ରେନ୍ ଜନୀତ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣା ଏବଂ ପ୍ରଭାବିତ ହୋଇଥିବା ଅନ୍ୟାନ ରେଳ ସାମଗ୍ରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟକୁ କେବଳ ଘଟଣା ଠାରୁ ମାତ୍ର ୧୬ ଘଣ୍ଟା ମଧ୍ୟରେ ମରାମତି ସମ୍ପାଦନା କରାଯାଇ ପାରିଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ନିଜେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ମହାପ୍ରବନ୍ଧକଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।
ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗର ଭଦ୍ରକ-କପିଳାସ ରୋଡ଼ ରେଳ ସେକ୍ସନ ମଧ୍ୟରେ କୋରେଇ ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଚଳାଚଳ ଉଭୟ ଲାଇନ କ୍ଷତିଗ୍ରସ୍ତ ହେବା ସହିତ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଆକ୍ସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଟିମ୍ ପୂର୍ବତଟ ରେଳପଥ ପକ୍ଷରୁ ତୁରନ୍ତ ନିୟୋଜିତ କରାଯାଇଥିଲା।
ରେଳବାଇର କ୍ରମାଗତ ଉଦ୍ୟମ ହେତୁ ପ୍ରଭାବିତ ୱାଗନ ଗୁଡିକୁ ସନ୍ଧ୍ୟା ୫ଘ.୩୫ମି. ମଧ୍ୟରେ ଟ୍ରେନ ଲାଇନ ଉପରୁ ଅପସାରିତ କରାଯାଇ ପାରିଥିଲା ଯାହାଦ୍ୱାରା ଖୁବ କମ ସମୟ ମଧ୍ୟରେ ଡାଉନ ଲାଇନ କୁ କାର୍ଯ୍ୟକାରୀ କରାଇବାପାଇଁ ଅନୁମତି ଦିଆଯାଇଥିଲା। ସେହପରି ମଧ୍ୟ ରାତ୍ରି ପୂର୍ବରୁ ଉଭୟ ଟ୍ରାକ୍ କୁ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। ଉଭୟ ରେଳ ଧାରଣାରେ ଟ୍ରେନ ଚଳାଚଳ ପୂର୍ବରୁ ଓଭର ହେଡ୍ ଇକ୍ୟୁପମେଣ୍ଟସ୍ (OHE) କାର୍ଯ୍ୟଗୁଡ଼ିକର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା।
ପୁନରୁଦ୍ଧାର କାର୍ଯ୍ୟରେ ଭାରୀ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ଯଥା ଏସ୍କାଭେଟର, ଖନନକାରୀ, କଟର ବ୍ୟବହାର କରାଯିବ ସହିତ ରେଳପଥର ମାନବ ସମ୍ବଳ ମଧ୍ୟ ବ୍ୟବହାର କରାଯାଇଥିଲା।
ତତ୍କାଳ କ୍ଷତିପୂରଣ ପ୍ରଦାନ:
ଏହା ବ୍ୟତୀତ ରେଳପଥର ମହାପ୍ରବନ୍ଧକ ମଧ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ହସ୍ତାନ୍ତର କରିଥିଲେ। ଏହା ସହିତ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଦୁର୍ଘଟଣା ପରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ଘୋଷଣା କରିଥିଲେ।
ରେଳ ମନ୍ତ୍ରୀ ଗତକାଲି ମୃତକ ମାନଙ୍କ ପରିବାର ଲୋକଙ୍କୁ ପାଞ୍ଚ ଲକ୍ଷ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବାବେଳେ ଗୁରୁତର ଆହତଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ମାନଙ୍କ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।